ଭୁବନେଶ୍ବର: ଖୋଲାରେ ଶୌଚ କଲେ ତଣ୍ଡ ଗଣିବାକୁ ପଡ଼ିବ ‌ବୋଲି ତ‌ାଗିଦ୍‌ କଲେ। ସ୍ମାର୍ଟସିଟିର ସୌନ୍ଦର୍ଯ୍ୟ ଓ ପରିଚ୍ଛନ୍ନତାକୁ ଗୁରୁତ୍ବ ଦେବା ଉଦ୍ଦେଶ୍ୟରେ ବିଏମ୍‌ସି ଏନେଇ ବିଜ୍ଞପ୍ତି ବି ଜାରିକଲା। ମାତ୍ର ଲୋକେ ଯାତାୟାତ ସମୟରେ ଶୌଚ ପାଇଁ ଯେଉଁ ବ୍ୟବସ୍ଥା କରାଗଲା ତାହାକୁ ସୁଧାରିଲେ ନାହିଁ। ସହରର ପରିଚ୍ଛନ୍ନତାକୁ ଗୁରୁତ୍ବ ଦେଇ ତଣ୍ଡ ଗଣିବାକୁ ତାଗିଦା କରିଚାଲିଛନ୍ତି, କିନ୍ତୁ ‌ରାସ୍ତାକଡ଼ରେ ଯେଉଁ ଭ୍ରାମ୍ୟମାଣ ଶୌଚାଳୟ ରଖିଛନ୍ତି ସେଗୁଡ଼ିକ‌ ଏତେ ଅପରିଷ୍କାର ଯେ ତା’ ଭିତରକୁ ଯିବା ପାଇଁ ବି ପାଦ ବଢ଼ୁନାହିଁ। ଏପରିକି ଦୀର୍ଘଦିନ ଧରି ସେଇ ଭ୍ରାମ୍ୟମାଣ ଶୌଚାଳୟର ଟାଙ୍କିରେ ପାଣି ଭର୍ତି କରାଯାଉ ନାହିଁ। ଶିରିପୁର ଛକରେ ଭ୍ରାମ୍ୟମାଣ ଶୌଚାଳୟ ଥାଇ ବି ଯେମିତି ଅଲୋଡ଼ା ହୋଇଯାଇଛି। ‌ଖାଲି ସେତିକି ନୁହେଁ, ଇ-ଶୌଚାଳୟର ବି ସମଦଶା। ସୂଚନା ଅଛି ଯେ ସବୁଜ ସଂକେତ ମିଳିଲେ ବ୍ୟବହାର କରନ୍ତୁ। ମାତ୍ର ନା‌ ସେଠି ସବୁଜ ଜଳୁଛି, ନା ନାଲି। ତେଣୁ ସେଠାରେ ରାସ୍ତାକଡ଼ ଶୌଚାଳୟ ଥିବା ନ ଥିବା ସମାନ କଥା ହୋଇଯାଇଛି। ଫଳରେ ଲୋକେ ସେହି ଶୌଚାଳୟ ପଛ ପାର୍ଶ୍ବ ସ୍ଥାନକୁ ପାଇଖାନା କରି‌ସାରିଲେଣି। ଯେବେ ବାହାରୁ କୌଣସି ଲୋକେ ଆସୁଛନ୍ତି ସେମାନେ ଏହାକୁ ବାହାରୁ ଦେଖି ଶୌଚାଳୟ ବୋଲି ଜାଣୁଛନ୍ତି ସତ, କିନ୍ତୁ ଏହାର ବ୍ୟବହାର ଜାଣି ନ ଥିବାରୁ ଏହାକୁ ବ୍ୟବହାର କରୁନାହାନ୍ତି।

Advertisment

ସଂପ୍ରତି ସହରରେ ୩୦ଟି ସ୍ଥାନରେ ୨୦ଟି ସ୍ବୟଂଚାଳିତ ଓ ୪୦ଟି ସେମି ଅଟୋମେଟିକ୍‌ ମୋଡୁଲାର ଟଏଲେଟ୍‌ ରହିଛି। ମାତ୍ର ସେଗୁଡିକର ଅବସ୍ଥା କଥା ନ କହିଲେ ଭଲ। ଦେଖା ଯାଉଛି କେଉଁଠି ପାଣି ନାହିଁ ତ କେଉଁଠି ଠିକ୍‌ ଭାବେ କାର୍ଯ୍ୟ କରୁ ନାହିଁ। ଆଗରୁ ଏହିପରି ଟଏଲେଟ୍‌ ସମ୍ମୁଖରେ କେହି ଜଣେ ବସି ଏହାର ବ୍ୟବହାର ବାବଦରେ ଅବଗତ କରାଉ ଥିଲା। ଏବେ କିନ୍ତୁ କେହି ରହୁନାହାନ୍ତି। ଫଳରେ ଅନେକ ସମୟରେ ଲୋକେ ଏହାର ବ୍ୟବହାର ଜାଣିପାରୁ ନାହାନ୍ତି। ସ୍ବୟଂଚାଳିତ ପଦ୍ଧତି ଯୋଗୁଁ କାଳେ ଭିତରକୁ ଗଲେ ଭିତରେ ଫସିଯିବେ ସେଇ ଦ୍ବନ୍ଦ୍ବରେ ଅନେକ ତା’ ଭିତରକୁ ମଧ୍ୟ ପ୍ରବେଶ କରିବାକୁ ସାହସ କରି ପାରୁନାହାନ୍ତି। ମାତ୍ର ଯେବେ ପ୍ରଶାସନ ନିଜେ ସ୍ଥାପନ କରିଥିବା ଶୌଚାଳୟଗୁଡ଼ିକୁ ଅବ୍ୟବସ୍ଥା ମଧ୍ୟରେ ଛାଡ଼ି ଦେଉଛି, ସେଠାରେ କିଏ କାହାକୁ ତଣ୍ଡ ଗଣିବ ? ନିକଟରେ ବିଏମ୍‌ସି ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ମୁତାବକ, ବାହାରେ ଶୌଚ କଲେ ୨ଶହ ଟଙ୍କା ଓ ପରିସ୍ରା କଲେ ୧୫୦ ଟଙ୍କା ତଣ୍ଡ ଗଣିବାକୁ ପଡ଼ିବ ବୋଲି ଚେତାବନୀ ଦିଆଯାଇଛି।