ସଫା ହେଉନି ବିନ୍ଦୁସାଗର ଦଳ ପର୍ଯ୍ୟଟକମହଲରେ ଅସନ୍ତୋଷ

ବିନ୍ଦୁସାଗର କୂଳରେ ପର୍ଯ୍ୟଟକ

ପୁରୁଣା ଭୁବନେଶ୍ବର: ବିନ୍ଦୁସାଗର କୂଳରେ ଦିନ ବେଳା ବିଦେଶୀ ପକ୍ଷୀଙ୍କ ଆଗମନ ଯୋଗୁଁ ଏହାର ସୌନ୍ଦର୍ଯ୍ୟ ବୃଦ୍ଧି ପାଉଥିବା ବେଳେ ସଂଧ୍ୟା ହେଲେ ମ୍ୟୁଜିକାଲ୍‌ ଫାଉଣ୍ଟେନ୍‌ ଦେଖିବାକୁ ଭିଡ଼ ଜମୁଛି। କିନ୍ତୁ ପୁଷ୍କରିଣୀର ଦଳ ଠିକ୍‌ ଭାବେ ସଫେଇ ହେଉ ନଥିବାରୁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗତ ୪ ବର୍ଷ ହେଲା ଶୀତ ଦିନେ ବିନ୍ଦୁସାଗରରେ ବିଦେଶୀ ପକ୍ଷୀ ଦେଖିବାକୁ ମିଳୁଛନ୍ତି। ଚଳିତ ଶୀତଋତୁରେ ମଧ୍ୟ ଏଠାକୁ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଛି।

ଦିନରେ ବିଦେଶୀ ପକ୍ଷୀ
ସନ୍ଧ୍ୟାରେ ମ୍ୟୁଜିକାଲ ଫାଉଣ୍ଟେନ୍‌

‌ସନ୍ଧ୍ୟା ହେଲେ ବିନ୍ଦୁସାଗରରେ ମ୍ୟୁଜିକାଲ ଫାଉଣ୍ଟେନ୍‌ ଦେଖିବାକୁ ଭିଡ଼ ଲାଗି ରହିଛି। ସନ୍ଧ୍ୟା ୬ଟାରେ ୧୦ରୁ ୧୫ ମିନିଟ୍‌ ପାଇଁ ହେଉଥିବା ଏହି ସୋ’ ପାଇଁ ଭୁବନେଶ୍ବରର ଆଖପାଖ ଲୋକ ମଧ୍ୟ ଆସୁଛନ୍ତି। ବିନ୍ଦୁସାଗର ପାଚେରି କଡ଼ ଓ ପୁଷ୍କରିଣୀ କୂଳରେ ସୋ’ ଆରମ୍ଭକୁ ଅପେକ୍ଷା କରି ରହୁଛନ୍ତି। ସେଠାରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚ୍ଚୀ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ଏକ କ୍ଷୁଦ୍ରଗଳ୍ପ ଲାଇଟ୍‌ ଓ ସାଉଣ୍ଡ୍‌ରେ ପ୍ରଦର୍ଶନ କରାଯାଉଛି। ପୋଖରୀକୁ ରଙ୍ଗିନ୍‌ ଆଲୋକରେ ସଜାଯିବା ସହ ଶିବ ଭଜନର ତାଳେ ତାଳେ ଆଲୋକ ଓ ପାଣିର ଖେଳ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି। ସୋ’ ଦେଖି ପର୍ଯ୍ୟଟକ ଉତ୍ସାହିତ ହେବା ସହ ନିଜ ମୋବାଇଲ୍‌ରେ ସେଲ୍‌ଫି ନେବାକୁ ଭୁଲୁ ନାହାନ୍ତି। ତେବେ ବିନ୍ଦୁସାଗରରୁ ଦଳ ସଫା ହେଉ ନ ଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଟଙ୍କପାଣି ରୋଡ୍‌ ଅଞ୍ଚଳର ଭରତ ବେହେରା କହନ୍ତି, ସନ୍ଧ୍ୟାରେ ମ୍ୟୁଜିକାଲ ଫାଉ‌ଣ୍ଟେନ୍‌ ଯେତିକି ଆକର୍ଷଣ କରୁଛି, ପାଣି ନୀଳ ଯୋଗୁଁ ସେତିକି କଷ୍ଟ ଲାଗୁଛି। ଦିନ ବେଳା ବିନ୍ଦୁସାଗର କଡ଼ରେ ଗଲେ ପାଣି ଅବସ୍ଥା ଦେଖି ହେଉନାହିଁ। କୋଲକାତାର ହରିଶ ଦେ କୁହନ୍ତି, ପୂର୍ବରୁ ବିନ୍ଦୁସାଗର କୂଳରେ ରହିବା ବେଳେ ବିନ୍ଦୁସାଗର ପାଣିରେ ଗାଧୋଇଥାଉ। କିନ୍ତୁ ଏବେ ଏହି ପାଣି ଛିଞ୍ଚି ହେବାକୁ ମଧ୍ୟ ଶ୍ରେୟ ମଣୁନାହୁଁ।

ସମ୍ବନ୍ଧିତ ଖବର