ଆଜି ଶ୍ରାବଣ ପ୍ରଥମ ସୋମବାର, ଦୁଇ ବର୍ଷ ପରେ ଜଳଲାଗି କରିବେ କାଉଡ଼ିଆ

ପୁରୁଣା ଭୁବନେଶ୍ୱର: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। କରୋନା ଯୋଗୁଁ ୨ବର୍ଷ ହେଲା ବନ୍ଦ ପରେ ପୁଣି ଭକ୍ତମାନେ ଠାକୁରଙ୍କୁ ଜଳଲାଗି କରିବେ। ଏଥି ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ଆଗରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଛି। ମନ୍ଦିର ଆଗରେ ଆର୍‌ଏଣ୍ଡ୍‌ବି ବିଭାଗ ପକ୍ଷରୁ ଜିଗ୍‌ଜାଗ୍‌ ଲୁହା ବ୍ୟାରିକେଡ୍‌ ପ୍ରସ୍ତୁତି ସରିଛି। ଏଥିସହ ମନ୍ଦିର ସମ୍ମୁଖରେ ପୁରୁଷ ଓ ମହିଳାଙ୍କ ଆଶ୍ରୟସ୍ଥଳ ତିଆରି ହୋଇଛି। ସେହିପରି ବିଭିନ୍ନ ଦାତବ୍ୟ ଅନୁଷ୍ଠାନ ପକ୍ଷରୁ ରନ୍ଧା ଖାଦ୍ୟ ପ୍ରସ୍ତୁତ କରାଯାଇଛି। ମନ୍ଦିର ଭିତରେ ଏଏସ୍‍ଆଇ ପକ୍ଷରୁ ବ୍ୟାରିକେଡ୍‌ ବନ୍ଧା ହୋଇଛି। କାଉଡ଼ିଆମାନେ ଆଜି ଅପରାହ୍ନରୁ ଏକାମ୍ର କ୍ଷେତ୍ରକୁ ଆସିଛନ୍ତି। ଅନେକ କାଉଡ଼ିଆ କେଦାରଗୌରୀ ମନ୍ଦିର ନିକଟରେ ଓ ଅନେକ ମନ୍ଦିର ସମ୍ମୁଖରେ ବିଶ୍ରାମ ନେଉଛନ୍ତି। ଶ୍ରାବଣୀ ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ୩ଟାରୁ ମନ୍ଦିର ଖୋଲାଯିବ। ଭୋର ସାଢ଼େ ୩ଟାରେ ମଙ୍ଗଳ ଆଳତି ଓ ଅବକାଶ ନୀତି କରାଯିବା ପରେ ୪ଟାରେ ସାହାଣମେଲା ଦର୍ଶନ ପରେ ଧାଡ଼ିକରି କାଉଡ଼ିଆମାନେ ମନ୍ଦିରକୁ ପ୍ରବେଶ କରିବେ।

ଆଡ଼ କାଠ ନିକଟରୁ ଗର୍ଭଗୃହ ପର୍ଯ୍ୟନ୍ତ ଏକ ତମ୍ୱା ପାତ୍ରର ନଳ ରଖାଯାଇଛି। କାଉଡ଼ିଆମାନେ ଧାଡ଼ି ବାନ୍ଧି ଆସି ଆଡ଼କାଠ ନିକଟରେ ଠିଆ ହୋଇ ସେହି ତମ୍ୱା ପାତ୍ରରେ ତୀର୍ଥ ଜଳ ଢାଳିବେ। ଏହି ପାତ୍ରରୁ ତୀର୍ଥ ଜଳ ଯାଇ ସିଧା ଠାକୁରଙ୍କ ଶକ୍ତି ଉପରେ ପଡ଼ିବ। ସେପଟେ କାଉଡ଼ିଆମାନଙ୍କୁ ଭିତରକୁ ଶୃଙ୍ଖଳିତ ଭାବେ ଛାଡ଼ିବା ପାଇଁ ମନ୍ଦିର ଭିତରେ ଓ ବାହାରେ ମାଇକ୍‌ ଯୋଗେ ପ୍ରଚାର କରାଯାଇଛି। ବିଏମ୍‌ସି ମାଗଦର୍ଶିକା ଅନୁଯାୟୀ ଭକ୍ତ ଓ ସେବାୟତ ମାସ୍କ ପିନ୍ଧି ମନ୍ଦିରକୁ ଯିବେ। ଶ୍ରାବଣୀ ଜଳ ଲାଗି ପାଇଁ ଓ ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କ ଥଣ୍ଡା ଜ୍ବର ଲକ୍ଷଣ ଥି‌ଲେ ପ୍ରବେଶ ନକରିବାକୁ ଅନୁରୋଧ କରାଯାଇଛି। ରବିବାର ରାତିରୁ ପୁଲିସ ମନ୍ଦିର ସିଂହଦ୍ବାର ଓ ଆଖପାଖ ଅଞ୍ଚଳରେ ପଇଁତରା ମାରୁଛି। ମହିଳା ଭକ୍ତ ଆସିବା ସମ୍ଭାବନା ଥିବାରୁ ସେମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ଶ୍ରୀଲିଙ୍ଗରାଜ ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର କହିଛନ୍ତି।

ବୋଲ୍‌ବମ୍ ପାଇଁ ପୁଲିସର ପ୍ରସ୍ତୁତି

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର ଥିବାରୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ବୋଲବମ୍ ଭକ୍ତଙ୍କ ଭିଡ଼କୁ ଲକ୍ଷ୍ୟ କରି ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ଭୁବନେଶ୍ୱର ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ରାକ୍ ପ୍ରସ୍ତୁତି କରାଯାଇଛି। ହଜାର ହଜାର ଭକ୍ତ ଜଳାଭିଷେକ ପାଇଁ ଆସୁଥିବାରୁ ରାସ୍ତାରେ ଯେପରି କୌଣସି ପ୍ରକାର ଟ୍ରାଫିକ୍ ସମସ୍ୟା ସୃଷ୍ଟି ନ ହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ଆଜି ରାତିରୁ ଆସନ୍ତାକାଲି ପର୍ଯ୍ୟନ୍ତ ଅହୋରାତ୍ର ପୁଲିସ ପାଟ୍ରୋଲିଂ ଚାଲିବ।

ଚଳିତ ଶ୍ରାବଣ ମାସରେ ପଡ଼ୁଥିବା ୪ଟି ସୋମବାରକୁ ଆଖି ଆଗରେ ରଖି କାର୍ଯ୍ୟକ୍ରମକୁ ସୁରୁଖୁରୁରେ ସମ୍ପାଦନ କରିବା ନିମନ୍ତେ ଜଣେ ଅତିରିକ୍ତ ଡିସିପି, ୫ଜଣ ଏସିପି, ୮ଜଣ ଇନ୍ସପେକ୍ଟର, ୪୩ଜଣ ଏସ୍‌ଆଇ ଏବଂ ଏଏସ୍‌ଆଇ, ୬ପ୍ଲାଟୁନ ଫୋର୍ସ ଏବଂ ୫୦ଜଣ ହୋମଗାର୍ଡଙ୍କୁ ମୁତୟନ କରଯାଇଛି। ଏହାବାଦ୍ ଓଡ୍ରାଫ ଟିମ୍ ଓ ଅଗ୍ନିଶମ ବିଭାଗକୁ ମଧ୍ୟ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ମନ୍ଦିର ବେଢ଼ାରେ ମଧ୍ୟ ବ୍ୟାରିକେଡ୍ ବ୍ୟବସ୍ଥା କରାଯିବା ସହ ଜରୁରୀ ସେବା ଯୋଗାଇ ଦେବା ନିମନ୍ତେ ପ୍ରାଥମିକ ଚିକିତ୍ସା ଯୋଗାଇ ଦେବା ଏବଂ ମୋବାଇଲ ମେଡିକାଲ୍ ୟୁନିଟକୁ ସଜାଗ ରହିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର