ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଉଦ୍‌ଘାଟିତ: ଓଡ଼ିଆ କାରିଗରିର ତୁଳନା ନାହିଁ

ଭୁବନେଶ୍ବର, ୨୧।୧(ଇମିସ): କଳା ଓ ସଂସ୍କୃତିର ଭୂମି ଓଡ଼ିଶା। କୋଣାର୍କ ପରି ବିସ୍ମୟ ସୃଷ୍ଟି କରିପାରୁଥିବା ଓଡ଼ିଆ କାରିଗରଙ୍କ ଦକ୍ଷତାର କୌଣସି ତୁଳନା ନାହିଁ। ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଏବଂ କେନ୍ଦ୍ର ସରକାରଙ୍କ ହସ୍ତତନ୍ତ ମନ୍ତ୍ରଣାଳୟ ସହଭାଗିତାରେ ଆଜିଠାରୁ ଆରମ୍ଭ ହୋଇଥିବା ‘ପଞ୍ଚଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା’କୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏପରି କହିଛନ୍ତି। ଜନତା ମଇଦାନରେ ଆରମ୍ଭ ହୋଇଥିବା ଏହି ମେଳାକୁ ଭର୍ଚୁଆଲ୍‌ରେ ଉଦ୍‌ଘାଟନ କରି ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ ଯେ ପୂର୍ବ ଭାରତର ସବୁଠାରୁ ବୃହତ୍‌ ଏହି ମେଳା ଏକ ଅସାଧାରଣ ପରିସ୍ଥିତିରେ ଅନୁଷ୍ଠିତ ହେଉଛି। ତେଣୁ ସମସ୍ତଙ୍କୁ କୋଭିଡ୍‌ ଗାଇଡ୍‌ଲାଇନ୍‌ କଡ଼ାକଡ଼ି ପାଳନ କରିବାକୁ ସେ ପରାମର୍ଶ ଦେଇଥିଲେ। ଉଦ୍‌ଘାଟନୀ ଉତ୍ସବରେ ବିଭାଗୀୟ ମନ୍ତ୍ରୀ ପଦ୍ମିନୀ ଦିଆନ୍ ମେଳାରେ ଅଂଶୀଦାର ହୋଇଥିବା କାରିଗରଙ୍କୁ ଉତ୍ସାହିତ କରିବା ସହିତ କରୋନା ନିୟମାବଳି ଅନୁଯାୟୀ ମେଳାକୁ ସଫଳ କରିବା ପାଇଁ ନିବେଦନ କରିଥିଲେ।

ମେଳାରେ ୨୫୦ଟି ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀର ଷ୍ଟଲ୍ ଖୋଲାଯାଇଛି। ରାଜ୍ୟରୁ ପ୍ରାୟ ୧୭୦ ଜଣ ହସ୍ତଶିଳ୍ପୀ ଓ ବୁଣାକାରମାନେ ଏଥିରେ ଭାଗ ନେଇଥିବା ବେଳେ ରାଜ୍ୟ ବାହାରୁ ୮୦ ଜଣ କାରିଗର ଯୋଗ ଦେଇଛନ୍ତି। କରୋନାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକା ଅନୁଯାୟୀ ଦର୍ଶକଙ୍କ ଥର୍ମାଲ୍ ସ୍କ୍ରିନିଂ ଓ ହାତ ସାନିଟାଇଜ୍ କରାଯିବା ପରେ ଭିତରକୁ ପ୍ରବେଶ କରାଯାଉଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦିବ୍ୟାଙ୍ଗମାନଙ୍କ ପାଇଁ ମେଳାରେ ଅନୁକୂଳ ବାତାବରଣ ସୃଷ୍ଟି କରାଯାଇଛି। ଜାତୀୟ ସ୍ତରର ବୁଣାକାର ଓ ହସ୍ତଶିଳ୍ପ କାରିଗରମାନଙ୍କ ସାମଗ୍ରୀକୁ ନେଇ ବଜାର ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆୟୋଜିତ ହେଉଥିବା ଏହି ମେଳା ପ୍ରତିଦିନ ଅପରାହ୍‌ଣ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ସୂଚନା ଦିଆଯାଇଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଗତବର୍ଷ ଆୟୋଜିତ ହୋଇଥିବା ଏହି ମେଳାରେ ମନଛୁଆଁ ସାଂସ୍କୃତିକ କାର୍ଯ୍ୟକ୍ରମ ସମେତ ଓଡ଼ିଶାର ପାରମ୍ପରିକ ଓ ଲୁପ୍ତପ୍ରାୟ ଲୋକକଳା ପରିବେଷଣ ହୋଇଥିଲା। ଏପରିକି ସନ୍ଧ୍ୟାରେ ରାଜ୍ୟର ପ୍ରମୁଖ କଣ୍ଠଶିଳ୍ପୀଙ୍କ ଦ୍ବାରା ମନଛୁଆଁ ସଙ୍ଗୀତ ମଧ୍ୟ ଶୁଣିବାକୁ ମିଳିଥିଲା। ମାତ୍ର ଚଳିତଥର କରୋନା କଟକଣା ପାଇଁ କୌଣସି ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ପାରିନାହିଁ।
ଏହି ଅବସରରେ ହସ୍ତଶିଳ୍ପରେ ସୃଜନଶୀଳତା ପାଇଁ ୩ ଜଣ କାରିଗରଙ୍କୁ ୨୦୧୯ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ପ୍ରଦାନ କରାଯାଇଥିଲା। ଯେଉଁଥିରେ ପଥର ଖୋଦେଇ ପାଇଁ ଦିବ୍ୟଜ୍ୟୋତି ବେହେରା, ତାଳପତ୍ର ଖୋଦେଇ ପାଇଁ ଦିଲ୍ଲୀପ କୁମାର ସ୍ବାଇଁ, ମୃତ୍ତିକା ଶିଳ୍ପ ପାଇଁ ପ୍ରିୟଙ୍କା ପାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ସେହିଭଳି ୬ଜଣ କାରିଗରଙ୍କ ଅନନ୍ୟ କାରିଗରି କଳା ପାଇଁ ସେମାନଙ୍କୁ କଳାକୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି ସମ୍ମାନରେ ପଥର ଖୋଦେଇ ପାଇଁ ସୁଶାନ୍ତ କୁମାର ଦାସ ଓ ନିତ୍ୟାନନ୍ଦ ସ’, ପଟ୍ଟଚିତ୍ର ଶିଳ୍ପ ପାଇଁ ରୋନିବାଳା ମହାପାତ୍ର, ତାଳପତ୍ର ଖୋଦେଇ ପାଇଁ ନିର୍ମଳ ଚନ୍ଦ୍ର ଦାସ, ଚାନ୍ଦୁଆ ହସ୍ତଶିଳ୍ପ ସୁରେଶ ଚନ୍ଦ୍ର ମହାପାତ୍ର, ନଡ଼ା ଶିଳ୍ପ କୁନି ପାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ଭୁବନେଶ୍ବର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ତୋଷାଳି ମେଳାର ଗୁରୁତ୍ବ ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ଶାସନ ସଚିବ ଶୁଭା ଶର୍ମା, ବୟନ ଓ ହସ୍ତଶିଳ୍ପର ନିର୍ଦ୍ଦେଶକ ଜ୍ୟୋତିପ୍ରକାଶ ଦାସ ପ୍ରମୁଖ ସଭାରେ ଉପସ୍ଥିତ ଥିଲେ। ବିଭାଗୀୟ ଅତିରିକ୍ତ ଶାସନ ସଚିବ କୈଳାସ ଚନ୍ଦ୍ର ସାହୁ ମଞ୍ଚାସୀନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହିତ ସ୍ବାଗତ ଭାଷଣ ଦେଇଥିଲେ। ସୁଚେତା ପ୍ରିୟଦର୍ଶିନୀ ଉଦ୍‌ଘାଟନୀ କାର୍ଯ୍ୟକ୍ରମକୁ ସଂଚାଳନ କରିଥିବା ବେଳେ ହସ୍ତ ଓ କୁଟୀର ଶିଳ୍ପର ନିର୍ଦେଶକ ବସନ୍ତ କୁମାର ଦାଶ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର