ଆଜି ବିରାଜିବେ ବିଘ୍ନବିନାଶକ

ଭୁବନେଶ୍ୱର: ଦୁଇ ବର୍ଷ ପରେ ଆଡ଼ମ୍ବରରେ ପାଳନ ହେବ ଗଣେଶ ପୂଜା। ବୁଧବାର ବିରାଜିବେ ସିଦ୍ଧି ଓ ବୁଦ୍ଧିର ଦେବତା। ଅଗ୍ରପୂଜ୍ୟଙ୍କୁ ଆବାହନ ପାଇଁ ରାଜଧାନୀ ବେଶ ଚଳଚଞ୍ଚଳ। ସହରର ଗଳିକନ୍ଦିରେ ପାର୍ବତୀନନ୍ଦନଙ୍କୁ ଅପେକ୍ଷା କରିଛି ରଙ୍ଗିନ୍‌ ଆଲୋକମାଳାରେ ସୁସଜ୍ଜିତ ତୋରଣ। ଫୁଲ, ଫଳ ଠାରୁ ଆରମ୍ଭ କରି ମୂର୍ତି ଦୋକାନ ବଜାରର ଶୋଭା ବଢ଼ାଉଛି। ଏଥିପାଇଁ ଶିକ୍ଷାନୁଷ୍ଠାନ, ଯୁବ ସଂଗଠନ, କ୍ଲବ୍‌ ସବୁ ଉତ୍ସବମୁଖର। ମୂର୍ତିଠୁ ତୋରଣ ପର୍ଯ୍ୟନ୍ତ ସବୁଥିରେ ଝଲସିବ ନିଆରାପଣ।

ଚଳିତବର୍ଷ ବିନା କଟକଣାରେ ଗଣେଣ ପୂଜା ପାଳିତ ହେବାକୁ ଯାଉଥିବାରୁ ସବୁଠି ଉତ୍ସାହ ଓ ଉତ୍କଣ୍ଠା। ଆଜି ବଜାର ଓ ପୂଜା ମଣ୍ଡପ ଥିଲା ଚଳଚଞ୍ଚଳ। ବ୍ୟବସାୟୀଙ୍କୁ ଫୁର୍‌ସତ ନଥିଲା କି ପୂଜା ମଣ୍ଡପର କର୍ମକର୍ତାଙ୍କୁ ତର ନଥିଲା। କିଣାକିଣି ପାଇଁ ୟୁନିଟ୍‌-୧ ହାଟ ଓ ୟୁନିଟ୍‌-୨ ମାକେର୍ଟ ବିଲ୍‌ଡିଂରେ ନାହିଁ ନ ଥିବା ଗହଳି ଲାଗିଥିଲା। ଜନପଥ ସମେତ ସହରର ପ୍ରମୁଖ ବଜାରଗୁଡ଼ିକରେ ଖଚାଖଚ୍‌ ଭିଡ଼ ଦେଖିବାକୁ ମିଳିଥିଲା। ପାର୍ବତୀନନ୍ଦନଙ୍କ ପ୍ରିୟ ଲଡ଼ୁ ପାଇଁ ବହୁ ଆଗରୁ ବରାଦ ସରିଥିବା ବେଳେ ମିଠା କାରିଗରମାନେ କାମରେ ବ୍ୟସ୍ତଥିଲେ।

ବଜାରରେ ଅସମ୍ଭାଳ ଭିଡ଼

ବିଘ୍ନ ବିନାଶକଙ୍କ ଆବାହନ ପାଇଁ ଧୂପ, ଦୀପ, ଅଗରୁ, ଚନ୍ଦନ, ସିନ୍ଦୂରଠାରୁ ଆରମ୍ଭ କରି ସରା, ଘଡ଼ି, ଧାନ, ପଞ୍ଚଶସ୍ୟ, ରାଶି ଓ ହୋମକାଠ ଏସବୁ ସଂଗ୍ରହରେ ଲାଗି ପଡ଼ିଥିଲେ ଭକ୍ତକୂଳ। ଏପରିକି କଦଳୀ ବାହୁଙ୍ଗି, ଆମ୍ବ ଡାଳ, ଦୁବ, ବରକୋଳି ପତ୍ର ଓ କଇଁଫୁଲର ପସରା ବି ୟୁନିଟ୍‌-୧ ହାଟରେ ଦେଖିବାକୁ ମିଳିଥିଲା। ‌ଏସବୁର ଦାମ୍‌ ୫ ଟଙ୍କା ଲେଖାଏ ରହିଥିବା ବେଳେ ପୁଡ଼ିଆ କରି କେହି କେହି ବିକୁଥିବା ଦେଖିବାକୁ ମିଳିଥିଲା।

ଫୁଲ ଦର ଆକାଶଛୁଆଁ

OYO

ବଜାରରେ ଏବେ ଫୁଲର ଦର ଆକାଶ ଛୁଆଁ। ରଥଯାତ୍ରା ପରଠାରୁ ପ୍ରାୟ ଏକ ମାସ ଧରି ଫୁଲର ଦର ବଢ଼ି ବଢ଼ି ଚାଲିଛି। ଅନ୍ୟପଟେ ଦୁଇ ଦୁଇଟି ଲଘୁଚାପ ବର୍ଷାରେ ଫୁଲ ଗଛ ସବୁ ପଚିଗଲା। ରାଜଧାନୀକୁ ସାଧାରଣତଃ କୋଲକାତା ଓ ବେଙ୍ଗାଲୁରୁରୁ ପ୍ରତିବର୍ଷ ଫୁଲ ଆସୁଥିବା ବେଳେ କିଛି ସ୍ଥାନୀୟ ଅଞ୍ଚଳ ଯଥା, ପିପିଲି, ଛତ୍ରପୁର, ରଘୁନାଥପୁର ଓ ଚଣ୍ଡୀଖୋଲ ଆଦି ଅଞ୍ଚଳରୁ ଫୁଲ ଆସୁଥିଲା। ତେବେ ଏବେ ରାଜଧାନୀରେ ସ୍ଥାନୀୟ ଫୁଲର ଅଭାବ ରହିଥିବା ବେଳେ ଏହି ଅଭାବକୁ ପୂରଣ କରୁଛି ବାହାରୁ ଆମଦାନୀ ଫୁଲ। ଅପରପକ୍ଷରେ ପାର୍ବଣ ଋତୁକୁ ନଜରରେ ରଖି ଫୁଲ ଦର ଫୁଲ ଦର ସ୍ବତଃ ବଢ଼ିଯାଇଛି। ଏହାକୁ ନଜରରେ ରଖି ଫୁଲମାଳ ପିଛା ୫ଟଙ୍କା ଲେଖାଏ ବୃଦ୍ଧି ପାଇଥିବା ବେଳେ ଗେଣ୍ଡୁ ମାଳ ୪୫-୫୦ ଟଙ୍କା ରହିଛି। ସେହିପରି ରଜନୀଗନ୍ଧା ମାଳ ୧୫୦ ଟଙ୍କା, ଦାର୍‌ବେରା ୨୫ରୁ ୩୫ ଟଙ୍କା, ଗୋଲାପ ଗୋଟା ୨୦ରୁ ୨୫ ଟଙ୍କା, କୋଲକାତା ଗୋଲାପ ଗୋଟାଏକୁ ଆଗରୁ ୫ଟଙ୍କା ଥିବା ବେଳେ ଏବେ ୧୫ ଟଙ୍କା, କୋଲ୍‌କାତା ମନ୍ଦାର ୨୦ଟାକୁ ୧୫ଟଙ୍କା ଥିଲା ବେଳେ ଏବେ ୨୦ରୁ ୨୫ଟଙ୍କା ରହିଛି।

ସୂର୍ଯ୍ୟନଗରସ୍ଥିତ ପଞ୍ଚଲିଙ୍ଗେଶ୍ବର ଫ୍ଲୋରିଷ୍ଟର ସ୍ବତ୍ବାଧିକାରୀ ସୂର୍ଯ୍ୟକାନ୍ତ ସ୍ବାଇଁ କହିଛନ୍ତି, ଫୁଲ ପାଇଁ ଓଡ଼ିଶା ପ୍ରାୟ ପଶ୍ଚିମବଙ୍ଗ ଉପରେ ନିର୍ଭରଶୀଳ। ସେଠାରୁ ଆମଦା‌ନୀ ହେଉଥିବାରୁ ଦାମ୍‌ ଟିକେ ଅଧିକ ରହିଛି। କିନ୍ତୁ ପାଗ ଏବେ ଶୁଖିଲା ରହିଥିବାରୁ ଓ ବର୍ଷା ନଥିବାରୁ ଫୁଲ ଏବେ ଭଲ ଫୁଟିଛି ଓ ପ୍ରଚୁର ପରିମାଣରେ ରାଜଧାନୀକୁ ଆମଦାନୀ ହେଉଛି। ଫଳରେ ପାର୍ବଣରେ ଚଳିତ ବର୍ଷ ଅଧିକ ପରିମାଣରେ ଫୁଲ ମିଳିବା ସହ ଦାମ୍‌ କମ୍‌ ରହିବ।

ବାଉଁଶ ପାତିଆ ମଣ୍ଡପରେ ସିଦ୍ଧିଦାତା

ପୁରୁଣା ଭୁବନେଶ୍ୱର: ଚଳିତ ବର୍ଷ ରାଜଧାନୀରେ ବାଉଁଶ ପାତିଆ ପେଣ୍ଡାଲ ଓ ତୋରଣ ବେଶ୍ ବିକ୍ରି ହୋଇଥିବା ଜଣାପଡ଼ିଛି। କାରିଗରମାନେ ତ୍ରିଭୁଜାକାର, ଗମ୍ବୁଜାକାର ଆକୃତିର ମଣ୍ଡପ ଓ ତୋରଣ କରି ବିକ୍ରି କରିଛନ୍ତି। ତୋରଣ ଦାମ୍‌ ୨ ଶହ ଟଙ୍କାରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଥିବା ବେଳେ ମଣ୍ଡପ ଦାମ୍‌ ପାଞ୍ଚ ହଜାର ଟଙ୍କାରେ ବିକ୍ରି ହୋଇଥିବା ଜଣାପଡ଼ିଛି।
ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ୍‌ ଛକ ପର୍ଯ୍ୟନ୍ତ ବହୁ ବାଉଁଶ କାରିଗର ଏହି ବେଉସା କରି ଆସୁଛନ୍ତି। ସେହିଭଳି ଆଦିବାସୀ ପଡ଼ିଆ ନିକଟରେ ରହୁଥିବା ୨୦ ପରିବାର ପ୍ରତିବର୍ଷ ଏହି ବେପାର କରୁଛନ୍ତି। ପୂଜା ବେଳେ ସେମାନେ ନିଜ ଅଞ୍ଚଳରୁ ଆଉ କିଛି କାରିଗର ବି ଆଣିଥାଆନ୍ତି।

ଶିଶୁଭବନ ଛକରେ ବେପାର କରୁଥିବା ୱାଇ ଲକ୍ଷ୍ମୀଙ୍କ କହିବା କଥା ସେ ପ୍ରତିବର୍ଷ ୫୦ରୁ ଅଧିକ ବାଉଁଶ ଘର ବା ମଣ୍ଡପ ବିକ୍ରି କରନ୍ତି। ଦୁଇ ବର୍ଷ ହେଲା ବେପାର ନଥିବାରୁ ପରିବାର ଚଳାଇବା ମୁସ୍କିଲ ହୋଇଥିଲା। ଏଥର ବେପାର ଯୋଗୁଁ ଦି’ ପଇସା ରୋଜଗାର ହୋଇଛି। ସେହିପରି ରାଜମହଲ ଛକର କେ. ରାଜୁ କୁହନ୍ତି ଚଳିତ ବର୍ଷ ଭଲ ବେପାର ହୋଇଛି। ରାଜପଥ କଡ଼ରେ ଜାଗା ଅଭାବ ହେଉଥିବାରୁ ଅଧିକ କାମ କରିପାରୁନାହୁଁ। ଗୋଟିଏ ବିକ୍ରି ହେଲେ ଆଉ ଗୋଟିଏ କରୁଛୁ। ଚଳିତ ବର୍ଷ ବହୁ ବିଦ୍ୟାଳୟରୁ ବାଉଁଶ ମଣ୍ଡପ ଓ ତୋରଣ ପାଇଁ ବରାଦ ଥିଲା। କିଛି ସ୍କୁଲ୍‌କୁ ବରାଦ ଅନୁସାରେ ଦେଇପାରିଲୁ, କିନ୍ତୁ ଯେଉଁମାନେ ବିଳମ୍ବରେ ବରାଦ କଲେ, ସେମାନଙ୍କୁ ଫେରାଇବାକୁ ବାଧ୍ୟ ହେଲୁ ବୋଲି ରାଜୁ କହିଛନ୍ତି। ଫଳରେ କରୋନା ମହାମାରୀରେ ଯେଉଁ କ୍ଷତି ହୋଇଥିଲା, ତାହା ପୂରଣ ହେବା ଆଶା ମଉଳିଗଲା ବୋଲି ଅନ୍ୟ କାରିଗରମାନେ କହିଛନ୍ତି।

ଗଜପତିଙ୍କ ରାଜଗୁରୁ  ପୂଜିବେ ସିଦ୍ଧି ବିନାୟକ

ପୁରୁଣା ଭୁବନେଶ୍ୱର: ପରମ୍ପରା ଅନୁସାରେ ପବିତ୍ର ଗଣେଶ ଚତୁର୍ଥୀ ଦିନ ଶ୍ରୀଲିଙ୍ଗରାଜ ମନ୍ଦିର ପରିସରସ୍ଥ ସିଦ୍ଧି ବିନାୟକଙ୍କୁ ପୁରୀ ଗଜପତି ମହାରାଜଙ୍କ ରାଜଗୁରୁ ପୂଜା କରନ୍ତି। ଚଳିତ ବର୍ଷ ମଧ୍ୟ ପରମ୍ପରା ଅନୁସା‌ରେ ଏହି ବିଧି ପାଳନ କରାଯିବ। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଥମ ପଦକ୍ଷେପ ସ୍ବରୁପ ରାଜଗୁରୁଙ୍କୁ ଚିଠି କରାଯାଇଛି। ପ୍ରତିବର୍ଷ ପରି ସେ ଏବର୍ଷ ମଧ୍ୟ ସିଦ୍ଧି ବିନାୟକ ମନ୍ଦିରରେ ଗଜପତିଙ୍କ ପକ୍ଷରୁ କର୍ତ୍ତା ହୋଇ ଏହି କାର୍ଯ୍ୟ ତୁଲାଇବେ।

ସମ୍ବନ୍ଧିତ ଖବର