ଶୌଚ ପାଇଁ ହିନସ୍ତା, ଏମ୍‌ସ ରାସ୍ତାକଡ଼େ ରୋଗୀ

୧ କିଲୋମିଟର ପର୍ଯ୍ୟନ୍ତ ନାହିଁ ସର୍ବସାଧାରଣ ଶୌଚାଳୟ

ଖଣ୍ଡଗିରି: ପୁଅକୁ କର୍କଟ। ଭୁବନେଶ୍ବର ଏମ୍‌ସରେ ଅତି କମ୍‌ ମୂଲ୍ୟରେ ଭଲ ଚିକିତ୍ସା ହୋଇପାରିବ ବୋଲି ଶୁଣି ସୁଦୂର ପଶ୍ଚିମବଙ୍ଗରୁ ପୁଅ ସହ ଏଠାକୁ ଆସିଛନ୍ତି ସୀତା ଭଟ୍ଟାଚାର୍ଯ୍ୟ। ଏଠି ପହଞ୍ଚୁ ପହଞ୍ଚୁ ଅପରାହ୍‌ଣ ୪ଟା ବାଜି ଯାଇଥିଲା। ପାଖରେ ଯେତିକି ଧର୍ମଶାଳା, ଗେଷ୍ଟହାଉସ୍‌ ଅଛି, ସବୁ ଗୋଟିଗୋଟି କରି ବୁଝି ଆସିଲେ। କିନ୍ତୁ ସେମାନେ ଦର ଯେତିକି କହିଲେ, ତାହା ସେ ଦେଇପାରିବେନି। ପୁଅର ଚିକିତ୍ସା ପାଇଁ ହାତଉଧାରି କରି ଯେତିକି ଟଙ୍କା ଆଣିଛନ୍ତି, ସେଥିରେ ପୁଅର ଚିକିତ୍ସା, ମେଡିସିନ୍‌ ଓ ଖାଇବା ପିଇବା ଖର୍ଚ୍ଚ ମେଣ୍ଟିବ କି ନାହିଁ, ସନ୍ଦେହ। ତେଣୁ ରୋଗିଣା ପୁଅକୁ ଧରି ଶୀତ କାକରରେ ରାସ୍ତାକଡ଼ରେ ଶୋଇଲେ। କିନ୍ତୁ ସଂଧ୍ୟାରେ ଯେତେବେଳେ ପୁଅ ଶୌଚ ହେବା ପାଇଁ ବାହାରିଲା, ଖୋଜିଖୋଜି ନୟାନ୍ତ ହୋଇଗଲେ ସିନା, ଆଖପାଖରେ କୋଉଠି ବି ତାଙ୍କୁ ସର୍ବସାଧାରଣ ଶୌଚାଳୟଟିଏ ମିଳିଲା ନାହିଁ। ତେଣୁ ବାଧ୍ୟ ହୋଇ ରାସ୍ତାକଡ଼ ନିଛାଟିଆ ଜାଗାରେ ପୁଅକୁ ଶୌଚ କରାଇଲେ ଓ ନିଜେ ବି ଶୌଚ ହେଲେ। ଖାଲି ସୀତା ନୁହେଁ, ଏମ୍‌ସକୁ ଦୈନିକ ତାଙ୍କ ଭଳି ଆସୁଥିବା ଶହଶହ ଅଭିଭାବକ ଓ ରୋଗୀ ଶୌଚାଳୟ ପାଇଁ ଏମିତି କଲବଲ ହେଉଛନ୍ତି। ଦିନ ବେଳା ଏମ୍‌ସ ପ୍ରାଙ୍ଗଣରେ ଥିବା ଶୌଚାଳୟ ବ୍ୟବହାର କରୁଛନ୍ତି। କିନ୍ତୁ ସଂଧ୍ୟା ପରେ ସେମାନଙ୍କ ଅବସ୍ଥା ଜଟିଳ ହେଉଛି। ଏଠାରେ ପ୍ରଶ୍ନ ଉଠୁଛି, ଏଭଳି ଗରିବ ରୋଗୀଙ୍କ ପାଇଁ ଏମ୍‌ସ ଆଖପାଖରେ ସରକାର କ’ଣ ସାଧାରଣ ଶୌଚାଳୟଟିଏ ବି ନିର୍ମାଣ କରାଇପାରିବେ ନାହିଁ।

ସୂଚନାଯୋଗ୍ୟ, ଏମ୍‌ସ ରାସ୍ତାରୁ ପ୍ରାୟ ୧ କିଲୋମିଟର ଦୂରରେ ଜାତୀୟ ରାଜପଥ ନିକଟରେ ଗୋଟିଏ ଗୋଷ୍ଠୀ ଶୌଚାଳୟ ନିର୍ମାଣ ହୋଇଛି। କିନ୍ତୁ ତା’ ଅବସ୍ଥା ଭଲ ନାହିଁ। କିଛି ଦିନ ତଳେ ତା’ର ମରାମତି ହୋଇଥିଲେ ହେଁ ତାହା ଶୋଚନୀୟ ହୋଇପଡ଼ିଛି। ଅପରପକ୍ଷେ, ଏହି ଡାକ୍ତରଖାନା ପରିସରରେ ଗୋଟିଏ ଧର୍ମଶାଳା ବର୍ଷକ ତଳୁ ନିର୍ମାଣ ସରିଲାଣି। କିନ୍ତୁ ତାହା କାର୍ଯ୍ୟକ୍ଷମ କରାଯାଉନାହିଁ। ତେଣୁ ଗରିବ ରୋଗୀ ନିକଟ ରାସ୍ତାକଡ଼ ଓ ଫୁଟ୍‌ପାଥରେ ଗଡ଼ୁଛନ୍ତି। ସେହିପରି ଏମ୍‌ସ ଡାକ୍ତରଖାନା ରାସ୍ତାରେ ଅଧିକାଂଶ ସମୟରେ ଲୁଟ୍‌, ପ୍ରାଣାନ୍ତକ ଆକ୍ରମଣ, ମଦ୍ୟପଙ୍କ ଆଡ଼ା ପାଲଟିଥିବା ବିଭିନ୍ନ ସମୟରେ ଅଭିଯୋଗ ହୁଏ। ଏଭଳି ସ୍ଥିତିରେ ରୋଗିଣା ଶରୀରରେ ଶୌଚ ପାଇଁ ଯାଇଥିବା ବ୍ୟକ୍ତି କିମ୍ବା ପରିବାରର ଅବସ୍ଥା କ’ଣ ହେଉଥିବ ଅନୁମାନ କରାଯାଇପାରେ। ତେଣୁ ଏହି ଧର୍ମଶାଳା କାର୍ଯ୍ୟକ୍ଷମ ହୋଇପାରିଲେ ଅନ୍ତତଃ ଏସବୁ ମୌଳିକ ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି ଜଣେ ରୋଗୀ ଅଭିଭାବକ କହିଛନ୍ତି।

ଏ ସଂପର୍କରେ ୱାର୍ଡ ନମ୍ବର ୬୫ର କର୍ପୋରେଟର୍‌ ରଶ୍ମିରଞ୍ଜନ ପାଟ୍ଟଶାଣୀଙ୍କ କହିବା କଥା ହେଲା, ଏମ୍‌ସ ରୋଗୀଙ୍କ ସମସ୍ୟା ସେ ଅନୁଭବ କରନ୍ତି। କିନ୍ତୁ ଏହା ସିଜୁଆ ପଞ୍ଚାୟତ ଅଧୀନରେ ଆସୁଥିବାରୁ ବିଏମ୍‌ସି କିଛି କରିପାରିବ ନାହିଁ। ଏମ୍‌ସ ଅଞ୍ଚଳକୁ ବିଏମ୍‌ସି ଅଧୀନରେ ସାମିଲ କରିବା ପାଇଁ ସେ ଆଗାମୀ ବିଏମ୍‌ସି କର୍ପୋରେସନ୍‌ ବୈଠକରେ ପ୍ରସ୍ତାବ ରଖିବେ ବୋଲି କହିଛନ୍ତି।

ସିଜୁଆ ସରପଞ୍ଚଙ୍କ କହିବାନୁସାରେ, ଏମ୍‌ସ ଡାକ୍ତରଖାନା ନିକଟବର୍ତ୍ତୀ ସିଜୁଆ ପଞ୍ଚାୟତରେ ଶୌଚାଳୟ ନିର୍ମାଣ କାର୍ଯ୍ୟ ସମାପ୍ତ ହେବାକୁ ବସିଲାଣି। କିଛି ଦିନ ପରେ ଚାହିଲେ ରୋଗୀ ଏହାକୁ ବ୍ୟବହାର କରିପାରିବେ। ସ୍ଥାନୀୟ ଅଧିବାସୀଙ୍କ ଅନୁସାରେ, ପ୍ରତିଦିନ ଏମ୍‌ସକୁ ୮ରୁ ୧୦ ହଜାର ରୋଗୀ ଆସୁଛନ୍ତି। ଅନେକ ସଂଖ୍ୟାରେ ରୋଗୀ ବାହାରେ ଶୋଉଛନ୍ତି। ସେମାନଙ୍କ ଆବଶ୍ୟକତାକୁ ଅନୁଭବ କରି କେବଳ ସେମାନଙ୍କ ପାଇଁ ଡାକ୍ତରଖାନା ବାହାରେ ସାର୍ବଜନୀନ ଶୌଚାଳୟ ନିର୍ମାଣ ହେବା କଥା। ବିଏମ୍‌ସି କି ପଞ୍ଚାୟତ ଆଲୋଚନା କରି ଏହି କାର୍ଯ୍ୟ କରିବା ଉଚିତ। ନଚେତ ସାଂସଦ କିମ୍ବା ବିଧାୟକ ନିଜ ପାଣ୍ଠିର ବ୍ୟବହାର କରି ଶୌଚାଳୟ ନିର୍ମାଣ କଲେ ଆହୁରି ଭଲ ହୁଅନ୍ତା।

ସମ୍ବନ୍ଧିତ ଖବର