ବୋମାମାଡ଼ରେ ଗୋଡ଼ ଛିଡ଼ିଲା, କନ୍ତିଆରେ ଉତ୍ତେଜନା

୪ ଅଫୁଟା ବୋମା ଜବତ, ୩ ଅଟକ

ଜଟଣୀ: ଜମିବାଡ଼ିକୁ ନେଇ ଦୁଇ ପରିବାର ମଧ୍ୟରେ ଲାଗି ରହିଥିବା ପୂର୍ବ ଶତ୍ରୁତାରୁ ରାଜଧାନୀ ଉପକଣ୍ଠ କନ୍ତିଆ ଗ୍ରାମରେ ଶନିବାର ପୂର୍ବାହ୍ନରେ ଘନଘନ ବୋମାମାଡ଼ ହୋଇଛି। ପାଟ୍ଟଶାଣୀ ପରିବାର ପକ୍ଷରୁ ହୋଇଥିବା ଏହି ସିରିଜ୍ ବୋମା ମାଡ଼ରେ ପ୍ରତିପକ୍ଷର ରଚିତ୍ରାନନ୍ଦ ସାମନ୍ତରାୟଙ୍କ ବାମଗୋଡ଼ ଆଣ୍ଠୁଠାରୁ ତଳକୁ ସଂପୂର୍ଣ୍ଣ ଛିଣ୍ଡି ଯାଇଛି। ଡାହାଣଗୋଡ଼ ସହ ଶରୀରର ଅନ୍ୟ ସ୍ଥାନରେ ମଧ୍ୟ ଗଭୀର କ୍ଷତ ସୃଷ୍ଟିହୋଇଛି। ଘଟଣାସ୍ଥଳରୁ ତାଙ୍କୁ ପୁଲିସ ଓ ଗ୍ରାମବାସୀମାନେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ଜଟଣୀ ଥାନା ପୁଲିସ ଘଟଣାସ୍ଥଳରୁ ବିସ୍ଫୋରଣ ହୋଇଥିବା ବୋମାର ଟୁକୁଡ଼ା ଅଂଶ ସହ ୪ଟି ଅଫୁଟା ବୋମା ଜବତ କରିଛି। ଏହି ମାମଲା‌େର ପୁଲିସ ଗିରଫ କରିଥିବା ଅଭିଯୁକ୍ତମାନେ ହେଲେ କନ୍ତିଆ ଗାଁର ରମେଶ ପାଟ୍ଟଶାଣୀ, ଶ୍ରୀନିବାଶ ପାଟ୍ଟଶାଣୀ ଓ କୁନା ପାଟ୍ଟଶାଣୀ। ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଛି। ତେବେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି ପୁଲିସ କହିଛି।

ଘଟଣାନୁଯାୟୀ, କିଛି ମାସ ହେଲା ରଚିତ୍ରାନନ୍ଦ ସାମନ୍ତରାୟ ଓ ରମେଶ ପାଟ୍ଟଶାଣୀଙ୍କ ପରିବାର ମଧ୍ୟରେ ଜମିଜମା ବିବାଦ ଲାଗିରହିଥିଲା। କିଛି ଜମିକୁ ରଚିତ୍ରାନନ୍ଦ ନିଜର ବୋଲି ଦାବି କରୁଥିବା ବେଳେ ରମେଶ ତାଙ୍କ ପୂର୍ବ ପୁରୁଷଙ୍କର ଜମି ବୋଲି କହୁଥିଲେ। ଏନେଇ ରମେଶ କୋର୍ଟର ଦ୍ବାରସ୍ଥ ହୋଇଥିଲେ। ମାମଲା କୋର୍ଟରେ ବିଚାରାଧୀନ ଥିବା ବେଳେ ରମେଶଙ୍କ ପରିବାର ରଚିତ୍ରାନନ୍ଦଙ୍କୁ ପାନେ ଦେବାକୁ ଯୋଜନା କରିଥିଲେ। ଆଜି ସକାଳେ ଶ୍ରୀନିବାସ, କୁନା ଏବଂ ସେମାନଙ୍କ ମା’ ମିଳିତ ଭାବେ ପ୍ରସ୍ତୁତ ହୋଇ ଛକି ରହିଥିଲେ। ରଚିତ୍ରାନନ୍ଦ ଓ ତାଙ୍କ ଭାଇ ସଚିଦାନନ୍ଦ ସାମନ୍ତରାୟ ସେହି ବାଟ ଦେଇ ଯାଉଥିବା ବେଳେ ଯୋଜନାନୁସାରେ ରମେଶଙ୍କ ପରିବାର ଲୋକମାନେ ମିଳିମିଶି ସେମାନଙ୍କ ଉପରକୁ ବୋମା ଫିଙ୍ଗିଥିଲେ। ବୋମାମାଡ଼ରେ ରଚିତ୍ରାନନ୍ଦଙ୍କ ବାମ ଗୋଡ଼ ଠିକ୍ ଆଣ୍ଠୁ ତଳୁ ପୂରା ଦୁଇ ଖଣ୍ଡ ହୋଇ ଛିଣ୍ଡି ଯାଇଥିଲା। ବୋମାମାଡ଼ରେ ସମଗ୍ର ଅଞ୍ଚଳ ଧୂଆଁମୟ ହୋଇ ଉଠିଥିଲା ଏବଂ ପୂରା ଗାଁ ଥରି ଯାଇଥିଲା। ଘଟଣା କ’ଣ ଜାଣିବା ପାଇଁ ଗ୍ରାମବାସୀମାନେ ଘଟଣାସ୍ଥଳକୁ ଧାଇଁ ଆସିବା ବେଳକୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରଚିତ୍ରାନନ୍ଦ ତଳେ ପଡ଼ିଥିଲେ ଏବଂ ସଚ୍ଚିଦ‌ାନନ୍ଦ ତାଙ୍କୁ ଧରି ଚିତ୍କାର କରୁଥିଲ। ଜଟଣୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ରଚିତ୍ରାନନ୍ଦଙ୍କୁ ଉଦ୍ଧାର କରି ଭୁବନେଶ୍ବର ସମ୍‌ ହସ୍ପିଟାଲକୁ ପଠାଇଥିଲା। ପରେ ସେଠାରେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ୪ଟି ଅଫୁଟା ବୋମା ଉଦ୍ଧାର କରି ସେଗୁଡ଼ିକୁ ନିଷ୍କ୍ରିୟ କରିଥିଲା।

ସ୍ଥାନୀୟ ଲୋକଙ୍କ ସୂଚନାନୁସାରେ ରମେଶ ଓ ତା’ର ପରିବାର ଲୋକମାନେ ନିଜ ଘରେ ବେଆଇନ୍‌ ଭାବେ ଘ‌ରେ ବାଣ ଓ ସୁତୁଲି ବୋମା ତିଆର କରୁଥିଲେ। ବିନା ଲାଇସେନ୍ସରେ ସେମାନେ ଏଭଳି କାର୍ଯ୍ୟ କରୁଥିଲେ ଏବଂ ଅସାମାଜିକ ବ୍ୟକ୍ତିଙ୍କୁ ବୋମା ଯୋଗାଉଥିଲେ। ସୂଚନାଥାଉକି, କିଛିବର୍ଷ ପୂର୍ବେ କନ୍ତିଆ ଗାଁରେ ଏହି ପରିବାର ବୋମା ତିଆରି କରୁଥିବା ଖବର ପାଇ ଜଟଣୀ ଥାନା ଏସ୍ଆଇ ଅଭିନବ ଡାଳୁଅ ଦୁର୍ବୃତ୍ତମାନଙ୍କୁ ଧରିବାକୁ ଯାଇଥିବା ବେଳେ ତାଙ୍କ ଉପରକୁ ବୋମାମାଡ଼ ହୋଇଥିଲା। ମାତ୍ର ସୌଭାଗ୍ୟକୁ ସେ ବର୍ତ୍ତି ଯାଇଥିଲେ।
ଆଇଆଇସି ସୌମ୍ୟକାନ୍ତ ବଳିଆରସିଂହ କହିଛନ୍ତି ଯେ କିଛି ମାସ ହେଲା ଉଭୟ ପରିବାର ମଧ୍ୟରେ ଜମିବାଡ଼ିକୁ କେନ୍ଦ୍ର କରି ବିବାଦ ଲାଗିରହିଥିଲା। ଏହାକୁ ନେଇ ଆଜି ଗୋଟିଏ ପରିବାର ଅନ୍ୟ ପରିବାର ଲୋକଙ୍କ ଉପ‌ରେ ବୋମାମାଡ଼ କରିଛନ୍ତି।

ସମ୍ବନ୍ଧିତ ଖବର