ନିର୍ଦ୍ଦିଷ୍ଟ ତାରିଖରେ ବିଲ୍‌ ପାଇଁ ଟିପିସିଓଡିଏଲ୍‌ର ପ୍ରୟାସ: ‘ମିତ୍ର’ ଆପ୍‌ ବ୍ୟବହାର ପାଇଁ ପରାମର୍ଶ

ଭୁବନେଶ୍ବର : ବିଦ୍ୟୁତ ବିଲ୍‌କୁ ନେଇ ଗଦାଗଦା ଅଭିଯୋଗ। ଗୋଟିଏ ବିଲ୍‌ରେ ୩୦ ଦିନରୁ ଅଧିକ ଦିନର ବିଲ୍‌ ଦେଇ ଟିପିସିଓଡିଏଲ୍‌(ଟାଟା ପାୱାର ସେଣ୍ଟ୍ରାଲ ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌) ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରି ନେଉଥିବା ଅଭିଯୋଗ ପରେ ମଧ୍ୟ ଟିପିସିଓଡିଏଲ୍‌ ଚେତି ନାହିଁ। ଗୋଟିଏ ମାସରେ ୧୨ ତାରିଖରେ ବିଲ୍‌ ଆସିଥିଲେ ପର ମାସରେ ୧୮ ତାରିଖରେ ଆସୁଛି। ଏଭଳି ଶତାଧିକ ଅଭିଯୋଗ ପହଞ୍ଚୁଥିଲେ ମଧ୍ୟ ସମସ୍ୟାକୁ ସମାଧାନ କରି ନିର୍ଦ୍ଦିଷ୍ଟ ତାରିଖରେ ବିଲ୍‌ ଦେବା ପରିବର୍ତ୍ତେ ‘ମିତ୍ର’ ଆପ୍‌ ଜରିଆରେ ଉପଭୋକ୍ତା ନିଜେ ନିଜର ବିଲ୍‌ ପ୍ରସ୍ତୁତ କରିବାକୁ ଟିପିସିଓଡିଏଲ୍‌ କର୍ତ୍ତୃପକ୍ଷ ପରାମର୍ଶ ଦେଇଛି। ଠିକ୍‌ ୩୦ ଦିନରେ ମିତ୍ର ଆପ୍‌ ଜରିଆରେ ମିଟର ରିଡିଂ କରି ଉପଭୋକ୍ତା ବିଲ୍‌ ପ୍ରସ୍ତୁତ କରିବା ସହ ଅନ୍‌ଲାଇନ୍‌ କିମ୍ବା କମନ ସର୍ଭିସ୍‌ ସେଣ୍ଟରରେ ବିଲ୍‌ ଜମା କରିବାକୁ ପରାମର୍ଶ ଦେଇଛି ସଂସ୍ଥା।

ଟିପିସିଓଡିଏଲ୍‌ର ପରାମର୍ଶ ମୁତାବକ; ମିତ୍ର ଆପ୍‌ ଡାଉନ୍‌ଲୋଡ୍‌ କରିବା ପରେ ମୋବାଇଲ ଓ କଞ୍ଜ୍ୟୁମର ନମ୍ବର ଜରିଆରେ ଏହାର ପଞ୍ଜୀକରଣ କରିବାକୁ ହେବ। ଏଥିରେ ଥିବା ସେଲ୍ଫ ମିଟର ରିଡିଂ ଅପ୍‌ସନ୍‌କୁ ଯିବାକୁ ହେବ। ଏହା ପରେ ମୋବାଇଲ ଫୋନ୍‌ର କ୍ୟାମେରା ଆପେ ଖୋଲିଯିବ। କ୍ୟାମେରାରେ ମିଟରକୁ ସ୍କାନ୍‌ କରିବାକୁ ହେବ। ସ୍କାନ୍‌ ହେବା ପରେ ମିଟରରେ ଥିବା ୟୁନିଟ୍‌ ଆପେ ମୋବାଇଲକୁ ଆସିଯିବ। ଏହାକୁ ଦାଖଲ କରିବାର କେଇ ସେକେଣ୍ଡ ମଧ୍ୟରେ ବିଲ୍‌ ପ୍ରସ୍ତୁତ ହୋଇଯିବ। ମାସର ନିର୍ଦ୍ଦିଷ୍ଟ ତାରିଖରେ ଏହି ପ୍ରକ୍ରିୟାରେ ବିଲ୍‌ ପ୍ରସ୍ତୁତ କଲେ ଆଉ ଅଧିକ ବିଲ୍‌ ଦେବାର ସମ୍ଭାବନା ରହିବ ନାହିଁ। ଏହା ସତ୍ତ୍ବେ ନିର୍ଦ୍ଦିଷ୍ଟ ତା‌ରିଖରେ କର୍ମଚାରୀ ଘରେ ପହଞ୍ଚି ବିଲ୍‌ ପ୍ରସ୍ତୁତ କରିବାକୁ ଉଦ୍ୟମ ଜାରି ରହିଥିବା ସଂସ୍ଥା ପକ୍ଷରୁ କୁହାଯାଇଛି।

ଏହି ପରାମର୍ଶ ପରେ କେତେକ ଉପଭୋକ୍ତା ନିଜର ବିଲ୍‌ ପ୍ରସ୍ତୁତ କରିଛନ୍ତି। ତେବେ ଏଥିରେ ପୁଣି ନୂଆ ଅଡ଼ୁଆ ସୃଷ୍ଟି ହୋଇଛି। ଜେନେରେଟ୍‌ କରିବା ପରେ ଦୁଇଟି ଭିନ୍ନ ଭିନ୍ନ ପରିମାଣର ବିଲ୍‌ ଆସୁଛି। ବିଲ୍‌ ପ୍ରସ୍ତୁତି ସମୟରେ ଗୋଟିଏ ପରିମାଣ ଦେଖାଉଥିବା ବେଳ‌େ ପେମେଣ୍ଟ ମୋଡ୍‌କୁ ଗଲେ ଅଧିକ ପରିମାଣ ଦେଖାଉଛି। ନରେଶ ବଡ଼ିଆ ନାମକ ଜଣେ ଉପଭୋକ୍ତା ଅଭିଯୋଗ କରିଛନ୍ତି ଯେ ମିତ୍ର ଆପ୍‌ ଜରିଆରେ ସେ ଅଗଷ୍ଟ ମାସର ବିଲ୍‌ ପ୍ରସ୍ତୁତ କରିଥିଲେ। ବିଲ୍‌ ପ୍ରସ୍ତୁତ ସମୟରେ ୧୭୮୩ ଟଙ୍କା(ରିବେଟ୍‌ ତାରିଖ ପରେ ୧୮୦୩ ଟଙ୍କା) ବିଲ୍‌ ଦେଖାଇଥିଲା। କିନ୍ତୁ ଏହାକୁ ପେମେଣ୍ଟ କରିବାକୁ ଗଲା ବେଳକୁ ଏହା ୧୮୨୬ ଟଙ୍କା ଦେଖାଇଥିଲା। ୪୩ ଟଙ୍କା କାହିଁକି ଅଧିକା ହେଲା ସେ ନେଇ କାହା ପାଖରେ ଉତ୍ତର ନଥିଲା। ଏ ନେଇ ସେ ଟିପିସିଓଡିଏଲ୍‌କୁ ଅଭିଯୋଗ କରିଛନ୍ତି। ଅଭିଯୋଗ ଉପରେ ବିଚାର କରାଯାଉଥିବା ଟିପିସିଓଡିଏଲ୍‌ ଉତ୍ତର ଦେଇଛି। ଗୋଟିଏ କି ଦୁଇଟି ଅଭିଯୋଗ ନୁହେଁ, ଏଭଳି ଗଦା ଗଦା ଅଭିଯୋଗ ଏବେ ଟିପିସିଓଡିଏଲ୍‌କୁ ବିବାଦକୁ ଟାଣିଛି। ଅଭିଯୋଗ ପାଇଁ ଦିଆଯାଇଥିବା ଟୋଲ୍‌ ଫ୍ରି ନମ୍ବର ୧୯୧୨ ମଧ୍ୟ ଅଭିଯୋଗ ଶୁଣୁନଥିବା ଅଭିଯୋଗ ହୋଇଛି। ଭିଏସ୍‌ଏସ୍‌ ନଗରର ନରେନ୍ଦ୍ର ସିଂ କହିଛନ୍ତି, ନିର୍ଦ୍ଦିଷ୍ଟ ତାରିଖରେ ବିଲ୍‌ ଆସୁନଥିବାରୁ ଗୋଟିଏ ବିଲ୍‌ରେ ୩୫ ଦିନର ଦେୟ ଦେବାକୁ ପଡ଼ୁଛି। ଫଳରେ ଅଧିକ ପଇସା ଦେବାକୁ ପଡ଼ିଛି। ଏ ନେଇ ୧୯୧୨କୁ ଫୋନ୍‌ କରିଥିଲେ ମଧ୍ୟ ସେମାନେ ଅଭିଯୋଗ ଶୁଣିବା ପରିବର୍ତ୍ତେ ଫୋନ୍‌ କାଟି ଦେଉଛନ୍ତି। ଫଳରେ ସେ କାହାକୁ ଅଭିଯୋଗ କରିବେ ଚିନ୍ତାରେ ପଡ଼ିଛନ୍ତି। ଗୋଟିଏ ପଟେ ଠକାମିର ଶିକାର ହେବା ଓ ଅନ୍ୟପଟେ ଅଭିଯୋଗ କରିବା ପାଇଁ ଦିଆଯାଇଥିବା ଟୋଲ୍‌ ଫ୍ରି ନମ୍ବରରୁ ସହଯୋଗ ନ ମିଳିବା ଯୋଗୁଁ ଉପଭୋକ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ତେବେ ନିର୍ଦ୍ଦିଷ୍ଟ ଭାବରେ ଅଭିଯୋଗ ହେଲେ ଆମେ ସମାଧାନ କରିବାକୁ ପ୍ରସ୍ତୁତ ଅଛୁ ବୋଲି ଟିପିସିଓଡିଏଲ୍‌ କର୍ତ୍ତୃପକ୍ଷ କହିଛନ୍ତି।

ସମ୍ବନ୍ଧିତ ଖବର