ବିଦ୍ୟୁତ ବିଭ୍ରାଟ ଖବର ଉପରେ ଟିପିସିଓଡିଏଲର ସ୍ପଷ୍ଟୀକରଣ

ଭୁବନେଶ୍ବର: ‘ପୁରୁଣା ଭୁବନେଶ୍ବରରେ ବାରମ୍ବାର ବିଦ୍ୟୁତ ବିଭ୍ରାଟ’ ଓ ‘ମୈତ୍ରୀବିହାର ଅଞ୍ଚଳରେ ୧୨ଘଣ୍ଟା ବିଦ୍ୟୁତ କାଟ’ ଶୀର୍ଷକ ଦୁଇଟି ଖବର ଗତ ୧୬ ତାରିଖରେ ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଏହି ଖବର ଉପରେ ସ୍ପଷ୍ଟୀକରଣ ରଖିଛି ଟିପିସିଓଡିଏଲ। ଟିପିସିଓଡିଏଲ ପକ୍ଷରୁ କୁହାଯାଇଛି ଯେ, ଲିଙ୍ଗରାଜନଗର ଓ କେଦାର ଲେନ୍‌ ଅଞ୍ଚଳରେ ଘର ଗୁଡ଼ିକରେ ତ୍ରୁଟିପୂର୍ଣ୍ଣ ଆର୍ଥିଂ ବ୍ୟବସ୍ଥା ଯୋଗୁଁ ବୈଦ୍ୟୁତିକ ଉପକରଣ ନଷ୍ଟ ହେଉଛି। ଏହି ପ୍ରସଙ୍ଗରେ ଉପଭୋକ୍ତାଙ୍କ ସହ କମ୍ପାନିର ଅଧିକାରୀ ଓ କର୍ମଚାରୀ ଆଲୋଚନା କରିବେ। ଯଦି ଏହା ଟିପିସିଓଡିଏଲର କାର୍ଯ୍ୟ ପରିସରଭୁକ୍ତ ହୋଇଥିବ ତେବେ ଏନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ସେହିପରି ରାଜଧାନୀରେ ପ୍ରବଳ ବର୍ଷା ଯୋଗୁଁ ମୈତ୍ରୀବିହାର ଆବାସିକ ଅଞ୍ଚଳରେ ବିଦ୍ୟୁତ କାଟ ହୋଇଥିଲା। ଚନ୍ଦ୍ରଶେଖରପୁର, ନୀଳାଦ୍ରିବିହାର, ମଞ୍ଚେଶ୍ୱର, ବାରମୁଣ୍ଡା, ବମିଖାଲ, କାନନବିହାର ଏବଂ ଝାରପଡ଼ା ଭଳି କେତେକ ଅଞ୍ଚଳରେ ମଧ୍ୟ ସମାନ ସମସ୍ୟା ଦେଖାଦେଇଥିଲା। ମାତ୍ର ଏଭଳି କଠିନ ପରିସ୍ଥିତିରେ ରେକର୍ଡ ସମୟ ମଧ୍ୟରେ ପୁନଃବିଦ୍ୟୁତ ସଂଯୋଗ କରାଯାଇଥିଲା। ମାତ୍ର ୨ଘଣ୍ଟା ମଧ୍ୟରେ ୬୦ ପ୍ରତିଶତ ଉପଭୋକ୍ତାଙ୍କୁ ବିଦ୍ୟୁତ ସେବା ଯୋଗାଇ ଦିଆଯାଇଥିଲା। ଅବଶିଷ୍ଟ ଅଞ୍ଚଳକୁ ୫ଘଣ୍ଟା ମଧ୍ୟରେ ବିଦ୍ୟୁତ ସଂଯୋଗ କରାଯାଇଥିଲା। ମାତ୍ର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମୈତ୍ରୀବିହାରର୧୫୫୩ ଗ୍ରାହକଙ୍କୁ ବିଦ୍ୟୁତ ସେବା ଯୋଗାଇବାରେ ବିଳମ୍ବ ହୋଇଥିଲା। ସମ୍ପୃକ୍ତ ଟ୍ରାନ୍ସଫର୍ମରକୁ ବଦଳା ଯାଇ ତା’ ପରଦିନ ପୂର୍ବାହ୍ନ ୧୦ଟା ୧୫ ମିନିଟ୍‌ରେ ବିଦ୍ୟୁତ ସରବରାହ ସ୍ବାଭାବିକ ହୋଇଥିଲା ବୋଲି ଟିପିସିଓଡିଏଲର ଲୋକସମ୍ପର୍କ ଅଧିକାରୀ ଗୌରୀ ମହାନ୍ତି ଜଣାଇଛନ୍ତି।

ସମ୍ବନ୍ଧିତ ଖବର