ଚୁଲିକି ଯାଇଛି ପର୍ଯ୍ୟଟକଙ୍କ ସୁରକ୍ଷା, ନନ୍ଦନକାନନ ପରିସରରେ ସିସିଟିଭି ଅଚଳ କାହିଁକି?

ବାରଙ୍ଗ : ନନ୍ଦନକାନନରେ ପର୍ଯ୍ୟଟକମାନେ ସମସ୍ୟା‌ରେ ପଡ଼ିବା କିଛି ନୂଆ କଥା ନୁହେଁ। ସୁରକ୍ଷା ବ୍ୟବସ୍ଥାରେ ରହିଥିବା ତ୍ରୁଟି ପାଇଁ ପର୍ଯ୍ୟଟକମାନେ ବିଭିନ୍ନ ସମୟରେ ସମସ୍ୟାରେ ପଡ଼ୁଛନ୍ତି। ଗତ ଦୁଇ ଦିନ ତଳେ ଛତିଶଗଡ଼ର ପର୍ଯ୍ୟଟକମାନଙ୍କୁ ହୋଇଥିବା ବର୍ବରୋଚିତ ଆକ୍ରମଣ ଏହାର ନମୁନା ବୋଲି ଚର୍ଚ୍ଚା ହେଉଛି। ନନ୍ଦନକାନନ ପରିସରରେ ସିସିଟିଭି ଅଚଳ ରହିବା, ପୁଲିସ ପାଟ୍ରୋଲିଂ ଦୁର୍ବଳ ରହିବା ଭଳି କାରଣରୁ ପର୍ଯ୍ୟଟକମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଓ ଓଡ଼ିଶାର ଛବି ବାହାରେ ଖରାପ ହେଉଛି ବୋଲି ବିଭିନ୍ନ ମହଲରେ କ୍ଷୋଭ ପ୍ରକାଶ ପାଇଛି।

ଓଡ଼ିଶାର ଗୌରବ ନନ୍ଦନକାନନକୁ ବିଶ୍ଵସ୍ତରୀୟ କରିବାକୁ ଯୋଜନା ଚାଲିଥିବା ବେଳେ କର୍ତ୍ତୃପକ୍ଷଙ୍କ ଉଦାସୀନତା କାରଣରୁ ନନ୍ଦନକାନନ ଇତିହାସରେ ବାରମ୍ଵାର କଳଙ୍କିତ ଅଧ୍ୟାୟ ଯୋଡ଼ି ହେବାରେ ଲାଗିଛି। ଏଠାରେ ଲାଗିଥିବା ବହୁ ସିସିଟିଭି ଅଚଳ ହୋଇପଡ଼ିଛି। ସଫାରି ବସ୍ ଟିକେଟ୍‌ ଘର ପାଖରେ ଥିବା ସିସିଟିଭି କାମ କରୁନାହିଁ। ଫଳରେ ଟିକେଟ୍‌ ହେର୍‌ଫେର୍‌ କରିବାକୁ ମଉକା ମିଳୁଛି। ଧାଡ଼ିରେ ଠିଆ ହୋଇଥିବା ପର୍ଯ୍ୟଟକଙ୍କୁ ଟିକେଟ୍‌ ମିଳୁନଥିବା ବେଳେ କର୍ମଚାରୀମାନେ ଟିକେଟ୍‌ କଳାବଜାର କରୁଛନ୍ତି। ଛତିଶଗଡ଼ ପର୍ଯ୍ୟଟକଙ୍କ କ୍ଷେତ୍ରରେ ଏହା ହିଁ ଘଟିଥିଲା ବୋଲି ଅଭିଯୋଗ ହେବାରୁ ସେମାନଙ୍କୁ ଆକ୍ରମଣ କରାଯାଇଥିଲା। ସେହିଭଳି ନୌକାବିହାରସ୍ଥଳୀ, ବ୍ୟାଟେରିଚାଳିତ ରେଳ ଘର ପାଖ ଭଳି ଅନେକ ଗୁରୁତ୍ଵପୂର୍ଣ୍ଣ ସ୍ଥାନରେ ଲାଗିଥିବା ସିସିଟିଭି ଅଚଳ ଅବସ୍ଥାରେ ରହିଛି। ଦୀର୍ଘ ଦିନ ଏସବୁ ସିସିଟିଭି ଅଚଳ ଥିଲେ ବି କର୍ତ୍ତୃପକ୍ଷ ମରାମତି କରିବା ନାଁ ଧରୁନାହାନ୍ତି। କର୍ତ୍ତୃପକ୍ଷଙ୍କ ଏହି ଢିଲା ପଣ ବିଭନ୍ନ ଠିକା ସଂସ୍ଥାକୁ ବେଆଇନ କାମ କରିବାକୁ ସୁହାଉଛି ବୋଲି ଅଭିଯୋଗ ହେଉଛି। ସେହିଭଳି ବିଭିନ୍ନ କ୍ଷେତ୍ରରେ ଢିଲା ବ୍ୟବସ୍ଥା ଯୋଗୁଁ ସଫାରି ଭିତରେ ବସ୍‌ ଫସିରହିବା ଭଳି ଅଘଟଣ ବି ଘଟୁଛି। ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ କର୍ମଚାରୀମାନେ ବି ତତ୍ପର ନୁହନ୍ତି। ତେଣୁ ବହୁ ସମୟରେ ଖୁଆଡ଼ ଭିତରେ ଥିବା ବନ୍ୟପ୍ରାଣୀମାନେ ବି ପର୍ଯ୍ୟଟକଙ୍କୁ ଆକ୍ରମଣ କରୁଛନ୍ତି। ନିକଟରେ ସଫାରି ଭିତରେ ଜଣେ ପର୍ଯ୍ୟଟକଙ୍କୁ ଭାଲୁ କାମୁଡ଼ିବା ଓ ଜଣେ ଗାଇଡ୍‌ ଭାଲୁକୁ ଖାଇବାକୁ ଦେବା ବେଳେ ଆକ୍ରମଣର ଶୀକାର ହେବା ଭଳି ଅଘଟଣ ଘଟିଥିଲା। କେବଳ ସେତିକି ନୁହେଁ, ସୁରକ୍ଷାକର୍ମୀଙ୍କ ଢିଲାପଣରୁ ବାଘ ଖୁଆଡ଼କୁ କୁମ୍ଭୀର ଓ ଅଜଗର ସାପ ପଶିଆସିବା ଭଳି ଘଟଣା ମଧ୍ୟ ଘଟିଛି। ସୁରକ୍ଷାରେ ନିୟୋଜିତ ଥିବା ସୁରକ୍ଷାକର୍ମୀ,ବନରକ୍ଷୀ ଓ ବନପାଳମାନେ କ’ଣ କରୁଛନ୍ତି ବୋଲି ପଅଶ୍ନ ଉଠୁଛି।

Twitter

ନନ୍ଦନକାନନ ବୁଲି ଆସୁଥିବା ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପୂର୍ବରୁ ଏଠାରେ ଫାଣ୍ଡିଟିଏ ଥିଲା। କିନ୍ତୁ ଏବେ ତାହା ଥାନାରେ ପରିଣତ ହୋଇଛି। ଅଥଚ ପର୍ଯ୍ୟଟକମାନେ ସୁରକ୍ଷିତ ନୁହଁନ୍ତି। ମଝିରେ ମଝିରେ ପୁଲିସ ଗାଡ଼ି ନନ୍ଦନକାନନ ପରିସରରେ ପଇଁତରା ମାରିବା କଥା। କିନ୍ତୁ ଏଠାରେ ପୁଲିସ ପାଟ୍ରୋଲିଂ ବେଶ୍ ଦୁର୍ବଳ ବୋଲି ଅଭିଯୋଗ ହେଉଛି। ଏମିତିକି ବିଭିନ୍ନ ସ୍ବତନ୍ତ୍ର ଦିନରେ ନନ୍ଦନକାନନରେ ପର୍ଯ୍ୟଟକଙ୍କ ଭିଡ଼ ହେଲା ବେଳେ ସୁରକ୍ଷା ବ୍ୟବସ୍ଥାକୁ ଦୃଢ଼ କରିବା ପାଇଁ ଅତିରିକ୍ତ ପୁଲିସ ବଳ ନିୟୋଜିତ କରାଯାଉନାହିଁ। ଛତିଶଗଡ଼ ପର୍ଯ୍ୟଟକଙ୍କୁ ଆକ୍ରମଣ ମାମଲା ସମ୍ପର୍କରେ ନନ୍ଦନକାନନ ଉପନିର୍ଦ୍ଦେଶକ ସଂଜିତ କୁମାର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଏହି ମାମଲାରେ କର୍ତ୍ତୃପକ୍ଷ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ନନ୍ଦନକାନନ ଥାନାକୁ ଗଣ୍ଡଗୋଳକାରୀଙ୍କ ବାବଦରେ ଲିଖିତ ଆକାରରେ ସବୁ ତଥ୍ୟ ଜଣାଇ ଦିଆଯାଇଛି। ସେହିଭଳି ଜନ୍ତୁ ବିଭାଗ ଓ ସୁରକ୍ଷା ବିଭାଗ ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ସେମାନେ ତଦନ୍ତ ରିପୋର୍ଟରେ ଯାହାକୁ ଦୋଷୀ ବୋଲି ଦର୍ଶାଇବେ, ସେମାନଙ୍କୁ ଚାକିରିରୁ ବହିଷ୍କାର କଲା ଭଳି କଡ଼ା ପଦକ୍ଷେପ ନିଆଯିବ। ସେହିଭଳି ଅଚଳ ଥିବା ସିସିଟିଭି ସବୁକୁ ମରାମତି କରାଯିବ ଓ ଆଉ କିଛି ସ୍ଥାନରେ ନୂଆ ସିସିଟିଭି ଲଗାଯିବ ବୋଲି ସେ କହିଛନ୍ତି। ନନ୍ଦନକାନନର ୨ ଜଣ ସହକାରୀ ନିର୍ଦ୍ଦେଶକ (ଏସିଏଫ୍) ପଦବି ଖାଲି ପଡ଼ିଛି। ଯଥା ଶୀଘ୍ର ସେ ଦୁଇ ପବଦିକୁ ପୂରଣ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର