ନ’ ତାଲାରେ ଅଜବ ବ୍ୟବସ୍ଥା: ସାଧାରଣ ଲୋକଙ୍କୁ ଶୌଚାଳୟ ମନା

ଭୁବନେଶ୍ବର: ମିନି-ସେକ୍ରେଟାରିଏଟ୍‌ କୁହାଯାଉଥିବା ନ’ ତାଲାରେ ଅଜବ ବ୍ୟବସ୍ଥା। ବିଭିନ୍ନ କାମ ନେଇ ରାଜ୍ୟର କୋଣ ଅନୁକୋଣରୁ ଆସୁଥିବା ସାଧାରଣ ଲୋକଙ୍କୁ ଏଠି ଶୌଚାଳୟ ବ୍ୟବହାର କରିବା ମନା। ଏଠାରେ ଅବସ୍ଥାପିତ ବଡ଼ବଡ଼ ବାବୁମାନେ ଏମିତି ଏକ ଅଘୋଷିତ ଓ ଅଲିଖିତ ନିୟମ ଜାରି କରିଛନ୍ତି। ଆଉ ବାବୁଙ୍କ ନିୟମ ଯେମିତି ଅକ୍ଷରେ ଅକ୍ଷରେ ପାଳନ ହେବ, ସେଥିପାଇଁ ତଳତଳିଆ କର୍ମଚାରୀ ପୂରା ତତ୍ପର। କେହି ସାଧାରଣ ଲୋକ ଯଦି ଅଫିସ୍‌ ଭିତରେ ଥିବା ଶୌଚାଳୟ ବ୍ୟବହାର କରିବାକୁ ଯାଉଛି, ସେମାନେ ପ୍ରଥମେ ତାଙ୍କୁ ବାରଣ କରୁଛନ୍ତି। କାରଣ ପଚାରିଲେ କି’ ଯୁକ୍ତିତର୍କ କଲେ, ସେମାନେ ଗାଳିଗୁଲଜ କରି ବିଦା କରିଦେଉଛନ୍ତି। ଅଫିସ୍‌ର ପୂରା ୯ ମହଲା ଯାକରେ ଏମିତିକା ଅଘୋଷିତ ନିୟମ ଜାରି କରାଯାଇଛି। ଏହାକୁ ନେଇ ଲୋକଙ୍କ ଭିତରେ ଘୋର୍‌ ଅସନ୍ତୋଷ ପ୍ରକାଶ ପାଉଛି। କିନ୍ତୁ ସେଇ ସରକାରୀ ବାବୁମାନଙ୍କ ପାଖେ କାମ ଅଟକିଥିବାରୁ କେହି ମୁହଁ ଖୋଲି ପ୍ରତିବାଦ କରୁନାହାନ୍ତି। ସହରକୁ ସ୍ବଚ୍ଛ, ସୁନ୍ଦର ରଖିବା ପାଇଁ ସରକାର ଯାବତୀୟ ପ୍ରୟାସ କରୁଛନ୍ତି। ବାହାରେ ପରିସ୍ରା କରିବାର ଲୋକଙ୍କ ମାନସିକତାକୁ ଭାଙ୍ଗିବା ପାଇଁ ସାଧାରଣ ଶୌଚାଳୟଠାରୁ ଆରମ୍ଭ କରି ଇ-ଟଏଲେଟ୍‌ ଆଦିର ବ୍ୟବସ୍ଥା କରୁଛନ୍ତି। କିନ୍ତୁ ନ’ତାଲାର କିଛି ସରକାରୀ ବାବୁଙ୍କ ପାଇଁ ତାହା ଭଣ୍ଡୁର ହେଉଛି। କର୍ମଚାରୀଙ୍କ ଦୁର୍ବ୍ୟବହାର ପାଇଁ ଲୋକେ ଅଫିସ୍‌ ଆଖପାଖରେ ଖୋଲାରେ ପରିସ୍ରା କରୁଛନ୍ତି।

ମୃତ୍ତିକା ସରଂକ୍ଷଣ ନିର୍ଦ୍ଦେଶାଳୟ, ଜନସ୍ବାସ୍ଥ୍ୟ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ, ସ୍ବାସ୍ଥ୍ୟସେବା ନିର୍ଦ୍ଦେଶାଳୟ, ପରିବାର କଲ୍ୟା‌ଣ ନିର୍ଦ୍ଦେଶାଳୟ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ, ଉଚ୍ଚଶିକ୍ଷା ବିଭାଗ, ମାଧ୍ୟମିକ/ଗଣଶିକ୍ଷା ନିର୍ଦ୍ଦେଶାଳୟ, ସମବାୟ ନିର୍ଦ୍ଦେଶାଳୟ, ଖାଦ୍ୟ ନିରାପତ୍ତା ଆୟୁକ୍ତଙ୍କ କାର୍ଯ୍ୟାଳୟ ଓ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଭଳି ରାଜ୍ୟର ପ୍ରାୟ ସବୁ ଗୁରୁତ୍ବପୂର୍ଣ୍ଣ ବିଭାଗର ମୁଖ୍ୟ ଦପ୍ତରଗୁଡ଼ିକ ରହିଛି। ପ୍ରତିଦିନ ରାଜ୍ୟର କୋଣଅନୁକୋଣରୁ ହଜାର ହଜାର ଲୋକ ବିଭିନ୍ନ କାମରେ ଏଠାକୁ ଆସିଥା’ନ୍ତି। କିନ୍ତୁ ଏଠାରେ ସାଧାରଣ ଲୋକଙ୍କୁ ଶୌଚାଳୟକୁ ବାରଣ କରିବାକୁ କେହି ହେଲେ ସହଜରେ ଗ୍ରହଣ କରି ପାରୁନାହାନ୍ତି।

ସବୁ ମହଲାରେ ପୁରୁଷ ଓ ମହିଳାଙ୍କ ପାଇଁ ଅଲଗା ଅଲଗା ଶୌଚାଳୟ ରହିଛି। ଶୌଚାଳୟକୁ ଯିବା ପାଇଁ ଚିହ୍ନ ବି ଦିଆଯାଇଛି। ହେଲେ କେହି ସାଧାରଣ ଲୋକ ଯଦି ଯାଉଛନ୍ତି, ତାଙ୍କୁ ମନା କରାଯାଉଛି। ଆଜି କୌଣସି କାମରେ ନ’ତାଲା ଆସିଥିବା ସ୍ବାଧୀନ ନାୟକ ତାଙ୍କର ତିକ୍ତ ଅନୁଭୂତି ସଂପର୍କରେ କହିଛନ୍ତି, ସେ ଦ୍ବିତୀୟ ମହଲାରେ ଥିବା ଶୌଚାଳୟକୁ ଯାଇଥି‌ଲେ। ହେଲେ ସେଠାରେ ଥିବା କର୍ମଚାରୀଜଣଙ୍କ ତାଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ। ଏଠାରେ ଶୌଚାଳୟ ବ୍ୟବହାର କରିପାରିବ ନାହିଁ କହି ତଡ଼ି ଦେଇଥିଲେ। ହେଲେ କ’ଣ ସମସ୍ୟା ଅଛି, ଶୌଚ ହେଲେ କ’ଣ ଅସୁବିଧା ଅଛି ବୋଲି ପଚାରିବାରୁ, ‘ବାବୁ ମନା କରିଛନ୍ତି, ବାହାର ଲୋକ ଏଠି ଶୌଚ ହୋଇପାରିବେ ନାହିଁ’ ବୋଲି କର୍ମଚାରୀଜଣଙ୍କ କହିଥିଲେ। କିଏ ବାରଣ କରିଛି ବୋଲି ପଚାରିବାରୁ, ‘କିଛି କହି ପାରିବି ନାହିଁ, ମୁଁ ମୋ କାମ କରୁଛି’ ବୋଲି କହି ନାଲି ଆଖି ଦେଖାଇଥିଲେ। ଶ୍ରୀ ନାୟକ ଉପର ମହଲାକୁ ଯାଇଥିଲେ ହେଁ ସମାନ ସମସ୍ୟାର ଶିକାର ହୋଇଥିଲେ। ଅନୁସନ୍ଧାନରୁ ଜଣାଯାଇଛି ଯେ ନ’ ତାଲାର ସବୁ ମହଲାରେ ଶୌଚାଳୟ ଥିଲେ ହେଁ ଅଧିକାଂଶରେ ତାଲା ଝୁଲୁଛି। ଯେଉଁ କେତୋଟି ଖୋଲା ଅଛି, ସେସବୁ ଠିକ୍‌ ଭାବେ ସଫା ହେଉ ନଥିବାରୁ ଦୁର୍ଗନ୍ଧ ବାହାରୁଛି।

ଚୁଲିକୁ ଗଲାଣି ସ୍ବଚ୍ଛତା

ନ’ ତାଲାରେ ବର୍ଷ ସାରା କିଛି ନା କିଛି ନିର୍ମାଣ କରାଯାଉଛି। କିନ୍ତୁ ଅବସ୍ଥା ଯଥା ପୂର୍ବଂ ତଥା ପରଂ। ବାହାର ପାଖରେ ଅଧିକାଂଶ ସ୍ଥାନ ଭାଙ୍ଗି ଥିଲେ ବି ମରାମତି ହେଉନାହିଁ। କୋଠାରୁ ରଙ୍ଗ ଉଡ଼ି ଯାଇ ଶିଉଳି ଚଢ଼ି ଗଲାଣି। ପ୍ରବେଶ ଦ୍ବାର‌ରେ ନାନା ପୋଷ୍ଟର ଲଗାଯାଇ ଅପରିଷ୍କାର କରାଯାଇଛି। ପାର୍କିଂ ସ୍ଥଳଠାରୁ ଭିତର ପର୍ଯ୍ୟନ୍ତ ସଫା ହେଉ ନଥିବାରୁ ଅଳିଆ ଆବର୍ଜନା ସେମିତି ପଡ଼ିରହିଛି। ଶିଡ଼ିର ବାଡ଼ ଧରିଲେ ହାତରେ ମେଞ୍ଚେ ଧୂଳି ଲାଗି ଯାଉଛି। ଶିଡ଼ିରେ ଠାକୁରଙ୍କ ଫଟୋ ଲାଗି ଥିବାରୁ ପାନ ଛେପ ପଡ଼ିନାହିଁ ସତ, କିନ୍ତୁ ଝରକା ଓ ଶୌଚାଳୟରେ ପୁଳାପୁଳା ପାନ ଛେପ‌ରେ କାନ୍ଥର ରଙ୍ଗ ବଦଳି ଯାଇଛି। ସବୁ ମହଲାର ଯିବାଆସିବା ବାଟରେ ଅଦରକାରୀ ଫର୍ଣ୍ଣିଚର ଗଦା ହୋଇଛି। ସବୁ ମହଲାରେ ପିଇବା ପାଣି‌ ମେସିନ୍‌ ଲାଗିଛି। ହେଲେ ଅଧିକାଂଶ ଅଚଳ। ଯେଉଁଠୁ ପାଣି ବାହାରୁଛି ସେଠି ବିଦ୍ୟୁତ୍‌ ତାର ବିପଦସଂକୁଳ ଅବସ୍ଥାରେ ରହିଛି। ମେସିନ୍‌ର ପାରିପାର୍ଶ୍ବିକ ସ୍ଥିତି ଦେଖିଲେ, ପାଣି ପିଇବାକୁ ଇଚ୍ଛା ହେବନାହିଁ। ଶୌଚାଳୟ ସଫା ହେଉନଥିବାରୁ ଦୁର୍ଗନ୍ଧରେ ନାକ ଫାଟି ଯାଉଛି।

ଖତ ଖାଉଛି ଗୁରୁତ୍ବପୂର୍ଣ୍ଣ ନଥିପତ୍ର

ତଳଠାରୁ ଉପର ଯାଏ ଅଧିକାଂଶ ବିଭାଗର ଗୁରୁତ୍ବପୂର୍ଣ୍ଣ ନଥିପତ୍ର ବାହାରେ ପଡ଼ିଛି। କିଛି ନାଲି କପଡ଼ାରେ ଗୁଡ଼ା ହୋଇଛି ତ କିଛି ସେମିତି ପଡ଼ିଛି। ଲୋକଙ୍କ ଯିବା ଆସିବା ବାଟରେ ନଥିପତ୍ର ଗଦା ହୋଇଥିବାରୁ ଏହା ଧୀରେଧୀରେ ନଷ୍ଟ ହେବାକୁ ବସିଲାଣି। କିନ୍ତୁ ଆଶ୍ଚର୍ଯ୍ୟର କଥା ଏଥିପ୍ରତି ଅଧିକାରୀଙ୍କ ଦାୟିତ୍ବ ନାହିଁ। ସେହିପରି ଚେୟାର, ଟେବୁଲ, ଆଲମିରା ଭଳି ଅଫିସ୍‌ର ପୁରୁଣା ଆସବାବପତ୍ର ବର୍ଷାଧିକ ସମୟ ହେଲା ବାରଣ୍ଡାରେ ଖତ ଖାଉଛି। ଅଫିସ୍‌ ନା ଭୂତକୋଠି!

ଅଧିକାଂଶ ଚଉକି ଫାଙ୍କା

ବିଭାଗୀୟ ମୁଖ୍ୟଙ୍କ କାର୍ଯ୍ୟାଳୟ (ନ’ତାଲା)ରେ ଅଧିକାଂଶ ଚଉକି ଫାଙ୍କା ପଡ଼ୁଥିବା ଦେଖିବାକୁ ମିଳିଛି। କେଉଁ ଅଧିକାରୀ କେତେବେଳେ ଆସୁଛନ୍ତି, ଯାଉଛନ୍ତି ତା’ର ଠିକ୍‌ ଠିକଣା ନାହିଁ। ତଳଠାରୁ ଉପର ପର୍ଯ୍ୟନ୍ତ ଦିନ ୧୨ଟାରେ ମଧ୍ୟ ଚଉକି ଫାଙ୍କା ପଡ଼ୁଛି। କେଉଁଠି ତାଲା ପଡ଼ିଛି ତ କେଉଁଠି ଫ୍ୟାନ୍‌ ଓ ଏସି ଅହରହ ଚାଲୁଛି। ହେଲେ ଚଉକିରେ ବାବୁଙ୍କ ଦେଖା ନାହିଁ। ଆଉ କେଉଁଠି ମୋବାଇଲ୍‌ରେ ଫେସ୍‌ବୁକ୍‌, ହ୍ବାଟସ୍‌ଆପ୍‌, ଇନ୍‌ଷ୍ଟାରେ ବ୍ୟସ୍ତ ଅଧିକାରୀ। କିଛି ବିଭାଗରେ ତ ଗାଁ ମଣ୍ଡପ ଭଳି ଏକାଠି ବସି ଗପ ଜମୁଥିବା ଦେଖିବାକୁ ମିଳିଛି। ଏପଟେ ବିଭିନ୍ନ କାମରେ ଦୂରଦୂରାନ୍ତରୁ ଆସୁଥିବା ଲୋକମାନେ ଅପେକ୍ଷା କରି କରି ଧୈର୍ଯ୍ୟହରା ହୋଇ ଘରକୁ ଫେରୁଛନ୍ତି କିନ୍ତୁ ବାବୁ-ବାବୁଆଣୀଙ୍କୁ ଗପରୁ ଫୁରସତ୍‌ ମିଳୁନି।

ସମ୍ବନ୍ଧିତ ଖବର