୩୭ ହଜାର ବ୍ୟବସାୟୀଙ୍କ ଟ୍ରେଡ୍‌ ଲାଇସେନ୍ସ ନାହିଁ, ଟ୍ରେଡ୍‌ ଲାଇସେନ୍ସ ବାଧ୍ୟତାମୂଳକ ହେବ

ସର୍ଭେ କରିବାକୁ ବିଏମ୍‌ସି କଲା ଏମ୍‌ଓୟୁ

ଭୁବନେଶ୍ବର: ରାଜଧାନୀରେ ପ୍ରାୟ ୫୦ ହଜାର ଦୋକାନ ଥିବା ବେଳେ ମାତ୍ର ୧୩ ହଜାର ଦୋକାନୀ ଟ୍ରେଡ୍‌ ଲାଇସେନ୍ସ କରିଛନ୍ତି। ବାକି ୩୭ହଜାର ବ୍ୟବସାୟୀ ବିନା ଲାଇସେନ୍ସରେ ବେପାର କରୁଛନ୍ତି। ବିଏମ୍‌ସିର ନିୟମ ଅନୁଯାୟୀ, ରାଜଧାନୀରେ ଯିଏ ବ୍ୟବସାୟ କରିବେ, ତାଙ୍କୁ ଟ୍ରେଡ୍‌ ଲାଇସେନ୍ସ କରିବାକୁ ପଡ଼ିବ। କିନ୍ତୁ ଏହାକୁ ବ୍ୟବସାୟୀ ମାନୁନାହାନ୍ତି। ତେଣୁ ବିଏମ୍‌ସି ପକ୍ଷରୁ ଘରୋଇ ସଂସ୍ଥାକୁ ନିୟୋଜିତ କରି ଟ୍ରେଡ୍‌ ଲାଇସେନ୍ସ ନଥିବା ବ୍ୟବସାୟୀଙ୍କୁ ଚିହ୍ନଟ କରାଯିବ। ଆଜି ଏନେଇ ବିଏମ୍‌ସି ଓ ସ୍ପାରୋ ସଫ୍ଟୱେୟାର ପ୍ରାଇଭେଟ୍‌ ଲିମିଟେଡ୍ ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷର ହୋଇଛି। ବିଏମ୍‌ସି ପକ୍ଷରୁ ଡେପୁଟି କମିସନର ଶ୍ରୀମନ୍ତ ମିଶ୍ର ଏବଂ ସ୍ପାରୋ ସଫ୍ଟୱେୟାର ପ୍ରାଇଭେଟ୍‌ ଲିମିଟେଡ ପକ୍ଷରୁ ସୁବ୍ରତ କୁମାର ଦେ ଏମ୍‌ଓୟୁ ସ୍ବାକ୍ଷର କରିଥିଲେ।

ବିଏମ୍‌ସି ପକ୍ଷରୁ କୁହାଯାଇଛି ସ୍ପାରୋ ସଫ୍ଟୱେୟାର ସଂସ୍ଥା ପୂରା ରାଜଧାନୀରେ ମାସକ ମଧ୍ୟରେ ସର୍ଭେ ଶେଷ କରିବ। ପ୍ରତି ୱାର୍ଡରେ କେଉଁ ଅଞ୍ଚଳରେ କେତେ ଦୋକାନ ଅଛି, କ’ଣ ବ୍ୟବସାୟ କରୁଛନ୍ତି, ତା’ର ତାଲିକା ପ୍ରସ୍ତୁତ କରାଯିବ। ଏହାପରେ ବ୍ୟବସାୟୀମାନଙ୍କୁ ଅନଲାଇନ୍‌ରେ ଟ୍ରେଡ୍‌ ଲାଇସେନ୍ସ ନେବାକୁ କୁହାଯିବ। ଯଦି କେହି ଖିଲାପକାରୀ ବାହାରି‌ବେ, ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ପୂରା ରଜଧାନୀରେ ସବୁ ବ୍ୟବସାୟୀ ଟ୍ରେଡ୍‌ ଲାଇସେନ୍ସ ନେଲେ ବିଏମ୍‌ସି ପ୍ରାୟ ୨କୋଟି ଟଙ୍କା ଅଧିକ ରାଜସ୍ବ ପାଇବ।

ସମ୍ବନ୍ଧିତ ଖବର