ସୋମବାର ବିଶ୍ବ ପ୍ରସିଦ୍ଧ ପବିତ୍ର ଘୋଷଯାତ୍ରା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏକ ଅପୂର୍ବ ମାନବୀୟ ଲୀଳା। ବଡ଼ ଭାଇ ବଡ଼ଠାକୁର ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କୁ ସାଙ୍ଗରେ ମାଉସୀ ଘରକୁ ନଅ ଦିନ ପାଇଁ ଯାତ୍ରା କରିବେ। ତିନିଠାକୁର ତିନି ରଥରେ ବସି ମାଉସୀ ଘରକୁ ଯିବେ। ଆଗେ ଆଗେ ବଡ଼ ଭାଇ, ମଝିରେ ଭଉଣୀ ଓ ସବା ପଛ ରଥରେ ଯିବେ ଲୀଳାମୟ ଜଗନ୍ନାଥ। ପ୍ରଭୁ ଜଗନ୍ନାଥଙ୍କ ବାର ମାସରେ ତେର ପର୍ବରୁ ରଥଯାତ୍ରା ଗୋଟିଏ ବୋଲି ସାଧାରଣରେ ବିବେଚନା କରାଯାଏ। କିନ୍ତୁ ଭକ୍ତଙ୍କ ପାଇଁ ଏହା ଏକ ସାଧାରଣ ପର୍ବ ବା ଉତ୍ସବ ନୁହେଁ।
ଏହା ଏକ ଜୀବନ ଦର୍ଶନ। ତତ୍ବଦର୍ଶୀମାନଙ୍କ ପାଇଁ ରଥଯାତ୍ରା ମୋକ୍ଷ ପ୍ରାପ୍ତିର ମାର୍ଗ। ଦେହ ରୂପକ ରଥରେ ଭଗବତଙ୍କ ସତ୍ତା ଆତ୍ମାର ଗତିଶୀଳତା ହେଉଛି ଏହି ରଥଯାତ୍ରା। ସେଇଥିପାଇଁ କୁହାଯାଇଛି, ଦୋଳେ ଚ ଦୋଳଗୋବିନ୍ଦଂ, ଚାପେ ଚ ମଧୁସୂଦନଂ, ରଥେ ତୁ ବାମନଂ ଦୃଷ୍ଟ୍ବା ପୁନର୍ଜନ୍ମ ନ ବିଦ୍ୟତେ। ସାଧାରଣରେ ଏହି ଉକ୍ତି ପ୍ରଭୁ ଜଗନ୍ନାଥଙ୍କ ତିନି ପର୍ବ ଯଥା, ଦୋଳ ପର୍ବ, ଚାପପର୍ବ ଓ ରଥଯାତ୍ରାକୁ ବୁଝାଇଥାଏ। ବସନ୍ତ ଆଗମନରେ ଦୋଳ ପର୍ବ, ପ୍ରବଳ ନିଦାଘ ଗ୍ରୀଷ୍ମ କାଳରେ ଚାପ କ୍ରୀଡ଼ା ଓ ବର୍ଷାର ଆଗମନରେ ରଥଯାତ୍ରା ପାଳିତ ହୋଇଥାଏ। କିନ୍ତୁ ତତ୍ବଦର୍ଶୀମାନେ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖନ୍ତି। ମହାପ୍ରଭୁଙ୍କ ଏହି ତିନି ଦୈବୀ ଲୀଳା ଦର୍ଶନରେ ନିର୍ବାଣ ପ୍ରାପ୍ତି ହୁଏ ବୋଲି ବିଶ୍ବାସ ରହିଛି। ଭକ୍ତ ବା ତତ୍ବଦର୍ଶୀମାନଙ୍କ ମତରେ ମଣିଷ ଶରୀର ହେଉଛି ଏକ ରଥ। ସେହି ରଥରେ ଉପବିଷ୍ଟ ହୋଇ ରହିଛନ୍ତି ଅବିନଶ୍ବର ଆତ୍ମା। ସମୟ ଧାରାରେ ରଥ ଗଡ଼ି ଚାଲେ ଓ ଆତ୍ମା ଗତଶୀଳ ହୁଏ। ସେହି ଧାରାରେ ମଣିଷ ବାରମ୍ବାର ପୁନର୍ଜନ୍ମ ନିଏ। କିନ୍ତୁ ଥରେ ରଥରେ ଭଗବାନଙ୍କୁ ଦର୍ଶନ କଲେ, ମୋକ୍ଷପ୍ରାପ୍ତି ହୁଏ। ଆଉ ପୁନର୍ଜନ୍ମ ନେବାକୁ ହୁଏ ନାହିଁ। ଏହି ଗଭୀର ବିଶ୍ବାସକୁ ରଖି ଭକ୍ତଟିଏ ପ୍ରତିବର୍ଷ ରଥରେ ଠାକୁରଙ୍କୁ ଦେଖିବାକୁ ମନ ବଳାଏ। ରଥରେ ଠାକୁରଙ୍କୁ ଦେଖି ଦେଲେ ଭକ୍ତର ମନ ପୂରିଯାଏ।
ସାଧାରଣରେ ବି ଏହି ଯାତ୍ରା ଅନ୍ୟ ସବୁ ଯାତ୍ରାଠାରୁ ଭିନ୍ନ। ସ୍ତ୍ରୀଙ୍କୁ ସାଙ୍ଗରେ ନ ନେଇ ଭାଇଭଉଣୀଙ୍କ ସହ ମାଉସୀ ଘର ଯାତ୍ରା କରିବା ଏକ ନିଆରା ବାର୍ତ୍ତା ବହନ କରିଥାଏ। ଭାରତୀୟ ସଂସ୍କୃତିରେ ଆମ ପାରିବାରିକ ଜୀବନଯାତ୍ରାରେ ଭାଇଭଉଣୀଙ୍କ ମଧ୍ୟରେ ନିବିଡ଼ତା ଓ ମାଉସୀ ଘରର ମଧୁର ସମ୍ପର୍କ ଏହି ଯାତ୍ରାରେ ପ୍ରତିଫଳିତ ହୁଏ। ମାଉସୀ ଘର ଯାତ୍ରାରେ ସାଙ୍ଗରେ ନ ନେବା କାରଣରୁ ସ୍ତ୍ରୀ ଲକ୍ଷ୍ମୀ ଠାକୁରାଣୀଙ୍କ ଅଭିମାନ, ମାଉସୀ ଘରର ଗୁରୁତ୍ବ ସୂଚାଇ ଦିଏ। ତେଣୁ ଆମ ସାଧାରଣ ଜୀବନଯାତ୍ରା ସହିତ ମହାପ୍ରଭୁଙ୍କ ମାନବୀୟ ଲୀଳା ସ୍ବଚୁକ୍ଷୁରେ ଦର୍ଶନ କରିବାକୁ ଲୋକେ ବଡ଼ ବ୍ୟାକୁଳ ହୋଇ ଅପେକ୍ଷା କରି ରହିଥାନ୍ତି। ଅନ୍ୟ ଏକ ବଡ଼ କଥା ହେଉଛି, ଭଗବାନ ବଡ଼ଦାଣ୍ଡକୁ ଆସି ସାଧାରଣ ଦର୍ଶନ ଦେବା ବିଧି କେବଳ ଏହି ରଥଯାତ୍ରାରେ ହିଁ ହୋଇଥାଏ। ବଡ଼ଦାଣ୍ଡରେ ରଥ ଦଉଡ଼ିକୁ ଛୁଇଁ ଦେଲେ ବହୁ ପୂଣ୍ୟ ମିଳେ ବୋଲି ବିଶ୍ବାସ ରହିଛି।
କିନ୍ତୁ ପରିତାପର କଥା ମହାମାରୀ କରୋନା ସବୁଥିରେ ପ୍ରତିବନ୍ଧକ ଲଗାଇଛି। ଅପ୍ରତିରୋଧୀ ସମୟ ଭଳି ମହାବାହୁଙ୍କ ରଥ ସିନା ଗଡ଼ୁଛି, କିନ୍ତୁ ଭକ୍ତ ଦର୍ଶନ କରିବାକୁ ବଞ୍ଚିତ ହେଉଛି। ଗତବର୍ଷ ବିନା ଭକ୍ତରେ ରଥ ଗଡ଼ିଥିଲା। ଏଥର ବି ସମଦଶା। ଘରେ ବସି ଟିଭି କିମ୍ବା ମୋବାଇଲ୍ ପରଦାରେ ରଥଯାତ୍ରା ପ୍ରସାରଣ ହେଲେ ମଧ୍ୟ ଭକ୍ତର ମନ ବୁଝୁନାହିଁ। ପୂର୍ବରୁ ବହୁ ବଡ଼ବଡ଼ ମହାମାରୀକୁ ବିନାଶ କରିଥିବା ତା’ ବଡ଼ଠାକୁର ମହାମାରୀ କରୋନାକୁ ତୁରନ୍ତ ବିନାଶ କରିବେ ବୋଲି ଭକ୍ତ ବ୍ୟାକୁଳ ହୋଇ ଡାକୁଛି।
ଶ୍ରୀକ୍ଷେତ୍ରରେ ତିନି ରଥ ଗଡ଼ୁଛି। ବିନା ଭକ୍ତରେ ହେଉ ପଛେ, ରଥ ଗଡ଼ୁଛି। କିନ୍ତୁ ରାଜ୍ୟର ଅନ୍ୟ ସବୁ ସ୍ଥାନରେ କରୋନା କଟକଣା ରଥ ଗଡ଼ିବା ବାଟରେ କଣ୍ଟକ ସାଜିଛି। ରାଜଧାନୀ ବି ଏଥିରୁ ବାଦ୍ ପଡ଼ିନି। ବର୍ଷ ବର୍ଷର ବହୁ ପୁରୁଣା ରଥ ପରମ୍ପରା ଆଜି ମହାମାରୀ କରୋନା ପାଇଁ ବନ୍ଦ ହୋଇଯାଇଛି। କରୋନା କଟକଣା ଲାଗି ମନ୍ଦିର ପରିସରରେ କେବଳ ବିଧି ପାଳିତ ହେଉଛି। ବରଂ ମାଉସୀ ଘରକୁ ସ୍ଥାନାନ୍ତର କରିବାକୁ ପଡ଼ିଛି। ଅସ୍ଥାୟୀ ଭାବେ ମାଉସୀ ଘର ମନ୍ଦିର ପରିସରରେ ଗଢ଼ା ହୋଇଛି। ତେଣୁ ରାଜଧାନୀର ରାଜରାସ୍ତାେର ଏଥର ରଥ ଗଡ଼ିବ ନାହିଁ। ଗତବର୍ଷ ଭଳି ଭକ୍ତ ଓ ପଥ ରଥକୁ ଝୁରିବ।
ଇସ୍କନ୍
ରାଜଧାନୀର ପ୍ରସିଦ୍ଧ ରଥଯାତ୍ରାମାନଙ୍କ ମଧ୍ୟରୁ ନୂଆପଲ୍ଲୀସ୍ଥିତ ଇସ୍କନ ରଥ ଅନ୍ୟତମ। ଏଥର ଇସ୍କନ ପକ୍ଷରୁ ୩୨ତମ ରଥଯାତ୍ରା ଆୟୋଜନ କରାଯାଉଛି। ତେବେ କୋଭିଡ୍ କଟକଣା ପାଇଁ ରଥ ଗଡ଼ିବ ନାହିଁ। ତେଣୁ ଏଥର ରଥ ନିର୍ମାଣ କରାଯାଇନାହିଁ। ଏକ ଅସ୍ଥାୟୀ ତଥା ପ୍ରତୀକାତ୍ମକ ଶଗଡ଼ ରଥରେ ମହାପ୍ରଭୁଙ୍କୁ ମନ୍ଦିର ପରିକ୍ରମା କରାଯିବ। ସେଇଠି ପହଣ୍ଡି, ସେଇଠି ରଥ ଗଡ଼ିବା ଓ ସେଇଠି ମାଉସୀ ଘର ଚର୍ଚ୍ଚା ପାଳିତ ହେବ। ଭକ୍ତ କିନ୍ତୁ ଦେଖି ପାରିବେ ନାହିଁ। ସୂଚନାଯୋଗ୍ୟ ୧୯୯୦ ମସିହାରେ ଇସ୍କନ୍ ମନ୍ଦିର କର୍ତ୍ତୃପକ୍ଷ ରଥଯାତ୍ରା ଆରମ୍ଭ କରିଥିଲେ। ମହାପ୍ରଭୁଙ୍କୁ ରଥରେ ନୁହେଁ, ବରଂ ବସ୍ରେ ବିଜେ କରାଯାଇ ନୂଆପଲ୍ଲୀ ଦୁର୍ଗାପୂଜା ପଡ଼ିଆରେ ହୋଇଥିବା ଅସ୍ଥାୟୀ ମାଉସୀ ମା’ ମନ୍ଦିରକୁ ନିଆଯାଇଥିଲା। ସେତେବେଳେ ଇସ୍କନ୍ ରଥ ଗଡ଼ିବା ପାଇଁ ହେଲେ ଜାତୀୟ ରାଜପଥ ଦେଇ ଯିବାକୁ ପଡ଼ୁଥିଲା ଏବଂ ଜାତୀୟ ରାଜପଥରେ ରଥ ଟାଣିବାକୁ ଅନୁମତି ନଥିଲା, ସେଥିପାଇଁ କର୍ତ୍ତୃପକ୍ଷ ବସ୍ରେ ମହାପ୍ରଭୁଙ୍କୁ ନେଇଥିଲେ।
ଏହା ପର ବର୍ଷ ଅର୍ଥାତ୍ ୧୯୯୧ରେ ତିନିଟି ଛୋଟ ରଥ ତିଆରି କରାଯାଇ ସିଆର୍ପି ଛକ ପ୍ରିୟଦର୍ଶିନୀ ମାର୍କେଟ୍ରେ ରଖାଗଲା ଏବଂ ସେଠାରୁ ଠାକୁରଙ୍କୁ ପାଵାର ହାଉସ୍ସ୍ଥିତ ଖୋଲା ପଡ଼ିଆରେ ଅସ୍ଥାୟୀ ମାଉସୀମା ମନ୍ଦିରକୁ ନିଆ ଯାଉଥିଲା। ମନ୍ଦିରରୁ ମହାପ୍ରଭୁଙ୍କୁ ବସ୍ରେ ନେଇ ସିଆର୍ପି ଛକକୁ ନିଆଯିବା ପରେ ପୁଣି ବସ୍ରୁ ପହଣ୍ଡି କରାଯାଇ ରଥକୁ ନିଆଯାଇଥିଲା। ଏହା ପରେ ସେଠାରୁ ଠାକୁର ରଥ ଯୋଗେ ଅସ୍ଥାୟୀ ମାଉସୀ ମା’ ମନ୍ଦିରକୁ ଯାଇ ୯ଦିନ କାଳ ରହିଥିଲେ। ପରେ ଇସ୍କନ୍ ପକ୍ଷରୁ ୟୁନିଟ୍-୮ ରାଜ୍ କ୍ଲବ୍ ନିକଟରେ ଏକ ଜମି ନିଆଯାଇଥିଲା ଓ ସେଠାରେ ଗୁଣ୍ଡିଚା ମନ୍ଦିର ନିର୍ମାଣ କରାଗଲା। ସେବେଠୁ ପ୍ରତି ବର୍ଷ ୩ ଠାକୁର ରଥରେ ଯାଇ ଏହି ଗୁଣ୍ଡିଚା ମନ୍ଦିରରେ ୯ଦିନ ରହିବା ସହ ବିଧି ସଂପନ୍ନ କରି ମନ୍ଦିରକୁ ଫେରନ୍ତି।
ଛେରାପହଁରା ପାଇଁ ଆଣ୍ଡାମାନ ଯାଇ ପାରିଲେନି ଓଡ଼ିଆ ପୁଅ
ଭୁବନେଶ୍ୱର: ଆଣ୍ଡାମାନ ନିକୋବର ପୋର୍ଟବ୍ଲେୟାର୍ ଠାରେ ପ୍ରତିବର୍ଷ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ପୁରୁଣା ଭୁବନେଶ୍ୱରର ଅଧିବାସୀ ପୁରୀ ଜିଲ୍ଲା ନିମାପଡ଼ା ଠାକୁରପାଟଣା ମଠର ମହନ୍ତ ତଥା ଆଣ୍ଡାମାନ ଏକ୍ସପ୍ରେସ୍ର ମୁଖ୍ୟ ପରିଚାଳକ ଗଦାଧର ଦାସ ଗୋସ୍ୱାମୀ ସେଠାରେ ଛେରା ପହଁରା କରନ୍ତି। ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ କରୋନା କଟକଣା ପାଇଁ ସେଠାରେ ରଥଯାତ୍ରା ହେବ ନାହିଁ। କେବଳ ପରମ୍ପରା ରକ୍ଷା ପାଇଁ ନୀତି ପୂଜା କରାଯିବ। ତେଣୁ ମହନ୍ତ ଶ୍ରୀ ଦାସ ଚଳିତ ବର୍ଷ ସରକାରଙ୍କ କୋଭିଡ଼୍ କଟକଣା ମାନି ସେଠାକୁ ଛେରା ପହଁରା କରିବାକୁ ଯିବେ ନାହିଁ। ସୂଚନାଯୋଗ୍ୟ ଆଣ୍ଡାମାନ୍ ‘ଉତ୍କଳ ସମାଜ’ ପକ୍ଷରୁ ଓଡ଼ିଆଙ୍କ ଦ୍ୱାରା ପ୍ରତିବର୍ଷ ସେଠାରେ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ହୁଏ। ଠାକୁର ମନ୍ଦିରରୁ ବାହାରି ସହର ପରିକ୍ରମା କରି ରାଜସ୍ଥାନ ମନ୍ଦିର ନିକଟ ଜଗନ୍ନାଥ ମନ୍ଦିରକୁ ଫେରିଥାନ୍ତି। ତେବେ ଚଳିତ ବର୍ଷ କେବଳ ବିଧି ଅନୁଯାୟୀ ନୀତି ପୂଜା କରାଯିବ ବୋଲି ଉତ୍କଳ ସମାଜର ସଭ୍ୟ ବିଜୟ କୁମାର ଜେନା ଓ ସରୋଜ ଦାସ ସୂଚନା ଦେଇଛନ୍ତି।
ଭୀମଟାଙ୍ଗିରେ ମନ୍ଦିର ପ୍ରତିଷ୍ଠା ଓ ନବଯୌବନ ଦର୍ଶନ
ପୁରୁଣା ଭୁବନେଶ୍ୱର: ମହତାବ ରୋଡ୍ରୁ ଭୀମଟାଙ୍ଗିକୁ ପ୍ରବେଶ ରାସ୍ତାରେ ଏକ ନୂତନ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହୋଇଛି। ୨୫ ଫୁଟ୍ ଉଚ୍ଚର ଏହି ମନ୍ଦିରରେ ଶ୍ରୀଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରାଙ୍କ ସମେତ ଲକ୍ଷ୍ମୀ ଓ ବିମଳାଙ୍କ ସ୍ୱତନ୍ତ୍ର ମନ୍ଦିର ମଧ୍ୟ ରହିଛି। ସ୍ଥାନୀୟ ଅଞ୍ଚଳର ୬୦ ଜଣ ସଭ୍ୟ ଏହି ମନ୍ଦିରକୁ ନିର୍ମାଣ କରାଇଛନ୍ତି। କୋଭିଡ୍ କଟକଣାରେ ବିଗ୍ରହ ପ୍ରତିଷ୍ଠା ଶେଷ ହୋଇଛି। ଆଜି ଷୋଡ଼ଶ ଉପଚାରରେ ପୂଜା ସମାପନ ହୋଇ ଧ୍ବଜ ବନ୍ଧନ କାମ ଶେଷ ହେବା ସହ ନବ ଯୌବନ ବେଶ ଦର୍ଶନ ହୋଇଛି। କର୍ତ୍ତା ଭାବେ ମାନସ ରଞ୍ଜନ ପଟ୍ଟନାୟକ ଓ ତାଙ୍କ ସହଧର୍ମିଣୀ ସରସ୍ବତୀ ପଟ୍ଟନାୟକ ଉପସ୍ଥିତ ଥିବା ବେଳେ ଆଚାର୍ଯ୍ୟ ଭାବେ ବିଶ୍ବନାଥ ରଥ କାର୍ଯ୍ୟ ସମ୍ପାଦନ କରିଛନ୍ତି। ମନ୍ଦିର ଟ୍ରଷ୍ଟର ସଭ୍ୟ ସନତ ମିଶ୍ର ଓ ବୀଣାପାଣି ବୋଇତାଈଙ୍କ ସହ ଅନ୍ୟ କର୍ମକର୍ତ୍ତା ଓ ସଭ୍ୟମାନେ ପରିଚାଳନା କରିଥିଲେ।