ଭୁବନେଶ୍ବର : ଆଉ ପାଦେ ଆଗେଇଛି ବିଡିଏର ଟିପି-୧। ୨୦୨୦ ମସିହାରେ ସରକାର ପଟ୍ଟା ବାଣ୍ଟିଥିଲେ। ହେଲେ ସେବେଠାରୁ ଦଖଲ ଦେଇ ନଥିଲେ। ଏଣୁ ନା କିଏ ଘର କରିପାରୁଥିଲେ, ନା ବିକ୍ରି କରିପାରୁଥିଲେ। ଦୀର୍ଘ ଦିନ ଧରି ଯନ୍ତ୍ରଣା ପାଇବା ପରେ ଏବେ ବାଟ ଫିଟିଛି। ଏବେ ବିଡିଏ ଟିପି-୧ରେ ଥିବା ରୟତମାନଙ୍କୁ ଦଖଲ ଦେବା ଆରମ୍ଭ କରିଛି। ଗତକାଲି ପାଇକରାପୁର ମୌଜାରେ ଦଖଲ ଦିଆଯାଇଥିବା ବେଳେ ଆସନ୍ତାକାଲି ସିଜୁପୁଟ୍‌, ମଙ୍ଗଳବାର ସହଜପୁର, ବୁଧବାର, ଗୁରୁବାର ଓ ଶୁକ୍ରବାର ନାରଗୋଦା ମୌଜାରେ ଏହି ଦଖଲ ଦେବା ପ୍ରକ୍ରିୟା ରହିଛି। ପ୍ଲଟ୍‌ ନମ୍ବର ଅନୁସାରେ ତାରିଖ ଧାର୍ଯ୍ୟ କରାଯାଇଛି। ବିଡିଏ ସେଠାରେ ସ୍ବତନ୍ତ୍ର କ୍ୟାମ୍ପ କରି ଏହି ଦଖଲ ଦେଉଛି। ଏ ନେଇ ରୟତ ତଥା ଜମି ମାଲିକମାନଙ୍କୁ ଅବଗତ କରାଯାଇଛି।

Advertisment

ସୂଚନାଯୋଗ୍ୟ, ୨୦୨୦ ମସିହା ଡିସେମ୍ବର ୨୪ ତାରିଖରେ ରାଜ୍ୟର ପ୍ରଥମ ଟାଉନ୍‌ ପ୍ଲାନିଂ ଯୋଜନା ଭାବରେ ଟିପି-୧ରେ ଗ୍ରାମବାସୀଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇଥିଲା। ସହଜପୁରର ୫ଜଣ ଗ୍ରାମବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ପଟ୍ଟା ପ୍ରଦାନ କରିଥିଲେ। ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଗ୍ରାମବାସୀଙ୍କୁ ଏହି ପଟ୍ଟା ବାଣ୍ଟିଥିଲେ। ପରେ ବିଡିଏ ଅଫିସ୍‌ରୁ ସହଜପୁର ଗ୍ରାମର ୩୫୮ଜଣ ପଟ୍ଟା ନେଇଥିଲେ। ପରେ ଏହି ଟିପି-୧ ସ୍କିମ୍‌(ପାଇକରାପୁର)ରେ ଥିବା ଅନ୍ୟ ମୌଜାର ଜମି ମାଲିକ ପଟ୍ଟା ପାଇଥିଲେ। କିନ୍ତୁ ଦଖଲ ମିଳିନଥିବାରୁ ପ୍ରବଳ ଅସନ୍ତୋଷ ରହିଥିଲା। ଉଲ୍ଲେଖଯୋଗ୍ୟ, ଟିପି ସ୍କିମ୍‌ -୧ରେ ୭୪୬.୭୨ ଏକର ଜମି ରହିଛି। ଏଥିରେ ପାଇକରାପୁରର ୩୧୭.୯୩ ଏକର ଜମି, ନାରଗୋଦାରେ ୧୪୮.୪୨ ଏକର, ସିଜିପୁଟରେ ୧୭୬.୨୦ଏକର, ସହଜପୁରରେ ୧୦୪.୧୭ ଏକର ଜମି ଅଛି।