ଟ୍ରେଡ୍‌ ଜୋନ୍‌, କନଭେନସନ୍‌ ସେଣ୍ଟର୍‌ ନିର୍ମାଣରେ ଜମି ବାଧକ

ଭୁବନେଶ୍ୱର : ଜନତା ମଇଦାନରେ ହେବାକୁ ଥିବା ଦେଶର ୫ମ ବିଶ୍ୱ ବାଣିଜ୍ୟ କେନ୍ଦ୍ର(ଓ୍ଵାର୍ଲଡ ଟ୍ରେଡ୍‌ ଜୋନ୍‌) ଏବଂ କନଭେନସନ୍‌ ସେଣ୍ଟର ନିର୍ମାଣରେ ଜମି ବାଧକ ସାଜିଛି। ୩୦୦ କୋଟିର ଏହି ମେଗା ପ୍ରକଳ୍ପ ପାଇଁ ଜୁଲାଇ,୨୦୧୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ ହେଁ ଆବଶ୍ୟକୀୟ ଜମି ନମିଳିବାରୁ ରାଜ୍ୟ ସରକାର ଏହି ପ୍ରକଳ୍ପକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜନତା ମଇଦାନରେ ହେବାକୁ ଥିବା ଏହି ପ୍ରକଳ୍ପକୁ ସ୍ମାର୍ଟ ସିଟି ଭୁବନେଶ୍ୱରର ପ୍ରମୁଖ ଅଞ୍ଚଳ ହେବାକୁ ଥିବା ସତ୍ୟନଗର ଅଞ୍ଚଳରେ ନିର୍ମାଣ କରାଯିବ ବୋଲି ଏବେ ନିଷ୍ପତ୍ତି ନିଆଯାଇଛି।

ଜନତା ମଇଦାନରେ ବିଶ୍ୱ ବାଣିଜ୍ୟ କେନ୍ଦ୍ର ସହ ଏକ ଅତ୍ୟାଧୁନିକ କନଭେନସନ୍‌ ସେଣ୍ଟର ନିର୍ମାଣ କରିବାକୁ ଇଡକୋ ଦୀର୍ଘ ବର୍ଷ ହେଲା ଯୋଜନା କରିଥିଲେ ହେଁ ଏ ପର୍ଯ୍ୟନ୍ତ ଇଟା ଖଣ୍ଡେ ପଡ଼ିପାରିଲାନି। ବିଶ୍ୱ ବାଣିଜ୍ୟ କେନ୍ଦ୍ର ଫର୍ଚୁନ ଟାଓ୍ଵାର ପଛପଟେ କରିବାକୁ ଯୋଜନା ହୋଇଥିଲା। ଏଥିପାଇଁ ଏଠାରେ ଥିବା ୫ଏକର ଜମି ମଧ୍ୟ ଚିହ୍ନଟ ହୋଇଥିଲା। ହେଲେ ଏହି ଜମି ଜଙ୍ଗଲ କିସମରୁ ପରିବର୍ତ୍ତନ ହୋଇପାରିଲାନି। ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟର ଅନୁମତି ନ ମିଳିବାରୁ ରାଜ୍ୟ ସରକାର ଏହି ମେଗା ପ୍ରକଳ୍ପକୁ ସ୍ଥାନାନ୍ତର କରିବାକୁ ଯୋଜନା କରିଛନ୍ତି।

ଏହି ପ୍ରକଳ୍ପ ହୋଇ ନପାରିବା ନେଇ ଜମି ସମସ୍ୟା ରହିଛି ବୋଲି ଇଡ୍‌କୋ କହିଛି। ଏପରିକି ଏହି ପ୍ରକଳ୍ପ ପାଇଁ ଦୀର୍ଘ ଏକ ବର୍ଷ ହେଲା ଟେଣ୍ଡର ପେପର ପ୍ରସ୍ତୁତ ହୋଇ ରହିଥିଲେ ହେଁ ଜମି ମିଳି ନଥିବାରୁ ଟେଣ୍ଡର୍‌ ପ୍ରକାଶ ପାଇନି। ବିଶ୍ୱ ବାଣିଜ୍ୟ କେନ୍ଦ୍ର ଓ କନଭେନସନ୍‌ ସେଣ୍ଟର ନିର୍ମାଣ ପାଇଁ ଜମି ମିଳିଲେ ଟେଣ୍ଡର ଆହ୍ଵାନ ହେବ ବୋଲି ଇଡ୍‌କୋର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ବିଶ୍ୱ ବାଣିଜ୍ୟ କେନ୍ଦ୍ର ଓ କନଭେନସନ୍‌ ସେଣ୍ଟର ନିର୍ମାଣ ପାଇଁ ଥିବା ଜମି ସମସ୍ୟାର ସମାଧାନ କରିବା ଏବଂ ଏହି ପ୍ରକଳ୍ପର ଅଗ୍ରଗତି ନେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସମୀକ୍ଷା କରିଛନ୍ତି। ଜନତା ମଇଦାନରେ ଜମି ନ ମିଳିବାରୁ ନୂତନ ଜମିର ପ୍ରସ୍ତାବ ଦେବାକୁ ଇଡ୍‌କୋକୁ କୁହାଯାଇଥିଲା। ଇଡକୋ ସିଏମ୍‌ଡି କହିଥିଲେ ଯେ, ଇଡ୍‌କୋ ଇନଫୋସିଟି ଓ ଇନଫୋଭ୍ୟାଲି ବିକଶିତ କରିଥିବାରୁ ଏଠାରେ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଓ କନଭେନସନ୍‌ ସେଣ୍ଟର କରାଯାଇପାରିବ। କିନ୍ତୁ ଆଲୋଚନା ସମୟରେ ଜଣାପଡ଼ିଥିଲା ଯେ, ଇନଫୋସିଟିରେ ଏହି ପ୍ରକଳ୍ପ ପାଇଁ ଆବଶ୍ୟକୀୟ ଜମି ନାହିଁ। ଇନଫୋଭ୍ୟାଲିରେ ଜମି ଥିଲେ ହେଁ ଏହା ସହରଠାରୁ ବହୁ ଦୂରରେ ଥିବାରୁ ସେଠାରେ ଏହି ପ୍ରକଳ୍ପ କରିବା ସମ୍ଭବ ନୁହେଁ।

ଏହାପରେ ନିଷ୍ପତ୍ତି ନିଆଯାଇଥିଲା ଯେ, ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ ପକ୍ଷରୁ ସ୍ମାର୍ଟ ସିଟି ପ୍ରକଳ୍ପରେ ସତ୍ୟନଗର ଅଞ୍ଚଳର ବିକାଶ କରି ଏହାକୁ ସତ୍ୟନଗର ସିବିଡିରେ ପରିଣତ କରାଯିବ। ଏହାର ଗୁରୁତ୍ୱ ଯୋଗୁଁ ଏଠାରେ ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ୭ଏକର ଜମି ଯୋଗାଇଲେ ସେଠାରେ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଓ କନଭେନସନ୍‌ ସେଣ୍ଟର ହେବ। ଏହି ଜମି ଏବେ ଓଡ଼ିଶା ବିଲ୍‌ଡିଂ ନିର୍ମାଣ ନିଗମ ଅଧୀନରେ ଥିବାରୁ ଏହି ଅଞ୍ଚଳରେ କେଉଁଠି ଏହି ମେଗା ପ୍ରକଳ୍ପ ନିର୍ମାଣ ହେବ ତାହା ବିଡିଏ ସ୍ଥିର କରୁ। ଏହାପରେ ଏହି ପ୍ରକଳ୍ପ ନେଇ ଆଗାମୀ ପଦକ୍ଷେପ ନିଆଯିବ। ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ମଧ୍ୟ ଏହି ପ୍ରକଳ୍ପ ନିର୍ମାଣ କରିବାକୁ ଆଗ୍ରହ ଥିବା ଜଣାପଡ଼ିଛି।

ସେହିପରି ଆଚାର୍ଯ୍ୟବିହାର ନିକଟରେ ଥିବା ଆଇଏମ୍‌ଏମ୍‌ଟି ଏବେ ଆବଶ୍ୟକତାଠାରୁ ଅଧିକ ୨୦ ଏକର ଜମି ମାଡ଼ି ବସିଛି। ଏହାକୁ ତୁରନ୍ତ ବିଡିଏ ନିଜ ନିୟନ୍ତ୍ରଣକୁ ଆଣିବ। ଏଠାରେ ଏହିଭଳି କିଛି ବଡ଼ ପ୍ରକଳ୍ପ ନିର୍ମାଣ କରିବାକୁ ଯୋଜନା କରିବାକୁ ମୁଖ୍ୟ ଶାସନ ସଚିବ ବିଡିଏ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର