ଭୁବନେଶ୍ୱର: ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷାରେ ଭୁବନେଶ୍ୱର ଜୋନ୍ ପୁଣିଥରେ ନୈରାଶ୍ୟ ପ୍ରଦର୍ଶନ କରିଛି। ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ଛତିଶଗଡ଼ ରାଜ୍ୟକୁ ନେଇ ଗଠିତ ଏହି ଜୋନ୍ର ପାସ୍ହାର କମିଥିଲେ ମଧ୍ୟ ରାଜଧାନୀର ଅଧିକାଂଶ ବିଦ୍ୟାଳୟର ପାସ୍ହାର ଶତ ପ୍ରତିଶତ ହୋଇଛି। ସବୁ ବର୍ଗର ବିଦ୍ୟାଳୟ ସଫଳତା ହାସଲ କରିଛନ୍ତି। ଯେଉଁଥିପାଇଁ ଆଜି ଅପରାହ୍ନରେ ପରୀକ୍ଷା ଫଳ ପ୍ରକାଶ ପାଇବା କ୍ଷଣି ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ କ୍ୟାମ୍ପସରେ ମିଠା ଖୁଆଇ, ସ୍ପ୍ରେ ଉଡ଼ାଇ ଖୁସି ମନାଇଥିଲେ।
/sambad/media/post_attachments/wp-content/uploads/2018/05/m38-1-300x175.jpg)
ଭୁବନେଶ୍ୱରରେ ଥିବା ୬୨ଟି ବିଦ୍ୟାଳୟର ପ୍ରାୟ ୯ ହଜାର ଛାତ୍ରଛାତ୍ରୀ ଚଳିତବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୪୪୨୫ ଜଣ ପରୀକ୍ଷାର୍ଥୀ ୭୫ ପ୍ରତିଶତରୁ ଅଧିକ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି। ୯୦%ରୁ ଅଧିକ ନମ୍ବର ରଖିଥିବା ପରୀକ୍ଷାର୍ଥୀଙ୍କ ସଂଖ୍ୟା ପ୍ରାୟ ୨ ହଜାର ହେବ। ୬୦ରୁ ୭୦% ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୫୦୦ରୁ ଅଧିକ ରହିଛି। ୩୭ଟି ବିଦ୍ୟାଳୟ ଶତ ପ୍ରତିଶତ ରେଜଲ୍ଟ କରିଛନ୍ତି। ଅଧିକାଂଶ ବିଦ୍ୟାଳୟରେ ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଭଲ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି। ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲ ଛାତ୍ରୀ ସ୍ଥିତିପ୍ରଜ୍ଞା ସାହୁ ୯୯.୨ ପ୍ରତିଶତ ମାର୍କ ରଖି ଓଡ଼ିଶାରେ ଟପର୍ ହୋଇଥିବା କୁହାଯାଉଛି। ସେ ମୋଟ ୫୦୦ ମାର୍କରୁ ୪୯୬ ନମ୍ବର ଅର୍ଥାତ୍ ୯୯.୨% ରଖି ସାରା ଦେଶରେ ୪ର୍ଥ ସ୍ଥାନ ଅଧିକାର କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ସେହି ବିଦ୍ୟାଳୟର ସତ୍ୟପ୍ରଜ୍ଞ କର ୪୯୪ ଓ ସୁଶ୍ରୀ ଅଙ୍କିତା ୪୯୩ ନମ୍ବର ରଖିଛନ୍ତି। ଡିଏଭି ପୋଖରୀପୁଟର ଶାଶ୍ୱତୀ ଶୁଭଲକ୍ଷ୍ମୀ ୯୮.୮% ନମ୍ବର ରଖିଥିବା ବେଳେ ୟୁନିଟ୍-୮ ଡିଏଭିର ଶୁଭଶ୍ରୀ ସାହୁ ମଧ୍ୟ ୯୮.୮% ମାର୍କ ରଖିଛନ୍ତି। ବିଜେଇଏମ୍ ସ୍କୁଲର ଆରାଧନା ମନୋସ୍ୱିନୀ ଏବଂ ଅଭିପ୍ସା ମହାନ୍ତି ଯୁଗ୍ମ ଭାବେ ୯୯% ରଖିଥିବା ବେଳେ ସଚିନ ସ୍ୱାଇଁ ୯୮.୮% ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି। ଭେଙ୍କଟେଶ୍ୱର ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅନନ୍ୟା ପାତ୍ର ୯୮% ମାର୍କ ରଖିଛନ୍ତି। ସାଇ ଇଣ୍ଟରନ୍ୟାସନାଲ ସ୍କୁଲ୍ର ସୌମ୍ୟା ସୁଦତ୍ତା ନନ୍ଦ ୯୭.୮%, ମଦର୍ସ ପବ୍ଲିକ ସ୍କୁଲର ବର୍ଷା ପ୍ରିୟଦର୍ଶିନୀ କର ଓ ଅଙ୍କିତ ଦାସ ୯୭.୮% ମାର୍କ ସହ ସ୍କୁଲ୍ ଟପର୍ ହୋଇଛନ୍ତି। ରାଜଧାନୀର ବିଦ୍ୟାଳୟଗୁଡ଼ିକର ସ୍ଥିତିକୁ ଦେଖିଲେ ସବୁ ବିଦ୍ୟାଳୟର ଟପର୍ ତାଲିକାରେ ଛାତ୍ରୀଙ୍କ ଆଧିପତ୍ୟ ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ ଭୁବନେଶ୍ୱରରେ ଥିବା ଅଧିକାଂଶ ବିଦ୍ୟାଳୟରେ ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଭଲ ପ୍ରଦର୍ଶନ କରିଛନ୍ତି।
/sambad/media/post_attachments/wp-content/uploads/2018/05/m37-1-300x154.jpg)
କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ
କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ରଛାତ୍ରୀ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି। ୯୫% ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ୩୦% ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ଆଶୁତୋଷ ସାହୁ ସର୍ବାଧିକ ୯୭% ନମ୍ବର ରଖି ସ୍କୁଲ ଟପର୍ ହୋଇଛନ୍ତି। ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ସ୍କୁଲର ଚେୟାରପର୍ସନ ଡ. ମୋନାଲିସା ବଳ, ଅଧ୍ୟକ୍ଷ ଡ. ସଞ୍ଜୟ ସୁଆର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ୟୁନିଟ-୮ ଡିଏଭି
ୟୁନିଟ-୮ସ୍ଥିତ ଡିଏଭି ସ୍କୁଲର ୨୬୯ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୬୧ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି। ୧୩୮ ଜଣଙ୍କର ୯୦%ରୁ ଅଧିକ ନମ୍ବର ରହିଛି। ଶୁଭଶ୍ରୀ ସାହୁ ୯୮.୮% ରଖି ସ୍କୁଲ ଟପର୍ ହୋଇଛନ୍ତି। ସୋହନ ପାଇକରାଏ ୯୮.୬% ସହ ଦ୍ୱିତୀୟ, ସ୍ୱୟଂ ରାଉତ ୯୮.୪% ସହ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଏହି ସଫଳତା ପାଇଁ ସ୍କୁଲର ଭାରପ୍ରାପ୍ତ ଅଧ୍ୟକ୍ଷା ଡ. ମମତା ବାନାର୍ଜୀ ଓ ପୂର୍ବତନ ଅଧ୍ୟକ୍ଷା ଡ. ଭାଗ୍ୟବତୀ ନାୟକ କୃତୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଡିଏଭି ଚନ୍ଦ୍ରଶେଖରପୁର
ଏଠାରେ ପାସ୍ହାର ଶତପ୍ରତିଶତ ରହିଛି। ଛାତ୍ରୀ ସ୍ଥିତିପ୍ରଜ୍ଞା ସାହୁ ୯୯.୨% ନମ୍ବର ରଖି ସାରା ରାଜ୍ୟରେ ପ୍ରଥମ ହୋଇଥିବା କୁହାଯାଉଛି। ୫୫.୭୧% ପରୀକ୍ଷାର୍ଥୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ୨୮୯ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୭୧ ଜଣ ୯୫%ରୁ ଅଧିକ ମାର୍କ ରଖିଛନ୍ତି। ଏହି ସଫଳତାରେ ବିଦ୍ୟାଳୟର ଚେୟାରମ୍ୟାନ୍ ମଦନମୋହନ ପଣ୍ଡା ଓ ଅଧ୍ୟକ୍ଷ କେ ସି ଶତପଥୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ସେଣ୍ଟ୍ ଜାଭିୟର ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ, ପଟିଆ
ପଟିଆସ୍ଥିତ ସେଣ୍ଟ୍ ଜାଭିୟର ଇଣ୍ଟରନ୍ୟାସନାଲ୍ ସ୍କୁଲରେ ଶତପ୍ରତିଶତ ସଫଳତା ମିଳିଛି। ସ୍ୱରାଜ ସ୍ୱାଇଁ ସର୍ବାଧିକ ୯୭.୨% ମାର୍କ ରଖି ସ୍କୁଲ୍ ଟପର୍ ହୋଇଛନ୍ତି। ସ୍କୁଲର ଅଧ୍ୟକ୍ଷ ବଦ୍ରିନାଥ ପଟ୍ଟନାୟକ, ମ୍ୟାନେଜିଂ କମିଟିର ଅଧ୍ୟକ୍ଷ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଅଧ୍ୟକ୍ଷା ନିବେଦିତା ପଟ୍ଟନାୟକ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେହିପରି ସେଣ୍ଟ ଜାଭିୟର ଇଣ୍ଟରନ୍ୟାସ୍ନାଲ ସ୍କୁଲ, ନନ୍ଦନକାନନ ଶାଖାରେ ସଞ୍ଜୋତି ଦାସ ୯୭.୮% ମାର୍କ ରଖି ସ୍କୁଲ ଟପର୍ ହୋଇଛନ୍ତି।
/sambad/media/post_attachments/wp-content/uploads/2018/05/dav-kalinga-300x131.jpg)
ଡିଏଭି କଳିଙ୍ଗନଗର
ଡିଏଭି କଳିଙ୍ଗନଗରର ପାସହାର ୮୦.୧୪% ହୋଇଛି। ସ୍କୁଲର ୧୩୦ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୫ଜଣ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ସମନ୍ଵିତା ପାଣିଗ୍ରାହୀ ୯୮.୬୦% ମାର୍କ ରଖି ସ୍କୁଲ ଟପର୍ ହୋଇଛନ୍ତି। ମହମ୍ମଦ ଆତିଫ ଖାନ୍ ଓ ମନାଲି ମିଶ୍ର ୯୭.୮୦% ମାର୍କ ରଖି ଯୁଗ୍ମ ଦ୍ୱିତୀୟ ଏବଂ ମ୍ରିନାଲି ମହାନ୍ତି ୯୭.୬୦% ରଖି ତୃତୀୟ ସ୍ଥାନରେ ଅଛନ୍ତି।
ଡିଏଭି ପୋଖରୀପୁଟ
ଡିଏଭି ପୋଖରୀପୁଟର ୧୮୫ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭୪ ଜଣ ୯୦%ରୁ ଊର୍ଧ୍ୱ ନମ୍ବର ରଖିଛନ୍ତି। ଶାଶ୍ୱତୀ ଶୁଭଲକ୍ଷ୍ମୀ ୯୮.୮୦% ନମ୍ବର ସହ ସ୍କୁଲ ଟପର୍ ହୋଇଛନ୍ତି। କ୍ରିତିକା ପଟ୍ଟନାୟକ ଓ ଅତିସ୍ମା ଐଶ୍ୱର୍ଯ୍ୟା ୯୮.୨୦% ସହ ଯୁଗ୍ମ ଦ୍ୱିତୀୟ ଏବଂ ଲୋପିତା ମହାପାତ୍ର ୯୭.୬୦ ପ୍ରତିଶତ ସହ ତୃତୀୟ ହୋଇଛନ୍ତି। ସ୍କୁଲର ଅଧ୍ୟକ୍ଷା ଡ. ସୁଜାତା, ଚେୟାରମ୍ୟାନ ମଦନ ମୋହନ ପଣ୍ଡା ପିଲାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଓଡିଏମ୍
ପଟିଆସ୍ଥିତ ଓଡିଏମ୍ ପବ୍ଲିକ ସ୍କୁଲର ଅଧିକାଂଶ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଜାଗୃତି ଦାଶ ଏବଂ ଜ୍ୟୋତିରୂପ ସାମଲ ଯୁଗ୍ମ ଭାବେ ୯୭.୨% ନମ୍ବର ରଖି ବିଦ୍ୟାଳୟ ଟପର୍ ହୋଇଛନ୍ତି। ସ୍କୁଲର ସଫଳତା ପାଇଁ ସ୍କୁଲର ଅଧ୍ୟକ୍ଷ ଡ. ସତ୍ୟବ୍ରତ ମୀନକେତନ, ନିର୍ଦେଶିକା ଇନ୍ଦୁମତୀ ରାୟ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/m31.jpg)