ଧଉଳି: ଆରମ୍ଭ ହୋଇଯାଇଛି ପର୍ଯ୍ୟଟନ ଋତୁ। ବିଶ୍ବ ପ୍ରସିଦ୍ଧ ଧଉଳ ଶାନ୍ତିସ୍ତୂପରେ ଦେଶ ବିଦେଶର ପର୍ଯ୍ୟଟକଙ୍କର ଭିଡ଼ ଜମିଲାଣି। ବିଶେଷ କରି ଧଉଳି ବସ୍ଷ୍ଟାଣ୍ଡରେ ପ୍ରତିଦିନ ଭୋରରୁ ଆରମ୍ଭ ହୋଇ ମଧ୍ୟାହ୍ନ ସୁଦ୍ଧା ବହୁ ସଂଖ୍ୟାରେ ବଙ୍ଗୀୟ ପର୍ଯ୍ୟଟକଙ୍କ ବସ୍ ଲାଗୁଛି। ସେମାନେ ପୁରୀ ବା ଭୁବନେଶ୍ବର ସହରରେ ପ୍ରବେଶ କରିବା ଯିବା ପୂର୍ବରୁ ଏହିଠାରେ ଅଟକି ନିତ୍ୟକର୍ମ ଶେଷ କରି ନେବାକୁ ଚାହୁଛନ୍ତି। ପୁଣି ଧଉଳି ବୁଲିବା ଲକ୍ଷ୍ୟରେ ସିଧା ଆସୁଥିବା ପର୍ଯ୍ୟଟକ ବି ଅଛନ୍ତି। ସମସ୍ତଙ୍କୁ ମିଶାଇ ଦୈନିକ ପାଖାପାଖି ୧୦ ହଜାର ପର୍ଯ୍ୟଟକ ଧଉଳି ଆସୁଥିବା ଜଣାଯାଇଛି। ଏହାଛଡ଼ା ପିକ୍ନିକ୍ ପାର୍ଟିଙ୍କର ମଧ୍ୟ ଗହଳି ଜମିଲାଣି। ହେଲେ ବସ୍ଷ୍ଟାଣ୍ଡ ପରିସରରେ କୋଟିଏ ଟଙ୍କା ଖର୍ଚ୍ଚରେ ତିଆରି ହୋଇଥିବା ଟଏଲେଟ କମ୍ପ୍ଲେକ୍ସରେ ବିଜୁଳି, ପାଣି ଓ ସ୍ବଚ୍ଛତା ଭଳି ମୌଳିକ ସମସ୍ୟା ଲାଗି ରହିଛି। ଫଳରେ ଧଉଳି ଆସୁଥିବା ପର୍ଯ୍ୟଟକମାନେ ବଡ଼ ହନ୍ତସନ୍ତ ହେଉଛନ୍ତି। ବସ୍ଷ୍ଟାଣ୍ଡର ଅସ୍ବାସ୍ଥ୍ୟକର ପରିବେଶ ଓ ପରିମଳ ବ୍ୟବସ୍ଥା ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି। ଗ୍ରାମ ପଞ୍ଚାୟତ ପକ୍ଷରୁ ଉପରୋକ୍ତ ସମସ୍ୟାର ସମାଧାନ ନେଇ ଭୁବନେଶ୍ବର ପର୍ଯ୍ୟଟନ ଅଧିକାରୀ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ହେଁ କିଛି ସୁଫଳ ମିଳିନାହିଁ।
ପର୍ଯ୍ୟଟକଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ୨୦୨୦-୨୧ ଆର୍ଥିକ ବର୍ଷରେ ବସଷ୍ଟାଣ୍ଡକୁ ଲାଗି ରହିଥିବା ୮ ଏକର ପରିମିତ ଐତିହ୍ୟସଂପନ୍ନ ପାର୍ବତୀ ପୁଷ୍କରିଣୀ ନିକଟରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ୧ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଦୁଇ ମହଲା ବିଶିଷ୍ଟ ଏକ ଟଏଲେଟ କମ୍ପ୍ଲେକ୍ସ ଏବଂ ୧୦ଟି ଭୋଜି ପିଣ୍ଡି ନିର୍ମାଣ କରା ଯାଇଥିଲା। ଟଏଲେଟ କମ୍ପ୍ଲେକ୍ସର ତଳ ଓ ଉପର ମହଲାରେ ଏକାବେଳକେ ଜଣେ ଦିବ୍ୟାଙ୍ଗଙ୍କ ସମେତ ୨୦ ଜଣ ପୁରୁଷ ଓ ୨୦ ଜଣ ମହିଳା ସ୍ନାନ ସୌଚ ପାଇଁ ବ୍ୟବସ୍ଥା ହୋଇଛି। ଦିବ୍ୟାଙ୍ଗ, ସ୍କୁଲ ପିଲା ଏବଂ ବରିଷ୍ଠ ନାଗରିକଙ୍କୁ ଛାଡ଼ିଦେଲେ ଅନ୍ୟ ସବୁବର୍ଗର ପର୍ଯ୍ୟଟକଙ୍କଠାରୁ ସେଥିପାଇଁ ମୁଣ୍ଡପିଛା ୫ ଟଙ୍କା ଫି’ ଆଦାୟ କରାଯାଉଛି। ତେବେ କୋଟିଏ ଟଙ୍କା ବିନିଯୋଗ କରି ଏହି ନୂତନ ଟଏଲେଟ କମ୍ପ୍ଲେକ୍ସ ନିର୍ମାଣ କରାଯିବା ସତ୍ତ୍ବେ ପର୍ଯ୍ୟଟକମାନଙ୍କ ସମସ୍ୟାର ସମାଧାନ ହୋଇ ପାରିନାହିଁ। ଲାଇନରେ ଠିଆ ହୋଇ ଶହ ଶହ ପର୍ଯ୍ୟଟକଙ୍କୁ ସ୍ନାନ ସୌଚ ହେବାକୁ ପଡ଼ୁଛି। ବନ୍ଦ୍ ପଡ଼ିଥିବା ପୁରୁଣା ଟଏଲେଟ କମ୍ପ୍ଲେକ୍ସ ନିକଟରୁ ୱାନ୍ ଏଚ୍ପି ମୋଟର ବୋରୱେଲରୁ ପାଣି ଆସୁଛି। ଠିକାଦାର ନୂଆ ବିଲ୍ଡିଂରେ ଆଉ ଏକ ବୋର୍ୱେଲ ନକରି ପୁରୁଣା ବୋର୍ୱେଲ ମୋଟରରୁ ପାଣି ସଂଯୋଗ କରି କାମ ଚଳାଇ ଦେଉଛି। ଯେଉଁଥିପାଇଁ ଅଧିକାଂଶ ବେଳେ ଭୋଜି ପିଣ୍ଡି, ଟଏଲେଟ ଏବଂ ଗାଧୁଆଘରକୁ ପାଣି ଯୋଗାଣ ସମ୍ଭବ ହେଉ ନଥିବା ଦାୟିତ୍ବରେ ଥିବା କର୍ମଚାରୀ କହିଛନ୍ତି। ବିଜୁଳି କଟିଗଲେ ପରିସ୍ଥିତି ବଡ଼ ଜଟିଳ ହୋଇ ଯାଉଛି। ଟାଙ୍କିରୁ ପାଣି ଶେଷ ହୋଇଯିବା ପରେ ସୌଚ ପାଇଁ ଧାଡ଼ିରେ ଠିଆ ହୋଇଥିବା ପର୍ଯ୍ୟଟକ ବଡ଼ କଲବଲ ହେଉଛନ୍ତି। ବିଜୁଳିର ଅନ୍ୟ ବିକଳ୍ପ ଉତ୍ସ ସୋଲାର୍ କି ଜେନେରେଟର ସୁବିଧା ନଥିବାରୁ ପାଣି ଯୋଗାଣ ବନ୍ଦ ହୋଇ ଯାଉଛି। ତା’ପରର ସ୍ଥିତି ଅନୁମାନ କରା ଯାଇପାରେ! ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପରିତ୍ୟକ୍ତ ଅବସ୍ଥାରେ ଥିବା ପାର୍ବତୀ ପୁଷ୍କରିଣୀ ପୁନରୁଦ୍ଧାର ହେଉନଥିବାରୁ ପୁଷ୍କରିଣୀ ଜଳ ସ୍ନାନ କିମ୍ବା ସୌଚରେ ବ୍ୟବହାର ହୋଇପାରୁ ନାହିଁ।
ପୁଷ୍କରିଣୀ ଚିଙ୍ଗୁଡ଼ିଆ ଦଳରେ ଭର୍ତ୍ତି ହୋଇଯାଇଛି। ପୋଖରିଟି ସେଥିପାଇଁ ପର୍ଯ୍ୟଟକଙ୍କ କାମରେ ଆସିବା ବଦଳରେ ମଶା ଆଦି ସମସ୍ୟାର କାରଣ ପାଲଟିଛି। ପୁଣି ପୋଖରି ବନ୍ଧ ସ୍ଥାନ ଅନାବନା ଗଛଲତାରେ ଭର୍ତ୍ତି ହୋଇଯାଇଥିବାରୁ ସରିସୃପଙ୍କ ବାସସ୍ଥାନ ପାଲଟିଛି। ତଥାପି ଟଏଲେଟ୍ ଧାଡ଼ିରେ ଠିଆହୋଇ ହତାଶ ହେଉଥିବା କିଛି ପର୍ଯ୍ୟଟକ ସରିସୃପଙ୍କ ଭୟ ଥିଲେ ହେଁ ଗଛ ବୁଦା ଭିତରେ ସୌଚ ହେବାକୁ ବାଧ୍ୟ ହେଉଛନ୍ତି। ନିୟମିତ ସଫା କରା ଯାଉନଥିବାରୁ ଚାରିଆଡ଼େ କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା ଗଦା ହୋଇ ରହିଛି। ଏଭଳି ପରିସ୍ଥିତିରେ ଆଗକୁ ପଯ୍ୟଟକମାନଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବାକୁ ଥିବାରୁ ବିଜୁଳି, ପରିମଳ ଓ ପାଣି ସମସ୍ୟାର ସମାଧାନ ଦିଗରେ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି। ଏସଂପର୍କରେ ପର୍ଯ୍ୟଟନ ଅଧିକାରୀ ଅଞ୍ଜନ ବାରିକଙ୍କୁ ପଚାରିବାରୁ, ଉପରିସ୍ଥ ଅଧିକାରୀଙ୍କୁ ଏ ସଂପର୍କରେ ଅବଗତ କରାଯାଇଛି ଓ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।