ଭୁବନେଶ୍ୱର: ଓଡ଼ିଶା ତା’ର କଳା, ହସ୍ତତନ୍ତ, ସଂସ୍କୃତି ଓ ପ୍ରାକୃତିକ ବିଭବ ପାଇଁ ସାରାବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଏହାର ନଦୀନାଳ, ପର୍ବତ, ବଣ, ଜଙ୍ଗଲକୁ ଦେଖିଲେ ଏହା ପ୍ରକୃତିର କୋଳରେ ବସିଥିବା ଭଳି ଦେଖାଯାଏ। ତେଣୁ ପ୍ରକୃତିର ଏହି ଗନ୍ତାଘରକୁ ସୁରକ୍ଷିତ କରିବା ସହିତ ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସରକାର ଯୋଜନା କରିବା ଆବଶ୍ୟକ। ବିଶେଷକରି ଉପକୂଳବର୍ତ୍ତୀ ଅଞ୍ଚଳ, ଯେପରିକି ବାଲେଶ୍ୱରରୁ ପୁରୀ ମଧ୍ୟରେ ଥିବା ବେଳାଭୂମିଗୁଡ଼ିକର ବିକାଶ କରାଗଲେ ରାଜ୍ୟକୁ ବହୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ହେବ। ବିଦେଶୀ ମୁଦ୍ରା ଓ ନିଯୁକ୍ତିର ସୁଯୋଗ ସୃଷ୍ଟିହେବ ବୋଲି ଓଡ଼ିଶା ରାଜ୍ୟ ଟୁରିଷ୍ଟ ଗାଇଡ ଆସୋସିଏସନ ପକ୍ଷରୁ ଜୟଦେବ ଭବନରେ ଆୟୋଜିତ ବିଶ୍ୱ ପର୍ଯ୍ୟଟନ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ରଘୁବର ଦାସ ମତବ୍ୟକ୍ତ କରିଛନ୍ତି। ଯୋଗାଯୋଗ ଓ ଭିତ୍ତିଭୂମି ସୁଦୃଢ଼ ହେଲେ ରାଜ୍ୟର ପର୍ଯ୍ୟଟନ ଶିଳ୍ପ ବିଶ୍ୱରେ ପରିଚିତ ହେବ ବୋଲି ସେ କହିଥିଲେ। 

Advertisment

ସମ୍ମାନିତ ଅତିଥି ଭାବେ ବାଚସ୍ପତି ସୁରମା ପାଢ଼ୀ ଯୋଗଦେଇ ଓଡ଼ିଶାର ଭାସ୍କର୍ଯ୍ୟ,  କଳା, ସଂସ୍କୃତି ଗବେଷକମାନଙ୍କୁ ଗବେଷଣା କରିବାକୁ ଆକର୍ଷିତ କରୁଛି ବୋଲି କହିଥିଲେ। ପାଠ୍ୟକ୍ରମରେ ପର୍ଯ୍ୟଟନକୁ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ସେ ମତ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ‘ସମ୍ୱାଦ’ ତଥା ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ ଯୋଗଦେଇ କହିଥିଲେ, ବିକାଶ କରିବାକୁ ହେଲେ କିଛି ବିନାଶ କରିବାକୁ ପଡ଼େ, କିନ୍ତୁ ପର୍ଯ୍ୟଟନ ଶିଳ୍ପରେ ଏଭଳି ପରିଲକ୍ଷିତ ହୁଏ ନାହିଁ।  ତେଣୁ ଏହି ଶିଳ୍ପକୁ ବିସ୍ତାରିତ କରିବା ପାଇଁ ପ୍ରଥମେ ଆମ ପାଖରେ ଉପଲବ୍‌ଧ ଥିବା ନଦୀନାଳ, ଜଙ୍ଗଲ, ରାସ୍ତାଘାଟ ଆଦିର ବିକାଶ କରିବାକୁ ହେବ। ଏଥିସହିତ ଆମେ ଆଚରଣ ଓ ଉଚ୍ଚାରଣରେ ଯଦି ପର୍ଯ୍ୟଟକଙ୍କ ମନ ଜିଣି ପାରିବା, ତେବେ ରାଜ୍ୟକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବ।  ସାହିତ୍ୟରେ ଅନୁବାଦକର ଭୂମିକା ଭଳି ପର୍ଯ୍ୟଟନରେ ଟୁରିଷ୍ଟ ଗାଇଡଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। 

ଅନ୍ୟତମ ଅତିଥି ଭାବେ ବିଧାୟକ ବାବୁ ସିଂ ଯୋଗଦେଇ ସାରାବିଶ୍ୱରେ ଯୁଦ୍ଧ ଚାଲିଥିବା ସମୟରେ ପର୍ଯ୍ୟଟନ ଶାନ୍ତିର ବାର୍ତ୍ତା ପ୍ରଦାନ କରୁଛି ବୋଲି କହିଥିଲେ। ଟୁରିଷ୍ଟ ଗାଇଡମାନଙ୍କ ଦାବି ଉପରେ ସରକାର ବିଚାର କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟତମ ଅତିଥି ତଥା ଭାବେ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି କହିଥିଲେ, ରାଜ୍ୟର ଯେଉଁ କ୍ଷେତ୍ରଗୁଡ଼ିକ ଅବହେଳିତ ଅବସ୍ଥାରେ ରହିଯାଇଛି ତାକୁ ଆଗକୁ ଆଣିବା ଆମର ଦାୟିତ୍ୱ। କାର୍ଯ୍ୟକ୍ରମରେ ଆସୋସିଏସନର ସଭାପତି ସନତ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରି ଗାଇଡମାନଙ୍କୁ ସ୍ୱାସ୍ଥ୍ୟ ବୀମା ପ୍ରଦାନ ସହିତ ବରିଷ୍ଠ ଗାଇଡମାନଙ୍କ ପାଇଁ ପେନସନ ବ୍ୟବସ୍ଥା କରାଯାଉ ବୋଲି ଦାବି କରିଥିଲେ।

କାର୍ଯ୍ୟକ୍ରମର ଦ୍ୱିତୀୟ ଅଧିବେଶନରେ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବରିଷ୍ଠ ସାମ୍ୱାଦିକ ପ୍ରଦୋଷ ପଟ୍ଟନାୟକ, ଓଏସଟିଜିଏର ଉପଦେଷ୍ଟା ବିରଞ୍ଚି ମିଶ୍ର, ଫ୍ରାଙ୍କଲିନ ଗ୍ରୁପ ଅଫ୍‌ ଇନଷ୍ଟିଚ୍ୟୁସନର ଚେୟାରମ୍ୟାନ ଆଲୋକ କୁମାର କର, ଆଇଆଇଟିଟିଏମର ନୋଡାଲ ଅଫିସର ସବିର ହୁସେନ , ସ୍କୁଲ ଅଫ୍‌ ହୋଟେଲ ମ୍ୟାନେଜମେଣ୍ଟର ଡିନ ସୁଶାନ୍ତ ରଞ୍ଜନ ଚଇନି, ସ୍ୱସ୍ତି ଗ୍ରୁପର ପ୍ରତିଷ୍ଠାତା ଜିତେନ୍ଦ୍ର କୁମାର ମହାନ୍ତି ଓ ପ୍ରଦ୍ୟୁମ୍ନ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ସ୍ୱସ୍ତି ଗ୍ରୁପର ପ୍ରତିଷ୍ଠାତା ଜିତେନ୍ଦ୍ର କୁମାର ମହାନ୍ତିଙ୍କୁ ‘ଟୁରିଜମ୍‌ ରତ୍ନ’ ପୁରସ୍କାର ସମେତ ପର୍ଯ୍ୟଟନ,  ଶିଳ୍ପ, କଳା ଓ ସଂସ୍କୃତି କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନଗୁଡ଼ିକୁ ସମ୍ୱର୍ଦ୍ଧିତ କରାଯାଇଥିଲା।