ତନ୍ତୁ କୃତିରେ ଝଟକୁଛି ତୋଷାଳି ମେଳା

ଭୁବନେଶ୍ବର: ତନ୍ତୁ କୃତିରେ ଝଟକୁଛି ମେଳା ପରିସର। କେଉଁଠି ସୁସଜ୍ଜିତ ସବାରି ତ ପୁଣି କୋଉଁଠି ସିନ୍ଦୁକ। ପୁଣି ନୂଆ ବୋହୂଟିଏ ଯିବା ପାଇଁ ଅପେକ୍ଷା କରିଥିବା ସୁସଜ୍ଜିତ ତାଟ ଶଗଡ଼ି ତ ଓଡ଼ିଆ ସାଧବ ପୁଅଙ୍କ ପରିଚୟର ମୂକସାକ୍ଷୀ ବୋଇତ। ତୋଷାଳି ମେଳା ପରିସରରେ ଆକର୍ଷଣ ସାଜିଛି ଏହି କଳାକୃତି। ସମଗ୍ର ପରିବେଶକୁ ତନ୍ତୁ କୃତିରେ ଆଚ୍ଛାଦିତ କରାଯାଇଥିବା ବେଳେ ଓଡ଼ିଶାର ପରିଚୟ ବହନ କରୁଥିବା ସମ୍ବଲପୁରୀ ଶାଢ଼ିରେ ସଜେଇ ହୋଇଛି ଥିମ୍‌ ପ୍ୟାଭିଲିୟନ। ପୂର୍ବବର୍ଷ ଅପେକ୍ଷା ଏଥରର ସାଜସଜା ହିଁ ସାଜିଛି ପ୍ରମୁଖ ଆକର୍ଷଣ। ସବାରି, ସିନ୍ଦୁକ, ବୋଇତ, ତାଟ ଶଗଡ଼ି ସହ ଫଟୋ ଉଠାଇବାକୁ ପ୍ରତିଯୋଗିତା ହେଉଛି। ଏଥିସହ ମେଳା ମଧ୍ୟ ଭାଗରେ ଥିବା ଥିମ୍‌ ପ୍ୟାଭିଲିୟନ୍‌ର ଆକର୍ଷଣ ମଧ୍ୟ ଲୋକଙ୍କୁ ଅଟକାଇ ରଖୁଛି। ତନ୍ତୁ କୃତି ପ୍ୟାଭିଲିୟନ ମଧ୍ୟରେ ସବାଇ ଘାସ, ଝୋଟ, କତା ଶିଳ୍ପଠୁ ନେଇ କାଇଁଚ ଘାସରେ ଚମତ୍କାର ସାଜସଜା ଏଥର ଅନ୍ୟତମ ଆକର୍ଷଣ ସାଜିଛି। ପାରମ୍ପରିକ ବସ୍ତୁ ନିର୍ମାଣକୁ ବିରତି ଦେଇ ଆଇନା, ପଶୁ ପକ୍ଷୀ, ଲାଇଟ୍‌ ଲ୍ୟାମ୍ପ୍‌ ସମେତ ନୂଆନୂଆ ସାଜସଜା ବସ୍ତୁ ପ୍ରସ୍ତୁତ କରି ପ୍ରଦର୍ଶିତ କରୁଛନ୍ତି। ଶନିବାର ଥିବାରୁ ଆଜି ମେଳା ପରିସର ଲୋକାରଣ୍ୟ ହୋଇଥିବା ବେଳେ ଖୁବ୍‌ ବିକ୍ରିବଟା ହୋଇଛି। କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀ ଏବଂ ସ୍ବୟମ୍‌ ପାଢ଼ୀ ସଂଗୀତ ପରିବେଷଣ କରି ଲୋକଙ୍କ ମନୋରଂଜନ କରିଥିଲେ। ଆସନ୍ତାକାଲି ରବିବାର ଥିବାରୁ ଭିଡ଼ ଅସମ୍ଭାଳ ହେବ।

ସମ୍ବନ୍ଧିତ ଖବର