ଭୁବନେଶ୍ୱର: ଓଡ଼ିଆ ପ୍ରଥା, ପରମ୍ପରା, ଭାଷା ଓ ସଂସ୍କୃତିର ସୁରକ୍ଷା ତଥା ସଂପ୍ରସାରଣ ଉଦ୍ଦେଶ୍ୟରେ ‘ସଂଭାବନା’ ପକ୍ଷରୁ ଦୀର୍ଘ ୧୩ ବର୍ଷ ଧରି ଆୟୋଜିତ ହୋଇ ଆସୁଥିବା ‘ଓଡ଼ିଆ ମହୋତ୍ସବ’ ତଥା ଏହାର ମୁଖ୍ୟ ଆକର୍ଷଣ ‘ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତା’ ଆଜି ଉଦ୍‌ଘାଟିତ ହୋଇଯାଇଛି। ଆଜି ‘ଉତ୍କଳ ଦିବସ’ ଅବସରରେ ଏକାମ୍ର ହାଟ ମୁକ୍ତ ମଞ୍ଚରେ ଆୟୋଜିତ ଏହି ଉତ୍ସବକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ଉଦ୍‌ଘାଟନ କରିଥିଲେ।  ଅନୁଷ୍ଠାନର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ କମ୍ୟୁନିଷ୍ଟ ନେତା ରାମକୃଷ୍ଣ ପଣ୍ଡା ଓ ଗତ ବର୍ଷର ଶ୍ରେଷ୍ଠ ଓଡ଼ିଆଣୀ ମଧୁସ୍ମିତା ଦାସ ଉପସ୍ଥିିତ ଥିଲେ। ସଂଭାବନାର ପରିଚାଳନା ଟ୍ରଷ୍ଟି ଦେବ ପ୍ରସାଦ ପରିଜା ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ କାର୍ଯ୍ୟକାରୀ ଅଧ୍ୟକ୍ଷ ସୁଦର୍ଶନ ଦାସ ପ୍ରାରମ୍ଭିକ ବକ୍ତବ୍ୟ ଦେଇଥିଲେ। ଆଜିର କାର୍ଯ୍ୟକ୍ରମରେ ଓଡ଼ିଆଣୀମାନଙ୍କ ମଧ୍ୟରେ ଶଙ୍ଖ ଫୁଙ୍ଖା ଓ ପୁରାଣ ଆବୃତ୍ତି ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପୁରାଣ ଆବୃତ୍ତିର ବିଚାରକ ଭାବେ ବିଶିଷ୍ଟ ପୁରାଣ ବିଶାରଦ ପର୍ଶୁରାମ ଦ୍ୱିବେଦୀ ଓ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଯୋଗ ଦେଇଥିଲେ। ଏହାଛଡ଼ା ‘ଶିଶୁ-କିଶୋର ଓଡ଼ିଆ ସ୍ୱାଭିମାନ ପ୍ରତିଯୋଗିତା’ର ଆଜି ଥିଲା ଚିତ୍ରାଙ୍କନ ଓ ଓଡ଼ିଆ ହସ୍ତାକ୍ଷର ପ୍ରତିଯୋଗିତା। ‘ସବୁଜ ସୁନ୍ଦର ଭୁବନେଶ୍ୱର’ ଓ ‘ଜଳ ହିଁ ଜୀବନ’ ବିଷୟ ବସ୍ତୁ ଉପରେ କୁନି କୁନି ପିଲାମାନେ ଚିତ୍ର ଆଙ୍କିଥିଲେ।  ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଛନ୍ଦା ମିଶ୍ର, ସିଦ୍ଧାନ୍ତ ଶତପଥୀ, ସତ୍ୟ ସାର୍ଥକ ଓ ଲିପ୍‌ସା ମିଶ୍ର ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ। ଅନୁଷ୍ଠାନ ଟ୍ରଷ୍ଟି ସ୍ମୃତି ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସତ୍ୟବ୍ରତ ମହାପାତ୍ର, ଅଭିରାମ ସାହୁ, ଗୁରୁ ପ୍ରସାଦ ଦାସ, ପ୍ରେମ ପ୍ରକାଶ ସିଂହ, ସୁଜିତ ପଟ୍ଟନାୟକ, ଶଶି ପ୍ରଭା ଦାସ ଓ ପ୍ରଫୁଲ୍ଲ ଦେ ଏଥିରେ ସହଯୋଗ କରିଥିଲେ। ଆସନ୍ତା ୧୦ରୁ ୧୪ ତାରିଖ ଯାଏଁ ଏହି ଉତ୍ସବର ଉଦ୍‌ଯାପନୀ ସମାରେହ ପାଳିତ ହେବ।