ଭୁବନେଶ୍ୱର: ପର୍ଯ୍ୟଟନ ଋତୁ ଚାଲିଥିବାରୁ ଏବେ ଦିନକୁ ଦିନ ଶ୍ରୀଲିଙ୍ଗରାଜ ମନ୍ଦିରରେ ଭିଡ଼ ବଢ଼ିବାରେ ଲାଗିଛି। ତେବେ ଏହି ଭିଡ଼ର ଫାଇଦା ଉଠାଉଛନ୍ତି ଲୁଟେରାମାନେ। ଠାକୁର ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁମାନେ ଲୁଟ୍‌ର ଶିକାର ହେଉଛନ୍ତି। ମନ୍ଦିର ପ୍ରଶାସନ ଓ କମିସନରେଟ୍‌ ପୁଲିସର ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଭକ୍ତ ଓ ପର୍ଯ୍ୟଟକମ‌ାନେ ଲୁଟେରାଙ୍କ କବଳରୁ ବର୍ତ୍ତିବା ସମ୍ଭବ ହେଉନାହିଁ। ସିସିଟିଭି ଲାଗି ମଧ୍ୟ ଲୁଟେରାଙ୍କୁ ଠାବ କରିବା ସମ୍ଭବ ହେଉନାହିଁ। ଗତ ଏକ ସପ୍ତାହ ମଧ୍ୟରେ ଏଠାରେ ୪ ଜଣ ଛିନ୍‌ତାଇର ଶିକାର ହୋଇଛନ୍ତି। ତେବେ ପୁଲିସ୍ କେବଳ ଜଣଙ୍କୁ ଧରିବାରେ ସଫଳ ହୋଇଛି। ଏହାକୁ ନେଇ ସାଧାରଣ ଭକ୍ତ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

Advertisment

ସୂଚନାନୁସାରେ ଡିସେମ୍ବର ମାସରୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ଭିଡ଼ ହେଉଛି।ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ପକେଟ୍‌ମାର୍‌ କରୁଥିବା ବେଳେ ମହିଳାଙ୍କ ବେକରୁ ସୁନାଚେନ୍, ମଙ୍ଗଳସୂତ୍ର ଛିଡ଼ାଇ ନେଉଛନ୍ତି। ଲିଙ୍ଗରାଜ ଥାନାରେ ଅଭିଯୋଗ ହେଲେ ମଧ୍ୟ ଲୁଟେରାମାନଙ୍କୁ ଧରିବାରେ ପୁଲିସ ବିଫଳ ହେଉଛି। ପୁଲିସ୍ କହିବା କଥା ମନ୍ଦିର ମଧ୍ୟରେ ମୋଟ ୩୨ଟି ସିସିଟିଭି ଲାଗିଛି। କିନ୍ତୁ ଅଧିକାଂଶ ସିସିଟିଭି ଚାଲୁ ନାହିଁ। ଯେତିକି ବି ଚାଲୁଛି, ସେତକ ଦୀପ, ଧୂପର ଧୂଆଁ କିମ୍ବା ଅନ୍ୟାନ୍ୟ କାରଣରୁ ସିସିଟିଭି ସ୍କ୍ରିନ୍‌ରେ ଧୂସର ହୋଇଯାଉଛି। ତେଣୁ ସେଗୁଡିକ ଭଲ ଭାବେ ଦେଖାଯାଉନାହିଁ। ଫଳରେ ଚୋରକୁ ଚିହ୍ନଟ କରାଯାଇ ପାରୁନାହିଁ। ସେହିଭଳି ମନ୍ଦିରରେ ଏକ ଫାଣ୍ଡି ରହିଛି। ଏହା ସହ ସ୍ପେସାଲ୍‌ ଫୋର୍ସ ମଧ୍ୟ ନିୟୋଜିତ କରାଯାଉଛି। କିନ୍ତୁ ସେମାନେ କେବଳ ଧାଡ଼ି କରାଇବା ଓ ଭିଡ଼ ନିୟନ୍ତ୍ରଣ କରୁଛନ୍ତି। ଏବାବଦରେ ଲିଙ୍ଗରାଜ ଥାନା ଅଧିକାରୀ ଶରତ ପାତ୍ର କହିଛନ୍ତି ଯେ ବର୍ତ୍ତମାନ ଥାନା ଓ ଫାଣ୍ଡି ପାଇଁ କର୍ମଚାରୀ ଅଭାବ। ଆବଶ୍ୟକଠାରୁ ୫୦ ପ୍ରତିଶତ କମ୍ କର୍ମଚାରୀରେ ଥାନା ଓ ମନ୍ଦିର ଫାଣ୍ଡି ଚାଲିଛି। କମ୍‌ କର୍ମଚାରୀରେ ଭିଡ଼ ନିୟନ୍ତ୍ରଣ କରିବା ଏକ କାଠିକର ପାଠ ହୋଇଯାଉଛି। ବର୍ତ୍ତମାନ ଫାଣ୍ଡିରେ ୩ଟି ସିଫ୍ଟରେ ୧୫ ଜଣ କର୍ମଚାରୀ କାମ କରୁଛନ୍ତି। ଅଧିକ କର୍ମଚାରୀ ଯୋଗାଇଦେବାକୁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି।