ଭୁବନେଶ୍ୱର : ରାଜଧାନୀରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିଲେ ହେଁ ଏଥିରେ ଅଧାରୁ ଅଧିକ ପୁରୁଷ ଆକ୍ରାନ୍ତ ଅଛନ୍ତି। ରାଜଧାନୀରେ ଅଧିକ ପୁରୁଷଙ୍କୁ କରୋନା ହେଉଛି ବୋଲି ତଥ୍ୟରୁ ଜଣାପଡ଼ିଛି।
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସେପ୍ଟେମ୍ବର ୧ତାରିଖ ସୁଦ୍ଧା ରାଜଧାନୀରେ ମୋଟ୍ ୧୦୭୩୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୬୯.୫୧% ପୁରୁଷ କରୋନା ଆକ୍ରାନ୍ତ ହୋଇଛନ୍ତି। ବାକି ୩୦.୪୯% ମହିଳା। ଅର୍ଥାତ୍ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୭୪୬୦ଜଣ ପୁରୁଷ ଥିବାବେଳେ ୩୨୭୨ଜଣ ମହିଳା ଆକ୍ରାନ୍ତ। କେବଳ ଏତିକି ନୁହେଁ ଭୁବନେଶ୍ବରରେ ୩ଜଣ କିନ୍ନର କରୋନା ଆକ୍ରାନ୍ତ ହୋଇଛନ୍ତି।
ଭୁବନେଶ୍ବରରେ ଅଧିକ ପୁରୁଷ କରୋନା ଆକ୍ରାନ୍ତ ହେବା ନେଇ ବିଏମ୍ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, କରୋନା ଜନିତ ଲକ୍ଡାଉନ୍ ଏବଂ ବିଭିନ୍ନ କାରଣରୁ ମହିଳାମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ହାଟ ଓ ବଜାରକୁ ଯାଉଛନ୍ତି। ଫଳରେ ବହୁ ଲୋକଙ୍କ ସଂସ୍ପର୍ଶରେ ଆସୁଛନ୍ତି। ସାମାନ୍ୟ ଅସାବଧାନତାରୁ ବି କରୋନା ଆକ୍ରାନ୍ତ ହେବାର ଆଶଙ୍କା ରହୁଥିବାରୁ ସେମାନେ କରୋନା ଆକ୍ରାନ୍ତ ହୋଇଛନ୍ତି ବୋଲି କଣ୍ଟାକ୍ଟ ଟ୍ରେସିଂରୁ ଜଣାପଡ଼ିଛି। ଏହାବାଦ୍ ମହିଳାମାନେ ଘରେ ରହୁଥିବାରୁ ସେମାନେ ବାରମ୍ବାର ହାତ ଧୋଉଛନ୍ତି ଓ କମ୍ ଲୋକଙ୍କ ସଂସ୍ପର୍ଶରେ ଆସୁଛନ୍ତି। ତେଣୁ ସେମାନଙ୍କ କ୍ଷେତ୍ରରେ ସଂକ୍ରମଣ ସମ୍ଭାବନା କମ୍ ରହୁଛି।
ଏହାବାଦ୍ ବିଦେଶରୁ ବା ବାହାର ରାଜ୍ୟରୁ ଯେତିକି ଲୋକ ଫେରିଛନ୍ତି ସେଥିରୁ ଅଧାରୁ ଅଧିକ ପୁରୁଷ। ଯାତ୍ରା ବିବରଣୀ ଥିବା ଆକ୍ରାନ୍ତଙ୍କ ମଧ୍ୟରୁ ବି ଅଧିକ ପୁରୁଷ ଅଛନ୍ତି।