ପ୍ରଥମ ଦିନରେ ୨୦ଲକ୍ଷ ଟଙ୍କାର ବିକ୍ରିବଟା

ତୋଷାଳି ଜାତୀୟ କ୍ରାଫ୍ଟସ୍‌ ମେଳାର ଦ୍ୱିତୀୟ ସନ୍ଧ୍ୟା

ଚନ୍ଦ୍ରଶେଖରପୁର : ଦ୍ୱାଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଦ୍ୱିତୀୟ ସନ୍ଧ୍ୟାରେ ବିଶିଷ୍ଟ ନାଟ୍ୟକାର ସ୍ୱର୍ଗତ ଗୋପାଳ ଛୋଟରାୟଙ୍କ ରଚିତ ନାଟକ ‘ଘଟକ’ ପ୍ରଦର୍ଶିତ ହୋଇଥିଲା। ହରେନ୍‌ ସାହୁଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ନାଟକକୁ ନେଇ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଆଜିର ଶୀତୁଆ ସନ୍ଧ୍ୟାରେ ଓଡ଼ିଶା ଦକ୍ଷତା ବିକାଶ ଅଥରିଟିର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ, ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ, ହସ୍ତତନ୍ତ, ବୟନ, ଓ ବୟନ ଶିଳ୍ପ ସଚିବ ଶୁଭା ଶର୍ମା ପ୍ରମୁଖ ଯୋଗଦେଇଥିଲେ।

ଉତ୍ସାହଜନକ ଆରମ୍ଭ

ଚଳିତ ବର୍ଷ ମେଳାର ପ୍ରଥମ ଦିନରୁ ଉତ୍ସାହଜନକ ବ୍ୟବସାୟ ଓ କାରବାର ହୋଇଛି। ପ୍ରାୟ ୨୦ଲକ୍ଷ ଟଙ୍କାର ବିକ୍ରିବଟା ପ୍ରଥମ ଦିନରୁ ହୋଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ସେହିଭଳି ପ୍ରଥମ ସନ୍ଧ୍ୟାରେ ପ୍ରାୟ ୪୫,୦୦୦ ବ୍ୟକ୍ତିଙ୍କ ସମାଗମ ହୋଇଥିଲା। ଯାହାକି ଆୟୋଜକମାନଙ୍କୁ ଉତ୍ସାହିତ କରିଛି।

ସଂକ୍ରାନ୍ତି ସତ୍ତ୍ୱେ ଫୁଡ୍‌କୋର୍ଟରେ ଭିଡ଼

ଚଳିତ ବର୍ଷ ତୋଷାଳି ମେଳାରେ ୩୦ଟି ଫୁଡ୍‍କୋର୍ଟ ଖୋଲାଯାଇଛି। ବିଭିନ୍ନ ସଂସ୍ଥା ପକ୍ଷରୁ ଏହି କୋର୍ଟରେ ଖୋଲାଯାଇଥିବା ବିଭିନ୍ନ ଷ୍ଟଲ୍‌ରେ ଆରମ୍ଭରୁ ଭିଡ଼ ପରିଲକ୍ଷିତ ହୋଇଥିଲା। ଆଜି ସଂକ୍ରାନ୍ତି ସତ୍ତ୍ୱେ ଫୁଡ୍‍କୋର୍ଟରେ ଖୋଲାଯାଇଥିବା ରାଜସ୍ଥାନୀ କୁଲ୍‌ଫି ମଲେଇ ସହିତ ଓଡ଼ିଆ ପେଟପୂଜା ଆଦି ଷ୍ଟଲରେ ଭିଡ଼ ପରିଲକ୍ଷିତ ହୋଇଥିଲା। ଆସନ୍ତାକାଲି ରବିବାର ଥିବାରୁ ରାଜଧାନୀବାସୀ ଆଜିର ସନ୍ଧ୍ୟାକୁ ଉପଭୋଗ କରିଥିଲେ। ଫୁଡ୍‌କୋର୍ଟରେ ଖାଇବାବେଳେ ସେଲ୍‌ଫି ନେବାକୁ ଯୁବପିଢ଼ିଙ୍କ ମଧ୍ୟରେ ଆଗ୍ରହ ଥିବା ଲକ୍ଷ୍ୟ କରାଯାଇଥିଲା।

ସମ୍ବନ୍ଧିତ ଖବର