ଭୁବନେଶ୍ୱର: ରବିବାର ଝୁମିବ ପୋଖରୀପୁଟ୍। ପ୍ରଥମ ଥର ପାଇଁ ବିଏମ୍ସିର ଦକ୍ଷିଣପୂର୍ବ ଜୋନ୍ର ଏକାମ୍ର ନିର୍ବାଚନ ମଣ୍ଡଳୀରେ କଳାଭୂମିରୁ ମଧୁସୂଦନ ପାର୍କ ପର୍ଯ୍ୟନ୍ତ ଆୟୋଜନ କରିବାକୁ ଯୋଜନା କରିଛି ବିଏମ୍ସି। ଏହି ଅଞ୍ଚଳବାସିନ୍ଦାଙ୍କୁ ଏଭଳି ଏକ କାର୍ଯ୍ୟକ୍ରମରେ ସାମିଲ୍ କରିବାକୁ ପୂର୍ବରୁ ଆୟୋଜିତ ହେଉଥିବା ରଥରୋଡ୍ରୁ ଏଠାକୁ ସ୍ଥାନାନ୍ତର କରାଯାଇଛି। ସକାଳ ୭ଟାରୁ ୧୦ଟା ଯାଏଁ ଏହି ରାସ୍ତାରେ ଜମିବ ଗୀତ, ନାଚ, କମେଡି ଆଉ ଓଡ଼ିଆ ସଂସ୍କୃତିର ଝଲକ୍। ଏଥରର ଆକର୍ଷଣ ସାଜିବେ ପ୍ରସିଦ୍ଧ ପ୍ରଚ୍ଛଦପଟ୍ଟ ଗାୟିକା ଅନ୍ତରା ଚକ୍ରବର୍ତ୍ତୀ, ତାରିକ୍ ଅଜିଜ୍, ଶଶାଙ୍କ ଶେଖର ଓ ସିଜଲର୍ସ ଡାନ୍ସ୍ ଗ୍ରୁପ୍। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛି ବିଏମ୍ସି। ପବ୍ଲିକ୍ ଆଡ୍ରେସ୍ ସିଷ୍ଟମ୍ ଜରିଆରେ ସମ୍ପୃକ୍ତ ଅଞ୍ଚଳରେ ଏ ବାବଦରେ ସୂଚନା ମଧ୍ୟ ଦିଆଯାଇଛି। ଏଥର ମଧ୍ୟ ନିଜ ପ୍ରତିଭା ପ୍ରଦର୍ଶନ କରିବାକୁ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ସୁଯୋଗ ରହିଛି। ଏଥିରେ ଭାଗ ନେଇ ପ୍ରତିଭା ପ୍ରଦର୍ଶନ କରିବାକୁ ପଞ୍ଜୀକରଣ କରିବାକୁ କୁହାଯାଇଛି। ପାର୍କ ନିକଟରେ ଦୁଇଟି ବଡ଼ ମଞ୍ଚ ରହିବ। ଏହା ଛଡ଼ା ମଝିରେ ଆଉ ଯେଉଁ ମଞ୍ଚ ରହିବ ତାହା ସ୍ଥାନୀୟ ପ୍ରତିଭାଙ୍କ ପାଇଁ ସମର୍ପିତ ହେବ। ରବିବାର ସକାଳ ସେମାନେ ଆସି ମଞ୍ଚ ନିକଟରେ ପଞ୍ଜୀକରଣ କରିବେ। ଗୀତ ଗାଇବା ଓ ନାଚିବାକୁ ହେଲେ ମୋବାଇଲ୍ରେ ଟ୍ରାକ୍ ଆଣିବା ବ୍ୟବସ୍ଥା କରିବେ। ନିଜ ଅଞ୍ଚଳର ପ୍ରତିଭା କିଭଳି ଅଧିକରୁ ଅଧିକ ଭାଗ ନେବେ ସେ ବାବଦରେ ଜଣାଇବା ସହ ସେମାନେ କିପରି ଏଥିରେ ସାମିଲ୍ ହେବେ ସେ ବାବଦରେ ସହଯୋଗ କରିବାକୁ କର୍ପୋରେଟରମାନଙ୍କୁ କୁହାଯାଇଛି। ପୂର୍ବ ଭଳି ଗୀତ, ନୃତ୍ୟ, ଝୋଟି, ଯୋଗ, ସ୍କେଟିଂ, ସାଇକେଲିଂ, ବାସ୍କେଟବଲ୍, ଲୁଡୁ, କୁଇଜ୍ ପ୍ରତିଯୋଗିତା, ରଙ୍ଗୋଲି, ମ୍ୟାଜିକ୍ ସୋ, କ୍ଲେ ଆର୍ଟ, ଫେସ୍ ପେଣ୍ଟିଂ ଓ ଜୁମ୍ବା ଆଦି କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp