ଭୁବନେଶ୍ୱର: ରାତି ଅଧରେ ରାସ୍ତା କଡ଼ରେ ଆବର୍ଜନା ଗଦା କଲେ କାର୍ଯ୍ୟାନୁଷ୍ଠାନ ହେବ। ପ୍ରତିଦିନ ରାତିରେ ସଫା ହେବ ସହରର ଗଳିକନ୍ଦି। ପ୍ରାଥମିକ ପର୍ଯ୍ୟାୟରେ ବିଏମ୍ସିର ୪୦ ଓ ୫୩ ନମ୍ବର ୱାର୍ଡରେ ଏହି ଅଭିଯାନ କରିବାକୁ ଗତ ସପ୍ତାହରେ ଘୋଷଣା କରାଯାଇଥିଲା। କିନ୍ତୁ ଆରମ୍ଭରୁ ଝୁଣ୍ଟିଲା ଯୋଜନା।
ପୂର୍ବ ଯୋଜନାନୁଯାୟୀ ଆଜି ବିଏମ୍ସି କମିସନର ବିଜୟ ଅମୃତା କୁଲାଙ୍ଗେ ସଦଳବଳ ରାତିରେ ଅଳିଆ ସଫା କରିବାକୁ ବାହାରିଥିଲେ। ୟୁନିଟ୍-୧ ଓ ୟୁନିଟ୍-୨ ଅଞ୍ଚଳରେ ସଫେଇ କାର୍ଯ୍ୟର ଶୁଭାରମ୍ଭ କରିବାକୁ କିଛି ସଫେଇ କର୍ମଚାରୀଙ୍କୁ ସାଙ୍ଗରେ ଧରି ଯାଇଥିଲେ। କିନ୍ତୁ ଅନ୍ୟ ଏକ ସଫେଇ କର୍ମଚାରୀ ଗୋଷ୍ଠୀ ଏହାକୁ ବିେରାଧ କରିଥିଲେ। ଫଳରେ ଦୁଇ ସଫେଇ କର୍ମଚାରୀ ଗୋଷ୍ଠୀ ମୁହାଁମୁହିଁ ହେବାରୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଶେଷରେ କାର୍ଯ୍ୟକ୍ରମ ବହୁ ଆଡ଼ମ୍ବରେ ଲଘୁକ୍ରିୟା ସଦୃଶ ହେଲା। ପୂର୍ବରୁ କର୍ମଚାରୀଙ୍କ ସହ ଆଲୋଚନା ନକରି, ସେମାନଙ୍କର କ’ଣ ସମସ୍ୟା ନବୁଝି କାମ ଆରମ୍ଭ କରିବା ଫଳ ଓଲଟା ହୋଇଛି।
ୟୁନିଟ୍-୧ସ୍ଥିତ ଏସ୍ବିଆଇ ବ୍ୟାଙ୍କ ସମ୍ମୁଖରେ ଏଭଳି ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ଏହାରି ଭିତରେ କମିସନର ଓ ମେୟର ଫିତା କାଟି ୟୁନିଟ୍-୨ ଅଞ୍ଚଳରେ ଅନ୍ୟ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ପଳାଇ ଯାଇଥିଲେ। ସେଠାରେ ମଧ୍ୟ ସମାନ ସ୍ଥିତି ଉପୁଜିଥିଲା। ବିରୋଧ କରୁଥିବା ଗୋଷ୍ଠୀର ଅଭିଯୋଗ ହେଉଛି ଯେ ଝାଡ଼ୁଦାରଙ୍କ ସହ ବିନା ଆଲୋଚନାରେ ବିଏମ୍ସି ଏଭଳି ନିଷ୍ପତ୍ତି ନେଇଛି। ରାତିରେ ମହିଳା ଛାଡ଼ୁଦାରମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ରାତି ଅଧରେ ସହରର ବିଭିନ୍ନ ସ୍ଥାନରେ ଅସାମାଜିକଙ୍କ ଆଡ଼ା ଜମୁଛି। ମଦ୍ୟପାନ କରି ଖରାପ ଭାଷାରେ ଗାଳିଗୁଲଜ କରୁଛନ୍ତି। ଲୁଟ୍ ବି ବଢ଼ୁଛି। ଏଭଳି ସମୟରେ ରାତିରେ ଯେଉଁମାନେ ଛାଡ଼ୁ ମାରିବେ ସେମାନଙ୍କ ସୁରକ୍ଷାକୁ କିଏ ସୁନିଶ୍ଚିତ କରିବ ବୋଲି ସେମାନେ ପ୍ରଶ୍ନ କରିଥିଲେ। ପାଖାପାଖି ଏକ ଘଣ୍ଟା ଧରି ଯୁକ୍ତିତର୍କ ଲାଗି ରହିଥିଲା। ପରିମଳ କର୍ମଚାରୀଙ୍କ ସହ ଆସନ୍ତାକାଲି (ବୁଧବାର) ଆଲୋଚନା ହେବ ବୋଲି ବିଏମ୍ସିର ଅଧିକାରୀମାନେ ପ୍ରତିଶ୍ରୁତି ଦେବା ପରେ ସ୍ଥିତିରେ ସୁଧାର ଆସିଥିଲା।
ବିଏମ୍ସିର ଯୋଜନା ଅନୁଯାୟୀ ଏବେ ପ୍ରତି ଅଞ୍ଚଳରେ ସକାଳେ ସଫେଇ କରାଯାଉଛି। ଦୀର୍ଘ ସମୟ ପର୍ଯ୍ୟନ୍ତ ଆବର୍ଜନା ପଡ଼ି ରହିବା ଦ୍ବାରା ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ତା’ ଛଡ଼ା ଲୋକେ ରାତିଅଧିଆ ଆବର୍ଜନା ବାହାରେ ଗଦା କରିଦେଉଛନ୍ତି। ଏଭଳି ଅନେକ ଅଭିଯୋଗ ଆସିବା ପରେ ବିଏମ୍ସି ରାତିରେ ସଫେଇ କରିବାକୁ ନିଷ୍ପତ୍ତି ନେଇଛି। ବ୍ୟବସାୟୀ ଓ ସାଧାରଣ ଲୋକ ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁ ରଖିବା ପାଇଁ ଦୁଇଟି ଡଷ୍ଟବିନ୍ ବ୍ୟବହାର କରିବେ। ବିଏମ୍ସି ପକ୍ଷରୁ ଯାଉଥିବା ଗାଡ଼ିରେ ଆବର୍ଜନା ଦେବେ। ପ୍ରାଥମିକ ପର୍ଯ୍ୟାୟରେ ଉକ୍ତ ଦୁଇଟି ୱାର୍ଡ ଅଧୀନ ଫରେଷ୍ଟ ପାର୍କ, ୟୁନିଟ୍-୨, ୟୁନିଟ୍-୩ ସରକାରୀ କ୍ୱାର୍ଟର୍ସ, ମାର୍କେଟ ବିଲ୍ଡିଂ ଏରିଆ, ଯଯାତି ହୋଟେଲ, ଆର୍ବିଆଇ, ଏସ୍ବିଆଇ, ପିଏମ୍ଜି, ୧ ନମ୍ବର ହାଟ, କମଳା ନେହରୁ ମହିଳା ମହାବିଦ୍ୟାଳୟ, ୟୁନିଟ୍-୧ ଏସ୍ବିଆଇ, କ୍ୟାପିଟାଲ୍ ଥାନା, ମହିଳା ଥାନା, କୁକୁଟେଶ୍ୱର ମନ୍ଦିର ଓ ପଳାସପଲ୍ଲୀ ଅଞ୍ଚଳରେ ରାତି ଅଧିଆ ସଫେଇ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ସେହି ମୁତାବକ ବିଏମ୍ସି କମିସନର ଶ୍ରୀ କୁଲାଙ୍ଗେ, ଅତିରିକ୍ତ କମିସନରଙ୍କ ସହ ବରିଷ୍ଠ ଅଧିକାରୀ ଓ ଏନ୍ଫୋର୍ସମେଣ୍ଟ ଟିମ୍ ବି ଯାଇଥିଲା। ଯିଏ ବାହାରେ ଜବରଦଖଲ କରିଥିବେ କିମ୍ବା ସାମଗ୍ରୀ ଜମା କରୁଥିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ଯୋଜନା ଥିଲା। କିନ୍ତୁ ଦୁଇ ସଫେଇ କର୍ମଚାରୀ ଗୋଷ୍ଠୀ ମଧ୍ୟରେ ବିବାଦ ଯୋଗୁଁ ସବୁ ଫସର ଫାଟିଗଲା। କେବଳ ଉଦ୍ଘାଟନ କରି ଦୋକାନଠାରୁ ୫ ମିଟର ପର୍ଯ୍ୟନ୍ତ ଅଳିଆ ଆବର୍ଜନା ନ ପକାଇବାକୁ ବ୍ୟବସାୟୀଙ୍କୁ ସଚେତନ କରି ଟିମ୍ ଫେରିଥିଲା। ଯୋଜନା ଅନୁଯାୟୀ ଟିମ୍କୁ ଶତ ପ୍ରତିଶତ ସଫଳତା ମିଳିନାହିଁ।