ଭୁବନେଶ୍ବର: ଛୋଟରୁ ବଡ଼ ହେବା ପର୍ଯ୍ୟନ୍ତ ଆମେ ନିଜର ପିଲାଙ୍କୁ ଅତି ଯତ୍ନରେ ବଢ଼ାଉଛନ୍ତି। ପିଲାର କିଛି ସମସ୍ୟା ହେଲେ ଜୀବନ ବାଜିରେ ଲଗାଇ ଦେଉଛନ୍ତି। ପିଲାଟି ବଡ଼ ହୋଇ ନିଜ ଗୋଡ଼ରେ ଛିଡ଼ାହେବା ପରେ ବି ଜନ୍ମଦାତାଙ୍କର ଚିନ୍ତା ସରୁନାହିଁ। ଠିକ୍‌ ସେହିଭଳି ପରି‌ବେଶ ସୁରକ୍ଷା ପାଇଁ ଆମକୁ ବ୍ୟାପକ ବୃକ୍ଷରୋପଣ କରିବାକୁ ପଡ଼ିବ। କେବଳ ଗଛ ଲଗାଇଲେ ହେବନାହିଁ, ନିଜ ପିଲା ପରି ଗଛର ଯତ୍ନ ନେଇ ବଡ଼ ହେବା ପର୍ଯ୍ୟନ୍ତ ଦାୟିତ୍ବ ନେବାକୁ ପଡ଼ିବ। ପରିବେଶର ସୁରକ୍ଷା ପାଇଁ ମଣିଷ କରିଥିବା ତ୍ରୁଟିକୁ ସୁଧାରିବାକୁ ମଧ୍ୟ ପଡ଼ିବ। ଅଭ୍ୟାସରେ ବଡ଼ ପରିବର୍ତ୍ତନ ଆଣିବାକୁ ପଡ଼ିବ। ସଂପାଦକ ତନୟା ପଟ୍ଟନାୟକଙ୍କ ନେତୃତ୍ବରେ ‘ସମ୍ବାଦ ଗ୍ରୁପ୍‌’ ପରିବେଶ ସୁରକ୍ଷା ପାଇଁ ଯେଉଁ ଜନ ଆନ୍ଦୋଳନ ସୃଷ୍ଟି କରିଛି ତାହା ଓଡ଼ିଶାର କୋଣ ଅନୁକୋଣରେ ପହଞ୍ଚିଛି।

Advertisment

ଏହି ମହତ ‘ପୁନଶ୍ଚ ପୃଥିବୀ’ ଅଭିଯାନରେ ସାମିଲ ହୋଇ ପରିବେଶକୁ ସୁରକ୍ଷା ଦେବା ପାଇଁ ପ୍ରତ୍ୟେକ ନାଗରିକ ହାତରେ ହାତ ମିଳାଇ ଏକାଠି ହୋଇ କାମ କରିବା। ନିଜ କାନ୍ଧରେ ପରିବେଶ ସୁରକ୍ଷାକୁ ନେଇ ଏହି କର୍ତ୍ତବ୍ୟକୁ ନିଷ୍ଠାପର ଭାବେ ପାଳନ କରିବା। ଆଜି ମୁକ୍ତେଶ୍ବର ମନ୍ଦିର ପ୍ରାଙ୍ଗଣରେ ‘ସମ୍ବାଦ’ ଗ୍ରୁପ୍‌ ପକ୍ଷରୁ ଆୟୋଜିତ ‘ପରିବେଶ ପଞ୍ଚାୟତରେ ଏକାମ୍ର ବିଧାୟକ ବାବୁ ସିଂହଙ୍କ ସମେତ ବୁଦ୍ଧିଜୀବୀ, ବିଭିନ୍ନ ସଂଗଠନ, ସ୍ଥାନୀୟ ଜନ ପ୍ରତିନିଧି, ସାଧାରଣ ଜନତା, ପରିବେଶ ପ୍ରେମୀ ଓ ମହିଳାମାନେ ଏକାଠି ହୋଇ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏମିତିକି ଭିନ୍ନ ଭିନ୍ନ ରାଜନୈତିକ ଦଳକୁ ପ୍ରତିନିଧିତ୍ବ କରୁଥିଲେ ମଧ୍ୟ ରାଜନେତାମାନେ ଆଜି ଏକାଠି ହୋଇ ଯେଉଁ ସଂକଳ୍ପ ନେଇଛନ୍ତି ତାହା ପରିବେଶ ସୁରକ୍ଷା ଦିଗରେ ବଡ଼ ଆଶା ସଂଚାର କରିଛି।

ଆଜି ଭୁବନେଶ୍ବରରେ ବର୍ଷା ହେବାର ସମ୍ଭାବନା ଥିଲା। କିନ୍ତୁ ସକାଳୁ ପ୍ରବଳ ଖରା ଓ ଗରମ ଅନୁଭୂତ ହୋଇଥିଲା। ଏମିତିକି ମଧ୍ୟାହ୍ନ ସାଢ଼େ ୧ଟା ବେଳକୁ ବର୍ଷା ହୋଇ ନଥିଲା। ଏହାପରେ ହାଲୁକା ବର୍ଷା ହୋଇଥିଲା। ତେବେ ପ୍ରତିକୂଳ ପାଗ ସତ୍ତ୍ବେ ସ୍ଥାନୀୟ ପରିବେଶ ପ୍ରେମୀଙ୍କ ସହଯୋଗରେ ମୁକ୍ତେଶ୍ବର ମନ୍ଦିର ପ୍ରାଙ୍ଗଣ ଘାସ ଗାଲିଚା ଉପରେ ‘ପରିବେଶ ପଞ୍ଚାୟତ’ ଆୟୋଜନ କରାଯାଇଥିଲା। ଠିକ୍‌ ୪ଟାରେ କାର୍ଯ୍ୟକ୍ରମ ଆରମ୍ଭ ହେବାର ଥିଲା। ହେଲେ ୩ଟା ୪୦ରେ କଳାହାଣ୍ଡିଆ ମେଘ ଆକାଶକୁ ଢାଙ୍କି ଦେଇଥିଲା। କିଛି ସମୟ ପାଇଁ ଏକ ପ୍ରକାର ଅନ୍ଧାର ପରିବେଶ ହୋଇଥିଲା। ତଥାପି ସକଳ ପ୍ରତିବନ୍ଧକ ସତ୍ତ୍ବେ ଶତାଧିକ ପରିବେଶପ୍ରେମୀ ଏକାଠି ହୋଇ ବୈଠକରେ ଯୋଗଦେଇ ପରିବେଶ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ। ‌ଏହି ସମୟରେ ବର୍ଷା ଆରମ୍ଭ ହୋଇ ଯାଇଥିଲା। ତେଣୁ ନିକଟ‌ରେ ଥିବା ମା’ ମଣ୍ଡପରେ ଅଧିକ ଆଲୋଚନା କରାଯାଇଥିଲା। ଏଥିରେ ‘ସମ୍ବାଦ’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ବିଧାୟକ ଶ୍ରୀ ସିଂହଙ୍କୁ ଆସନ୍ତା ୫ ବର୍ଷ ପରିବେଶ ସୁରକ୍ଷା ଦିଗରେ ଆଖିଦୃଶିଆ କାମ କରିବାକୁ ଉପଦେଶ ଦେଇଥିଲେ। ଅନ୍ୟ ପରିବେଶପ୍ରେମୀ ମଧ୍ୟ ବିଧାୟକଙ୍କ ସହ ଯୋଡ଼ି ହୋଇ ପରିବେଶ ଉପରେ କାମ କରିବାକୁ ସହମତି ପ୍ରକାଶ କରିଥିଲେ। ବିଧାୟକ ମଧ୍ୟ ସମସ୍ତ ପ୍ରସ୍ତାବରେ ସହମତି ପ୍ରକାଶ କରିଥିଲେ। 

ଆଜିର  କାର୍ଯ୍ୟକ୍ରମରେ ‘ସମ୍ବାଦ’ ମହାନଗର ସଂସ୍କରଣର ମୁଖ୍ୟ ଆଶିଷ ଗଡ଼ନାୟକ ସ୍ବାଗତ ବକ୍ତବ୍ୟ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ସାମ୍ବାଦିକ ସୋମନାଥ ପରିଡ଼ା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସାମ୍ବାଦିକ ଲିଙ୍ଗରାଜ ସାହୁ, ରଜତ କୁମାର ପରିଡ଼ା, ସତ୍ୟଜିତ ପତି, ପ୍ରସନ୍ନ ସିଂ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।