ଭୁବନେଶ୍ବର: ରାଜଧାନୀର ଅନ୍ୟତମ ବ୍ୟସ୍ତବହୁଳ ଛକ ହେଉଛି ପଳାସୁଣି ଛକ। ଏଠାରୁ ପ୍ରତିଦିନ ବିଭିନ୍ନ ସ୍ଥାନକୁ ଶତାଧିକ ଲୋକ ବସ୍‌ ଓ ଯାତ୍ରୀବାହୀ ଗାଡ଼ି ଯୋଗେ ଯାତାୟାତ କରୁଛନ୍ତି। ହେଲେ ସହରର ଅନ୍ୟ ଛକ ଭଳି ବିଏମ୍‌ସି ପକ୍ଷରୁ ଏ ଛକରେ କୌଣସି ସୁବିଧା ସୁଯୋଗ ଯୋଗାଇ ଦିଆଯାଇ ନାହିଁ। ଲୋକମାନଙ୍କ ବ୍ୟବହାର ପାଇଁ ସାମାନ୍ୟ ଶୌଚାଳୟଟିଏ ନାହିଁ। ପିଇବା ପାଇଁ ପାଣି ଟୋପେ ମଧ୍ୟ ନାହିଁ। ସେହିଭଳି ସାଧାରଣ ବସ୍ ରହଣିଠାରୁ ବହୁ ଦୂରରେ ବସ୍ ବେ’ ନିର୍ମାଣ କରାଯାଇଛି। ଫଳରେ ଲୋକମାନେ ଖରାରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହେଉଛନ୍ତି। ଏ ସମସ୍ତ ମୌଳିକ ସୁବିଧା ଏହି ଛକରେ ମିଳୁନଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ଶୌଚାଳୟ ନଥିବାରୁ ମହିଳାମାନେ ବେଶି ହଇରାଣ ହରକତ ହେଉଥିବା ଅଭିଯୋଗ ହେଉଛି।

Advertisment

ଉଚ୍ଛେଦ ହେଉନି, କାମ ଆଗଉନି

ସୂଚନା ଅନୁସାରେ, ବିଏମ୍‌ସି ୧୮ନମ୍ବର ୱାର୍ଡ ଅନ୍ତର୍ଗତ ଏହି ଛକରେ ଏକ ସର୍ବସାଧାରଣ ଶୌଚାଳୟ ନିର୍ମାଣ ପାଇଁ ଦୀର୍ଘ ଦିନ ହେଲା ଦାବି ହୋଇଆସୁଛି। ଏଥିପାଇଁ ତତ୍କାଳୀନ ବିଏମ୍‌ସି କମିସନର୍ ପ୍ରେମଚନ୍ଦ୍ର ଚୌଧରୀଙ୍କ ସମୟରୁ ବିଏମ୍‌ସି ପକ୍ଷରୁ ଜାଗା ଚିହ୍ନଟ ମଧ୍ୟ ହୋଇ ସାରିଛି। ସେତେବେଳେ ‘ଇ-ଟଏଲେଟ୍’ ନିର୍ମାଣ ହେବ ବୋଲି ଲୋକଙ୍କୁ କୁହାଯାଉଥିଲା। ହେଲେ କମିସନର୍ ପରେ କମିସନର୍ ବଦଳୁଛନ୍ତି, ଏଠାରେ ଶୌଚାଳୟ ନିର୍ମାଣ ହୋଇପାରୁନି। ଫଳରେ ଲୋକମାନେ ରାସ୍ତାକଡ଼ ଓ ଖୋଲା ପଡ଼ିଆରେ ମଳ, ମୂତ୍ର ତ୍ୟାଗ କରୁଛନ୍ତି। ଯାହା ଫଳରେ ପରିବେଶ ଅପରିଷ୍କାର ହେବା ସହ ବସ୍ ଷ୍ଟପ୍ ପରିସର ପରିସ୍ରା ଗନ୍ଧରେ ଫାଟି ପଡ଼ୁଛି। ଏଥିଯୋଗୁଁ ଜଣେ ଲୋକ ସେଠି ୫ମିନିଟ୍ ବି ଛିଡ଼ା ହେବା ପାଇଁ ନାକ ଟେକୁଛି।

ଏନେଇ ଜଣେ ମହିଳା ଯାତ୍ରୀ ଜ୍ୟୋତ୍ସ୍ନାପ୍ରିୟା ରାଉତରାୟ କହିଛନ୍ତି, ପ୍ରତିଦିନ ଏହି ଛକରୁ ଆମେ ଅଫିସ୍ ଯିବା ଆସିବା କରୁଛୁ। ହେଲେ ଟଏଲେଟ୍ ନଥିବାରୁ ଅଧିକାଂଶ ସମୟରେ ଆମକୁ ହଇରାଣ ହେବାକୁ ପଡ଼ୁଛି। ଏଠି ଟଏଲେଟ୍ ନିର୍ମାଣ କରାଗଲେ ମହିଳାମାନେ ବେଶି ଉପକୃତ ହେବେ ବୋଲି ସେ କହିଛନ୍ତି। ଅନ୍ୟ ଜଣେ ଅଟୋଚାଳକ ସହଦେବ ଭୋଇ କହିଛନ୍ତି, ଆମେ ଏହି ଷ୍ଟାଣ୍ଡରେ ଦିନ ରାତି ବସୁଛୁ। ଶୌଚାଳୟ ନଥିବାରୁ ପରିସ୍ରା କରିବା ପାଇଁ ବାଧ୍ୟ ହୋଇ ରାସ୍ତା ନହେଲେ ନାଳ କଡ଼କୁ ଯାଉଛୁ। ଯେଉଁଠି ‘ଇ-ଟଏଲେଟ୍’ ପାଇଁ ସ୍ଥାନ ଚିହ୍ନଟ ହୋଇଥିଲା, ସେଠି ଏବେ ଜବରଦଖଲରେ ଜଣେ ବ୍ୟକ୍ତି ଦୋକାନ କରିଛନ୍ତି। ତେଣୁ ତୁରନ୍ତ ସେହି ଦୋକାନ ହଟାଯାଇ ସେଠି ଶୌଚାଳୟ ନିର୍ମାଣ କରାଯାଉ। ଏହାସହ ଗାଡ଼ି ଚାଳକମାନେ ପିଇବା ପାଣି ଟୋପେ ପାଇବା ପାଇଁ ହଇରାଣ ହରକତ ହେଉଛନ୍ତି। ଏଠି ଯଦି ପିଇବା ପାଣିର ବ୍ୟବସ୍ଥା କରାଯାଇପାରନ୍ତା ତେବେ ବହୁ ଡ୍ରାଇଭର ଉପକୃତ ହୁଅନ୍ତେ ବୋଲି ସେ କହିଛନ୍ତି।