ପୁରୁଣା ଭୁବନେଶ୍ବର: ଶୀତ ବୃଦ୍ଧି ପାଉଥିବା ବେଳେ ଐତିହ୍ୟସଂପନ୍ନ ପର୍ଯ୍ୟଟନସ୍ଥଳ ଏକାମ୍ର କ୍ଷେତ୍ରରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ମାତ୍ର ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ରାତିରେ ବହୁ ହନ୍ତସନ୍ତ ହେଉଛନ୍ତି। ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ପର୍ଯ୍ୟଟକମାନେ ଯାତ୍ରୀ ବିଶ୍ରାମାଗାର କିମ୍ବା ଧର୍ମଶାଳା ସୁବିଧା ନପାଇ ଶୀତରେ ଖୋଲା ଆକାଶ ତଳେ ରାତି କାଟିବାକୁ ବାଧ୍ୟ ହେଉଛନ୍ତି। ଆଖପାଖରେ ଥିବା ଦୋକାନ ବାରଣ୍ଡା ଓ ରାସ୍ତାକଡ଼ ପାଲଟିଛି ସେମାନଙ୍କ ପାଇଁ ରାତ୍ରି ଆଶ୍ରୟସ୍ଥଳ। ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗିରହିଥିଲେ ମଧ୍ୟ ଏହା ଉପରେ ପର୍ଯ୍ୟଟନ ବିଭାଗ କିମ୍ବା ବିଏମ୍‌ସି କର୍ତ୍ତୃପକ୍ଷଙ୍କ ନଜର ପଡ଼ୁନାହିଁ। ସ୍ଥାନୀୟ ମାର୍କେଟ୍‌ କମ୍ପ୍ଲେକ୍ସରେ ଏକ ଯାତ୍ରୀ ବିଶ୍ରାମାଗାର ୬ ବର୍ଷ ହେଲା ଅଧାପନ୍ତରିଆ ପଡ଼ିରହିଛି। ଏହାକୁ କାର୍ଯ୍ୟକ୍ଷମ କରିବା ଦିଗରେ ପ୍ରଶାସନ କୌଣସି ଆନ୍ତରିକତା ଦେଖାଉ ନାହିଁ। ତେଣୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

Advertisment

ଉଲ୍ଲେଖନୀୟ ଯେ ଏବେ ପ୍ରତିଦିନ ରାତିରେ ଲିଙ୍ଗରାଜ ମନ୍ଦିରର ଆଖପାଖରେ ତୀର୍ଥଯାତ୍ରୀଙ୍କୁ ଆଣି ଆସିଥିବା ୨୦ରୁ ଉର୍ଦ୍ଧ୍ବ ବସ୍‌ ରାତିରେ ରହୁଛି। ଯାତ୍ରୀ ନିବାସରେ ପାଇଁ ମାତ୍ର କେତୋଟି କୋଠରି ଥିବାବେଳେ ତା’ର ଏକ ଅଂଶରେ ମନ୍ଦିର କାର୍ଯ୍ୟାଳୟ ଚାଲିଛି। ଅନ୍ୟ ଅଂଶରେ ଏକାମ୍ର ସଂସ୍କୃତିକ ପ୍ରକାଶନୀ ଭଜନ ମଣ୍ଡପ ଓ ଲାଇବ୍ରେରି ଚାଲିଛି। ଆଉ ଗୋଟିଏ ଅଂଶ ଖାଲି ପଡ଼ିଛି। ତେବେ ଯାତ୍ରୀ ରାତିରେ ରହିବାକୁ ସୁବିଧା ନପାଇ ବାଧ୍ୟ ହୋଇ ମାର୍କେଟ ବାରଣ୍ଡା ଓ ରାସ୍ତାକଡ଼ରେ ଶୋଉଛନ୍ତି। ଏବେ ପ୍ରତିଦିନ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଦେଖିବାକୁ ମିଳିଛି ଏହି ବିକଳ ଦୃଶ୍ୟ। ରାତି ୧୦ଟା ପରେ ଦୋକାନ ବଜାର ବନ୍ଦ ହେଉ ହେଉ ବାରଣ୍ଡାରେ ଶୋଇପଡ଼ୁଛନ୍ତି ପର୍ଯ୍ୟଟକମାନେ। ପିଲାଛୁଆଙ୍କୁ ଧରି ଜାକିଜୁକି ହୋଇ ମହିଳାମାନେ ଶୋଉଥିବାବେଳେ ପୁରୁଷମାନେ ଜଗିବସୁଛନ୍ତି। ବଡ଼ କଲବଲ ଅବସ୍ଥା।

ପ୍ରକାଶ ଥାଉକି ବର୍ଷକ ପୂର୍ବରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ଓଡ଼ିଶା ଟ୍ରାଭେଲ୍‌ ବଜାରର ଚତୁର୍ଥ ସଂସ୍କରଣ ଆରମ୍ଭ କରିଥିଲା। ଏହାର ମୂଳଲକ୍ଷ୍ୟ ଥିଲା ପର୍ଯ୍ୟଟନସ୍ଥଳୀର ପ୍ରଚାର ଓ ପ୍ରସାର କରିବା। ହେଲେ ଯେଉଁଠି ଟ୍ରାଭେଲ୍‌ ବଜାର ହୋଇଛି, ସେଠାରେ ପର୍ଯ୍ୟଟକଙ୍କୁ ମୌଳିକ ସୁବିଧା ମିଳୁନାହିଁ। ଏକାମ୍ର କ୍ଷେତ୍ରରେ ପର୍ଯ୍ୟଟକଙ୍କ ପାଇଁ ନା ସରକାରୀ ରହଣିସ୍ଥଳର ସୁବିଧା ଅଛି, ନା ଅଛି ଧର୍ମଶାଳା। କିଛି ଦିନ ପୂର୍ବେ ଦୁଦୁୱାଲା ଧର୍ମଶାଳା ବିକ୍ରି ହୋଇଯାଇଛି। ତେଣୁ ସେଠାରେ ପର୍ଯ୍ୟଟକମାନେ ରହିବା ସୁବିଧା ପାଉନାହାନ୍ତି ବୋଲି ଅଭିଯୋଗ କରିଛନ୍ତି। ସେହିପରି ମନ୍ଦିର ନିକଟସ୍ଥ ଲିଙ୍ଗରାଜ ମାର୍କେଟ ଉପର ମହଲାରେ ଥିବା ଯାତ୍ରୀ ଆଶ୍ରୟସ୍ଥଳ ମଧ୍ୟ କାମରେ ଆସୁନାହିଁ। ଏହାର ନିର୍ମାଣକୁ ୬ବର୍ଷ ବତିଗଲାଣି। ମାତ୍ର ପର୍ଯ୍ୟଟକମାନେ ରହିବାକୁ ସୁବିଧା ନାହିଁ। ଏମିତିକି ଲିଙ୍ଗରାଜ ମାର୍କେଟର ଶୌଚାଳୟ ଭାଙ୍ଗିରୁଜି ଶୋଚନୀୟ ଅବସ୍ଥାରେ ଅଛି। ଆହୁରି ଅଭିଯୋଗ ଅଛି ଯେ ଏଠାରେ ମନଇଚ୍ଛା ପାର୍କିଂ ଫି' ଆଦାୟ କରାଯାଉଛି। ସ୍ଥାନୀୟ ବାସିନ୍ଦାମାନଙ୍କ କହିବା କଥା, ଲିଙ୍ଗରାଜ ମାର୍କେଟ୍‌ର ପରିଚାଳନା କରୁଛି ବିଏମ୍‌ସି। ମାତ୍ର ଯାତ୍ରୀଙ୍କ ପାଇଁ ନିର୍ମିତ ଆଶ୍ରୟସ୍ଥଳକୁ କାର୍ଯ୍ୟକ୍ଷମ କରୁନାହିଁ। ପର୍ଯ୍ୟଟନ ବିଭାଗ ପର୍ଯ୍ୟଟକମାନଙ୍କ ଏଭଳି ବିକଳ ଅବସ୍ଥା ଦେଖି ନଦେଖିବା ଭଳି ନିରବ ରହୁଛି। ସ୍ଥାନୀୟ ଅଧିବାସୀ ଗୋପାଳ ମକଦ୍ଦମ କହନ୍ତି, ଯାତ୍ରୀ ନିବାସର ଅଧିକାଂଶ ଅଂଶରେ ଅନ୍ୟ କାମ ଚାଲିଛି। ଏପଟେ ପର୍ଯ୍ୟଟକ ରାତିରେ ରାସ୍ତା କଡ଼ ମାର୍କେଟ ବାରଣ୍ଡାରେ ଶୋଉଛନ୍ତି। ସ୍ଥାନୀୟ ଯୁବକ ଶକ୍ତି ପ୍ରସାଦ ସାହୁ କହନ୍ତି, ପର୍ଯ୍ୟଟକମାନଙ୍କୁ ପରିସ୍ରାଗାର ଓ ସ୍ନାନାଗାର ଭଳି ମୌଳିକ ସୁବିଧା ଯୋଗାଇଦେବା ଜରୁରୀ। ଏହାର ଅଭାବରେ ମହିଳା ପର୍ଯ୍ୟଟକମାନେ ବେଶି ସମସ୍ୟାରେ ପଡ଼ୁଛନ୍ତି। ରବୀନ୍ଦ୍ର ମହାରଣା କହନ୍ତି, ବାହାରୁ ଆସୁଥିବା ଶ୍ରଦ୍ଧାଳୁ କମନ୍‌ ପେମେଣ୍ଟ କାର୍ଡ ରିଚାର୍ଜ, ମୋ' ବସ୍‌ ଟିକେଟ୍‌ କିଣିବା, ପ୍ରିଣ୍ଟ-ଆଉଟ୍‌ କାଢ଼ିବା, ବିଭିନ୍ନ ସୂଚନା ପାଇବା, ମୋବାଇଲ୍‌ ଚାର୍ଜ ଓ ରିଚାର୍ଜ କରିବା ଭଳି ସେବା ପାଇଁ ଏଠାରେ ଏକ ସ୍ମାର୍ଟ କିଓସ୍କ ସ୍ଥାପନ କରା ଯାଇଥିଲା। କିନ୍ତୁ ଏହା ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛି। ମାର୍କେଟ୍‌ କଂପ୍ଲେକ୍ସରେ ଏଟିଏମ୍‌ ସହ ଅନ୍ୟ ସମସ୍ତ ବ୍ୟାକିଂ ସେବା ଏବଂ ରେଲୱେ କାଉଣ୍ଟର ଆଜି ପର୍ଯ୍ୟନ୍ତ ହେଲା ନାହିଁ। ଦୁଇ ପାଖରେ ଲାଗିଥିବା ଦୁଇଟି ଲିଫ୍ଟ ଆରମ୍ଭରୁ ଅଚଳ।

ଅନ୍ୟପକ୍ଷରେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ସମ୍ପାଦକ ସନତ ମିଶ୍ର କହିଲେ, ‘‘ଶ୍ରୀଲିଙ୍ଗରାଜ ପରିକ୍ରମା ଯୋଜନା କାମ ଆରମ୍ଭ ହେବା ବେଳେ ଏକାମ୍ର ପ୍ରକାଶନୀର ଭଜନ ମଣ୍ଡପକୁ ଭାଙ୍ଗିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ଆମେ ଏହାକୁ ବିରୋଧ କରିବାରୁ ମୁଖ୍ୟମନ୍ତ୍ରୀ ଡାକି ଆଲୋଚନା କରିଥିଲେ। କ୍ଷତିପୂରଣ ବାବଦକୁ ଆମେ ୧୦କୋଟି ମାଗିଥିବାବେଳେ ଆମ ସହମତିରେ ୫କୋଟି ଦିଆଯାଇଥିଲା। ଏଠାରେ ୩୦ହଜାର ବହି ଥିବାରୁ ଏହାକୁ ରଖିବା ପାଇଁ ଫର୍ଣ୍ଣିଚର ସହ କାର୍ଯ୍ୟାଳୟକୁ ଯାତ୍ରୀ ନିବାସକୁ ସ୍ଥାନାନ୍ତର କରାଯାଇଥିଲା। ଆମ ଭଜନ ମଣ୍ଡପ ତୁରନ୍ତ ନିର୍ମାଣ କରିଦେଲେ ଆମେ ଯାତ୍ରୀନିବାସ ତୁରନ୍ତ ଛାଡ଼ି ଦେବୁ।’’ ଏ ବିଷୟ ପଚାରିବାରୁ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ରୂଦ୍ର ନାରାୟଣ ମହାନ୍ତି ଓ ବିଏମ୍‌ସି ଜୋନାଲ ଡେପୁଟି କମିସନର ରାଜଲକ୍ଷ୍ମୀ ନାୟକ କହିଲେ, ଏନେଇ ତର୍ଜମା କରି ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ।