ମାର୍ଚ୍ଚ ୩୧ ସୁଦ୍ଧା ଟିପି ସ୍କିମ୍‌ ପଟ୍ଟା, ବିଡିଏ ନକ୍ସା ଅନୁଯାୟୀ ପଟ୍ଟା ମିଳିବ

ପଟ୍ଟା ଆବଣ୍ଟନ ପରେ ରାସ୍ତା କାମ
ଜୁନ୍‌ ପୂର୍ବରୁ ଟିପି ସ୍କିମ୍‌-୧ କାର୍ଯ୍ୟକ୍ଷମ ହେବ
ଘରବାଡ଼ି କିସମ କରି ପଟ୍ଟା ଦିଆଯିବ

ଭୁବନେଶ୍ବର : ବିଡିଏର ବହୁ ପ୍ରତୀକ୍ଷିତ ଟାଉନ୍‌ ପ୍ଲାନିଂ ଯୋଜନା (ଟିପି ସ୍କିମ୍‌) ଏବେ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଜୁନ୍‌ ପୂର୍ବରୁ ଟିପି ସ୍କିମ୍‌-୧ ପାଇକରାପୁର ପ୍ରକଳ୍ପ ଚୂଡ଼ାନ୍ତ ରୂପ ପାଇବ। ଏଠାକାର ହିତାଧିକାରୀଙ୍କୁ ମାର୍ଚ୍ଚ ୩୧ ସୁଦ୍ଧା ଜମିର ପଟ୍ଟା ଦିଆଯିବ। ବିଡିଏ ଜମିର ଯେଉଁ ଲେ-ଆଉଟ୍‌ ପ୍ଲାନ୍ କରିଛି ସେହି ଅନୁଯାୟୀ ପଟ୍ଟା ଦିଆଯିବ। ଏନେଇ ବିଡିଏ ଓ ରାଜସ୍ବ ବିଭାଗ ପକ୍ଷରୁ ଜୋରଦାର୍‌ ପ୍ରସ୍ତୁତି ଚାଲିଛି।

ଟିପି ସ୍କିମ୍ ହିତାଧିକାରୀଙ୍କୁ କିପରି ପଟ୍ଟା ଦିଆଯିବ, ସେନେଇ ଦୀର୍ଘ ଦୁଇ ବର୍ଷ ହେଲା ‌ଆଲୋଚନା ଚାଲିଥିବା ବେଳେ ଏବେ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି। ଅହମ୍ମଦାବାଦରେ ଯେପରି ଉନ୍ନୟନ କର୍ତ୍ତୃପକ୍ଷ ଟିପି ସ୍କିମ୍‌ ହିତାଧିକାରୀଙ୍କୁ ପଟ୍ଟା ଦେଇଛନ୍ତି, ସେହିପରି ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପଟ୍ଟା ଦେବ।

ବିଡିଏ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୪ଟି ଟିପି ସ୍କିମ୍‌ର ଯୋଜନା ହୋଇଥିବା ବେଳେ ଏଥିପାଇଁ ବିଡିଏ କର୍ତ୍ତୃପକ୍ଷ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ କରିଥିଲେ। କିନ୍ତୁ ପଟ୍ଟା ଦେବା ବେଳକୁ ସମସ୍ୟା ଉପୁଜିଥିଲା। ଓଡ଼ିଶା ରାଜସ୍ବ ନିୟମ ଏଥିରେ ବାଧକ ସାଜୁଥିବାରୁ ଏହାକୁ ପରିବର୍ତ୍ତନ କରିବାକୁ ବିଡିଏ କର୍ତ୍ତୃପକ୍ଷ ରାଜସ୍ବ ବିଭାଗକୁ ସୁପାରିସ କରିଥିଲେ। ଏହାପରେ ରାଜସ୍ବ ବିଭାଗ ରାଜସ୍ବ ନିୟମରେ ପରିବର୍ତ୍ତନ ଆଣିବା ସହ ବିଡିଏର ଚୂଡ଼ାନ୍ତ ମ୍ୟାପ୍ ଉପରେ ପଟ୍ଟା ଦେବାକୁ ଜମି ରେକର୍ଡ ଏବଂ ସର୍ଭେ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛି। ଏହି ନିର୍ଦ୍ଦେଶନାମା ଆସିବା ପରେ ବିଡିଏ କର୍ତ୍ତୃପକ୍ଷ କହିଛନ୍ତି ଯେ ଆମେ ପ୍ରଥମ ପର୍ଯ୍ୟାୟରେ ଟିପି ସ୍କିମ୍‌-୧ (ପାଇକରାପୁର) ହିତା‌ଧିକାରୀଙ୍କୁ ପଟ୍ଟା ପ୍ରଦାନ କରିବୁ। ଏବେ ଏଠାରେ ରାସ୍ତା ଚିହ୍ନଟ, ଘରୋଇ ପ୍ଲଟ ପୃଥକୀକରଣ, ଖୋଲା ସ୍ଥାନ ସଂରକ୍ଷଣ ଆଦି ପ୍ରକ୍ରିୟା ଶେଷ ହୋଇଥିବାରୁ ପଟ୍ଟା ଆବଣ୍ଟନ ପରେ ରାସ୍ତା ନିର୍ମାଣ ଓ ଜମିରେ ପାଚେରି ନିର୍ମାଣ କାମ ଆରମ୍ଭ ହେବ ବୋଲି ବିଡିଏ ପ୍ଲାନିଂ ମେମ୍ବର ଗୌରଶଙ୍କର ଭୂୟାଁ କହିଛନ୍ତି। ଜୁନ୍‌ ପୂର୍ବରୁ ଅର୍ଥାତ୍ ବର୍ଷା ଋତୁ ଆସିବା ପୂର୍ବରୁ କାମ ଶେଷ ହେବ। ସମସ୍ତ ଜମିର କିସମ ଘରବାଡ଼ିକୁ ପରିବର୍ତ୍ତନ କରି ପଟ୍ଟା ଦିଆଯିବ।

କେଉଁଠି ଥିଲା ବିବାଦ
ଟିପି ସ୍କିମ୍ କାର୍ଯ୍ୟକାରୀ ହେବା ପରେ ମୂଳ ଜମିର ନକ୍ସା ପୂରା ବଦଳି ଯାଇଛି। ଯେଉଁଠାରେ ମୂଳ ମାଲିକଙ୍କର ଜମି ଥିଲା ସେଠାରେ ଏବେ ତାଙ୍କୁ ଜମି ମିଳିବ ବୋଲି ମାନେ ନାହିଁ। ଏପରିକି ଯେଉଁ ଖାତାରେ ଜମି ପୂର୍ବରୁ ଥିଲା, ଏବେ ତାହା ବଦଳି ଯାଇଛି। ତେଣୁ ପଟ୍ଟା ଦେବାରେ ସମସ୍ୟା ଉପୁଜିଥିଲା। ଏହି ଜମି ବିଡିଏ ନାଁରେ ନ ଥିବାରୁ ଏଠାରେ ବିଡିଏ ବି ଆଲଟମେଣ୍ଟ ଲେଟର୍‌ ଦେଇପାରିଲାନି। ତେଣୁ ଦୁଇଟି ବିକଳ୍ପ ଥିଲା। ଜମିକୁ ପୁନଃବଣ୍ଟନ କରିବାକୁ ହେଲେ ପ୍ରଥମେ ବିଡିଏ ନାମରେ ସେଲ୍‌ ଡିଡ୍‌ କରା ହୋଇଥାନ୍ତା, ଏହାପରେ ପୁଣି ଆବଣ୍ଟନ ହୋଇଥିବା ଜମି ଅନୁଯାୟୀ ‌େଲାକଙ୍କ ସହ ପୁଣି ସେଲଡିଡ୍ କରାହୋଇଥାନ୍ତା। ସେଲ୍‌ ଡିଡ୍‌ କଲେ ଜମି ମାଲିକଙ୍କୁ ସରକାରଙ୍କୁ ଷ୍ଟାମ୍ପ୍‌ ଡ୍ୟୁଟି ଦେବାକୁ ପଡ଼ିଥାନ୍ତା। ହେଲେ ଟିପି ସ୍କିମ୍‌ରେ ବିଡିଏ ପ୍ରତିଶ୍ରୁତି ଦେଇଛି ଯେ ଜମି ମାଲିକଙ୍କର ଟଙ୍କା ଖର୍ଚ୍ଚ ହେବନି। କେବଳ ଯାହା ଜମିରୁ ୪୦% ଅ˚ଶ ରାସ୍ତା ଏବ˚ ଅନ୍ୟାନ୍ୟ ଅଞ୍ଚଳ ଉନ୍ନତୀକରଣ ପାଇଁ ଯିବ।

ଅପରପକ୍ଷେ ସେଟେଲମେଣ୍ଟ ଅନ୍ୟ ଏକ ଉପାୟ ହୋଇଥିଲେ ହେଁ ଏହା ସହଜ ହେଲାନି। ସେଟେଲମେଣ୍ଟ ଗୋଟିଏ ରାଜସ୍ବ ଗ୍ରାମରେ କରିବାର ନିୟମ ଅଛି। ହେଲେ ଟିପି ସ୍କିମ୍‌-୧ରେ ୪ଟି ରାଜସ୍ବ ଗ୍ରାମକୁ ସାମିଲ୍‌ କରି ଜମି ଆବଣ୍ଟନ ହୋଇଛି। ଏପରିକି କେତେକ ହିତାଧିକାରୀଙ୍କୁ ଯେଉଁ ଜମି ଆବଣ୍ଟନ କରିବାକୁ ଚିହ୍ନଟ ହୋଇଛି, ସେଥିରୁ କିଛି ଅ˚ଶ ଗୋଟିଏ ରାଜସ୍ବ ଗ୍ରାମରେ ଥିବା ବେଳେ ଆଉ କିଛି ଅନ୍ୟ ଏକ ରାଜସ୍ବ ଗ୍ରାମରେ ରହିଛି। ଏହାଦ୍ବାରା ସେଟେଲମେଣ୍ଟ କରିବା ସମ୍ଭବ ହେଲାନି। ତେଣୁ ଅହମ୍ମଦାବାଦ ଟିପି ସ୍କିମ୍‌ ଭଳି ଜମି ମାଲିକାନା ଦେବାକୁ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ଏକ ସ୍ବତନ୍ତ୍ର ଟିମ୍ ଅହମ୍ମଦାବାଦ ଯାଇ ସେଠାକର ଟିପି ସ୍କିମ୍ ବାବଦରେ ବୁଝିବା ସହ ବିଶେଷଜ୍ଞଙ୍କ ମତ ଆଣିଥିଲା। କିନ୍ତୁ ଓଡ଼ିଶାରେ ଟିପି ସ୍କିମ୍ ପ୍ରଥମ କରି ହେଉଥିବାରୁ ରାଜସ୍ବ ନିୟମରେ ପରିବର୍ତ୍ତନ କରିବାର ଆବଶ୍ୟକ ଥିଲା। ରାଜସ୍ବ ବିଭାଗ ପ୍ରଥମେ ପୂର୍ବ ନିୟମରେ ସଂଶୋଧନ କରିବନି ବୋଲି କହିବାରୁ ଜମି ଆବଣ୍ଟନ ବିଳମ୍ବ ହେଲା। ଏବେ ରାଜସ୍ବ ବିଭାଗ ନିୟମ ସଂଶୋଧନ କରିବା ସହ ଟିପି ସ୍କିମ୍ ଅନୁଯାୟୀ ଜମି ପଟ୍ଟା ଦେବାକୁ ରାଜି ହୋଇଥିବାରୁ ସମସ୍ୟାର ସମାଧାନ ହୋଇଛି।

ପ୍ରଥମ ପର୍ଯ୍ୟାୟରେ ୧୪୫ ଏକର ଜମିର ପଟ୍ଟା ହେବ
ଟିପି ସ୍କିମ୍‌ -୧ରେ ୭୪୬.୭୦ ଏକର ଜମି ଥିବା ବେଳେ ଏଥିରୁ ପାଇକରାପୁରର ୩୧୭.୯୩ଏକର ଜମିରେ ପ୍ରଥମ ପର୍ଯ୍ୟାୟରେ ଉନ୍ନତୀକରଣ ହୋଇଛି। କିନ୍ତୁ ପାଇଲଟ୍‌ ପ୍ରକଳ୍ପ ଭାବେ ଏଥିରୁ ୧୪୫ ଏକର ଜମିର ଉନ୍ନତୀକରଣ କରାଯାଇଛି। ଗତବର୍ଷରୁ ଜମି ଓ ରାସ୍ତା ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି। ଏଥିରେ ପ୍ରାୟ ୬୦୦ରୁ ଅଧିକ ହିତାଧିକାରୀଙ୍କ ପାଇଁ ଜମି ଚିହ୍ନଟ କରାଯାଇଛି। ରାସ୍ତା ମଧୢ ନିର୍ମାଣ ସରିଛି। ତେଣୁ ଏବେ ପ୍ରଥମ ପର୍ଯ୍ୟାୟରେ ୬୦୦ ହିତାଧିକାରୀଙ୍କୁ ନୂଆ ନିୟମ ଭିତ୍ତିରେ ବିଡିଏ ନକ୍ସା ଅନୁଯାୟୀ ପଟ୍ଟା ଆବଣ୍ଟନ ହେବ।

ପାଇକରାପୁର ଉପରେ ଅନ୍ୟ ଟିପି ସ୍କିମ୍‌ ଭାଗ୍ୟ
ପାଇକରାପୁର ଟିପି ସ୍କିମ୍‌ କାର୍ଯ୍ୟକାରୀ ହେବା ପରେ ଟିପି ସ୍କିମ୍‌-୧ରେ ବାକି ଥିବା ନାରଗୋଦାରେ ୧୪୮.୪୨ ଏକର, ସିଜିପୁଟରେ ୧୭୬.୨୦ ଏକର, ସହଜପୁରରେ ୧୦୪.୧୭ଏକର ଅଞ୍ଚଳର ଉନ୍ନତୀକରଣ ହେବ। ଏଠାରେ ହିତାଧିକାରୀଙ୍କୁ ପର୍ଯ୍ୟାୟକ୍ରମେ ଜମି ଆବଣ୍ଟନ ଓ ରାସ୍ତା ଚିହ୍ନଟ କରି ପଟ୍ଟା ଦିଆଯିବ।

ଟିପି ସ୍କିମ୍‌-୧ର ସମସ୍ୟା ତୁଟିଲେ, ବାକି ଟିପି ସ୍କିମ୍‌ କାର୍ଯ୍ୟ ତୁରନ୍ତ ହୋଇଯିବ ବୋଲି କର୍ତ୍ତୃପକ୍ଷ ଆଶା ରଖିଛନ୍ତି। ତମାଣ୍ତୋ ଓ ବିଜିପୁର ମୌଜାର ୧୯୯ଏକର ଜମିକୁ ନେଇ ଟିପି ସ୍କିମ୍‌-୨ ହେଉଥିବା ବେଳେ ଏଠାରେ ୬୦୪ଜଣ ଜମି ମାଲିକ ଅଛନ୍ତି। ସେହିପରି ଟିପି-୩ ପାଇକରାପୁର ଓ ନୂଆ ଗାଁ ମୌଜାର ୨୮୦ଏକର ଜମିକୁ ନେଇ ହେଉଥିବା ବେଳେ ଏଠାରେ ୧୦୬୦ ଜଣ ଜମି ମାଲିକ ଅଛନ୍ତି। ଆଉ ଟିପି-୪ ଶ୍ୟାମସୁନ୍ଦରପୁର ମୌଜାର ୩୭୧ଏକର ଜମିକୁ ନେଇ ହେଉଥିବା ବେଳେ ଏଠାରେ ୬୯୭ଜଣ ଜମି ମାଲିକଙ୍କୁ ଚିହ୍ନଟ କରାଯାଇଛି। ଟିପି ସ୍କିମ୍‌ ୧ ଚୂଡ଼ାନ୍ତ ରୂପ ପାଇବା ପରେ ଟିପି ସ୍କିମ୍‌୨, ୩ ଓ ୪ ପାଇଁ ପ୍ରସ୍ତୁତି ଆରମ୍ଭ ହେବ।

ସମ୍ବନ୍ଧିତ ଖବର