ନୂଆ ସକାଳର ଇସାରା ଦେଉଥିଲା ନୂଆ ସୂରୁଯ। ଚଢ଼େଇଙ୍କ କଳରବରେ ଯେମିତି ସବୁ ନୂଆନୂଆ ଲାଗୁଥିଲା। ଚାହୁଁଚାହୁଁ ଭୂଇଁରେ ବିଛେଇ ହୋଇଯାଇଥିଲା ନୂଆବର୍ଷର କଅଁଳ କିରଣ। ହାଲ୍‌କା କୁହୁଡ଼ିମଖା ସକାଳ ଭିତରୁ ଅତି ଉଚ୍ଛ୍ୱାସରେ ଉତୁରି ଆସୁଥିଲା ଗୋଟିଏ ବାକ୍ୟ। ହାପି ନ୍ୟୁ ଇୟର। ଭେଦଭାବ ନଥିଲା କି ଛୋଟବଡ଼ର ତାରତମ୍ୟ ନଥିଲା। ଆଖି ସାମ୍ନାରେ ପଡ଼ୁଥିବା ଅଚିହ୍ନା ମୁହଁ ବି କିଛିକ୍ଷଣ ପାଇଁ ଅନ୍ତରଙ୍ଗ ପାଲଟି ଯାଉଥିଲେ। ଗତରାତିରୁ ଉତ୍ସବମୁଖର ରାଜଧାନୀବାସୀ ସବୁ କ୍ଳାନ୍ତ ଓ ବାଧାକୁ ଭୁଲିଯାଇ ସକାଳୁ ଶୁଭେଚ୍ଛା ଆଦାନପ୍ରଦାନରେ ମାତିଥିଲେ। କିଏ ଫୋନ୍‌କରି ଶୁଭେଚ୍ଛା ଜଣାଉଥିଲା ତ କିଏ ସୋସିଆଲ୍‌ ମିଡିଆରେ ମଜି ଯାଇଥିଲା। ପ୍ରଭୁଙ୍କ ଦର୍ଶନରୁ ବର୍ଷ ଆରମ୍ଭ ପାଇଁ ଅନେକେ ମନ୍ଦିରରେ ଭିଡ଼ ଜମାଇଥିଲେ। କେହିକେହି ପର୍ଯ୍ୟଟନସ୍ଥଳୀକୁ ଛୁଟିଥିଲେ ତ ପୁଣି କିଏ ବଣଭୋଜିରେ ମାତିଥିଲେ। ଏମିତିକି ଜୟଦେବ ବାଟିକାରେ ୧୨୫ ପିଣ୍ଡି ବୁକ୍‌ ହୋଇଥିଲା ଏବଂ ପର୍ଯ୍ୟଟକଙ୍କ ସଂଖ୍ୟା ୬୭୩୬ ଛୁଇଁଥିଲା। ଡିଜେର ଉତ୍ତାଳ ସଂଗୀତରେ ମତୁଆଲା ହୋଇଥିଲେ ଯୁବପିଢ଼ି। ବୁଲାବୁଲି, ଭୋଜିଭାତ ଖୁବ୍‌ ଜମିଥିଲା। ଅନେକ ଦିନ ପରେ ନିଜର ସାଙ୍ଗସାଥୀଙ୍କୁ ଏକାଠି ପାଇ ସେଲ୍‌ଫି ମାୟାରେ ମସ୍‌ଗୁଲ୍‌ ଥିଲେ ସମସ୍ତେ। ଅପରାହ୍‌ଣରେ ପାର୍କ ବୁଲା ସହ ରାତିରେ ରେସ୍ତୋରାଁରେ ଖାଦ୍ୟର ମଜା ନେଇଥିଲେ ସପରିବାର।

Advertisment

ହଲ୍‌କୁ ଟାଣିଲା ଟାଇଗର୍‌ ଓ ଲୈଲା

ନୂଆବର୍ଷରେ କିଛି ନୂଆ ଚଳଚ୍ଚିତ୍ର ମୁକ୍ତିଲାଭ କରିନଥିବାରୁ ହିନ୍ଦୀ ଚଳଚ୍ଚିତ୍ର ‘ଟାଇଗର ଜିନ୍ଦା ହୈ’ ପ୍ରତି ବିପୁଳ ଉତ୍ସାହ ଦେଖିବାକୁ ମିଳିଥିଲା। ସେହିପରି ସ୍ୱରାଜ ବାରିକ ଓ ସନମୀରା ନଗେଜଙ୍କ ଅଭିନୀତ ଓଡ଼ିଆ ଚଳଚ୍ଚିତ୍ର ‘ଲୈଲା ଓ ଲୈଲା’ ବି ପଛରେ ପଡ଼ିନଥିଲା। ‘ଆଧାରକାର୍ଡ଼ ଲିଙ୍କ୍‌.. ଗୀତ ଆଗରୁ ଚର୍ଚିତ ହୋଇ ସାରିଥିବା ବେଳେ ବଡ଼ ପରଦାରେ ସେ ଗୀତର ମଜା ଉଠାଇଥିଲେ ଦର୍ଶକ। କିଛି ହଲ୍‌ରେ ହାଉସ୍‌ଫୁଲ୍‌ ସୋ ଦେଖିବାକୁ ମିଳିଥିଲା।

publive-imageସେଲ୍‌ଫିମନସ୍କ ରାଜଧାନୀବାସୀ

କେବଳ ଯୁବପିଢ଼ି ନୁହଁନ୍ତି, ଆବାଳବୃଦ୍ଧବନିତାଙ୍କ ମଧ୍ୟରେ ନୂଆ ବର୍ଷ ଆଣି ଦେଇଥିଲା ନୂଆ ଉନ୍ମାଦନା। ନୂଆ ବର୍ଷରେ ରାଜଧାନୀ ଓ ଉପକଣ୍ଠର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଓ ପିକ୍‌ନିକ୍‌ ସ୍ପଟ୍‌କୁ ବୁଲି ଯାଇଥିବା ସବୁ ବର୍ଗର ଲୋକେ ସେଲ୍‌ଫି ଉଠାଇବାରେ ମଜି ଯାଇଥିଲେ। କିଏ ସାଙ୍ଗସାଥୀଙ୍କ ସହ ତ କିଏ ପରିବାରର ସଦସ୍ୟଙ୍କ ସହ ସେଲ୍‌ଫି ଉଠାଇ ନୂଆବର୍ଷର ଏହି ମହାର୍ଘ୍ୟ ମୁହୂର୍ତକୁ ସ୍ମରଣୀୟ କରିବାକୁ ଚାହୁଁଥିଲେ। ସେଲ୍‌ଫି ମାୟାରେ ବାୟା ପ୍ରେମୀଯୁଗଳଙ୍କୁ ବି ଏଥିରୁ ଫୁରୁସତ୍‌ ନ ଥିଲା।

ପର୍ଯ୍ୟଟନସ୍ଥଳୀ ଲୋକାରଣ୍ୟ: ଖଣ୍ଡଗିରି ଓ ଉଦୟଗିରିରେ ଅସମ୍ଭାଳ ଭିଡ଼

publive-imageନୂଆ ବର୍ଷ ପାଳନ ହେଉଥିବ, କିନ୍ତୁ ବୁଲାବୁଲି ହେଉ ନ ଥିବ ! ଏହା କଦାପି ସମ୍ଭବ ନୁହେଁ। ନୂଆ ବର୍ଷର ପ୍ରଥମ ଦିନରେ ରାଜଧାନୀବାସୀ ବୁଲାବୁଲି କରିବାର ସୁଯୋଗ ଆଦୌ ହାତଛଡ଼ା କରି ନ ଥିଲେ। ସହର ଭିତରେ ଓ ଉପକଣ୍ଠରେ ଥିବା ପ୍ରମୁଖ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ଆଜି ବେଶ୍‌ ଭିଡ଼ ଜମିଥିଲା। ସକାଳୁ ସକାଳୁ ମନ୍ଦିରରେ ଭିଡ଼ ଥିଲା। ନୂଆବର୍ଷର ପ୍ରଥମ ସକାଳକୁ ସ୍ମରଣୀୟ କରିବାକୁ ଶ୍ରୀଲିଙ୍ଗରାଜ ମନ୍ଦିର, ରାମ ମନ୍ଦିର ଓ ଇସ୍କନ ମନ୍ଦିରକୁ ଯାଇ ଶ୍ରଦ୍ଧାଳୁମାନେ ପୂଜାର୍ଚନା କରିଥିଲେ। ସହରର ବହୁ ରାସ୍ତା ଶୂନ୍‌ଶାନ୍‌ ଲାଗୁଥିଲେ ବି ପର୍ଯ୍ୟଟନସ୍ଥଳୀକୁ ପଡ଼ିଥିବା ରାସ୍ତାରେ ଥିଲା ଅସମ୍ଭାଳ ଭିଡ଼। କିଏ ନିଜ ପରିବାର ସହ ତ କିଏ ସାଙ୍ଗସାଥୀଙ୍କ ସହ ଏଠାରେ ବୁଲାବୁଲି କରିଥିଲେ। ସବୁ ବୟସର, ସବୁ ବର୍ଗର ଲୋକମାନଙ୍କ ଗହଳି ଦେଖିବାକୁ ମିଳିଥିଲା। ଖଣ୍ଡିଗିରି-ଉଦୟଗିରିରେ ଆଜି ଦିନତମାମ ୨୫ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା। ଫଳରେ ଖଣ୍ଡଗିରି ଛକରେ ବହୁ ସମୟ ଟ୍ରାଫିକ୍‌ ଜାମ୍‌ ହୋଇଯାଇଥିଲା। ଖଣ୍ଡଗିରି-ଉଦୟଗିରି ମଝି ରାସ୍ତାରେ ପାଦ ପକାଇବାକୁ ଜାଗା ନ ଥିଲା। ଏଏସ୍‌ଆଇ ଦ୍ୱାରା ସଂରକ୍ଷିତ ହେଉଥିବା ଉଦୟଗିରିରେ ଆଜି ୬ ହଜାରରୁ ଅଧିକ ଟିକେଟ୍‌ ବିକ୍ରି ହୋଇଥିଲା। ତେବେ ଖଣ୍ଡଗିରିରେ କୌଣସି ଟିକେଟର ବ୍ୟବସ୍ଥା ନ ଥିବାରୁ ଅଧିକାଂଶ ଲୋକ ସେଠାକୁ ବୁଲିବାକୁ ଯାଇଥିଲେ। ଖାଲି ଭୁବନେଶ୍ୱର ନୁହେଁ, ବାହାରୁ ମଧ୍ୟ ଅନେକ ଲୋକ ଆସିଥିଲେ। ସେହିପରି ସହର ଉପକଣ୍ଠରେ ଥିବା ଜୟଦେବ ବାଟିକା, ଶିଖରଚଣ୍ଡୀ, ଧଉଳି, ଡେରାସ ଓ ଚଉଷଠୀ ଯୋଗିନୀ ଆଦି ସ୍ଥାନ ଲୋକାରଣ୍ୟ ହୋଇଯାଇଥିଲା। ଉପକଣ୍ଠରେ ଥିବା ସବୁଠାରୁ ବଡ଼ ପର୍ଯ୍ୟଟନସ୍ଥଳୀ ନନ୍ଦନକାନନରେ ପାଦ ପକାଇବାକୁ ଜାଗା ନ ଥିଲା। କିନ୍ତୁ ସୋମବାର ଥିବାରୁ ଏସବୁ ସ୍ଥାନପର୍ଯ୍ୟଟନସ୍ଥଳୀରେ ବଣଭୋଜି ଏତେଟା ଜମି ନଥିଲା।

ନୂଆବର୍ଷରେ ନନ୍ଦନକାନନ ଚଳଚଞ୍ଚଳ

ବୁଲିଲେ ୩୮,୫୭୭ ପର୍ଯ୍ୟଟକ

publive-imageବାରଙ୍ଗ : କୋହଲା ପାଗ ଓ ସୋମବାର ସତ୍ତ୍ୱେ ଆଜି ନନ୍ଦନକାନନରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଜମିଥିଲା। ନନ୍ଦନକାନନରେ ନୂଅବର୍ଷ ପାଳିବାକୁ ଆସିଥିଲେ ୩୮, ୫୭୭ ପର୍ଯ୍ୟଟକ। ଟିକେଟ୍‌ ବିକ୍ରି ବାବଦକୁ ମୋଟ ରାଜସ୍ୱ ଆଦାୟ ହୋଇଛି ୧୩,୫୨, ୫୭୦ ଟଙ୍କା। ତେବେ ଏହି ସଂଖ୍ୟା ୨୦୧୭ ନୂଆବର୍ଷର ରେକର୍ଡକୁ ଅତିକ୍ରମ କରିପାରି ନାହିଁ। ୨୦୧୭ ନୂଆବର୍ଷରେ ନନ୍ଦନକାନନକୁ ୫୦, ୬୪୮ ପର୍ଯ୍ୟଟକ ଆସିଥିଲେ। ସେହିପରି ରାଜ୍ୟ ଉଦ୍ଭିଦ ଉଦ୍ୟାନରେ ଆଜି ବଣଭୋଜିର ମଜା ନେଇଥିଲେ ୨୧୮୮ ପର୍ଯ୍ୟଟକ। ଏ ବାବଦରେ ରାଜସ୍ୱ ଆଦାୟ ହୋଇଥିଲା ୮୨ ହଜାର ୬୮୦ ଟଙ୍କା। ୨୦୧୭ ନୂଆ ବର୍ଷରେ ରାଜ୍ୟ ଉଦ୍ଭିଦ ଉଦ୍ୟାନରେ ୫, ୬୪୬ ଟିକେଟ୍‌ ବିକ୍ରି ହୋଇଥିବା ବେଳେ ରାଜସ୍ୱ ଆଦାୟ ହୋଇଥିଲା। ୧,୯୩, ୯୩୦ ଟଙ୍କା।

୧୫ ମିନିଟ୍‌ ଅଟକିଲା ରାଜ୍ୟପାଳଙ୍କ ଗାଡ଼ି

ଅପରାହ୍ଣରେ ନନ୍ଦନକାନନ ବନ୍ଦ ହେଉଥିବାବେଳେ ଏହି ଛକ ଦେଇ ଯାଉଥିବା ରାଜ୍ୟପାଳ ଡ. ଏସ୍‌ ସି ଜମିରଙ୍କ ଗାଡ଼ି ଆଜି ଭିଡ଼ରେ ଫସି ଯାଇଥିଲା। ପ୍ରାୟ ୧୫ ମିନିଟ୍‌ ପର୍ଯ୍ୟନ୍ତ ରାଜ୍ୟପାଳଙ୍କ ଗାଡ଼ି ଅଟକି ରହିଥିଲା। ଭୁବନେଶ୍ୱର ଅଭିମୁଖେ ଯାଉଥିବା ରାଜ୍ୟପାଳଙ୍କ ଗାଡ଼ି ନନ୍ଦନକାନନ ଛକ ଭିଡ଼ ଡେଇଁ ଆଗକୁ ଯାଇପାରି ନ ଥିଲା ଏବଂ ଅପରାହ୍ଣ ୪ଟା ୪୦ରୁ ପ୍ରାୟ ୪ଟା ୫୫ ମିନିଟ୍‌ ପର୍ଯ୍ୟନ୍ତା ଅଟକି ରହିଥିଲା। ସେଠାରେ ଥିବା ଟ୍ରାଫିକ୍‌ ପୁଲିସକୁ ୩ ପଟରୁ ଆସୁଥିବା ଲୋକଙ୍କୁ ନିୟନ୍ତ୍ରଣ କରିବାରେ କଷ୍ଟକର ହୋଇ ପଡ଼ିଥିଲା। ପୁଲିସ ରାସ୍ତରୁ ଲୋକଙ୍କୁ ହଟାଇବା ପରେ ଯାଇ ରାଜ୍ୟପାଳଙ୍କ ଗାଡ଼ି ଆଗକୁ ଗଡ଼ିଥିଲା।

ଶାନ୍ତିସ୍ତୂପରେ ରାଜ୍ୟପାଳ

ପର୍ଯ୍ୟଟକଙ୍କ ସହିତ ଫଟୋ ଉଠାଇଲେ
publive-imageଧଉଳି : ୨୦୧୮ର ପ୍ରଥମ ଦିନରେ ଆଜି ଧଉଳି ଶାନ୍ତିସ୍ତୂପ ପରିସରରେ ପ୍ରାୟ ୪୦ ହଜାରରୁ ଅଧିକ ପର୍ଯ୍ୟଟକଙ୍କ ସମାଗମ ହୋଇଥିଲା। ଅପରାହ୍ନ ୩ଟାରେ ରାଜ୍ୟପାଳ ଡ. ଏସ୍‌ ସି ଜମିର ପରିବାର ସହିତ ଶାନ୍ତିସ୍ତୂପ ପରିଦର୍ଶନ କରିଥିଲେ। ପ୍ରଥମେ ଡ. ଜମିର ଶାନ୍ତିସ୍ତୂପ ଉପରେ ଥିବା ବୁଦ୍ଧ ମନ୍ଦିର ଦର୍ଶନ ପରେ କିଛି ସମୟ ପାଇଁ ବୁଲାବୁଲି କରିଥିଲେ। ସ୍ତପର ଶୀର୍ଷକୁ ନିରୀକ୍ଷଣ କରିଥିଲେ। ଏହି ସମୟରେ ତାଙ୍କ ଅନୁମତି କ୍ରମେ କେତେକ ପର୍ଯ୍ୟଟକ ଡ. ଜମିରଙ୍କ ସହିତ ସେଲ୍‌ଫି ନେଇଥିଲେ। ଆଉ କିଛି ତାଙ୍କ ପାଖରେ ଠିଆ ହୋଇ ଫଟୋ ଉଠାଇଥିଲେ।। ଏଥିସହିତ ଶ୍ରୀ ଜମିର ଅନ୍ୟ ପରିବାର ଲୋକଙ୍କ ସହିତ ଥିବା ସେମାନଙ୍କର ଛୋଟ ଛୋଟ ପିଲାଙ୍କ ସହିତ ହାତ ମିଳାଇ ସେମାନଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇଥିଲେ। ଶାନ୍ତିସ୍ତୂପ ସମେତ ବାଲିଅନ୍ତା ବ୍ଲକ ଅଧୀନ ଜୟଦେବ ପୀଠରେ ପ୍ରାୟ ୧୦ ହଜାରରୁ ଅଧିକ ଲୋକଙ୍କର ସମାଗମ ହୋଇଥିବା ବେଳେ ହୀରାପୁରସ୍ଥିତ ଚଉଷଠୀ ଯୋଗିନୀ ପୀଠରେ ମଧ୍ୟ ଦର୍ଶକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା।

ଶ୍ରୀଲିଙ୍ଗରାଜ ମନ୍ଦିରରେ ଲକ୍ଷାଧିକ ଶ୍ରଦ୍ଧାଳୁ

publive-imageପୁରୁଣା ଭୁବନେଶ୍ୱର : ୨୦୧୮ର ପ୍ରଥମ ଦିନରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଲକ୍ଷାଧିକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ଓ ବେଢ଼ା ପରିକ୍ରମା କରିଥିଲେ। ଏକାମ୍ର କ୍ଷେତ୍ରର ଅନ୍ୟ ମନ୍ଦିରରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଭିଡ଼ ଏତେ ଥିଲା ଯେ ଟ୍ରାଫିକ୍‌ ବ୍ୟବସ୍ଥା ଅଣାୟତ୍ତ ହୋଇଥିଲା। ଆଜି ଭୋର୍‌ ୬ଟା ପର୍ଯ୍ୟନ୍ତ ଏବଂ ସକାଳ ୮ଟାରୁ ସାହାଣ ମେଲା ଦର୍ଶନର ସୁଯୋଗ ମିଳିଥିଲା। ଶ୍ରଦ୍ଧାଳୁଙ୍କ ଭିଡ଼ ଯୋଗୁଁ ଅପରାହ୍‌ଣ ୨ଟା ବଦଳରେ ୩ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ଚାଲିିଥିଲା। ସେହିଭଳି ବାସୁଦେବ ମନ୍ଦିର, କେଦାରଗୌରୀ, ମୁକ୍ତେଶ୍ୱର, ରାମେଶ୍ୱର, ଶ୍ରୀକପିଳନାଥ, କେଦାରେଶ୍ୱର, ଡାକରା ବିଭୀଷଣେଶ୍ୱର, ଖରାଖିଆ ଦେବ, ଯମେଶ୍ୱର, ସୂକ୍ଷ୍ମେଶ୍ୱର, ନାଗେଶ୍ୱର, ବ୍ରହ୍ମେଶ୍ୱର, ମେଘେଶ୍ୱରରେ ମଧ୍ୟ ଭିଡ଼ ଜମିଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଦୁଇ ପ୍ଲାଟୁନ୍‌ ଫୋର୍ସ ରଖାଯାଇଥିଲା। ସେହିଭଳି ରାମ ମନ୍ଦିର ଏବଂ ଇସ୍କନ୍‌ ସମେତ ବିଭିନ୍ନ ମନ୍ଦିର ଓ ସାଇ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ବିପୁଳ ସମାଗମ ହୋଇଥିଲା।

ସକାଳୁ ଅବଢ଼ା ପାଇଁ ଭିଡ଼: ନୂଆ ବର୍ଷର ପ୍ରଥମ ଦିନ ସୋମବାର ପଡ଼ିଥିବାରୁ ଅବଢ଼ା ପାଇଁ ଆଜି ସକାଳୁ ଭିଡ଼ ଜମାଇଥିଲେ ଶ୍ରଦ୍ଧାଳୁ। ସକାଳ ସାଢ଼େ ୮ଟାରୁ ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ ଅବଢ଼ା ବିକ୍ରି ହୋଇଥିଲା। ଆଜି ପ୍ରାୟ ୪୦ ହଜାର ଲୋକଙ୍କ ପାଇଁ ଅବଢ଼ା ବିକ୍ରି ହୋଇଥିଲା। ସେହିପରି ବାସୁଦେବ ମନ୍ଦିରରେ ପ୍ରାୟ ୬୦ହଜାରରୁ ଊର୍ଧ୍ୱ ଲୋକଙ୍କ ଉଦ୍ଦେଶ୍ୟରେ ଅବଢ଼ା ବିକ୍ରି ହୋଇଥିଲା।