ଭୁବନେଶ୍ବର: ସମଗ୍ର ଦେଶର ହସ୍ତଶିଳ୍ପ ଓ ହସ୍ତତନ୍ତର ବିଶାଳ ପସରା ସହ ଆରମ୍ଭ ହୋଇଛି ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା। ଜନତା ମୈଦାନରେ ଆଜି ଏହି ମେଳାକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଉଦ୍ଘାଟନ କରିଛନ୍ତି। ମେଳାରେ ହସ୍ତଶିଳ୍ପ ଓ ହସ୍ତତନ୍ତର ୩୮୦ଟି ଷ୍ଟଲ୍ ଖୋଲିଛି। ଏଥିରେ ଦେଶର ବିଭିନ୍ନ ପ୍ରଦେଶର ୫୦ ଜଣ ବୁଣାକାର ଅଂଶଗ୍ରହଣ କରିଛନ୍ତି। ରାଜ୍ୟର ୧୫୦ଶହ ହସ୍ତଶିଳ୍ପୀ କାରିଗରଙ୍କ ସମେତ ୮୦ଜଣ ବୁଣାକାର ରାଜ୍ୟର ସମୃଦ୍ଧ ହସ୍ତତନ୍ତର ପ୍ରଦର୍ଶନ ଓ ବିକ୍ରିବଟା ଆରମ୍ଭ କରିଛନ୍ତି। ହସ୍ତଶିଳ୍ପ ଓ ହସ୍ତତନ୍ତ କ୍ଷେତ୍ରରେ କାର୍ଯ୍ୟରତ ୧୨ଟି ଅନୁଷ୍ଠାନ ମଧ୍ୟ ନିଜର ଷ୍ଟଲ୍ ଖୋଲିଛନ୍ତି।
ଉଦ୍ଘାଟନୀ ଉତ୍ସବରେ ଜୀବନବ୍ୟାପୀ ସାଧନା ନିମନ୍ତେ ହସ୍ତଶିଳ୍ପୀ ବନମାଳୀ ମହାପାତ୍ରଙ୍କୁ ୨୦୧୮ ବର୍ଷ ପାଇଁ ୧ଲକ୍ଷ ଟଙ୍କାର ଅର୍ଥରାଶି ସହ ସମ୍ମାନିତ କରାଯାଇଛି। ଏଥିସହ ବ୍ରହ୍ମାନନ୍ଦ ମହାରଣା, ଦେବେନ୍ଦ୍ର ବେହେରା, ସୁମନ ମେହେରଙ୍କୁ ‘ରାଜ୍ୟ ହସ୍ତଶିଳ୍ପ ପୁରସ୍କାର-୨୦୧୮’ ଏବଂ କୁନି ପାତ୍ର, ସନ୍ତୋଷ ସେନାପତି, ଉଦୟ ମହାନ୍ତି, ଚତୁର୍ଭୁଜ ପରିଡ଼ା, ଦିପ୍ତୀରାଣୀ ବେହେରା, କହ୍ନେଇ ଗନଡିଆ, ଅମିୟ ପୋଦାର, ରାକେଶ ମହରାଣାଙ୍କୁ ‘କଳାକୃତି ସମ୍ମାନ’ ପ୍ରଦାନ କରାଯାଇଛି। ୨୦୧୭-୧୮ ପାଇଁ ମୁକୁନ୍ଦ ମେହେର, ନଳିନୀ ମେହେର, ଅର୍ଜୁନ ମେହେରଙ୍କୁ ପ୍ରଥମରୁ ତୃତୀୟ ସ୍ଥାନରେ ରାଜ୍ୟ ହସ୍ତତନ୍ତ ପୁରସ୍କାର ପ୍ରଦାନ କରାଯାଇଛି। ବାନ୍ଧକଳା କ୍ଷେତ୍ରରେ ଯୋଗେନ୍ଦ୍ର ମେହେର, ପ୍ରହ୍ଲାଦ ମେହେର, ରୀନା ମେହେରଙ୍କୁ ରାଜ୍ୟ ହସ୍ତତନ୍ତ ପୁରସ୍କାର ପ୍ରଦାନ କରାଯାଇଛି। ଡିଜାଇନ୍ କ୍ଷେତ୍ରରେ ବେଣୁଧର ଦାସ, ସଂଜୀବ ମେହେର, ଭରତ ମେହେରଙ୍କୁ ରାଜ୍ୟ ହସ୍ତତନ୍ତ ପୁରସ୍କାର ଦିଆଯାଇଛି। ୨୦୧୮-୧୯ ବର୍ଷ ପାଇଁ ବୟନ କ୍ଷେତ୍ରରେ ବିଶ୍ବଜିତ ମେହେର, ଚତୁର୍ଭୁଜ ଦାସ, ହରିଶ୍ଚନ୍ଦ୍ର ପାତ୍ର ପୁରସ୍କୃତ ହୋଇଥିବା ବେଳେ ବାନ୍ଧକଳାରେ ଲିଙ୍ଗରାଜ ମେହେର, ଭାରତୀ ମେହେର, କିଶୋର ମେହେର, ଡିଜାଇନ୍ରେ ଖଗେଶ୍ବର ମେହେର, କୁଶମଣି ଚାନ୍ଦ, ଚିତ୍ରାବତୀ ମେହେର ପୁରସ୍କାର ଜିତିଛନ୍ତି।
ଉଦ୍ଘାଟନୀ ଉତ୍ସବରେ ମନ୍ତ୍ରୀ ଶ୍ରୀମତୀ ଦିଆନ୍ଙ୍କ ସମେତ ବିଭାଗୀୟ ପ୍ରମୁଖ ଶାସନ ସଚିବ ନିତେନ୍ ଚନ୍ଦ୍ର ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ। ଦୃଷ୍ଟିବାଧିତଙ୍କ ଉଦ୍ଦେଶ୍ୟରେ ନିର୍ମିତ ବ୍ରେଲି ଭାଷାର ତୋଷାଳି ସୂଚନା ସମ୍ପର୍କିତ ଲିଫ୍ଲେଟ୍ ଲୋକାର୍ପିତ ହୋଇଥିଲା। ଶେଷରେ ଇଲିଆନା ସିତାରିଷ୍ଟ ଓ ସାଥୀମାନେ ଓଡ଼ିଶୀ ନୃତ୍ୟରେ ଦର୍ଶକଙ୍କ ମନୋରଂଜନ କରିଥିଲେ। ସୂଚନା ଅଧିକାରୀ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/5f6g4hd98t7hd98h465dgh465dghhhhhhhhhhhhhhhh.jpg)