ଟିପି ସ୍କିମ୍‌ର ପିଛା ଛାଡ଼ୁନି ବିବାଦ: ବଡ଼ଗଡ଼, ବାସୁଆଘାଇରେ ବି ବିରୋଧ

୫ ବର୍ଷ ପରେ ଟିପି-୧ରେ ଦେଇଥିଲେ ପଟ୍ଟା, ଏଯାଏ ସରିନି ଚିହ୍ନଟୀକରଣ

ଭୁବନେଶ୍ବର: ବିଡିଏର ଟିପି(ଟାଉନ୍‌ ପ୍ଲାନିଂ) ସ୍କିମ୍‌ର ପଛା ଛାଡ଼ୁନି ବିବାଦ। ଟିପି-୧ରେ ୫ ବର୍ଷ ପରେ ପଟ୍ଟା ଓ ୬ ବର୍ଷ ପରେ ଚିହ୍ନଟୀକରଣ ଆରମ୍ଭ ହୋଇଛି। ଅପେକ୍ଷା କରି କରି ଲୋକମାନେ ସେହି ଜମିରେ ଘର କରିସାରିଲେଣି। ଯାହାକୁ ନେଇ ବିଡିଏର ମୁଣ୍ଡବିନ୍ଧା ଆରମ୍ଭ ହୋଇଥିବା ବେଳେ ବଡ଼ଗଡ଼ ଓ ବାଙ୍କୁଆଳ ମୌଜାରେ ବିଡିଏ ପ୍ରସ୍ତାବିତ ଟିପି-୯ରେ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ଘୋର ବିରୋଧ ହୋଇଛି। ସ୍କିମ୍‌ ବନ୍ଦ କର, ନ ହେଲେ ଭୟଙ୍କର ପରିସ୍ଥିତି ହେବ ବୋଲି ବଡ଼ଗଡ଼ ଗ୍ରାମ୍ୟ କମିଟି ଓ ବାସୁଆଘାଇ ପଞ୍ଚାୟତ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦିଆଯାଇଛି। ନିର୍ବାଚିତ ଜନପ୍ରତିନିଧିଙ୍କ ସହ ସ୍ଥାନୀୟ ଅଞ୍ଚଳର ଶହଶହ ଜମି ମାଲିକ ଏହା ବିରୋଧରେ ସାମିଲ ହୋଇଥିବାରୁ ବିଡିଏ ପାଇଁ ଟିପି-୯ରେ ଜମି ଅଧିଗ୍ରହଣ କାଠିକର ପାଠ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଏହି ମୌଜାରେ ଟାଉନ୍‌ ପ୍ଲାନିଂ(ଟିପି) ଯୋଜନାକୁ କାର୍ଯ୍ୟକାରୀ କରିବାକୁ ବିଡିଏ ପକ୍ଷରୁ ୨୦୨୧ ମସିହାରେ ଖବର କାଗଜରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବଡ଼ଗଡ଼ ଓ ବାଙ୍କୁଆଳ ମୌଜାର ପ୍ରାୟ ୯୦୦ ଏକର ଜମିରେ ଏହି ଯୋଜନା କାର୍ଯ୍ୟକ୍ଷମ ହେବ ବୋଲି କୁହାଯାଇଥିଲା। ଜମି ମାଲିକମାନେ ସେମାନଙ୍କର ସ୍ଥିତିବାନ୍‌ ସମ୍ପତ୍ତିର ୪୦ପ୍ରତିଶତ ବିଡିଏ ନାମରେ କରି ଦେବାକୁ କୁହାଯାଇଥିଲା। ଏହାକୁ ବିରୋଧ କରି ଜମି ମାଲିକମାନେ ସରକାର ଓ ବିଡିଏ କର୍ତ୍ତୃପକ୍ଷଙ୍କୁ ପତ୍ର ଲେଖିଥିଲେ। ଚଳିତ ବର୍ଷ ବଡ଼ଗଡ଼ ଓ ବାଙ୍କୁଆଳ ଅଚଂଳରେ ବିଡିଏ ପକ୍ଷରୁ ଜନ ଶୁଣାଣି କରାଯାଇଥିଲା। ଏଥିରେ ଜନପ୍ରତିନିଧିଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକମାନେ ଏକତ୍ର ହୋଇ ଘୋର ବିରୋଧ କରିଥିଲେ। ଲୋକଙ୍କ ଅସନ୍ତୋଷ ପରେ ଏହାକୁ ବନ୍ଦ କରାଯିବ ବୋଲି କର୍ତ୍ତୃପକ୍ଷ ରାଜି ହୋଇଥିଲେ।

କିନ୍ତୁ ବିଡିଏ ଅଫିସ୍‌ରେ ଥିବା ଅଭିଯୋଗ ବାକ୍ସରେ ଜମି ଅଧିଗ୍ରହଣ ସପକ୍ଷରେ ମତ ଆସିଥିବା କହିବା ସହ ଜମି ଅଧିଗ୍ରହଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲା ବିଡିଏ। ଏ ସଂପର୍କରେ ଖବର ପ୍ରକାଶ ପାଇବା ପରେ ଏହି ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏନେଇ ବଡ଼ଗଡ଼ ଓ ବାଙ୍କୁଆଳ ଅଧିବାସୀମାନେ ମନ୍ତ୍ରୀ ଊଷା ଦେବୀ, ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସମେତ ବିଡିଏ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଏହାକୁ ବନ୍ଦ କରିବା ପାଇଁ ଦାବି କରିଛନ୍ତି। ଜମି ମାଲିକଙ୍କ ସହ ଜନପ୍ରତିନିଧି ସାମିଲ ହୋଇ ଆନ୍ଦୋଳନ ଚେତାବନୀ ଦେଇଛନ୍ତି। ଜନପ୍ରତିନିଧିଙ୍କ ମଧ୍ୟରେ ୪୫ନଂ ୱାର୍ଡ କର୍ପୋ​ରେଟର୍‌ ଅମରେଶ ଜେନା, ୪୪ନଂ କର୍ପୋରେଟର୍‌ ଅଜିତ୍‌ ବେହେରା, ୫୭ନଂ କର୍ପୋରେଟର୍‌ ସନ୍ତୋଷ ସିଂ ଓ ବାସୁଆଘାଇ ସରପଞ୍ଚ ବିକ୍ରମ ସେଠୀ ରହିଛନ୍ତି। ପୂର୍ବତନ କର୍ପୋରେଟର ପ୍ରତାପ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ବଡ଼ଗଡ଼ ଗ୍ରାମ୍ୟ କମିଟି ସମ୍ପାଦକ ସୁଧାଂଶୁ ମୋହନ, ଭାଗବତ ମୁଖା, କୃତୀର୍ଥ ପ୍ରଧାନ, ଅରିନ୍ଦ୍ର ଦାସ, ପୂର୍ଣ୍ଣଚନ୍ଦ୍ର ଜେନା, ରମେଶ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ। ସେମାନେ ୪୦ପ୍ରତିଶତ ଜମି ବିଡିଏ ନାମରେ କରିଦେବାକୁ ବିରୋଧ କରୁଛନ୍ତି। ପୂର୍ବରୁ ସହର ବିକାଶ, ଜାତୀୟ ରାଜପଥ ପାଇଁ ଜମିର ଉପଯୁକ୍ତ ମୂଲ୍ୟ ବଦଳରେ ଅଞ୍ଚଳବାସୀ ଜମି ଦେଇଛନ୍ତି। ଯାହାର ଖୁବ୍ କମ ଜମି ରହିଛି, ସେ ୪୦ପ୍ରତିଶତ ଦେଇଦେଲେ କେମିତି ଚଳିବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।
୨୦୧୬ ମସିହାରେ ସହର ଯୋଜନା ପରିକଳ୍ପନା(ଟାଉନ୍‌ ପ୍ଲାନିଂ ସ୍କିମ୍‌) କରିଥିଲା। ଉପକଣ୍ଠରେ ଥିବା ୫୮ ମୌଜାରେ ୪୫ଟି ଟିପି ସ୍କିମ୍‌ କରିବାକୁ ସ୍ଥିର କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୧୨ଟି ମୌଜାରେ ୮ଟି ଟିପି ସ୍କିମ୍‌ ଚୂଡ଼ାନ୍ତ ହୋଇଥିଲା। ୮ଟି ମଧ୍ୟରେ ଟିପି-୧ରେ ପାଇକରାପୁର, ନାରଗୋଦା, ସିଜିପୁଟ ଓ ସହଜପୁର ମୌଜା ରହିଥିଲା।

ପ୍ରଥମ ପର୍ଯ୍ୟାୟରେ ୪ଟି ଟିପି ସ୍କିମ୍‌ କାର୍ଯ୍ୟକ୍ଷମ କରିବାକୁ ଯୋଜନା ହୋଇଥିଲା। କିନ୍ତୁ ଯୋଜନାର ୫ ବର୍ଷ ପରେ ପ୍ରଥମ ଟିପି ସ୍କିମ୍‌(ପାଇକରାପୁର)ରେ ପଟ୍ଟା ଯୋଗାଇଦିଆ ଯାଇଥିଲା। ଏବଂ ୬ ବର୍ଷ ପରେ ଜମି ଚିହ୍ନଟୀକରଣ କାମ ଆରମ୍ଭ ହୋଇଛି, ଏଯାଏଁ ସରିନାହିଁ। ଯେଉଁଠି ଏହି ସ୍କିମ୍‌ ହେଉଛି ସେଠାରେ ଲୋକମାନେ ଘର କରି ସାରିଲେଣି। ଏହି ଘରଗୁଡ଼ିକୁ ବିଡିଏ ବେଆଇନ ଘୋଷଣା କରିଛି। ଏଗୁଡ଼ିକ ଭାଙ୍ଗି ଦିଆଯିବ ବୋଲି ମଧ୍ୟ କହିଛି। ଏହା ଉଚ୍ଛେଦ ହେଲେ ପରିସ୍ଥିତି ଭୟଙ୍କର ରୂପ ନେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏଭଳି ସ୍ଥିତିରେ ଟିପି-୯ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ଘୋର ବିରୋଧ ହୋଇଥିବାରୁ ବିଡିଏ ନୂଆ ଅଡ଼ୁଆରେ ଛନ୍ଦି ହୋଇ ଯାଇଛି।

ସମ୍ବନ୍ଧିତ ଖବର