ଲିଙ୍ଗରାଜ ସାହୁ

Advertisment

ପୁରୁଣା ଭୁବନେଶ୍ୱର: ସ୍ବାଧୀନତା ସଂଗ୍ରାମର ମୂକସାକ୍ଷୀ ପୁରୁଣା ଭୁବନେଶ୍ବରର ଟାଉନ୍ କ୍ଲବ୍‌କୁ ମାଟିରେ ମିଶିବାକୁ ଦିଆଯିବ ନାହିଁ। ରାଜଧାନୀର ପ୍ରଥମ ପାଠାଗାର ଓ ମହିଳାମାନଙ୍କୁ ସ୍ବାବଲମ୍ବୀ କରାଇବାର ପୁରୁଣା କର୍ମଶାଳାକୁ ବଞ୍ଚାଇ ରଖିବାକୁ ପଡ଼ିବ। ଏକାମ୍ର ପ୍ରକଳ୍ପ ଯୋଜନା ଭିତରେ ଏହାକୁ ବୁଡ଼ିମରିବାକୁ ଦିଆଯିବ ନାହିଁ। ଏକାମ୍ର ପ୍ରକଳ୍ପ ସହିତ ଏହାର ବି ପୁନରୁଦ୍ଧାର ହେଉ ବୋଲି ଦାବି ଜୋର୍‌ ଧରିଲାଣି। ରାଜଧାନୀର ଏହି ଗରିମାମୟ ଐତିହ୍ୟ ଆଗାମୀ ଯୁବପିଢ଼ି ପାଇଁ ସବୁବେଳେ ପ୍ରେରଣା ହୋଇରହିଥିବାରୁ ଏହାର ପୁନରୁଦ୍ଧାର ଜରୁରି। ଏହି ଐତିହ୍ୟର ପୁନରୁଦ୍ଧାର ବିନା ଏକାମ୍ର ପ୍ରକଳ୍ପ ଅଧୁରା ରହିଯିବ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଚାଳ ଛପର ଘରରୁ ତିନି ମହଲା କୋଠାରେ ପରିଣତ ହୋଇଥିବା ଏହି କ୍ଲବ୍‌ ବିଶିଷ୍ଟ ଗାନ୍ଧୀବାଦୀ ତଥା ସ୍ବାଧୀନତା ସଂଗ୍ରାମୀ ପଣ୍ଡିତ ରଘୁନାଥ ମହାପାତ୍ରଙ୍କ ସ୍ମୃତିକୁ ସାଇତି ରଖିଛି। ତେଣୁ ଏହି କ୍ଲବ୍‌କୁ ନିଶ୍ଚିହ୍ନ ନ କରି ପୁନରୁଦ୍ଧାର କରାଯାଉ ବୋଲି ସରକାରଙ୍କୁ ନିବେଦନ କରାଯାଇଛି।

ଏହି କ୍ଲବ୍‌ର ଇତିହାସ କିଛି କମ୍‌ ଗୌରବମୟ ନୁହେଁ। ୧୯୧୦ ମସିହା ବେଳକୁ ଏହି ଘରଟି ଥିଲା ଏକ ଚାଳଛପର ଘର। ଏକ ପରିତ୍ୟକ୍ତ ମନ୍ଦିରର ଭଗ୍ନ ମୁଖଶାଳାରେ ଘରଟି ମୁଣ୍ଡ ଟେକିରହିଥିଲା। ୧୯୩୬ ମସିହାରେ ପଣ୍ଡିତ ରଘୁନାଥ ମହାପାତ୍ର ଏଇଠି ଆରମ୍ଭ କଲେ ବୀଣାପାଣି ପାଠାଗାର। ମହାତ୍ମା ଗାନ୍ଧୀଙ୍କ ରଚନାତ୍ମକ କାର୍ଯ୍ୟକ୍ରମ ସାଙ୍ଗକୁ ଅସହଯୋଗ ଆନ୍ଦୋଳନରେ ଯୁବଗୋଷ୍ଠୀଙ୍କୁ ସାମିଲ କରିବା ଭଳି ଯୋଜନା ଏଇଠି ପ୍ରସ୍ତୁତ ହେଉଥିଲା। ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ବେଳେ ଲୋକଙ୍କୁ ସାହାଯ୍ୟ କରିବା କାମ ବି ଏଇଠୁ ପରିଚାଳିତ ହେଉଥିଲା। କିନ୍ତୁ ମୁଖ୍ୟ କାମ ଥିଲା ଓଡ଼ିଶାର ସ୍ବାଧୀନତା ସଂଗ୍ରାମକୁ ମଜଭୁତ କରିବା। ତେଣୁ ବ୍ରିଟିଶ ସରକାରଙ୍କ କୋପ ଦୃଷ୍ଟିରୁ ବର୍ତ୍ତିନଥିଲା ଏହି ପାଠାଗାର। ବାରମ୍ବାର ପଣ୍ଡିତ ରଘୁନାଥଙ୍କୁ ଗିରଫ କରାଯାଉଥିଲା ଏବଂ ପାଠାଗାରରେ ତାଲା ଠୁଙ୍କିଦିଆଯାଉଥିଲା। ଛପର ହୋଇନପାରି ଘରଟି ଭାଙ୍ଗି ପଡ଼ୁଥିଲା। ତଥାପି ବନ୍ଦ ହୋଇଯାଇନଥିଲା ପଣ୍ଡିତଙ୍କ ପାଠାଗାର। ବାରମ୍ବାର ମୁଣ୍ଡ ଟେକୁଥିଲା। ଦେଶ ସ୍ବାଧୀନ ହେବା ପରେ ପାଠାଗାରର କାର୍ଯ୍ୟ ପ୍ରଣାଳୀ ଭିନ୍ନ ରୂପ ନେଇଥିଲା। ଶିକ୍ଷାର ପ୍ରସାର ସହିତ ଜନଚେତନା ସମ୍ପ୍ରସାରଣ କରିବା ପାଇଁ ଏହି ପାଠାଗାର ଆନ୍ଦୋଳନ କରୁଥିଲା। ଧୀରେଧୀରେ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ଘରର ଚଟାଣକୁ ସିମେଣ୍ଟ ପଲସ୍ତରା କରାଗଲା। ସେତେବେଳେ ପାଠାଗାର ଆସବାବପତ୍ର କହିଲେ ଦୁଇ ଖଣ୍ଡ କାଠ ଆଲ୍‌ମିରା, ୫୦ଟି ପୁସ୍ତକ, ୭ଟି ବେଞ୍ଚ। ପ୍ରତିବର୍ଷ ଘଛପର ଚିନ୍ତା। ନଡ଼ା, ବାଉଁଶ ଓ ଛପରିଆ ଯୋଗାଡ଼ କରିବାକୁ କାଠିକର ହେଉଥିଲା। ୧୯୫୭/୫୮ ମସିହା ଆଡ଼କୁ ଭୁବନେଶ୍ବର ବ୍ଳକ୍‌ ପକ୍ଷରୁ କିଛି ଆସବାବପତ୍ର ଓ ଖେଳ ଉପକରଣ ମିଳିଥିଲା। ୧୯୬୧ ମସିହାରେ ପାଠାଗାରଟି ଏକ ମହଲା ବିଶିଷ୍ଟ କୋଠାଘର ହେଲା। ୧୯୬୨ ମସିହାରେ ବୀଣାପାଣି ପାଠାଗାର ସହିତ ଯୋଡ଼ିହେଲେ ଭୁବନେଶ୍ବର ଯୁବ ସଂଗଠନ। ସୋସାଇଟି ଆକ୍ଟରେ ପଞ୍ଜୀକରଣ କରାଗଲା। ୧୯୬୩ ମସିହାରେ ତତ୍କାଳୀନ ମନ୍ତ୍ରୀ ସନ୍ତୋଷ କୁମାର ସାହୁ ଦ୍ବିତୀୟ ମହଲା ପାଇଁ ଶୁଭ ଦେଲେ ଏବଂ ୧୯୬୪ ମସିହାରେ ଏହା ଦୁଇ ମହଲା କୋଠାଘର ହେଲା। ପରେପରେ ଏଠାରେ ଆରମ୍ଭ ହେଲା ମହିଳା ଓ ଶିଶୁ ବିକାଶ କାର୍ଯ୍ୟକ୍ରମ।

ଶିଶୁମାନଙ୍କ ପାଇଁ ଏଠାରେ ଖୋଲିଲା ବାଲ୍‌ୱାଡ଼ି କେନ୍ଦ୍ର। ତୃତୀୟ ମହଲା ପାଇଁ କିଛି କେନ୍ଦ୍ରୀୟ ଅନୁଦାନ ମିଳିଲା ଏବଂ ୧୯୭୫ ମସିହାରେ ତୃତୀୟ ମହଲା ନିର୍ମାଣ ସରିଲା। ସେଠାରେ ୯୦ ମହିଳାଙ୍କୁ ସିଲେଇ ଶିକ୍ଷା ଦିଆଗଲା। ଦିନେ ସ୍ବାଧୀନତା ସଂଗ୍ରାମର କ୍ଷେତ୍ର ଥିବା ବୀଣାପାଣି ପାଠାଗାର କାଳକ୍ରମେ ଟାଉନ୍‌ କ୍ଲବ୍‌ରେ ପରିଣତ ହେଲା ଏବଂ ବହୁମୁଖୀ ସାମାଜିକ ସଂଗଠନଟିଏ ହୋଇଗଲା। ବର୍ତ୍ତମାନ ଏହି କ୍ଲବ୍‌ ୧୧୪ ବର୍ଷରେ ପଦାର୍ପଣ କରିବାକୁ ଯାଉଛି। କିନ୍ତୁ ଏକାମ୍ର ଯୋଜନାରେ ଏହି କ୍ଲବ୍‌ ଘର ଆଉ ରହିବ ନାହଁ ବୋଲି ଓବିସିସି ପକ୍ଷରୁ କୁହାଯାଇଛି। ଏହାକୁ ନେଇ ପୁରୁଣା ଭୁବନେଶ୍ବରବାସୀଙ୍କ ଭିତରେ କ୍ଷୋଭ ପ୍ରକାଶ ପାଇଛି। କ୍ଲବ୍‌ର ସଭାପତି ବିଧାୟକ ସୁରେଶ କୁମାର ରାଉତରାୟ, ସମ୍ପାଦକ ପୃଥ୍ବୀକାନ୍ତ ମହାପାତ୍ର ଓ ଉପସଭାପତି କୁମର ବେହେରାଙ୍କ ଦାବି ଅନୁସାରେ, ଏହି କ୍ଲବ୍‌ ପୁରୁଣା ଭୁବନେଶ୍ବରର ଅନ୍ୟତମ ଐତିହ୍ୟ। ସ୍ବାଧୀନତା ସଂଗ୍ରାମର ସ୍ମାରକୀ। ତେଣୁ ଏକାମ୍ର ଯୋଜନାରେ ଏହାର ବି ପୁନରୁଦ୍ଧାର କରାଯାଉ।