କିନ୍ନରଙ୍କ ପାଇଁ ରାଜ୍ୟର ପ୍ରଥମ ଶୌଚାଳୟ

ଗୋଟିଏ ହାଇବ୍ରିଡ୍‌, ୩ଟି ଗୋଷ୍ଠୀ ଶୌଚାଳୟ ଉଦ୍‌ଘାଟିତ

ଭୁବନେଶ୍ୱର : କିନ୍ନରମାନଙ୍କୁ ଝାଡ଼ା/ପରିସ୍ରା ଲାଗିଲେ ସେମାନେ ପୁରୁଷ କି ମହିଳାଙ୍କ ଶୌଚାଳୟକୁ ଯିବେନି। କୌଣସି ଶୌଚାଳୟରେ ପଶିଲେ ହଟହଟ୍ଟା ହେବେନି। କିନ୍ନରଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ନିର୍ମାଣ କରିଛି ବିଏମ୍‌ସି। ହେଲେ କିନ୍ନରଙ୍କୁ ଏହି ସୁବିଧା ପାଇବାକୁ ହେଲେ ବାଣୀବିହାର ଛକ ନିକଟକୁ ଆସିବାକୁ ପଡ଼ିବ। ବିଏମ୍‌ସି ପକ୍ଷରୁ ବାଣୀବିହାର ଛକରେ ୧୦ସିଟ୍‌ ବିଶିଷ୍ଟ ହାଇବ୍ରିଡ୍‌ ଟଏଲେଟ୍‌ ନିର୍ମାଣ ହୋଇଥିବାବେଳେ ଏଥିରେ କିନ୍ନରଙ୍କ ପାଇଁ ଗୋଟିଏ ସିଟ୍‌ ସଂରକ୍ଷଣ ରହିଛି। ଆଜି ଏହି ହାଇବ୍ରିଡ ଟଏଲେଟ୍‌କୁ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ଡେପୁଟି ମେୟର କେ.ଶାନ୍ତି ଉଦ୍‌ଘାଟନ କରିଛନ୍ତି।

କିନ୍ନରଙ୍କ ପାଇଁ ରାଜ୍ୟରେ ପ୍ରଥମ କରି ଏହିଭଳି ଶୌଚାଳୟ ନିର୍ମାଣ ହୋଇଛି। କିନ୍ନରଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ନିର୍ମାଣ କ୍ଷେତ୍ରରେ ଓଡ଼ିଶା ଦେଶର ତୃତୀୟ ରାଜ୍ୟ ହୋଇଛି।

ଆଜି ଜଲିମୁଣ୍ଡା ବସ୍ତି, ଚିରାଗଟୋଲା ବସ୍ତି ଏବଂ ପଣ୍ଡାକୁଡ଼ିଆ ବସ୍ତିରେ ଗୋଟିଏ ଲେଖାଏ ଗୋଷ୍ଠୀ ଶୌଚାଳୟ ଉଦ୍‌ଘାଟିତ ହୋଇଛି। ଏହି ସବୁ ଶୌଚାଳୟଗୁଡ଼ିକୁ ସବୁ ବର୍ଗର ଲୋକ ଯଥା ଶିଶୁ, ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମଙ୍କୁ ସୁହାଇବା ଭଳି ନିର୍ମାଣ କରାଯାଇଛି। ଭିନ୍ନକ୍ଷମଙ୍କ ସୁବିଧା ପାଇଁ ଏଥିରେ ର‍୍ୟାମ୍ପ୍‌ ବ୍ୟବସ୍ଥା କରାଯାଇଥିବା ବେଳେ ଶିଶୁମାନଙ୍କୁ ସୁବିଧା ହେବା ପାଇଁ ଲୋ ଲେବଲ୍‌ ପ୍ୟାନ୍‌ ଏବଂ ବେସିନ୍‌ର ବ୍ୟବସ୍ଥା କରାଯାଇଛି। ସ୍ମାର୍ଟ ସିଟିକୁ ଶିଶୁ ଉପଯୋଗୀ ସହର କରିବାକୁ ଯୋଜନା ହୋଇଥିବାରୁ ଶୌଚାଳୟଗୁଡ଼ିକରେ ଏହି ସବୁ ସୁବିଧା ଯୋଗାଇ ଦିଆଯାଇଛି। ଏହି ସବୁ ଶୌଚାଳୟରେ ୫ରୁ ୧୨ଟି ଲେଖାଏଁ ସିଟ୍‌ର ବ୍ୟବସ୍ଥା ରହିଛି। ଚିରାଗଟୋଲା ବସ୍ତିରେ ୧୨ଟି ସିଟ୍‌ ବିଶିଷ୍ଟ ଶୌଚାଳୟ ନିର୍ମାଣ କରାଯାଇଛି।

ପ୍ରୋଜେକ୍ଟ ସମ୍ମାନରେ ରାଜଧାନୀରେ ୨୭ଟି ଶୌଚାଳୟ ନିର୍ମାଣ ହେବାକୁ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୭ଟି ଶୌଚାଳୟ ନିର୍ମାଣ ହୋଇଛି। ଆସନ୍ତା ମାର୍ଚ୍ଚ ସୁଦ୍ଧା ସମସ୍ତ ଶୌଚାଳୟ ପ୍ରକଳ୍ପ ନିର୍ମାଣ କରିବାକୁ ଟାର୍ଗେଟ ରଖାଯାଇଛି।

ସମ୍ବନ୍ଧିତ ଖବର