ଟିପି ସ୍କିମ୍‌ ବିବାଦ: ବିନା ଡିମାର୍କେସନ‌ରେ ଘରତୋଳା

ବେଆଇନ ନିର୍ମାଣ ଭଙ୍ଗାକୁ ନେଇ ଛକାପଞ୍ଝା

ଭୁବନେଶ୍ବର: ଦିନକୁ ଦିନ ବିବାଦରେ ଛନ୍ଦି ହୋଇପଡ଼ୁଛି ଟିପି ସ୍କିମ୍‌। ଜମି ଦେଇଥିବା ମାଲିକମାନେ ଡିମାର୍କେସନ ପାଇଁ ଧାଇଁ ଧାଇଁ ହତାଶ ହେବା ପ‌ରେ ଏବେ ମନଇଛା ଗୃହ ନିର୍ମାଣ କରିବା ଆରମ୍ଭ କରିଛନ୍ତି। କିନ୍ତୁ ଏହାକୁ ବେଆଇନ ଦର୍ଶାଇ ବିଡିଏ ସେସବୁ ନିର୍ମାଣାଧୀନ ଘରକୁ ଭାଙ୍ଗିବାକୁ ବସିଛି। ତେଣୁ ଏହାକୁ ବିରୋଧ କରି ଗୃହ ନିର୍ମାଣ କରୁଥିବା ଜମି ମାଲିକ କୋର୍ଟର ଦ୍ବାରସ୍ଥ ହେବା ସହ ଗୃହ ଓ ନଗର ଉନ୍ନୟନ ବିଭାଗରେ ଆବେଦନ କରୁଛନ୍ତି। ଏମିତି ଛକାପଞ୍ଝା ଚାଲିଛି ବିଡିଏ କର୍ତ୍ତୃପକ୍ଷ ଓ ଜମି ମାଲିକଙ୍କ ଭିତରେ। ଏସବୁ ପାଇଁ ବିଡିଏ ଦାୟୀ ବୋଲି କୁହାଯାଉଛି। କାରଣ ବହୁ ବିଳମ୍ବରେ ଜମି ଅଧିଗ୍ରହଣର ଦୀର୍ଘ ୬ ବର୍ଷ ପରେ ବିଡିଏ ଜମି ଡିମାର୍କେସନ୍ ଆରମ୍ଭ କରିଛି।

ଟିପି ସ୍କିମ୍‌ର ନୂଆଗାଁ ପ୍ରକଳ୍ପରେ ଏଭଳି ବିଚିତ୍ର ପରିସ୍ଥିତି ଉପୁଜିଛି। ଜମିମାଲିକ ଅରବିନ୍ଦ ପରିଡ଼ା ଡିମାର୍କେସନ ପୂର୍ବରୁ ଘର ତୋଳିଛନ୍ତି। ଟିପି ସ୍କିମ୍‌ରେ ତାଙ୍କ ଜମିର ୪୦ ପ୍ରତିଶତ ବିଡିଏ ନେବା ପରେ ଅବଶିଷ୍ଟ ୬୦ ପ୍ରତିଶତ ଜମିର ସୀମା ସରହଦ କେଉଁଠି ଚିହ୍ନଟ ହୋଇନାହିଁ। ମାତ୍ର ଅରବିନ୍ଦ ମନକୁ ମନ ଘର ତୋଳିବା ଆରମ୍ଭ କରିଛନ୍ତି। ଏଣେ ବିନା ଡିମାର୍କେସନରେ ଗୃହ ନିର୍ମାଣ ବେଆଇନ ବୋଲି ବିଡିଏ ଘୋଷଣା କରିବା ସହ ଅରବିନ୍ଦଙ୍କ ଘର ଭାଙ୍ଗି ଦେବା ପାଇଁ ବିଡିଏ ନୋଟିସ୍‌ ଦେଇଛି। ତେଣୁ ସେ ତାଙ୍କ ନିର୍ମାଣକୁ ବଞ୍ଚାଇବାକୁ ହାଇକୋର୍ଟରେ ପହଞ୍ଚିଥିଲେ। କିନ୍ତୁ ହାଇକୋର୍ଟ ତାଙ୍କୁ ଫେରାଇ ଦେଇ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ନିକଟରେ ଆବେଦନ କରିବା ପାଇଁ କହିଛନ୍ତି। ତେଣୁ ସେ ପୁଣି ତାଙ୍କ ଆପତ୍ତି ନେଇ ବିଡିଏ କର୍ତ୍ତୃପକ୍ଷଙ୍କ ଦ୍ବାରସ୍ଥ ହେଲେ ସିନା କିଛି ଲାଭ ହେଲାନାହିଁ। ଏହା ବେଆଇନ ଓ ଭାଙ୍ଗି ଦିଆଯିବ ବୋଲି ବିଡିଏ କହିଥିଲା। ଏହାକୁ ଚାଲେଞ୍ଜ କରି ଅରବିନ୍ଦ ଆପିଲେଟ୍‌ ଅଥରିଟି ଅର୍ଥାତ୍ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ଅଭିଯୋଗ କରିଛନ୍ତି। ଏହା ଏବେ ବିଚାରାଧୀନ ଅଛି। ଏଣେ ଅରବିନ୍ଦ ହାଇକୋର୍ଟ ଓ ବିଡିଏରୁ ଫେରିବା ପରେ ତାଙ୍କ ନିର୍ମାଣାଧୀନ ଘର ଭାଙ୍ଗିବାକୁ ବିଡିଏର ସ୍ବତନ୍ତ୍ର ଏନ୍‌ଫୋର୍ସମେଣ୍ଟ ଟିମ୍‌ ପୁଲିସ ଫୋର୍ସ ଧରି ପହଞ୍ଚିଥିଲା। କିନ୍ତୁ ମାମଲା ବିଚାରାଧୀନ ଥିବାବେଳେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବନାହିଁ ବୋଲି ନିର୍ଦ୍ଦେଶ ଥିବାରୁ ଉଚ୍ଛେଦ ଟିମ୍‌ ଖାଲି ହାତରେ ଫେରିଥିଲା। ଆବେଦନକାରୀ ଅରବିନ୍ଦ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ‌ର ଦ୍ବାରସ୍ଥ ହେବା ଓ ଅନ୍ତରୀଣ ସୁରକ୍ଷା ମିଳିବା ଘଟଣା ବିଡିଏ କିଭଳି ଜାଣିପାରିଲାନାହିଁ? ବିଡିଏ ଖୋଦ୍‌ ଏହି ବିଭାଗ ଅଧୀନରେ ଥାଇ ମଧ୍ୟ ଏଭଳି ଆଚରଣ ପଛ‌ରେ ଆଉ କିଛି ରହସ୍ୟ ରହିଥିବା‌ ଚର୍ଚ୍ଚା ହେଉଛି।

ବରିଷ୍ଠ ଆଇନଜୀବୀ ଦେବାଶିଷ ଦାସଙ୍କ କହିବା କଥା ସରକାର ଯେତେବେଳେ ବଡ଼ ପ୍ରୋଜେକ୍ଟ କରନ୍ତି ଏବଂ ତାହାକୁ ନେଇ ଯଦି କୌଣସି ମାମଲା କୋର୍ଟକୁ ଯାଏ, ପ୍ରକଳ୍ପ ପ୍ରଭାବିତ ହେବା ଆଶଙ୍କା ଥାଏ, ସେଠାରେ କାଭିଏଟ୍‌ ଫାଇଲ୍‌ ହୁଏ। ଫଳରେ କୋର୍ଟ ପ୍ରକଳ୍ପର ସମସ୍ତ ବିବରଣୀ ବାବଦରେ ଅବଗତ ଥାଆନ୍ତି। ଏହାଦ୍ବାରା ପ୍ରକଳ୍ପ ପ୍ରଭାବିତ ହେବାର ସୁଯୋଗ ରୁହେନା‌ହିଁ। କିନ୍ତୁ ଏକ୍ଷେତ୍ରରେ କାହିଁକି ବିଡିଏ କର୍ତ୍ତୃପକ୍ଷ ପ୍ରତିଷେଧକ ବ୍ୟବସ୍ଥା କଲେନି? ଏବେ ଯଦି ଜଣଙ୍କୁ ସୁରକ୍ଷା ମିଳିଯିବ ସେହି ଆଧାରରେ ଅନ୍ୟମାନଙ୍କୁ ମଧ୍ୟ ମିଳିବ ଓ ପ୍ରକଳ୍ପ ପ୍ରଭାବିତ ହେବ। ଯଦିଓ ହାଇକୋର୍ଟ ବିଡିଏରେ ଆବେଦନ କରିବାକୁ ନିର୍ଦ୍ଦେଶ ଦେଇ ଆବେଦନକୁ ଖାରଜ କରିଛନ୍ତି, ତଥାପି ବିଡିଏ ନିର୍ମାଣ ପୂର୍ବରୁ କାହିଁକି ଅଟକାଇଲା ନାହିଁ ବୋଲି ସେ ପ୍ର‌ଶ୍ନ କରିଛନ୍ତି। ଅନ୍ୟପଟେ ବିଡିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଡିମାର୍କେସନ ପୂର୍ବରୁ ଗୃହନିର୍ମାଣ ହୋଇପାରିବ ନାହିଁ ବୋଲି ପ୍ରଥମରୁ ଘୋଷଣା କରାଯାଇଛି। କିନ୍ତୁ ସବୁ ଜାଣି କେହି ବିନା ଡିମାର୍କେସନ୍‌ରେ ଘର କଲେ, ତାହା ବେଆଇନ ହେବ ଓ ତାଙ୍କ ଆବେଦନ କୌଣସି କୋର୍ଟରେ ଷ୍ଟାଣ୍ଡ କରିବନି। ତାହା ଉଚ୍ଛେଦ କରାଯିବ। ଏଣେ ଜମି ମାଲିକ ଅରବିନ୍ଦ କହିଛନ୍ତି ଯେ ସେ ବର୍ଷ ବର୍ଷ ଧରି ବିଡିଏକୁ ଧାଇଁଧାଇଁ ଡିମାର୍କେସନ କରିବାକୁ ଗୁହାରି କରିଥିଲେ। ହେଲେ ଅଧିକାରୀମାନେ କର୍ଣ୍ଣପାତ କଲେନାହିଁ। ଅତ୍ୟନ୍ତ ଜରୁରୀ ହେତୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଘର ତିଆରି କଲେ। ଏବେ ବିଡିଏ ଘର ଭାଙ୍ଗିବାକୁ ବସିଛି।

ସୂଚନାଯୋଗ୍ୟ ଯେ ନୂଆଗାଁ ପ୍ରକଳ୍ପ ଭଳି ପାଇକରାପୁର ପ୍ରକଳ୍ପରେ ମଧ୍ୟ ଏମିତି ଘର ତିଆରି ହୋଇଛି। କେହି ଭଙ୍ଗା ଘରେ ରହୁଥିବାରୁ ନୂଆ ଘର ତିଆରି କରିଥିବା ବେଳେ କେହି ଝିଅ ବାହାଘର କରିବା ପାଇଁ ଜମି ବିକି ଦେଇଛି। ଜମି କିଣିଥିବା ନୂଆ ମାଲିକ ଘର ତିଆରି କରୁଛି। ଆଗକୁ ତାହା ଉଭୟ ବିଡିଏ ଓ ଜମି ମାଲିକଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିବ। ପ୍ରକଳ୍ପ ଆରମ୍ଭରେ ଅହେତୁକ ବିଳମ୍ବ କରିଥିବା ବିଡିଏ ପାଇଁ ହିଁ ଏଭଳି ବିଶୃଙ୍ଖଳା ଦେଖାଦେଇଛି ବୋଲି ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର