ଆଜି ପହିଲି ରଜ: ଉତ୍ସାହ ନାହିଁ; ମନ ଭାଙ୍ଗି ଦେଇଛି କରୋନା

ମଲ୍‌ରେ ରଜ ମଉଜ ପ୍ରସ୍ତୁତି ଅନ୍‌ଲାଇନ୍‌ରେ ହେବ ବିଭିନ୍ନ ପ୍ରତିଯୋଗିତା, ଆକର୍ଷଣୀୟ ଉପହାର ଯୋଜନା

ଭୁବନେଶ୍ବର: ଏଇ ବର୍ଷ ତ’ କରୋନା ଯୋଗୁଁ ରଜ ମଉଜ ହୋଇପାରିଲାନି। ସାହି ଗଳିରେ ବନସ୍ତେ ଡାକିଲା ଗଜ… ଗୀତ ବାଜିଲାନି। ସିନେମା ନାହିଁ କି ବୁଲା ବୁଲି ନାହିଁ। ହଉ ହେଲା… ଆର ବରଷକୁ ଦୁଇ ବର୍ଷର ରଜ ଏକାଥରେ ପାଳିଦେବୁ। ଗତବର୍ଷ ଏଭଳି କିଛି ଆଶା ବାନ୍ଧିଥିବା କୁମାରୀମାନଙ୍କ ମ‌ନ ପୁଣି ଭାଙ୍ଗି ଦେଇଛି କରୋନା। ଗତ ବର୍ଷ ତ’ ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବାରୁ ମନ ପସନ୍ଦର ନୂଆ ଡ୍ରେସ୍‌ ଖଣ୍ଡେ କିଣି ପିନ୍ଧିବାର ସୁଯୋଗ ମିଳିଥିଲା। କିନ୍ତୁ ଚଳିତ ବର୍ଷ ଲକ୍‌ଡାଉନ୍‌ ଯୋଗୁଁ ସବୁ ବନ୍ଦ। ରଜକୁ ଆମେ ନୂଆ ଡ୍ରେସ୍‌ ଖଣ୍ଡେ ପିନ୍ଧିବାର ବି ସୁଯୋଗ ପାଇବୁନି। ରଜ ଦୋଳି, ପାନ ପସରା ଆଉ ଆମେ ଝିଆମାନେ ଏକାଠି ହୋଇ ରଜ ପାଳନ ଯେମିତି କେଉଁ ଯୁଗର କଥା ଭଳି ଲାଗୁଛି। ଆର ବରଷକୁ ପାଳିବୁ ବୋଲି ବି କହିବାକୁ ଜିଭ ଲେଉଟୁନି। କ’ଣ ପୁଣି ତୃତୀୟ ଲହରି ଆସୁଛି ବୋଲି କୁହାଗଲାଣି। ଏଣୁ ରଜ ଆମେ କେବେ ଜାକଜମକରେ ପାଳିବୁ ସେ ନେଇ ଆଶା ମଉଳି ଗଲାଣି ବୋଲି ରାଜଧାନୀର ଯୁବତୀମାନେ କହିଛନ୍ତି। ଆଜି ରଜ ସଜବାଜ ରଙ୍ଗହୀନ ଥିବା ବେଳେ ଆସନ୍ତା ୩ ଦିନ ରଜ ବି ଫିକା ପଡ଼ିବ ବେଲି ଅନୁମାନ କରାଗଲାଣି। କରୋନା ଯୋଗୁଁ ୨ ବର୍ଷ ହେଲା ରଜ ମଉଜ ଫିକା ପଡ଼ିଥିବା ବେଳେ ଏ ବର୍ଷ ଉତ୍ସାହ ଓ ଆଗ୍ରହ ବି ମଳିନ ପଡ଼ିଛି।

ରାଜଧାନୀରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଛି। ଆଗାମୀ ଦିନରେ ମଲ୍‌ ଖୋଲାଯିବାର ଅନୁମାନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ମଲ କର୍ତୃପକ୍ଷ ଏବେ ଗ୍ରାହକଙ୍କୁ ଆକର୍ଷିତ କରିବା ଓ ନିଜ ସହ ଯୋଡ଼ିବାକୁ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି। ତେ‌ବେ ମଲ୍‌ରେ ସିଧାସଳଖ କୌଣସି କାର୍ଯ୍ୟକ୍ରମ ଆୟୋଜନ କରାଯାଇନି। ଲକ୍‌ଡାଉନ୍‌ କାରଣରୁ ବିଭିନ୍ନ ମଲ୍‌ ପକ୍ଷରୁ ଅନ୍‌ଲାଇନ୍‌ରେ ରଜ ପ୍ରତିଯୋଗିତା ବ୍ୟବସ୍ଥା କରାଯାଇଛି। ଗ୍ରାହକମାନେ ମଲ୍‌ ତରଫରୁ ଦିଆଯାଇଥିବା ଫର୍ମ ପୂରଣ କରି ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇପାରିବେ ବୋଲି ସୂଚନା ଦିଆଯାଇଛି। କୃତୀ ପ୍ରତିଯୋଗୀଙ୍କ ପାଇଁ ଆକର୍ଷଣୀୟ ଉପହାର ମଧ୍ୟ ରହିଛି। ପ୍ରତିଯୋଗିତା ପାଇଁ ପଞ୍ଜୀକରଣ ମାଗଣା ରହିଥିବା ବେଳେ ରଜ ଲୁକ୍‌, ପୋଡ଼ପିଠା ତିଆରି, ସାଧାରଣ ଜ୍ଞାନ ପ୍ରତିଯୋଗିତା ଭଳି ଖେଳ ରହିଛି। ଉତ୍କଳ କନିକା ଗ୍ୟାଲେରିଆ ପରି ଅନେକ ବଡ଼ ବଡ଼ ମଲ୍‌ରେ ଏପରି ବ୍ୟବସ୍ଥା କରାଯାଇଥିବା ସୂଚନା ରହିଛି।

ମୋର ଅଣଓଡ଼ିଆ ସାଙ୍ଗଙ୍କୁ ପୋଡ଼ପିଠା ଖୁଆଇବି
ପ୍ରତି ଓଡ଼ିଆ ରଜ ପର୍ବକୁ ଖୁବ୍ ଧୁମଧାମରେ ପାଳନ କରନ୍ତି। ଆଉ ମୁଁ ମଧ୍ୟ ଘରେ ନୂଆ ଡ୍ରେସ ପିନ୍ଧି, ପୋଡ଼ପିଠା ଖାଇ ରଜ ୩ ଦିନ ମଜା କରେ। ବର୍ତମାନ ମୁମ୍ବାଇରେ ଅଛି। ଏ ବର୍ଷ ରଜ ମୋର ଅଣଓଡ଼ିଆ ସାଙ୍ଗମାନଙ୍କ ସହିତ କଟିବ। ଓଡ଼ିଶାରେ କାହିଁକି ରଜ ପାଳନ କରାଯାଏ, ସେମାନେ ଜାଣିବା ପରେ ରଜ ପାଳିବାକୁ ଆଗ୍ରହୀ ଅଛନ୍ତି। ମୁଁ ଏଇଠି ପୋଡ଼ପିଠା ତିଆରି କରି ସେମାନଙ୍କୁ ଖୁଆଇବା ସହିତ ରଜ ଗୀତ ମଧ୍ୟ ଶିଖେଇବି। ଚଳିତ ବର୍ଷ ରଜ ମୋ ପାଇଁ ଅଲଗା ଓ ନିଆରା ଅନୁଭୂତି ଦେବ। ମୁଁ ମୋର ପରମ୍ପରାକୁ କେବଳ ଓଡ଼ିଶାରେ ନୁହେଁ; ଓଡ଼ିଶା ବାହାରେ ଥିବା ଝିଅମାନଙ୍କ ପାଖରେ ପହଞ୍ଚାଇ ପାରୁଛି। ମୋର ସବୁ ଓଡ଼ିଶାବାସୀଙ୍କୁ ଅନୁରୋଧ ସେମାନେ ଘରେ ରୁହନ୍ତୁ ଆଉ ପରିବାର ସହିତ ହସ ଖୁସିରେ ରଜ ପାଳନ କରନ୍ତୁ।
ପ୍ରକୃତି ମିଶ୍ର, ଅଭିନେତ୍ରୀ
ରଜ ଦୋଳି, ପୋଡ଼ପିଠା ଓ ସଜବାଜ ଭୁଲି ହୁଏ ନାହିଁ
ରଜ ପାଇଁ ମୁଁ ସବୁବେଳେ ଖୁବ୍ ଆଗ୍ରହୀ ଓ ଉତ୍ସାହୀ। ମୋର ରଜରେ ପିଲାବେଳ କଥା ପ୍ରତି ବର୍ଷ ମନେ ପଡ଼େ। ରଜରେ ଦୋଳି ଖେଳ, ନୂଆ ଡ୍ରେସ୍ ପିନ୍ଧି ବୁଲିବା, ସଜବାଜ ହୋଇ ସାଙ୍ଗମାନଙ୍କ ଘରକୁ ଯିବା କଥା କେବେ ଭୁଲି ହେବ ନାହିଁ। ଚଳଚ୍ଚିତ୍ର ଜଗତକୁ ଆସିବା ପରେ କର୍ମ ବ୍ୟସ୍ତତା ଭିତରେ ଯଦିଓ ରଜକୁ ସେଇ ଉତ୍ସାହର ସହିତ ପାଳିବାର ସୁଯୋଗ ମିଲେନି; ତଥାପି ମୁଁ ଯେଉଁଠି ଥିଲେ ମଧ୍ୟ ରଜରେ ଓଡ଼ିଶା ଯାଏ। ପରିବାର ସାଙ୍ଗସାଥୀଙ୍କ ସହିତ ପୋଡ଼ପିଠା ଖାଇ ଦୋଳି ଖେଳିବା ମଜା ନିଆରା। ୨ ବର୍ଷ ହେବ ମହାମାରୀ ପାଇଁ ଘରେ ରଜ ପରି ପର୍ବ ପାଳିବାକୁ ବାଧ୍ୟ ହେଉଛି। ଯାହା ଅତ୍ୟନ୍ତ କଷ୍ଟ ଦେଉଛି। ତଥାପି ମୋର ପ୍ରତି ଓଡ଼ିଆ ଭଉଣୀମାନଙ୍କୁ ରଜ ପାଇଁ ଶୁଭେଚ୍ଛା ଘରେ ରହି ରଜ ପାଳିବାକୁ ଅନୁରୋଧ।
ରିଆନା ଶୁକ୍ଳା, ଅଭିନେତ୍ରୀ
ଘରେ ବସି ମମିଙ୍କଠୁ ରଜ ପିଠା ପ୍ରସ୍ତୁତି ଶିଖୁଛି
ଗତ ବର୍ଷଠୁ ଆମର ରଜ ଘରେ ହିଁ କଟୁଛି। ଏ ବର୍ଷ ବି ଘରେ ହେବ। ମୋତେ ଓଡ଼ିଶାର ପାରମ୍ପରିକ ପିଠା ଓ ଖାଦ୍ୟ ବେଶ୍‌ ଭଲ ଲାଗେ। ଚଳିତ ବର୍ଷ ମୁଁ ମୋ ମମିଙ୍କ ସହ ମିଶି ରଜ ପିଠା ପ୍ରସ୍ତୁତି ଶିଖୁଛି। ପୋଡ଼ ପିଠା, ଆରିଷା, କାକରା, ଚକୁଳି ଓ ଛେନାପୋଡ଼ ଆଦି ପ୍ରସ୍ତୁତି ପ୍ରଣାଳୀ ଶୁଖୁଛି। ଏଥିସହ ଆମ କଲୋନିରେ ଛୋଟ ଛୋଟ ଝିଅଙ୍କୁ ଅଳତା, ନେଲ୍‌ପଲିସ୍‌, କୁମ୍‌କୁମ୍‌ ଲଗେଇ ଚୁଟି ବାନ୍ଧି ସଜ କରିଦେବାକୁ ମୋତେ ଭଲ ଲାଗେ। ଆଜି ରଜ ସଜରେ ତାଙ୍କୁ ସଜେଇ ଦେଇଛି। ମୋଟ୍‌ ଉପରେ ଏମିତି ମଉଜ ମଜଲିସ୍‌ରେ ମୋର ରଜ କଟିବ।
ସୂର୍ଯ୍ୟମୟୀ ମହାପାତ୍ର, ଅଭିନେତ୍ରୀ
ରଜ ଅବସରରେ ମୋ ଚଳଚ୍ଚିତ୍ର ସିଦ୍ଧାର୍ଥ ଟିଭିରେ ମୁକ୍ତିଲାଭ କରୁଛି
ମୁଁ ବଙ୍ଗାଳୀ। କିନ୍ତୁ ଓଡ଼ିଶାରେ ବହୁ ବର୍ଷ ହେଲା ରହିଗଲିଣି। ଆଉ ଏଠାକାର ରଜ ପର୍ବ ତ’ ମୋର ଅତିପ୍ରିୟ। ମେହେନ୍ଦି ପକାଇବା, ମା’ ସହ ମିଶି ପିଠା ଗଢ଼ିବା, ଦୋଳି ଖେଳିବା ଆଉ ସଜବାଜ ହେବା ସବୁ ମୋର ଭାରି ପସନ୍ଦ। ପ୍ରତିବର୍ଷ ଏମିତି ହିଁ ପାଳୁଥିଲି ରଜ। ଏ ବର୍ଷ ବି ଘରେ ଏହି ଭଳି ପାଳନ କରବି। ପୁଣି ଆସନ୍ତାକାଲି ରଜ ଅବସରରେ ମୋ ଚଳଚ୍ଚିତ୍ର ‘ବାପା ତୁମେ ଭାରି ଦୁଷ୍ଟ’ ସିଦ୍ଧାର୍ଥ ଟିଭିରେ ମୁକ୍ତିଲାଭ କରିବାକୁ ଯାଉଛି। ଏଥିପାଇଁ ମୁଁ ବହୁତ ଉତ୍ସାହିତ ଅଛି।
ସମିତା ମଣ୍ଡଳ, ଅଭିନେତ୍ରୀ

ସମ୍ବନ୍ଧିତ ଖବର