ଟିକେଟ୍‌ କିଣି ନାଟକ ଦେଖିଲେଣି ସହରିଆ

ଆଜି ବିଶ୍ବ ନାଟ୍ୟ ଦିବସ

ଭୁବନେଶ୍ବର: ନାଟକରେ ଏବେ ଚାକଚକ୍ୟ ବଢ଼ିଛି। ଜାତୀୟସ୍ତରୀୟ ନାଟକ ବି ଓଡ଼ିଶାରେ ଏବେ ନିର୍ମିତ ହେଉଛି। ଏଭଳି ନାଟକ ପରିବେଷଣ ପାଇଁ ଓଡ଼ିଶାର ସର୍ବୋକୃଷ୍ଟ ପ୍ରେକ୍ଷାଳୟ ‘ରବୀନ୍ଦ୍ର ମଣ୍ଡପ’ ବର୍ଷତମାମ ପ୍ରାୟ ବୁକ୍‌ ରହୁଛି। ରବୀନ୍ଦ୍ର ମଣ୍ଡପରେ ବର୍ଷ ସାରା ଯେଉଁସବୁ କାର୍ଯ୍ୟକ୍ରମ ହେଉଛି, ସେଥିରୁ ୭୦% ହେଉଛି ନାଟକ। ହେଲେ ଏଠାରେ ଟିକେଟ୍‌ଡ୍‌ ନାଟକ କେତେ ପରିବେଷିତ ହେଉଛି? ନାଟକ ଦେଖିବା ପାଇଁ ଦର୍ଶକଙ୍କ ଭିଡ଼ ସବୁବେଳେ ଲାଗି ରହୁଥିବା ବେଳେ ଟିକେଟ କିଣି ନାଟକ ଦେଖିବାକୁ ଲୋକେ କେତେ ପସନ୍ଦ କରୁଛନ୍ତି?

ଟିକେଟ୍‌ଡ୍‌ ସୋ’ କଲେ ଲୋକ ନାଟକ ଦେଖିବାକୁ ଆସିବେ ତ’? କି ପ୍ରେକ୍ଷାଳୟର ସବୁ ଚୌକି ଫାଙ୍କା ପଡ଼ିବ? ନାଟ୍ୟ ନିର୍ଦ୍ଦେଶକଙ୍କୁ ଆଗରୁ ଏମିତି ପ୍ରଶ୍ନ ଘାରୁଥିବା ବେଳେ କରୋନା ପରେ ଏଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଅନେକ ସଂସ୍ଥା ଟିକେଟ୍‌ଡ୍‌ ସୋ’ ଆଡ଼କୁ ମୁହାଁଇଥିବା ବେଳେ ସେମାନଙ୍କୁ ଦର୍ଶକ ମଧ୍ୟ ନିରାଶ କରିନାହାନ୍ତି। ନିଚ୍ଛକ ତଥା ରୋମାଞ୍ଚକର କାହାଣୀ, ନିଖୁଣ ଅଭିନୟ, ଉତ୍ତମ ମଞ୍ଚସଜ୍ଜା ପାଇଁ ଦର୍ଶକ ହାତଖୋଲା ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଅଛନ୍ତି। ଏଣୁ ରଂଗମଞ୍ଚ ଏହାର କଳାତ୍ମକ ଉତ୍କର୍ଷତା ସହ ଏକ ସଫଳ ବ୍ୟବସାୟର ସ୍ରୋତ ହୋଇପାରିବ ବୋଲି ଆଶା କରାଯାଉଛି।

ରଙ୍ଗମଞ୍ଚ ଭବିଷ୍ୟତ ପାଇଁ ଆଶାର ସଞ୍ଚାର
ଦର୍ଶକଙ୍କୁ ଆକୃଷ୍ଟ କରୁଛି ମୌଳିକ କାହାଣୀର ନାଟକ

ଅତୀତରେ ଅନେକ ନାଟକ ଟିକେଟ୍‌ଡ୍‌ ହୋଇଥିବା ବେଳେ କିଛି ବର୍ଷ ହେଲା ସେଥିରେ ବ୍ରେକ୍ ଲାଗିଥିଲା। ଏବେ ପୁଣି ଥରେ ସହରିଆ ଦର୍ଶକ ନାଟକମୁହାଁ ହେଉଛନ୍ତି। ଚଳଚ୍ଚିତ୍ର, ଯାତ୍ରା ଅପେକ୍ଷା ନାଟକ ଏବେ ସହରରେ ମନୋରଞ୍ଜନର ବଡ଼ ମାଧ୍ୟମ ପାଲଟିଛି। ଚଳଚ୍ଚିତ୍ର ଭଳି ଟିକେଟ କାଟି ନାଟକ ଦେଖିଯିବାକୁ ବି ଲୋକେ ପସନ୍ଦ କଲେଣି। ‘ମୁକ୍ତି ଓ ସବୁଜ’ ନାଟ୍ୟାନୁଷ୍ଠାନର ପ୍ରାୟ ସମସ୍ତ ନାଟକ ଟିକେଟ୍‌ଡ୍ ସୋ’ ହୋଇଥିବା ବେଳେ ଗତ ସପ୍ତ‌ାହରେ ୨ ଦିନ ଧରି ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହୋଇଥିବା ବିଶାଣ୍ ବଳଭଦ୍ର ଶତପଥୀଙ୍କ ନାଟକ ‘ବୟସର ଅନ୍ତେ’କୁ ଦର୍ଶକୀୟ ସମର୍ଥନ ମିଳିଛି। ନିକଟ ଅତୀତରେ ‘ଚକ୍‌ଲେଟ୍‌ ପ୍ରଡକ୍ସନ୍‌’ର ଐତିହାସିକ ‘ନାଟକ ଆହେ ନୀଳଶୈଳ’, ଧୀର ମଲ୍ଲିକଙ୍କ ନିର୍ଦ୍ଦେଶିତ ‘ନବକଳେବର’, ଜୀବନରେଖା ଅନୁଷ୍ଠାନର ‘ଘୋଡ଼ାମୁହାଁ’ ଓ ଉତ୍ତରପୁରୁଷ ନାଟ୍ୟାନୁଷ୍ଠାନର ନାଟକ ‘ନାରୀର କଙ୍କାଳ’ ଆଦି ଆଶାତୀତ ସଫଳତା ହାସଲ କରିଛନ୍ତି। ଦର୍ଶକଙ୍କ ମନୋରଞ୍ଜନର ପରିଭାଷା, ନାଟକ ଦେଖାବାର ରୁଚି ଆଦି ବଦଳିଛି ଓ ଟଙ୍କା ଦେଇ ଦର୍ଶକ ଭଲ କାହାଣୀ ଦେଖିବାକୁ ଚାହାନ୍ତି ବୋଲି ସ୍ପଷ୍ଟ ହୋଇଛି। ଫଳରେ ନାଟ୍ୟ କଳାକାରଙ୍କ ଆର୍ଥିକ ସମସ୍ୟାକୁ ନେଇ ଉଠୁଥିବା ପ୍ରଶ୍ନ ଓ କାଳକ୍ରମେ ମଞ୍ଚ ନାଟକ ମରିଯିବାର ଦ୍ବନ୍ଦ୍ବ ସମାପ୍ତ ହେବାର ଆଶା ଦେଖାଦେଇଛି।

ଏକ ନାଟକ ପରିବେଷଣ ପାଇଁ ପୋଷ୍ଟର ପାଖରୁ ଆରମ୍ଭ କରି ବ୍ୟାନର ପର୍ଯ୍ୟନ୍ତ, ଗେଟ୍ ସଜ୍ଜାରୁ ଆରମ୍ଭ କରି ଜଳପାନ ପର୍ଯ୍ୟନ୍ତ, ମଞ୍ଚରୁ ଆରମ୍ଭ କରି ଆଲୋକ ପରିଚାଳକ ପର୍ଯ୍ୟନ୍ତ, ମେକ୍‌ଅପ୍ ମ୍ୟାନ୍, ସଂଗୀତ ନିର୍ଦ୍ଦେଶକ , ମହିଳା ଅଭିନେତ୍ରୀ, ଅଡିଟୋରିୟମ୍ ବୁକ, ଦୈନନ୍ଦିନ ରିହର୍ସାଲରୁ ଆରମ୍ଭ କରି ମଣ୍ଡପ କର୍ମଚାରୀଙ୍କୁ ଦିନ ବେଳା ଆସିବା ପାଇଁ ଅର୍ଥ ଦେବା ପର୍ଯ୍ୟନ୍ତ; ନାଟକ ଦଳର ମୁଖ୍ୟଙ୍କୁ ଅନେକ ଅର୍ଥ ବ୍ୟୟ କରିବାକୁ ପଡ଼ିଥାଏ। ଏ ଅର୍ଥ କିନ୍ତୁ ଦର୍ଶକଙ୍କଠାରୁ ଆସେ ନାହିଁ। ଆସେ କିଛି ପୃଷ୍ଠପୋଷକ ଓ ସରକାରଙ୍କ ଅନୁଦାନ ରାଶିରୁ। ଫଳରେ ଅଧିକାଂଶ ଅଭିନେତା ନାଟ୍ୟ ମଞ୍ଚରୁ ଟଙ୍କାଟିଏ ରୋଜଗାର କରିପାରନ୍ତି ନାହିଁ। ଏଣୁ ନାଟ୍ୟମଞ୍ଚ ରୋଜଗାରର ପନ୍ଥା ହୋଇପାରି ନଥିଲା। ବଡ଼ ବଡ଼ ଅଭିନେତାମାନେ କେବଳ ନିଜ ବ୍ୟକ୍ତିଗତ ରୁଚି କାରଣରୁ ମଞ୍ଚରେ ପରିବେଷଣ କରନ୍ତି ସିନା ଅର୍ଥ ଉପାର୍ଜନ ପାଇଁ ଅଲଗା ସାଧନ ଉପରେ ନିର୍ଭର କରୁଥିଲେ। ଯୁବପିଢ଼ି ଏଥିପାଇଁ ନାଟ୍ୟମଞ୍ଚରୁ ବିମୁଖ ଥିଲେ। ‌ହେଲେ ଟିକେଟ୍‌ଡ୍‌ ସୋ’ ଦ୍ବାରା କଳାକାରଟିଏ ରୋଜଗାର ପାଇବାର ଆଶା ଉଜ୍ଜ୍ବଳ ହୋଇଥିବା ବେଳେ ଯୁବପିଢ଼ି ବି ନାଟକ ଆଡ଼କୁ ମୁହାଁଉଥିବା ଦେଖିବାକୁ ମିଳିଛି।

ଗତ ୨୪ ଓ ୨୫ ତାରିଖ ରବୀନ୍ଦ୍ର ମଣ୍ଡପଠାରେ ମଞ୍ଚସ୍ଥ ଟିକେଟ୍‌ଡ୍‌ ନାଟକ ‘ବୟସର ଅନ୍ତେ’ର କାହାଣୀକାର ତଥା ନିର୍ଦ୍ଦେଶକ ବିଶାଣ୍ ବଳଭଦ୍ର ଶତପଥୀ କହିଛନ୍ତି, ନକଲ ଚଳଚ୍ଚିତ୍ର ଓ ଅଲଗା ଭାଷାଭାଷୀ ନାଟକରୁ ଅନୁପ୍ରେରିତ ନାଟକ ଓଡ଼ିଆ ଦର୍ଶକଙ୍କୁ ଓଡ଼ିଆ ମନୋରଞ୍ଜନ ଜଗତରୁ ସମ୍ପୂର୍ଣ୍ଣ ବିମୁଖ କରିଦେଇଛି। ନିଚ୍ଛକ ଓଡ଼ିଆ କାହାଣୀ ଓ ନାଟକ କରି ଦର୍ଶକ ସୃଷ୍ଟି କରିବାର ପ୍ରକ୍ରିୟା ଏବେ ଚାଲିଛି। ନାଟକ, ମଞ୍ଚ ଓ ମଞ୍ଚ ମଣିଷ ବଞ୍ଚିବା ପାଇଁ ଟିକେଟ୍‌ଡ୍‌ ସୋ’ର ଆବଶ୍ୟକତା ବହୁ ଗୁଣରେ ରହିଛି। ଯଦି ଚଳଚ୍ଚିତ୍ର, ମ୍ୟୁଜିକ୍‌ ଭିଡିଓ, ସିରିଆଲ୍‌, ଏପରିକି ଯାତ୍ରା ବି ଲୋକେ ଏହାର ମୂଲ୍ୟ ଦେଇ ଦେଖୁଛନ୍ତି ତେବେ ଆମେ ତିଆରି କରୁଥିବା ନାଟକକୁ କାହିଁକି ନୁହେଁ। ନାଟକ ହେଉଛି ନାଟ୍ୟକାରର ଉତ୍ପାଦ। ଉତ୍ପାଦ ତିଆରି ହୁଏ ବିକ୍ରି ପାଇଁ। କିନ୍ତୁ ଓଡ଼ିଶାରେ ଏବେ ବି ଟିକେଟ କିଣି ନାଟକ ଦେଖିବାର ମାନସିକତା ଶତ ପ୍ରତିଶତ ସୃଷ୍ଟି ହୋଇନାହିଁ। ଧୀରେ ଧୀରେ ଦର୍ଶକଙ୍କର ଏହି ବିଶ୍ବାସକୁ ଆମକୁ ଜିତିବାକୁ ପଡ଼ିବ। ଏଥିସହ ନାଟକ କେବଳ ବୁଦ୍ଧିଜୀବୀଙ୍କ ପାଇଁ ନୁହେଁ, ସବୁ ବର୍ଗଙ୍କୁ ତୃପ୍ତ କରିବାକୁ ପ୍ରସ୍ତୁତ କରାଯିବା ଭଲ। ଏହା ଫଳରେ ମଞ୍ଚ ପାଇଁ ଆମେ ଅଧିକ ଦର୍ଶକ ସାଉଁଟିପାରିବା।

ଓଡ଼ିଶା ନାଟ୍ୟ ସଂଘର ସଭାପତି ହରେନ ସାହୁ କହିଛନ୍ତି, ସାମ୍ପ୍ରତିକ ସମୟରେ ଟିକେଟ୍‌ଡ୍‌ ସୋ’ର ଆବଶ୍ୟକତା ଉଭୟ ମଞ୍ଚ ଓ କଳାକାରଙ୍କ ପାଇଁ ବଢ଼ିଯାଇଛି। ଦର୍ଶକ ଟିକେଟ କିଣି ନାଟକ ଦେଖିଲେ, ନାଟ୍ୟକାର ଗୁଣାତ୍ମକ ନାଟକ ପରିବେଷଣ ପାଇଁ ଚାପରେ ରହିବ। ଫଳରେ ଉଚ୍ଚମାନର ନାଟକ ସବୁ ନିର୍ମିତ ହେବ। ଟିକେଟ୍‌ଡ୍‌ ନାଟକ ଦ୍ବାରା ମଞ୍ଚ ମଣିଷ ରୋଜଗାର ପାଇବ ତା’ ସହ ଭଲ ଅଭିନୟ ଓ ପରିବେଷଣ ପାଇଁ ଚେଷ୍ଟା କରିବ।

ସମ୍ବନ୍ଧିତ ଖବର