ଅର୍ଗସ ନ୍ୟୁଜ୍‌ର ପର୍ଯ୍ୟଟନ କନ୍‌କ୍ଲେଭ ‘ଚଲୋ ଦେଖେଁ ଅପନା ଦେଶ’

ଚନ୍ଦ୍ରଶେଖରପୁର: ଓଡ଼ିଶାରେ ସବୁ ଅଛି। ମାତ୍ର ବ୍ରାଣ୍ଡ ଭାବେ ସେସବୁକୁ ଉପସ୍ଥାପନ ନ କରିବା କାରଣରୁ ସେସବୁ ଆମ ଦେଶ ଓ ବିଦେଶରେ ବହୁ ମାତ୍ରାରେ ଆଦୃତ ହେଉନି। ଓଡ଼ିଶାର ଗ୍ରାମାଞ୍ଚଳ ବି ଗୋଟିଏ ଗୋଟିଏ ପର୍ଯ୍ୟଟନ ସ୍ଥଳ। ସେସବୁକୁ ବ୍ରାଣ୍ଡ ଦେଇପାରିଲେ, ଓଡ଼ିଶା ପର୍ଯ୍ୟଟନ ଶିଳ୍ପର ଭବିଷ୍ୟତ ବେଶ୍ ଉଜ୍ଜଳ। ଆଜି ଅର୍ଗସ ନ୍ୟୁଜ୍‌ ପକ୍ଷରୁ ଆୟୋଜିତ ଟୁରିଜିମ୍ କନ୍‌କ୍ଲେଭରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ଆଇଟିଡିସି ଅଧ୍ୟକ୍ଷ ସମ୍ବିତ ପାତ୍ର।

‘ଅର୍ଗସ ନ୍ୟୁଜ୍‌’ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ‘ଚଲୋ ଦେଖେଁ ଅପନା ଦେଶ’ ଅବସରରେ ଓଡ଼ିଶାର ରୁରାଲ୍‌ ଟୁରିଜିମ୍ ଉପରେ ବ୍ୟାପକ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମର ସମ୍ମାନିତ ଅତିଥି ଭାରତୀୟ ଟୁର୍ ଅପରେଟର ସଂଘର ସଭାପତି ପୁଷ୍ପେନ୍ଦ୍ର ପାଲ୍ ଖାନ୍ନା କହିଥିଲେ ଯେ ପର୍ଯ୍ୟଟନ ଶିଳ୍ପ ବିକାଶ ହିଁ ସାଧାରଣ ଲୋକଙ୍କ ରୋଜଗାରର ମାଧ୍ୟମ। ତେଣୁ ଦେଶର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଉପରେ ମୋଦି ସରକାର ଜୋର୍‌ ଦେଉଛନ୍ତି। କାର୍ଯ୍ୟକ୍ରମର ଅନ୍ୟତମ ଅତିଥି ତଥା ହୋଟେଲ ଆଣ୍ଡ୍‌ ରେଷ୍ଟୁରାଣ୍ଟ ଆସୋସିଏସନ୍ ଅଫ୍‌ ଓଡ଼ିଶାର ଅଧ୍ୟକ୍ଷ ଜିତେନ୍ଦ୍ର ମହାନ୍ତି କହିଥିଲେ ଯେ ଓଡ଼ିଶାର ଗ୍ରାମାଞ୍ଚଳ ପର୍ଯ୍ୟଟନ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି।

ତା’ର ଉଦାହରଣ ହେଉଛି ଟାଇମ୍ ମାଗାଜିନରେ ପ୍ରକାଶିତ ରିପୋର୍ଟ। ବିଶ୍ବର ସର୍ବୋତ୍କୃଷ୍ଟ ୫୦ଟି ପର୍ଯ୍ୟଟନ କ୍ଷେତ୍ର ଭିତରେ ମୟୂରଭଞ୍ଜ ସ୍ଥାନ ପାଇଛି। ସୂଚନାଯୋଗ୍ୟ ଯେ ଏହି ଟୁରିଜିମ୍ କନ୍‌କ୍ଲେଭର ୪ଟି ଅଧିବେଶନରେ ବିଶେଷଜ୍ଞମାନେ ଦେଶ ଓ ରାଜ୍ୟରେ ପର୍ଯ୍ୟଟନ ବିକାଶର ବିଭିନ୍ନ ଦିଗ ଉପରେ ଚର୍ଚ୍ଚା କରିଥିଲେ। ଅନୁଷ୍ଠାନର ଏଡିଟର ଇନ୍ ଚିଫ୍ ସଞ୍ଜୟ ଜେନା ସ୍ବାଗତ ଭାଷଣ ଓ ସିଇଓ ପ୍ରକାଶ ସାହୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର