ଭୁବନେଶ୍ବର: ଟାଉନ୍‌ କ୍ଲବ୍‌ ପକ୍ଷରୁ ଚାଲିଥିବା ୧୫ ବର୍ଷରୁ କମ୍‌ କ୍ରିକେଟ୍‌ ପ୍ରତିଯୋଗିତାର ମଙ୍ଗଳବାର ଚତୁର୍ଥ ଦିନରେ ଜାଗୃତି କ୍ରିକେଟ କ୍ଲବ୍‌ ୫ ରନ୍‌ରେ ଭରତଭୂଷଣ କ୍ରିକେଟ୍‌ ଏକାଡେମିକୁ ଏବଂ ଟାଉନ କ୍ଲବ୍‌-ଏ ୯ ୱିକେଟ୍‌ରେ ମୁକ୍ତେଶ୍ବର କ୍ରିକେଟ୍‌ କ୍ଲବ୍‌କୁ ପରାସ୍ତ କରି ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ପ୍ରଥମ ମ୍ୟାଚ୍‌ରେ ଟସ୍‌ ହାରି ବ୍ୟାଟିଂ ପାଇଥିବା ଜାଗୃତି ୨୫ ଓଭରରେ ୪ ୱିକେଟ୍‌ ବିନିମୟରେ ୧୧୩ ରନ୍‌ କରିଥିଲା। ସ୍ବୟମ ଦାସ ୩୮ ଓ ଶୁଭମ କୁମାର ଯାଦବ ୩୪ ରନ୍‌ କରିଥିଲେ। ଭରତ ଭୂଷଣ କ୍ରିକେଟ ଏକାଡେମି ପକ୍ଷରୁ ହିମନିଶ ସାହୁ ୨ ୱିକେଟ୍‌ ପାଇଥିଲେ। ଜବାବରେ ଭରତ ଭୂଷଣ କ୍ରିକେଟ ଏକାଡେମି ନିର୍ଦ୍ଧାରିତ ଓଭର ସୁଦ୍ଧା ୧୦୮/୯ ସ୍କୋର କରିପାରିଥିଲା। ବିଜୟୀ ଦଳର ଅଭିଶେଷ ସାସ୍‌ମଲ ଏବଂ ଅରୁନ୍ଧୟ ପ୍ରଧାନ ୨ ୱିକେଟ୍‌ ଲେଖାଏଁ ଅକ୍ତିଆର କରିଥିଲେ। ସ୍ବୟମ ଓ ଅରୁନ୍ଧୟଙ୍କୁ ଯୁଗ୍ମ ଭାବେ ଟାଉନ କ୍ଲବ୍‌ ସାଧାରଣ ସମ୍ପାଦକ ପୃଥ୍ବୀକାନ୍ତ ମହାପାତ୍ର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ।

Advertisment

ଦ୍ବିତୀୟ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ମୁକ୍ତେଶ୍ବର କ୍ଲବ୍‌ ୨୦.୫ ଓଭରରେ ସମସ୍ତ ୱିକେଟ୍‌ ହରାଇ ୫୫ ରନ୍‌ କରିଥିଲା। ହରିବଂଶ ଭୂୟାଁ ୩, ବୈଭବ ଘୋଷ ଓ ପ୍ରୀତେଷ ମିଶ୍ର ପ୍ରତ୍ୟେକ ୨ ୱିକେଟ୍‌ ଲେଖାଏଁ ଅକ୍ତିଆର କରିଥିଲେ। ୫୬ ରନ୍‌ର ବିଜୟ ଲକ୍ଷକୁ ଟାଉନ କ୍ଲବ୍‌ ଏ’ ୯.୪ ଓଭରରେ ୧ ୱିକେଟ୍‌ ବିନିମୟରେ ହାସଲ କରିଥିଲା। ଅର୍ଣ୍ଣବ ପଟ୍ଟନାୟକ ଅପରାଜିତ ୩୧* ରନ୍‌ କରି ଦଳକୁ ଜିତାଇଥିଲେ। ହରିବଂଶଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବେ ଆୟୋଜକ କମିଟିର ସଦସ୍ୟ ପ୍ରମୋଦ କୁମାର ଦାସ ପୁରସ୍କାର ପ୍ରଦାନ କରିଥିଲେ। ମଙ୍ଗଳବାରର ମ୍ୟାଚ୍‌ଗୁଡ଼ିକୁ ପ୍ରତ୍ୟୁଷ ଦାସ, ରାକେଶ ବାରିକ, ପ୍ରଦୀପ କୁମାର ଜେନା, ଗିରିଜା ମିଶ୍ର ପରିଚାଳନା କରିଥିଲେ।