ଭୁବନେଶ୍ବର: ସପିଂ ମଲ୍ ହେଉ କି ସିନେମା ହଲ୍, ସରକାରୀ କାର୍ଯ୍ୟାଳୟ ହେଉ କି ବେସରକାରୀ, ପାର୍କ ହେଉ କି ବସ୍ ଷ୍ଟାଣ୍ଡ; ଶୌଚ ପାଇଁ ସବୁଠି ଦୁଇଟି ଶୌଚାଳୟ ଦେଖିବାକୁ ମିଳେ। ‘ମହିଳା’ ଲୋଗୋ ଥିବା ମହିଳା ଶୌଚାଳୟ ବା ‘ପୁରୁଷ’ ଲୋଗୋ ଥିବା ପୁରୁଷ ଶୌଚାଳୟ। କିନ୍ତୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ଅନୁଯାୟୀ, ଦେଶରେ ତିନିଟି ଲିଙ୍ଗର ଜନସାଧାରଣ ବସବାସ କରନ୍ତି। ୨୦୧୪ ଏପ୍ରିଲ ୧୫ ତାରିଖରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଦେଶରେ କିନ୍ନରମାନଙ୍କୁ ତୃତୀୟ ଲିଙ୍ଗର ମାନ୍ୟତା ଦେଇଥିଲେ। ନ୍ୟାୟାଳୟର ରାୟ ଅନୁଯାୟୀ ସାମାଜିକ, ଶୈକ୍ଷିକ ଓ ଅର୍ଥନୈତିକ ସ୍ତରରେ କିନ୍ନରମାନଙ୍କୁ ମଧ୍ୟ ମହିଳା ଓ ପୁରୁଷମାନଙ୍କ ଭଳି ସମାନ ଅଧିକାର ଓ ସୁବିଧା ସୁଯୋଗ ମିଳିବ। ଏହି ନିୟମରେ ଏହା ବି ଉଲ୍ଲେଖ ରହିଲା ଯେ କିନ୍ନରମାନଙ୍କ ସ୍ବାସ୍ଥ୍ୟାବସ୍ଥା ତଥା ଗୋପନୀୟତା ରକ୍ଷା ନିମନ୍ତେ ସେମାନଙ୍କ ପାଇଁ ସ୍ବତନ୍ତ୍ର ଶୌଚାଳୟ ନିର୍ମିତ କରାଯିବ। କିନ୍ତୁ ନିୟମ ହେବାର ୫ବର୍ଷ ବିତିଗଲା ପରେ ବି ଭୁବନେଶ୍ବରରେ କିନ୍ନରଙ୍କ ପାଇଁ ଶୌଚାଳୟ ନିର୍ମାଣ ହୋଇପାରିନାହିଁ। କେବଳ ବିଜୁ ପଟ୍ଟନାୟକ ପାର୍କକୁ ଛାଡ଼ିଦେଲେ ସହରର କୌଣସି ସ୍ଥାନରେ କିନ୍ନରଙ୍କ ପାଇଁ ଶୌଚାଳୟଟିଏ ନାହିଁ। ଫଳରେ ଯାତ୍ରା କରୁଥିବା ସମୟରେ କିମ୍ବା ସିନେମା ଦେଖିଯିବା ତଥା ସପିଂ ସମୟରେ ସେମାନଙ୍କୁ ଯେମିତି ଏକ ଦୁଇ ମନା। ଗୋଟିଏ ପକ୍ଷେ କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଭାରତ ଅଭିଯାନ ଓ ଘରେ ଘରେ ଶୌଚାଳୟର ନାରା ଦିଆଯାଉଥିବା ବେଳେ କିନ୍ନରଙ୍କ ଏହି ଶୌଚ ସୁବିଧା ନେଇ ବିଏମ୍ସି ଓ ସରକାର ଉଭୟ ଚୁପ୍।
୨୦୧୧ ଜନସଂଖ୍ୟା ଗଣନା ଅନୁଯାୟୀ, ଭୁବନେଶ୍ବରର ଜନସଂଖ୍ୟା ପ୍ରାୟ ୮ଲକ୍ଷ ୪୩ ହଜାର। ଏଥିମଧ୍ୟରୁ ୫୦୦୦ରୁ ଅଧିକ କିନ୍ନର ରହିଥିବା ବେଳେ ବର୍ଷକୁ ବର୍ଷ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ଏତେ ସଂଖ୍ୟାରେ କିନ୍ନରମାନେ ରାଜଧାନୀରେ ରହୁଥିଲେ ମଧ୍ୟ ସେମାନଙ୍କୁ ଏଇ ସାମାନ୍ୟ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ସତେ ଯେମିତି ବିଏମ୍ସି ଆଖି ବୁଜିଦେଇଛି। କୌଣସି ସ୍ଥାନରେ କିନ୍ନରମାନଙ୍କ ପାଇଁ ଶୌଚାଳୟଟିଏ ନ ଥିବାରୁ କିନ୍ନରମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅପରପକ୍ଷେ କିନ୍ନରମାନେ ପୁରୁଷ ଶୌଚାଳୟକୁ ଗଲେ ବିଭିନ୍ନ ପ୍ରକାର ଅସଦ୍ ବ୍ୟବହାରର ସମ୍ମୁଖୀନ ହେଉଥିବା ବେଳେ ମହିଳା ଶୌଚାଳୟରେ ମଧ୍ୟ ମହିଳାମାନେ ସେମାନଙ୍କୁ ଗାଳିଗୁଲଜ କରୁଥିବା ଦେଖିବାକୁ ମିଳୁଛି। ଏଭଳି ସ୍ଥଳରେ କିନ୍ନରମାନଙ୍କ ପାଇଁ ସ୍ବତନ୍ତ୍ର ଶୌଚାଳୟ ନିର୍ମାଣ ପାଇଁ ସମ୍ପ୍ରଦାୟରେ ଦାବି ଉଠିଛି।
ଏ ନେଇ ନିକଟ ଅତୀତରେ ମେଘନା କିନ୍ନର ବିଏମ୍ସି କମିସନର୍ ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ କିନ୍ନରମାନଙ୍କ ପାଇଁ ଶୌଚାଳୟ ସୁବିଧା ଯୋଗାଇଦେବା ସଂକ୍ରାନ୍ତୀୟ ଏକ ଆବେଦନପତ୍ର ଦେଇଛନ୍ତି। ଏହି ଚିଠିରେ ସେ କିନ୍ନରମାନଙ୍କ ପାଇଁ ପବ୍ଲିକ୍ ଶୌଚାଳୟ ନିର୍ମାଣ ପାଇଁ ଅନୁରୋଧ କରିବା ସହ ତୃତୀୟ ଲିଙ୍ଗୀଙ୍କ ଲୋଗୋ ଶୌଚାଳୟ ବାହାରେ କରିବାକୁ ନିବେଦନ କରିଛନ୍ତି। ଯେଉଁଠି ନୂଆ ଶୌଚାଳୟ ନିର୍ମାଣ ହେବ, ସେଠାରେ କିନ୍ନରମାନଙ୍କ ପାଇଁ ସ୍ବତନ୍ତ୍ର ଶୌଚାଳୟ ନିର୍ମାଣ କରାଯାଉ। ଯେଉଁଠାରେ ଆଗରୁ ଶୌଚାଳୟ ରହିଛି, ସେଠାରେ ପୁରୁଷ ଶୌଚାଳୟ ଆଗରେ ଟ୍ରାନ୍ସ- ମେଲ୍ ଓ ମହିଳା ଶୌଚାଳୟ ବାହାରେ ଟ୍ରାନ୍ସ-ଓମେନ୍ ଲୋଗୋ ମରାଯାଉ। ଫଳରେ ଧୀରେ ଧୀରେ ଜନସାଧାରଣରେ ଏନେଇ ସଚେତନତା ସୃଷ୍ଟି ହେବ ଓ କିନ୍ନର ସମ୍ପ୍ରଦାୟ ବିଭିନ୍ନ ଅସଦ୍ ବ୍ୟବହାର ଓ ଗାଳିଗୁଲଜରୁ ମୁକ୍ତି ପାଇପାରିବେ ବୋଲି ମେଘନା ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି। ଏନେଇ ମେଘନାଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ, ମୁଁ ଜଣେ ଓଲା କ୍ୟାବ୍ ଡ୍ରାଇଭର୍। ଅନେକ ସମୟରେ ବିଭିନ୍ନ ସ୍ଥାନକୁ ଯାତ୍ରା କରୁଥିବା ବେଳେ କିନ୍ନରଙ୍କ ପାଇଁ ଶୌଚାଳୟ ବ୍ୟବସ୍ଥା ନଥିବାରୁ ମୁଁ ବହୁ ଅସୁବିଧାରେ ପଡ଼େ। ବାଧ୍ୟ ହୋଇ ବାହାରେ ଶୌଚ କରିବାକୁ ପଡ଼େ। ଏଭଳି ସମସ୍ୟାକୁ ଏଡ଼ାଇବାକୁ ମୁଁ ଏହି ନିବେଦନପତ୍ର କମିସନର୍ଙ୍କୁ ଲେଖିଛି ବୋଲି ସେ କହିଛନ୍ତି।