ବାଲିଅନ୍ତା: ଏକ ଯୌତୁକ ନିର୍ଯାତନା ମାମଲାରେ ଗଣ୍ଡିଲୋ ଗ୍ରାମର ରାଜକିଶାର ଭୋଳ(୩୧)ଙ୍କୁ ବାଲିଅନ୍ତା ଥାନା ପୁଲିସ୍ ଗିରଫ କରି କୋର୍ଟଚାଲାଣ କରିଛି। କୋର୍ଟରେ ଜାମିନ ଖାରଜ ହେବାରୁ ତାଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ରାଜକିଶୋରଙ୍କ ବିରୋଧରେ ତାଙ୍କ ପତ୍ନୀ ସଂଧ୍ୟାରାଣୀ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ୍ ନଂ ୫୨/୨୩ରେ ଏକ ମାମଲା ରୁଜୁ କରିଛି।
ସୂଚନା ଅନୁସାରେ, ୨୦୧୮ରେ କାକରୁଦ୍ରପୁର ଗ୍ରାମର ବାସୁଦେବ ପରିଡ଼ାଙ୍କ ଝିଅ ସଂଧ୍ୟାଙ୍କୁ ଗଣ୍ଡିଲୋ ଗ୍ରାମର ରାଜକିଶୋର ବିବାହ କରିଥିଲେ। ବିବାହ ସମୟରେ ବରଘର ଦାବି ମୁତାବକ, ଯୌତୁକ ବାବଦରେ ୧ ଲକ୍ଷ ୫୦ହଜାର ଟଙ୍କା, ସୁନାଗହଣା ଓ ଅନ୍ୟାନ୍ୟ ଆସବାବପତ୍ର ଦିଆଯାଇଥିଲା। ବିବାହର ଦେଢ଼ବର୍ଷ ପରେ ସେମାନଙ୍କର ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା। ମାତ୍ର ଜନ୍ମର ୨୫ଦିନ ପରେ ତା’ର ମୃତ୍ୟୁ ହୋଇଯିବାରୁ ସେମାନଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ଉଠିଥିଲା।
ଆଉ ଅଧିକ ୨ଲକ୍ଷ ଟଙ୍କା ଯୌତୁକ ଦାବି କରି ରାଜକିଶାର ଏବଂ ତାଙ୍କ ପରିବାରଲୋକ ସଂଧ୍ୟାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିଲେ। ଏଥିରେ ଅତିଷ୍ଠ ହୋଇ ସଂଧ୍ୟା ବାପଘରକୁ ପଳାଇ ଆସିଥିଲେ। ନିକଟରେ ଭଦ୍ରଲୋକଙ୍କ ଉପସ୍ଥିତିରେ ଏହାର ସମାଧାନ ହୋଇଥିଲା। ପରେ ବାସୁଦେବ ଝିଅକୁ ନେଇ ଶାଶୂଘରେ ଛାଡ଼ି ଆସିଥିଲେ। କିନ୍ତୁ ସଂଧ୍ୟା ଶାଶୂଘରେ ପହଞ୍ଚୁ ପହଞ୍ଚୁ ରାଜକିଶୋର ତାଙ୍କୁ ବାପଘରୁ ଟଙ୍କା ଆଣିବା କଥା ପଚାରିଥିଲେ। ଏହାକୁ ନେଇ ପୁଣି ଦୁହିଁଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ରାଜକିଶୋର ଏକ ଲୁହା ଛଡ଼ରେ ସଂଧ୍ୟାକୁ ମାଡ଼ ମାରିଥିଲେ ବୋଲି ଅଭିଯୋଗ ହୋଇଛି।