ଭୁବନେଶ୍ବର : ନିୟମ ଅନୁଯାୟୀ ରାଜଧାନୀରେ ଯେଉଁମାନେ ବ୍ୟବସାୟ କରିବେ, ସେମାନଙ୍କୁ ଟ୍ରେଡ୍ ଲାଇସେନ୍ସ କରିବାକୁ ହେବ। ହେଲେ ଏବେ ବି ୩୭ ହଜାର ବ୍ୟବସାୟୀଙ୍କର ଟ୍ରେଡ୍ ଲାଇସେନ୍ସ ନାହିଁ। ସେମାନଙ୍କୁ ଚିହ୍ନଟ କରି ଲାଇସେନ୍ସ କରିବା କାମ ବିଏମ୍ସିର ହୋଇଥିଲେ ହେଁ ବିଏମ୍ସି କର୍ତ୍ତୃପକ୍ଷ ପାରିଲେନି। ତେଣୁ କେଉଁ ୱାର୍ଡରେ କେଉଁ ଅଞ୍ଚଳରେ କେତେ ସ୍ଥାୟୀ ବ୍ୟବସାୟୀ ଅଛନ୍ତି, କିଏ ଦୋକାନର ମାଲିକ, କ’ଣ ବିକ୍ରି କରୁଛନ୍ତି ଆଦି ତଥ୍ୟ ସଂଗ୍ରହ ପାଇଁ ବିଏମ୍ସି ପକ୍ଷରୁ ଘରୋଇ ସଂସ୍ଥା ସ୍ପାରୋ ସଫ୍ଟଟେକ୍ ପ୍ରାଇଭେଟ୍ ଲିମିଟେଡ୍କୁ ନିୟୋଜିତ କରାଯାଇଛି। ଆଜି ଏହି ସର୍ଭେ କାର୍ଯ୍ୟକୁ ବିଏମ୍ସି କମିସନର୍ ପ୍ରେମ ଚନ୍ଦ୍ର ଚୌଧରୀ ଶୁଭାରମ୍ଭ କରିଛନ୍ତି।
ବିଏମ୍ସିର ଡେପୁଟି କମିସନର୍ (ରାଜସ୍ବ) ଶ୍ରୀମନ୍ତ ମିଶ୍ର କହିଛନ୍ତି ଯେ ଟ୍ରେଡ୍ ଲାଇସେନ୍ସ ସର୍ଭେ ପାଇଁ ନିୟୋଜିତ ହୋଇଥିବା ସଂସ୍ଥା ପ୍ରତି ୱାର୍ଡ ଅନୁଯାୟୀ ସର୍ଭେ କରିବ। ଏଥିପାଇଁ ୪୦ଜଣ କର୍ମଚାରୀଙ୍କୁ ନିୟୋଜିତ କରିଛି। ମାସକ ମଧ୍ୟରେ ଏହି ସର୍ଭେ ଶେଷ ହେବ। ଏବେ ପ୍ରାୟ ୧୩ ହଜାର ବ୍ୟବସାୟୀ ଟ୍ରେଡ୍ ଲାଇସେନ୍ସ କରି ବ୍ୟବସାୟ କରୁଛନ୍ତି। ଆକଳନ ଅନୁଯାୟୀ, ବାକି ୩୭ହଜାର ବ୍ୟବସାୟୀଙ୍କର ଟ୍ରେଡ୍ ଲାଇସେନ୍ସ ନାହିଁ। ତେଣୁ ଡାଟାବେସ୍ ପ୍ରସ୍ତୁତ କଲେ ଆମକୁ କାର୍ଯ୍ୟାନୁଷ୍ଠାନ ନେବା ଓ ଲାଇସେନ୍ସ କରାଇବା ସହଜ ହେବ। ଏହି ସର୍ଭେ ପାଇଁ ନିୟୋଜିତ କର୍ମଚାରୀଙ୍କୁ ଆଜି ପରିଚୟପତ୍ର ପ୍ରଦାନ କରାଯାଇଛି। ସର୍ଭେରେ ଉଠାଦୋକାନୀଙ୍କ ଉପରେ କିଛି ସର୍ଭେ ହେବନି। ଆଜିର ଏହି କାର୍ଯ୍ୟକ୍ରମରେ ବିଏମ୍ସିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।