ଭୁବନେଶ୍ବର: ବିଦ୍ୟୁତ୍ ଖୁଣ୍ଟରେ ଏବେ ବିଦ୍ୟୁତ୍ ତାର କମ୍, ଫାଇବର୍ କେବୁଲ୍ ଅଧିକ। ବିଦ୍ୟୁତ୍ ଖୁଣ୍ଟ ଯେତିକି କ୍ଷମତାର ବିଦ୍ୟୁତ୍ ତାର ଭାର ସମ୍ଭାଳିବା ପାଇଁ ପୋତା ହୋଇଥିଲା, ଏବେ ତା’ର ବହୁଗୁଣା ଫାଇବର୍ କେବୁଲ୍ ଭାର ଲଦା ହୋଇଛି। ଏଲ୍ଟି ଲାଇନ୍ ଯାଇଥିବା ବିଦ୍ୟୁତ ଖୁଣ୍ଟଗୁଡ଼ିକ ଏବେ ବୁଢ଼ିଆଣୀ ଜାଲ ଭଳି ଛନ୍ଦି ହୋଇଗଲାଣି। ବିଦ୍ୟୁତ୍ ଯୋଗାଣ ସଂସ୍ଥାଗୁଡ଼ିକ କିଛି ଅର୍ଥ ଲୋଭରେ ଏବେ ଲୋକଙ୍କ ଜୀବନକୁ ବିପଦମୁହଁକୁ ଠେଲି ଦେଇଛନ୍ତି।
ଏବେ ରାଜଧାନୀର ପ୍ରମୁଖ ରାସ୍ତାରୁ ଆରମ୍ଭ କରି ଗଳିକନ୍ଦିରେ ସବୁଠି ବିଦ୍ୟୁତ୍ ଖୁଣ୍ଟଗୁଡ଼ିକ ବିପଦପୂର୍ଣ୍ଣ ଅବସ୍ଥାରେ। ନିୟମ ଅନୁଯାୟୀ ବିଦ୍ୟୁତ ଖୁଣ୍ଟରେ କେବଳ ଧାର୍ଯ୍ୟ ଭାରର ବିଦ୍ୟୁତ ତାର ଟଣା ହେବ। ଏହାବାଦ୍ ଆଉ କୌଣସି ତାର ଟଣା ହେବନି। କିନ୍ତୁ ପୂର୍ବରୁ ସେସୁ, ଏବେ ଟିପିସିଓଡିଏଲ୍ ରାଜସ୍ବ ମୋହରେ ଖୁଣ୍ଟକୁ ଅପ୍ଟିକାଲ୍ ଫାଇବର୍ କେବୁଲ୍ମୟ କରିଦେଲେଣି। ସ୍ଥିତି ଏପରି ହେଲାଣି ଯେ ଖୁଣ୍ଟ ନିକଟରେ ଯାତାୟାତ କରିବାକୁ ଡର ଲାଗୁଛି। ଖୁଣ୍ଟଗୁଡ଼ିକ କେତେକ ସ୍ଥାନରେ ନଇଁ ଯାଇଥିବା ବେଳେ ସବୁ ଖୁଣ୍ଟରେ ସ୍ପାର୍କିଂ କରୁଥିବାରୁ ମଝିରେ ମଝିରେ ନିଆଁ ଝୁଲା ଖସୁଛି। କେତେବେଳେ ଖୁଣ୍ଟ ଚାର୍ଜ ହୋଇଯିବ, ତାହା କହିହେବନି। କିନ୍ତୁ ବିଏମ୍ସି ବି ଏଥିରୁ ଲାଇସେନ୍ସ ଫି’ ବାବଦକୁ ରାଜସ୍ବ ପାଉଥିବାରୁ ଚୁପ୍ ବସିପଡ଼ିଛି। ସମସ୍ତେ ରାଜସ୍ବ ମୋହରେ ମାତିଥିବାରୁ ସ୍ବର ଉଠାଇବାକୁ କେହି ନାହାନ୍ତି।
୨୦୧୮ ମସିହାରେ ପୁରୁଷ ହକି ବିଶ୍ବକପ୍ ପୂର୍ବରୁ ବିଏମ୍ସି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ ଯେ ରାଜଧାନୀରେ କୌଣସି ଫାଇବର୍ କେବୁଲ୍ ଉପରେ ଯିବନି। ସବୁ ମାଟି ତଳେ ଯିବ। ହେଲେ ତାହାକୁ କାର୍ଯ୍ୟକାରୀ କରିପାରିଲେନି। ଫଳରେ ଦିନ ଯେତେ ବଢ଼ିଲା, ଖୁଣ୍ଟରେ କେବୁଲ୍ ସଂଖ୍ୟା ସେତିକି ବଢ଼ିଲା। ଏବେ ବିଦ୍ୟୁତ୍ ଖୁଣ୍ଟରେ ତିନିଟି ବିଦ୍ୟୁତ ତାରକୁ ଛାଡ଼ିଦେଲେ, ୪ରୁ ୫ଟି ଟିଭି କେବୁଲ୍ ଓ ୧୦ରୁ ଅଧିକ ସଂସ୍ଥାର ଅପ୍ଟିକାଲ ଫାଇବର୍ ଇଣ୍ଟନେଟ୍ କେବୁଲ୍ ଟଣା ହୋଇଥିବା ଦେଖିବାକୁ ମିଳୁଛି। ତାର ତ ଯାହା ଟଣା ହେଉଛି, ଖୁଣ୍ଟ ମୂଳରେ ତାର ଗୁଡ଼େଇ ବାନ୍ଧି ଦେଉଛନ୍ତି। ଫଳରେ ଯେଉଁ ଖୁଣ୍ଟରୁ ଲୋକମାନେ ଘରକୁ ବିଦ୍ୟୁତ ସଂଯୋଗ ନେଇଛନ୍ତି, ସେଠାରେ ହିଁ ମୁଖ୍ୟ ସମସ୍ୟା ହେଉଛି। କେବୁଲ୍ ସଂସ୍ଥା ତାର ଟାଣିବା ବେଳେ କିଛି ଏପଟସେପଟ କରିଦେଲେ, ଲୋକଙ୍କ ଘରୁ ବିଦ୍ୟୁତ୍ କଟି ଯାଉଛି।
ଟିପିସିଓଡିଏଲ୍ର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ପୂର୍ବରୁ ବିଭିନ୍ନ ଅପ୍ଟିକାଲ୍ ଫାଇବର୍ କେବୁଲ୍ ସଂସ୍ଥା ସେସୁରୁ ଅନୁମତି ନେଇ କେବୁଲ୍ ଟାଣିଥିଲେ। ସେମାନେ ଖୁଣ୍ଟ ପିଛା ସଂସ୍ଥାଠାରୁ ୬ଟଙ୍କା ନେଉଥିଲେ। ଏବେ ଆମେ ୧୦ ଟଙ୍କା ଭଡ଼ା ନେଉଛୁ। ଆମ ଭିତ୍ତିଭୂମିକୁ ସେମାନେ ବ୍ୟବହାର କରୁଥିବାରୁ ଆମକୁ ଭଡ଼ା ଦେଉଛନ୍ତି। ଆମ ବିନା ଅନୁମତିରେ ଖୁଣ୍ଟରେ ଚଢ଼ି କାମ ନ କରିବାକୁ କୁହାଯାଇଛି। ଯଦି କେହି ଖୁଣ୍ଟରେ ଚଢ଼ି କାମ କରିବେ, ତେବେ କୌଣସିପ୍ରକାରର ଅପ୍ରୀତିକର ପରିସ୍ଥିତି ଉପୁଜିଲେ, ସେମାନେ ଦାୟୀ ହେବେ। ଅପରପକ୍ଷେ ବିଏମ୍ସିର ଜଣେ ଅଧିକାରୀ କହିଛନ୍ତି ଯେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ ପକ୍ଷରୁ ସ୍ମାର୍ଟ ସଲ୍ୟୁସନ୍ ପ୍ରକଳ୍ପରେ ଭୂତଳ କେବୁଲ୍ ବିଭିନ୍ନ ଅଞ୍ଚଳରେ ବିଛା ଯାଇଛି। ଏହାକୁ ଖୁବ୍ଶୀଘ୍ର କାର୍ଯ୍ୟକାରୀ କରାଯିବ। ଏହା କାର୍ଯ୍ୟକାରୀ ହେଲେ ଆଉ ଖୁଣ୍ଟରେ କେହି ଅପ୍ଟିକାଲ୍ ଫାଇବର୍ କେବୁଲ୍ ଟାଣିବେନି।