ଖଣ୍ଡଗିରି: ସ୍ଥାନୀୟ ବାସିନ୍ଦାଙ୍କ ବାରମ୍ବାର ଅନୁରୋଧ ପରେ ବିଏମ୍‌ସି ଲଗାଇଥିଲା ଷ୍ଟ୍ରିଟ୍‌ ଲାଇଟ୍‌। ୨୦୧୪-୧୫ ଆର୍ଥିକ ବର୍ଷରେଏହି ଲାଇଟ୍‌ ଲାଗିଥିଲା। ହେଲେ ଏବେ ଖୁଣ୍ଟ ଅଛି, କିନ୍ତୁ ଲାଇଟ୍‌ ନାହିଁ। ଫଳରେ ରାସ୍ତାର ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ଅନ୍ଧାରରେ ପଡ଼ିଛି। ଏହି ଅନ୍ଧାରର ସୁଯୋଗ ନେଇ ମାତିଛନ୍ତି ଚୋର। ଏଭଳି ଏକ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ଧର୍ମବିହାର ଶିଶୁମନ୍ଦିର ରାସ୍ତାରେ। ଲାଇଟ୍‌ ଚୋରି ପରେ ସରକାରୀ ଅଫିସ ପାଚେରିରୁ ଗ୍ରିଲ୍‌ ତାଡ଼ି ନେଉଛନ୍ତି। ସାଧାରଣ ଲୋକଙ୍କ ଜିନିଷପତ୍ର ରଖୁ ନାହାନ୍ତି। ମଦ୍ୟପ ଓ ଅସାମାଜିକଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ବଡ଼କଥା ହେଉଛି ଏହି ଲାଇଟ୍‌ ଚୋରି ବିଷୟରେ ବିଏମ୍‌ସି ଜାଣିନି। ପୂର୍ବରୁ ବିଏମ୍‌ସିର ବିଦ୍ୟୁତ୍‌ ଉପବିଭାଗ ବିଭିନ୍ନ ସମୟରେ ବିବାଦରେ ଥିବା ବେଳେ ଏବେ ଏହି ପ୍ରସଙ୍ଗ ପୁଣି ଥରେ ବିଏମ୍‌ସିକୁ ଚର୍ଚ୍ଚାକୁ ଆଣିଛି।

Advertisment

ତପୋବନ ବସ୍ତି ସାମ୍ନାରୁ ତାରିଣୀ ବସ୍ତି ପର୍ଯ୍ୟନ୍ତ ଏଭଳି ସ୍ଥିତି ରହିଛି। ଗୋଟିଏ ଗୋଟିଏ କରି ପ୍ରାୟ ୨୫ଟି ଲାଇଟ୍‌ କେହି ଖୋଲି ନେଇଛି। ଏହି ଦୁଇ ବସ୍ତିରେ ପ୍ରାୟ ୩ ହଜାର ବାସିନ୍ଦା ରହିଛନ୍ତି। ଜାତୀୟ ରାଜପଥ ଓ ଜାଗମରା ରାସ୍ତାକୁ ବାହାରିବା ପାଇଁ ଏହି ବାସିନ୍ଦାଙ୍କର ଏହା ହେଉଛି ପ୍ରମୁଖ ରାସ୍ତା। ଅଧିକାଂଶ ବାସିନ୍ଦା କାମ ସାରି ରାତିରେ ହିଁ ଘରକୁ ଫେରନ୍ତି। କିନ୍ତୁ ଏହି ରାସ୍ତା ମାସେ ହେଲା ଅନ୍ଧାର ହେଇପଡ଼ିଥିବାରୁ ଲୋକେ ନାହିଁ ନଥିବା ସମସ୍ୟାରେ ପଡ଼ୁଛନ୍ତି। ମହିଳାମାନେ ଘରୁ ବାହାରି ପାରୁନାହାନ୍ତି। ଅନ୍ଧାର ଯୋଗୁ ମଦ୍ୟପମାନେ ଆଡା ଜମାଉଛନ୍ତି। ସନ୍ଧ୍ୟା ହେଉ ହେଉ ସ୍ଥିତି ଏଭଳି ହେଉଛି ଯେ ଏହି ରାସ୍ତା ଦେଇ ଯାତାୟାତ କରିବା ସମ୍ଭବ ହେଉ ନାହିଁ। ନିଛାଟିଆ ଅନ୍ଧାର ରାସ୍ତାରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେଉଛି। ଗତ ୧୫ ଦିନ ତଳେ ଏଠାରେ ଛିନ୍‌ତାଇ ହୋଇଥିଲା। ଦୁଇ ଜଣ ମହିଳାଙ୍କଠାରୁ ୫ ଜଣ ଯୁବକ ଟଙ୍କା ପଇସା ଝାମ୍ପି ନେବା ସହ ଅସଦ‌ାଚରଣ କରିଥିବା ଅଭିଯୋଗ ହୋଇଥଲା। କିଛି ଦିନ ପୁଲିସ ପାଟ୍ରୋଲିଂ କଲା ପରେ ପୁଣି ବନ୍ଦ କରି ଦେଇଥିଲା। ଫଳରେ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି।

ମାସେ ତଳୁ ଏଠାରୁ ୨୫ଟି ଷ୍ଟ୍ରିଟ୍‌ ଲାଇଟ୍‌ ଚୋରି ହୋଇଥିଲେ ମଧ୍ୟ ବିଏମ୍‌ସି ଜାଣିନଥିବା କହିଛି। ପୂର୍ବତନ କର୍ପୋରେଟର ରଘୁ ମହାନ୍ତି କହିଛନ୍ତି, ଲାଇଟ୍‌ ଚୋରି ହୋଇଯାଉଛି ବିଏମ୍‌ସି ଜାଣି ପାରୁନି। ଆମେ ଅନ୍‌ଲାଇନ୍‌ରେ ତିନି ତିନିଥର ଅଭିଯୋଗ କରିଛୁ। ଅଫ୍‌ଲାଇନ୍‌ରେ ଫୋନ୍‌ ଯୋଗେ ଦାୟିତ୍ବରେ ଥିବା ଇଞ୍ଜିନିୟର ସୁକାନ୍ତ ସାବତଙ୍କୁ ଅଭିଯୋଗ କରିଛୁ। କିନ୍ତୁ ଶୁଣୁ ନାହାନ୍ତି। ଏ ନେଇ ଥାନାରେ ମଧ୍ୟ ବିଏମ୍‌ସି ଅଭିଯୋଗ କରିବା କଥା କରୁନାହିଁ। ଏଣୁ ଆମେ ଆଶଙ୍କା କରୁଛୁ କି ବିଏମ୍‌ସିର ଅଧିକାରୀ ଚୋରଙ୍କ ସହ ମିଶି ଯାଇଛନ୍ତି। ଏହି ଲାଇଟ୍‌ ତୁରନ୍ତ ନ ଲାଗିଲେ, ବିଏମ୍‌ସି ଅଫିସ ଘେରାଉ କରାଯିବ ବୋଲି ଶ୍ରୀ ମହାନ୍ତି ଚେତାବନୀ ଦେଇଛନ୍ତି।