ରାଜଧାନୀରେ ପର୍ଯ୍ୟଟନର ବିକଳ ସ୍ଥିତି, ପର୍ଯ୍ୟଟକ ବଢ଼ୁଛନ୍ତି, ବଡ଼ ଭିତ୍ତିଭୂମି ନାହିଁ

ଭୁବନେଶ୍ବର,(ସସ୍ମିତା ସାହୁ): ୨୦୧୩ ମସିହା। ଭୁବନେଶ୍ବରର ‘ଟେମ୍ପଲ୍‌ ସର୍କିଟ୍‌’ ଭାବେ ଶିଖରଚଣ୍ଡୀର ଉନ୍ନତୀକରଣ ପାଇଁ ସ୍ଥିର ହେଲା। ଜୈବ ବିବିଧତାକୁ ଦୃଷ୍ଟିରେ ରଖି ଏହା ପରିସରରେ ଥିବା ବିରଳ ପ୍ରଜାତିର ବୃକ୍ଷ ସଂରକ୍ଷଣ ଓ ମୟୂର ସମେତ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ସୁରକ୍ଷା ପାଇଁ ଯୋଜନା ହେଲା। ଏମିତି ପ୍ରଚାର କରାଗଲା ଯେ ଲାଗୁଥିଲା ଯେମିତି ଶିଖରଚଣ୍ଡୀ କେବଳ ଭୁବନେଶ୍ବର ନୁହେଁ, ସାରା ଓଡ଼ିଶାରେ ଏକ ବଡ଼ ପର୍ଯ୍ୟଟନସ୍ଥଳୀରେ ପରିଣତ ହେବ। କିନ୍ତୁ ୯ ବର୍ଷ ପରେ ଫଳାଫଳ ଶୂନ।

୨୦୧୫ ମସିହା। ଧଉଳିରେ ରୋପ୍‌ୱେ ସହ ଧଉଳିଗିରି ପାଦଦେଶରେ ଏକ ମ୍ୟୁଜିକାଲ୍‌ ଫାଉ‌େଣ୍ଟନ୍‌ ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ ହେଲା। ରୋପ୍‌ୱେ ପ୍ରକଳ୍ପ ପାଇଁ ପାଖାପାଖି ୧୪କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଗଲା। ଏହା ଦ୍ବାରା ରାଜଧାନୀରେ ପର୍ଯ୍ୟଟକମାନେ ନୂଆ ଅନୁଭୂତି ସାଉଁଟିବେ ବୋଲି ସ୍ବପ୍ନ ଦେଖାଗଲା। କିନ୍ତୁ ନିଜେ ପର୍ଯ୍ୟଟନ ବିଭାଗ ଏହି ପ୍ରକଳ୍ପର ପ୍ରଶାସନିକ ମଞ୍ଜୁରି ବାତିଲ୍‌ କରି ବିକାଶରେ ବାଟ ଓଗାଳିଲା।
୨୦୧୯ ମସିହା। ପୁରୀ ଭଳି ଏକାମ୍ର କ୍ଷେତ୍ରକୁ ଉନ୍ନତୀକଣର କରିବାକୁ ବିଶାଳ ଯୋଜନା ହେଲା। ଏହି ପ୍ରକଳ୍ପ ପାଇଁ ପୂର୍ବରୁ ଏଠାରେ କରାଯାଉଥିବା ସମସ୍ତ ବଡ଼ ପ୍ରକଳ୍ପକୁ ବନ୍ଦ କରାଗଲା। ପ୍ରକଳ୍ପ ସାରିବାକୁ ୧ ବର୍ଷର କଣ୍ଟ ମଧ୍ୟ ରଖାଗଲା। କିନ୍ତୁ ଅଦାଲତୀ କଟକଣା, ଏଏସ୍‌ଆଇ ଓ ଏନ୍‌ଏମ୍‌ଏର ଛାଟ ଓ ରାଜନୈତିକ ହାଇଡ୍ରାମା ଭିତରେ ଗତ ୨ ବର୍ଷ ହେଲା ପ୍ରକଳ୍ପ ଝୁଲି ରହିଛି। କେବେ ଆରମ୍ଭ ହେବ ଓ କେବେ ଶେଷ ହେବ, ତାହାର ଉତ୍ତର କାହା ପାଖରେ ନାହିଁ।

ରାଜଧାନୀରେ ପର୍ଯ୍ୟଟନ କ୍ଷେତ୍ରର ଏମିତି ବିକଳ ସ୍ଥିତି ଦେଖିବାକୁ ମିଳୁଛି। ଗତ କିଛି ବର୍ଷ ହେଲା, ସହରରେ କୌଣସି ବଡ଼ ପର୍ଯ୍ୟଟନ ଭିତ୍ତିଭୂମି ନିର୍ମାଣ ହୋଇନି। କିନ୍ତୁ ଯେତିକି ଆଗରୁ ରହିଛି, ତାହାର ଆଖିଦୃଶିଆ ବିକାଶ କରିବାକୁ ସରକାରୀ ସ୍ତରରେ ଆନ୍ତରିକତାର ଅଭାବ ରହୁଛି। ଯଦି ରାଜଧାନୀରେ ପର୍ଯ୍ୟଟନର ବିକାଶ ପାଇଁ ପ୍ରଶାସନିକ କଳରେ ସମନ୍ବୟ ରହୁନି, ତେବେ ଅନ୍ୟ ଅଞ୍ଚଳ କଥା ନ କହିବା ଭଲ।
ଗତ କିଛି ବର୍ଷ ହେଲା ବିଭିନ୍ନ କାରଣ ପାଇଁ ଭୁବନେଶ୍ବରକୁ ରାଜ୍ୟ ବାହାରର ଲୋକଙ୍କ ଆଗମନ ବଢ଼ିଛି। ସହରରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ହୋଇଥିବାରୁ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରୁ କ୍ରୀଡ଼ାବିତ୍‌ ଓ କ୍ରୀଡ଼ାପ୍ରେମୀଙ୍କ ଆଗମନ ବଢ଼ିଛି। ପୁଣି ବିଭିନ୍ନ ସହରକୁ ବିମାନ ସଂଯୋଗ ବଢ଼ିଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବଢ଼ିଛି।

ଏହା ସହ ବହୁ ଜାତୀୟ ସ୍ତରର ସମ୍ମିଳନୀ ପାଇଁ ମଧ୍ୟ ଭୁବନେଶ୍ବର ପସନ୍ଦର ସ୍ଥାନ ପାଲଟିଛି। ଯେହେତୁ ବିଭିନ୍ନ ବର୍ଗର ଲୋକ ଏଠାକୁ ଆସୁଛନ୍ତି, ତେଣୁ ସେମାନଙ୍କ ଅବସର ବିନୋଦନ ସହ ଭ୍ରମଣର ମଜା ଦେବା ପାଇଁ ବଡ଼ ଧରଣର ପର୍ଯ୍ୟଟନ ପ୍ରକଳ୍ପର ଆବଶ୍ୟକତା ରହିଛି। କିନ୍ତୁ ଆଶ୍ଚର୍ଯ୍ୟର କଥା, ପର୍ଯ୍ୟଟନ ବିଭାଗ ଏ ଦିଗ ପ୍ରତି ଆଦୌ ସଚେତନ ରହୁନି। ଭୁବନେଶ୍ବର ପାଇଁ ବିଭାଗର ମେଗା ଯୋଜନା ହିଁ କିଛି ନାହିଁ। ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି କିଛି ନୂଆ କରିବାକୁ ବିଭାଗ ସ୍ତରରେ ଆଦୌ ଉଦ୍ୟମ ହେଉ ନାହିଁ କହିଲେ ଭୁଲ୍‌ ହେବ ନାହିଁ। ଅବସର ବିନୋଦନ ତଥା ଜ୍ଞାନ ଆହରଣ ପାଇଁ ସଂସ୍କୃତି ବିଭାଗ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ, ପୂର୍ତ୍ତ ବିଭାଗ, ବିଡିଏ କିଛି କିଛି କାମ ନିଜ ବାଟରେ କରୁଛନ୍ତି, ଯାହା କି ପରୋକ୍ଷରେ ପର୍ଯ୍ୟଟନର ବିକାଶରେ ସହାୟକ ହେଉଛି। ପର୍ଯ୍ୟଟନ ବିଭାଗ ମଧ୍ୟ ପୂର୍ବରୁ କିଛି କାର୍ଯ୍ୟ ହାତକୁ ନେଇଥିଲା। କିନ୍ତୁ ମିଳିତ ଉଦ୍ୟମ ହେଉ ନଥିବାରୁ କୌଣସି କାର୍ଯ୍ୟ ଆଖିଦୃଶିଆ ଭାବେ ସ୍ଥିତି ଜାହିର କରିପାରୁ ନାହିଁ। ଏ ଦିଗରେ ପର୍ଯ୍ୟଟନ ବିଭାଗର ଯେ ଗୁରୁ ଦାୟିତ୍ବ ରହିଛି, ତାହା ସମ୍ଭବତଃ ବିଭାଗର ଅଧିକାରୀମାନେ ଭୁଲି ଯାଇଛନ୍ତି।

ଶିଖରଚଣ୍ଡୀରୁ ଧଉଳି ଯାଏ, ସବୁଠି ଅଧପନ୍ତରିଆ
ସରକାରୀ ବିଭାଗ ମଧ୍ୟରେ ସମନ୍ବୟ ରହୁନି

ଭୁବନେଶ୍ବରକୁ ମନ୍ଦିରମାଳିନୀ ସହର କୁହାଯାଉଥିଲେ ବି ବାସ୍ତବରେ ଐତିହ୍ୟପୂର୍ଣ୍ଣ ମନ୍ଦିର କେବଳ ପୁରୁଣା ଭୁବନେଶ୍ବର ଅଞ୍ଚଳରେ ହିଁ ରହିଛି। ୨୦୧୯ ମସିହାରେ ରାଜ୍ୟ ସରକାର ‘ଏକାମ୍ର ଐତିହ୍ୟ ପ୍ରକଳ୍ପ’ ଘୋଷଣା କରାଗଲା। କିନ୍ତୁ କାମ ଆରମ୍ଭ ହେଉ ହେଉ ବିବାଦ ଛିଡ଼ା ହେଲା। ବିଭିନ୍ନ ଅଡ଼ୁଆରେ ଛନ୍ଦି ହୋଇ ପ୍ରକଳ୍ପ ବିଳମ୍ବ ହୋଇ ଚାଲିଛି। କେତେବେଳେ ଉଚ୍ଛେଦ ଉପରେ କୋର୍ଟଙ୍କ ରହିତାଦେଶ ଲାଗିଲା ତ କେ‌ତେବେଳେ ଏନ୍‌ଏମ୍‌ଏର କଟକଣା। ଏବେ ସବୁ ବିବାଦ ଆପାତତଃ ସମାଧାନ ହୋଇଥିବାରୁ ପୁଣି ପ୍ରକଳ୍ପକୁ ନେଇ ଆଶା ସଞ୍ଚାର ହୋଇଛି।

ପର୍ଯ୍ୟଟନ ବିଭାଗ ଓ ସାଧାରଣ ପ୍ରଶାସନ ବିଭାଗ ମିଳିତ ଭାବେ ଶିଖରଚଣ୍ଡୀକୁ ରାଜ୍ୟର ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବାକୁ ସ୍ବତନ୍ତ୍ର ଖସଡ଼ା ପ୍ରସ୍ତୁତ କରିଥିଲେ। ପର୍ଯ୍ୟଟନ ବିଭାଗ କିଛି ଅର୍ଥ ମଧ୍ୟ ବରାଦ କରିଥିଲା। କିନ୍ତୁ କେବଳ କେତୋଟି ବୈଠକ ଓ ଆଲୋଚନାରେ ଯୋଜନା ସୀମିତ ରହିଗଲା। ୨୦୧୩ର ବ୍ଲୁ ପ୍ରିଣ୍ଟ ବାରମ୍ବାର ସଂଶୋଧନ ହୋଇ ଏବେ ଫାଇଲ ଭିତରେ ବନ୍ଧା ହୋଇ ପଡ଼ିରହିଛି। ଖଣ୍ଡଗିରି-ଉଦୟଗିରି ସ୍ଥିତି ଆହୁରି ଚିନ୍ତାଜନକ। ଏକ ଦଶନ୍ଧିରୁ ଅଧିକ ସମୟ ହେଲା ଲାଇଟ୍‌ ଆଣ୍ଡ୍‌ ସାଉଣ୍ଟ୍‌ ସୋ’କୁ ଏଏସ୍‌ଆଇ, ରାଜ୍ୟ ପର୍ଯ୍ୟଟନ ବିଭାଗ ଓ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ବିଭିନ୍ନ ପ୍ରକାର ଗପ ଶୁଣାଇ ଆସୁଛନ୍ତି। କିନ୍ତୁ ଫଳାଫଳ ମିଳିପାରୁନି। ସହର ଭିତରେ ସର୍ବାଧିକ ପର୍ଯ୍ୟଟକ ଖଣ୍ଡିଗିରି-ଉଦୟଗିରି ବୁଲୁଥିବାରୁ ଏଠାରେ ବିକାଶକୁ ନେଇ ବିଭିନ୍ନ ସମୟରେ ବଡ଼ ବଡ଼ ଯୋଜନା ପ୍ରସ୍ତୁତ ହୋଇଛି। କେତେବେଳେ ଏଏସ୍‌ଆଇ ଯୋଜନା କରିଛି ତ କେତେବେଳେ ବିଏମ୍‌ସି-ବିଡିଏ। ପୁଣି ପୂର୍ତ୍ତ ବିଭାଗ ବି ତା’ ବାଟରେ ଚିନ୍ତା କରିଛି।

TripAdvisor

କିନ୍ତୁ ସମନ୍ବୟର ଅଭାବରୁ ଏଠାରେ କିଛି ବି ହୋଇପାରୁନି। ଏହି ପର୍ଯ୍ୟଟନସ୍ଥଳୀ ନିକଟରେ ଗାନ୍ଧୀ ଶାନ୍ତିକେନ୍ଦ୍ର, ବୃନ୍ଦାବନ ଗୁରୁକୁଳ, କଳିଙ୍ଗ ଷ୍ଟୁଡିଓ ପରି ଗୁରୁତ୍ବପୂର୍ଣ୍ଣ ସ୍ଥାନ ରହିଛି। ଏସବୁକୁ ମିଶାଇ ପର୍ଯ୍ୟଟନ ଦୃଷ୍ଟିକୋଣରୁ ବୃହତ ଯୋଜନା ପ୍ରସ୍ତୁତ କରିବାକୁ କେହି ଆନ୍ତରିକତା ପ୍ରକାଶ କରୁନାହାନ୍ତି। ସମାନ ସ୍ଥିତି ଘଟିଛି ଧଉଳି କ୍ଷେତ୍ରରେ। ଧଉଳିର ଶାନ୍ତିସ୍ତୂପକୁ ଦେଖିବାକୁ କେବଳ ରାଜ୍ୟ ଭିତରେ ନୁହେଁ, ବାହାରର ପର୍ଯ୍ୟଟକ ବି ଛୁଟି ଆସନ୍ତି। ଶାନ୍ତିସ୍ତୂପ ସହ ଧଉଳି ପାହାଡ଼ର ଚତୁଃପାର୍ଶ୍ବର ପରିବେଶ ବେଶ୍‌ ମନଲୋଭା। ଧଉଳି ପାହାଡ଼କୁ କେନ୍ଦ୍ର କରି ଏଠାରେ ପର୍ଯ୍ୟଟନର ବଡ଼ ଭିତ୍ତିଭୂମି ପାଇଁ ସମସ୍ତ ସମ୍ଭାବନା ଅଛି। ଏଠାରେ ବଡ଼ ପ୍ରକଳ୍ପ କରିବା ତ ଦୂରର କଥା, ରୋପ୍‌ୱେ ପାଇଁ ସବୁ ଯୋଜନା ଚୂଡ଼ାନ୍ତ ହୋଇଥିଲେ ବି ନିଜେ ପର୍ଯ୍ୟଟନ ବିଭାଗ ତାହାକୁ ପ୍ରତ୍ୟାହାର କରିନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଶାନ୍ତିସ୍ତୂପର ମରାମତିକୁ ନେଇ ବହୁ ଟଣାଓଟରା ଚାଲିଲା ପରେ ଏବେ କାମ ଜୋର୍‌ଦାର ଚାଲିଛି।

ସମ୍ବନ୍ଧିତ ଖବର