ଭୁବନେଶ୍ବର: ସମ୍ପ୍ରତି ବିଭିନ୍ନ କ୍ଷେତ୍ରରେ ସାଇବର ଠକଙ୍କ ପ୍ରାଦୁର୍ଭାବ ବଢ଼ିଚାଲିଛି। ଡିଜିଟାଲ୍‌ ଆରେଷ୍ଟ ଭଳି ସଂଗିନ୍‌ ମାମଲା ସହିତ ଛୋଟଛୋଟ ମାମଲାରେ ସରକାରୀ ଯୋଜନାର ହିତାଧିକାରୀମାନଙ୍କୁ ବି ଟାର୍ଗେଟ୍‌ କରୁଛନ୍ତି ସାଇବର ଠକ। ଏବେ ସାଇବର ଠକଙ୍କ ନିଶାଣରେ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ।  ହୋଟେଲ୍‌, ଗେଷ୍ଟ୍‌ହାଉସ୍‌  ଭଳି ସୁବିଧା ଯୋଗାଇବାକୁ ୱେବ୍‌ସାଇଟ୍‌ ମାଧ୍ୟମରେ ଲୋଭ ଦେଖାଇ ସାଇବର ଠକମାନେ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀମାନଙ୍କୁ ଲୁଟୁଛନ୍ତି। ମାଳମାଳ ନକଲି ୱେବ୍‌ସାଇଟ୍‌ ଘୂରି ବୁଲୁଛି। ତେଣୁ ଟିକିଏ ସାବଧାନ ନ ହେଲେ, ଫସିବା ନିଶ୍ଚିତ। ଏଭଳି ଠକେଇ ନୂଆ ନ ହେଲେ ହେଁ ଏହା ବଢ଼ିବଢ଼ି ଚାଲିଛି। ତେଣୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏନେଇ ଚିନ୍ତା ପ୍ରକଟ କରିଛି ଏବଂ ସତର୍କ ରହିବାକୁ ପରାମର୍ଶ ଦେଇଛି। ଗୃହ ମନ୍ତ୍ରାଳୟ ଅଧୀନରେ ଥିବା ଇଣ୍ଡିଆନ୍‌ ସାଇବର୍‌ କ୍ରାଇମ୍‌ କୋ-ଅର୍ଡିନେସନ୍‌ ସେଣ୍ଟର ଏଭଳି ସତର୍କତା ଜାରି କରିଛି।  

Advertisment

ଓଡ଼ିଶା କ୍ରାଇମ୍‌ବ୍ରାଞ୍ଚ୍‌ରେ ଏଭଳି ବହୁ ମାମଲା ରୁଜୁ ହେଲାଣି। ୪ମାସ ଭିତରେ ୪୮ରୁ ଅଧିକ ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ୨୦ଟି ମାମଲାରେ ଓଡ଼ିଆ ତୀର୍ଥଯାତ୍ରୀମାନେ ଲକ୍ଷାଧିକ ଟଙ୍କା ହରାଇଛନ୍ତି। ଏକ ଅଭିଯୋଗ ଅନୁସାରେ ଅଶୋକ ସାହୁ ଉତ୍ତର ଭାରତ ଭ୍ରମଣରେ ଯିବାକୁ ବାହାରିଥିଲେ। ତେଣୁ ବିଭିନ୍ନ ତୀର୍ଥ ସ୍ଥାନରେ ହୋଟେଲ୍‌ ଓ ଟାକ୍ସି ଆଦି ଆଗୁଆ ବୁକ୍‌ କରିବା ପାଇଁ ସେ ୱେବ୍‌ସାଇଟ୍‌ରେ ପ୍ରତିଷ୍ଠିତ ଟ୍ରାଭେଲ୍‌ ଏଜେନ୍‌ସି ଖୋଜିଲେ। ବାରାଣସୀରେ ହୋଟେଲ୍‌ ରହଣି ପାଇଁ ସେ ଏକ ୱେବ୍‌ସାଇଟ୍‌ ଜରିଆରେ ବୁକ୍‌ କଲେ। ଦୁଇ ଦିନ ରହଣି ପାଇଁ ତାଙ୍କୁ ୧୦ ହଜାର ଟଙ୍କା ଦେବାକୁ ପଡ଼ିବ ଏବଂ ଅଗ୍ରିମ ଆକାରରେ ୨ ହଜାର ଟଙ୍କା ଦେବାକୁ ହେବ ବୋଲି କୁହାଗଲା। ସେ ଅନ୍‌ଲାଇନ୍‌ରେ ଟଙ୍କା ପଇଠ କଲେ। କିଛି ସମୟ ପରେ ତାଙ୍କୁ ଉକ୍ତ ସଂସ୍ଥା ପକ୍ଷରୁ ପୁଣି ଫୋନ୍‌ କରି କୁହାଗଲା କି ହୋଟେଲ ଖର୍ଚ୍ଚର ୫୦ ପ୍ରତିଶତ ପଇଠ ନ କଲେ, ବୁକିଂ ବାତିଲ ହୋଇଯିବ। ତେଣୁ ଅଶୋକ ଅନ୍‌ଲାଇନ୍‌ରେ ଆଉ ୩ ହଜାର ଟଙ୍କା ପଠାଇଦେଲେ। କିନ୍ତୁ ସେ ବାରାଣସୀରେ ପହଞ୍ଚିବା ପରେ ଠକାମିର ଶିକାର ହୋଇଥିବା ଜାଣିଲେ। କର୍ତ୍ତୃପକ୍ଷ ହୋଟେଲର ପ୍ରକୃତ ୱେବ୍‌ସାଇଟ୍‌ ଦେଖାଇ ଅଶୋକଙ୍କୁ ନିଶ୍ଚିତ କଲେ ଯେ ତାଙ୍କ ନାଁରେ କୌଣସି ରୁମ୍‌ ବୁକ୍‌ ହୋଇନାହିଁ। ତେଣୁ ଅଶୋକ ବାଧ୍ୟ ହୋଇ ଅଧିକ ଟଙ୍କା ପଇଠ କରି ହୋଟେଲ୍‌ରେ ରହିଲେ। ତାଙ୍କ ଅଗ୍ରିମ ୫ ହଜାର ତ ଗଲା, ଶେଷରେ ତତ୍କାଳ ହୋଟେଲ୍‌ ବୁକ୍‌ କରି ଅଧିକ ଖର୍ଚ୍ଚାନ୍ତ ହେଲେ। କେବଳ ଅଶୋକ ନୁହନ୍ତି ଏମିତି ଅନେକ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ସାଇବର ଠକଙ୍କ ଶିକାର ହେଉଛନ୍ତି। କିଏ ହୋଟେଲ୍‌ ନାଁରେ ତ ଆଉ କିଏ ହେଲିକପ୍ଟର, କ୍ୟାବ୍‌ ଆଦି ଆଗୁଆ ବୁକ୍‌ କରିବାକୁ ଯାଇ ଫସୁଛନ୍ତି। 

ଓଡ଼ିଶାରେ ପୁରୀ, କୋଣାର୍କ ଓ ଭୁବନେଶ୍ବର ଭଳି ସହରକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ମଧ୍ୟ ଏମିତି ନକଲି ୱେବ୍‌ସାଇଟ୍‌ରେ ଯୋଗାଯୋଗ କରି ପରେ ହନ୍ତସନ୍ତ ହେଉଛନ୍ତି। ଅନ୍‌ଲାଇନ୍‌ରେ ବୁକ୍‌ କରି ତୀର୍ଥସ୍ଥାନ ବା ପର୍ଯ୍ୟଟନସ୍ଥଳରେ ପହଞ୍ଚିବା ବେଳକୁ ନା ହୋଟେଲ୍‌ ମିଳୁଛି ନା ମିଳୁଛି ଟ୍ରାଭେଲ୍‌ ଏଜେନ୍‌ସି। ସମଗ୍ର ଦେଶରେ ଏଭଳି ମାମଲା ବଢ଼ୁଥିବାରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଚିନ୍ତା ପ୍ରକଟ କରିଛି। ତେଣୁ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀମାନେ ଅନ୍‌ଲାଇନ୍‌ ସର୍ଚ କଲା ବେଳେ ୱେବ୍‌ସାଇଟ୍‌ର ବୈଧତା ଯାଞ୍ଚ କରିବାକୁ ପରାମର୍ଶ ଜାରି କରାଯାଇଛି। ପର୍ଯ୍ୟଟନସ୍ଥଳ ଓ ତୀର୍ଥସ୍ଥଳ ଭ୍ରମଣ ପାଇଁ ସରକାରୀ ୱେବ୍‌ସାଇଟ୍‌ ରହିଛି। ତେଣୁ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀମାନେ ସରକାରୀ କିମ୍ବା ଅନ୍ୟ ବୈଧ ୱେବ୍‌ସାଇଟ୍‌ରେ ଯୋଗାଯୋଗ କରିବା ଉଚିତ ବୋଲି ପରାମର୍ଶ ଦିଆଯାଇଛି।