କଙ୍ଗାରୁ କୋର୍ଟରେ ମହିଳାଙ୍କୁ ନିର୍ଯାତନା ମାମଲା: ୪ ମହିଳାଙ୍କୁ କୋର୍ଟ ଚାଲାଣ

ଭୁବନେଶ୍ବର: ରାତି ଅଧରେ କଙ୍ଗାରୁ କୋର୍ଟ ବସାଇ ଜଣେ ମହିଳାଙ୍କୁ ଖୁଣ୍ଟରେ ବାନ୍ଧି ପିଟିବା ସହ ଗାଳିଗୁଲଜ କରି ନିର୍ଯାତନା ଦେବା ମାମଲାରେ କମିସନରେଟ୍‌ ପୁଲିସ ୪ ମହିଳାଙ୍କୁ କୋର୍ଟ ଚାଲାଣ କରିଛି। ମଞ୍ଚେଶ୍ବର ଲେପର୍ସି କଲୋନିରେ ଘଟିଥିବା ଏହି ଘଟଣାରେ ମଞ୍ଚେଶ୍ବର ଥାନା ପୁଲିସ ଗିରଫ କରିଥିବା ମହିଳାମାନେ ହେଲେ ରଶ୍ମିତା ପାତ୍ର(୩୮), ମଞ୍ଜୁଲତା ବାରିକ(୪୫), ଜାମିନ ପ୍ରଧାନ(୩୦) ଏବଂ ଲକ୍ଷ୍ମୀ ସିଂ(୩୦)। ପୀଡ଼ତା ଭୟରେ ଅଭିଯୋଗ କରିନଥିବା ବେଳେ ପୁଲିସ ନିଜ ଆଡ଼ୁ ମାମଲା ରୁଜୁ କରି ଏହି ପଦକ୍ଷେପ ନେଇଛି। ଦିନକୁ ଦିନ ରାଜଧାନୀରେ ଏମିତି କଙ୍ଗାରୁ କୋର୍ଟ ମାମଲା ବଢ଼ୁଥିବା ବେଳେ କମିସନରେଟ୍‌ ପୁଲିସର ଏହି ପଦକ୍ଷେପ କିଛିଟା ପ୍ରଭାବ ପକାଇବ ବୋଲି କୁହାଯାଉଛି।

ପ୍ରକାଶ ଥାଉକି ପୀଡ଼ିତା ଓ ଜଣେ ଯୁବକଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଥିବା ଅଭିଯୋଗ କରି ଗତ କିଛି ଦିନ ହେଲା ଲେପର୍ସି କଲୋନିର ଉତ୍ତେଜନା ଲାଗି ରହିଥିଲା। ସ୍ଥାନୀୟ ଲୋକଙ୍କ ବିରୋଧ ପରେ ଉଭୟେ ଖୋଲାଖୋଲି ମିଳାମିଶା ବନ୍ଦ କରି ଲୁଚାଚୋରାରେ ମିଶୁଥିଲେ। ତେଣୁ ବସ୍ତିଲୋକଙ୍କ ଭିତରେ ଆହୁରି ରାଗ ବଢ଼ିଥିଲା। ସୋମବାର ରାତି ପାଖାପାଖି ସାଢ଼େ ୯ଟା ସମୟରେ ମହିଳାଜଣଙ୍କ ଯୁବକଙ୍କ ପାଖକୁ ଆସିଥିବା ଖବର ପ୍ରଚାରିତ ହେବା ପରେ ବସ୍ତିର କିଛି ମହିଳା ତାଙ୍କୁ ଘେରି ଯାଇଥିଲେ। ଗିରଫ ହୋଇଥିବା ଉପରୋକ୍ତ ୪ ମହିଳାଙ୍କ ନେତୃତ୍ବରେ ଲୋକମାନେ ମହିଳାଙ୍କୁ ଏକ ଖୁଣ୍ଟରେ ବାନ୍ଧି ପ୍ରବଳ ମାଡ଼ ମାରିଥିଲେ। ଖବର ପାଇ ମଞ୍ଚେଶ୍ବର ଥାନା ପୁଲିସ ସେଠାରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଥିଲା।

ସମ୍ବନ୍ଧିତ ଖବର