ପୁଣି ହେଲା ଟୟ ଟ୍ରେନ୍‌ ପରୀକ୍ଷଣ, ବିନା ତ୍ରୁଟିରେ ୧୩ ଘେରା

ବାରଙ୍ଗ: ଦୁଇ ଦୁଇ ଥର ଧୋକ୍କା ଦେଇଥିବା ଟୟ ଟ୍ରେନ୍‌କୁ ପୁଣି ଥରେ ପରୀକ୍ଷା କରାଯାଇଛି। ଆଜି ନିଜ କର୍ମଚାରୀଙ୍କୁ ବସାଇ ପରୀକ୍ଷାମୂଳକ ଭାବେ ୧୩ ଘେରା ବୁଲିଛି ଏହି ବ୍ୟାଟେରିଚାଳିତ ଟୟ ଟ୍ରେନ୍‌। ମାତ୍ର କୌଣସି ତ୍ରୁଟି ଦେଖାଯାଇନାହିଁ। ତେଣୁ ପୁଣି ଶୁକ୍ରବା‌ରଠାରୁ ପର୍ଯ୍ୟଟକଙ୍କୁ ବସାଇ ଏହି ଟ୍ରେନ୍‌ ଗଡ଼ିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ପୂର୍ବରୁ ବାରମ୍ବାର ପରୀକ୍ଷା ପରେ ବି ଟ୍ରେନ୍‌ରେ ତ୍ରୁଟି ଦେଖାଯାଇଥିବାରୁ ଏଥର ପର୍ଯ୍ୟଟକମାନେ କେତେ ଦୂର ଏହାକୁ ଭରସା କରିବେ, ସେନେଇ ଦ୍ବନ୍ଦ୍ବ ରହିଥିବା ଜଣାପଡ଼ିଛି।

ନନ୍ଦନକାନନ ଉପନିର୍ଦ୍ଦେଶକ ସଂଜିତ୍ କୁମାରଙ୍କ କହିବା କଥା ଏହି ଟୟ ଟ୍ରେନ୍‌ର ପରିଚାଳନା ଦାୟିତ୍ବରେ ଥିବା ରାଇଟସ୍ ସଂସ୍ଥା ଆଜି ଏହାକୁ ପରୀକ୍ଷା କରିବାକୁ ଯାଇ ବାରମ୍ବାର ଚଳାଇଥିଲା। ନିଜସ୍ବ ଓ ନନ୍ଦନକାନନର ୭୦ କର୍ମଚାରୀଙ୍କୁ ନେଇ ଏହି ଟ୍ରେନ୍‌ ଗଡ଼ିଥିଲା। ପ୍ରାୟ ୧୩ ଘେରା ବୁଲିଥିଲା। କିନ୍ତୁ କୌଣସି ତ୍ରୁଟି ବାହାରିନାହିଁ। ଶୁକ୍ରବାର ରାଇଟ୍‌ସର ବୈଷୟିକ ଟିମ୍‌ ଆସିବ ଓ ବୈଷୟିକ ତ୍ରୁଟି ଯାଞ୍ଚ କରିବ। ତେବେ ଆଜି ପରୀକ୍ଷା ସଫଳ ହୋଇଥିବାରୁ ଏଣିକି ଆଉ କିଛି ତ୍ରୁଟି ନଥିବା ଆଶା କରାଯାଉଛି। ତେଣୁ ଆସନ୍ତାକାଲି ପୁଣି ପର୍ଯ୍ୟଟକଙ୍କୁ ଧରି ଏହି ଟ୍ରେନ୍‌ ଗଡ଼ିବ ବୋଲି ନିଷ୍ପତ୍ତି କରାଯାଇଛି। ପର୍ଯ୍ୟଟକଙ୍କୁ ବିପଦମୁକ୍ତ ରଖିବାକୁ ଗୁରୁତ୍ବ ଦିଆଯାଇଛି। ତେଣୁ ଟ୍ରେନ୍‌ ଗଡ଼ିବା ସମୟରେ ଉଭୟ ଠିକା ସଂସ୍ଥା ଓ ନନ୍ଦନକାନନ କର୍ତ୍ତୃପକ୍ଷ ସଜାଗ ରହିବେ ବୋଲି ସେ କହିଛନ୍ତି। ଯଦି ପୁଣି କିଛି ସମସ୍ୟା ବା ତ୍ରୁଟି ପରିଲକ୍ଷିତ ହୁଏ, ତେବେ ଏ ନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ ଓ ରାଇଟସ୍‌କୁ ଦାୟୀ କରାଯିବ ବୋଲି ମଧ୍ୟ ସେ ପରୋକ୍ଷରେ ସୂଚନା ଦେଇଛନ୍ତି।

ଗତ ଅକ୍ଟୋବର ୧୭ରେ ଏହି ଟ୍ରେନ୍‌ର ଶୁଭାରମ୍ଭ ହୋଇଥିଲା ଓ ଦୁର୍ଭାଗ୍ୟକୁ ସେହିଦିନ ହିଁ ଅଧା ବାଟରେ ଜଙ୍ଗଲ ଭିତରେ ଇଞ୍ଜିନ୍‌ରେ ନିଆଁ ଲାଗିଯାଇଥିଲା। ସୌଭାଗ୍ୟକୁ ଏହି ଅଗ୍ନିକାଣ୍ଡରେ ଚାଳକ କିମ୍ବା କୌଣସି ପର୍ଯ୍ୟଟକଙ୍କର କିଛି ସମସ୍ୟା ହୋଇନଥିଲା। ସମସ୍ତେ ସୁରକ୍ଷିତ ଭାବେ ବର୍ତ୍ତି ଯାଇଥିଲେ। ତେଣୁ ଆରମ୍ଭରୁ ଝୁଣ୍ଟିବାରୁ ଏହାକୁ ବନ୍ଦ ରଖାଯାଇଥିଲା। ପୁଣି ବାରମ୍ବାର ପରୀକ୍ଷାନିରୀକ୍ଷା କରାଗଲା ଓ ଗତ ୧୫ ତାରିଖରେ ଗଡ଼ିବାକୁ ଅନୁମତି ମିଳିଲା। କିନ୍ତୁ ମାତ୍ର ପାଞ୍ଚ ଘେରା ପରେ ପୁଣି ଝୁଣ୍ଟିଲା ଏହି ବ୍ୟାଟେରି ଚାଳିତ ରେଳଗାଡ଼ି। ୬୦ ପର୍ଯ୍ୟଟକଙ୍କୁ ଧରି ଜଙ୍ଗଲ ଭିତରକୁ ଯାଇଥିବା ବେଳେ ବାଟରେ ଅଟକିଗଲା। ଫଳରେ ବସ୍‌ ଯୋଗେ ପର୍ଯ୍ୟଟକମାନଙ୍କୁ ଅଣାଯାଇଥିଲା ଓ ସେମାନଙ୍କୁ ଟିକେଟ୍‌ ଫି’ ଫେରାଇ ଦିଆଯାଇଥିଲା।

ସମ୍ବନ୍ଧିତ ଖବର