ଭୁବନେଶ୍ବର: ଗତ ସପ୍ତାହରେ ଜଣେ ବ୍ୟବସାୟୀଙ୍କୁ ଅପହରଣ କରିନେଇଥିବା ୩ ଅଭିଯୁକ୍ତଙ୍କୁ ଆଜି ନୂଆପଲ୍ଲୀ ଥାନା ପୁଲିସ ଧରିଛି। ସେମାନଙ୍କ କବଳରୁ ବ୍ୟବସାୟୀଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କ ଜିମା ଦିଆଯାଇଥିବା ବେଳେ ପୁଲିସ ଅଭିଯୁକ୍ତମାନଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଚଳାଇଛି। ସୂଚନା ମୁତାବକ ଆଇଆର୍ସି ଅଞ୍ଚଳର ଏହି ବ୍ୟବସାୟୀଙ୍କୁ ଅପହରଣକାରୀମାନେ କିଛି ଦିନ ହେବ ପିଛା କରୁଥିଲେ। ଗତ ସପ୍ତାହରେ ସୁଯୋଗ ପାଇ ସେମାନେ ତାଙ୍କୁ ଅପହରଣ କରିନେଇଥିଲେ।
ସେମାନେ ତାଙ୍କୁ ପଣବନ୍ଦୀ କରି ରଖିଥିଲେ ଓ ଫୋନ୍ କରି ତାଙ୍କ ପରିବାର ଲୋକଙ୍କୁ ଲକ୍ଷାଧିକ ଟଙ୍କା ଦାବି କରିଥିଲେ। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଅପହରଣକାରୀମାନଙ୍କୁ ପିଛା କରିଥିଲା। ଫୋନ୍ ନମ୍ବରକୁ ଟ୍ରାକ୍ କରି ସେମାନଙ୍କ ଠିକଣା ଠାବ କରିବାକୁ ଉଦ୍ୟମ କରିଥିଲା। କିନ୍ତୁ ଅପହରଣକାରୀମାନେ ବାରମ୍ବାର ଫୋନ୍ ବଦଳାଉଥିଲେ। ତେଣୁ ପୁଲିସ ସମସ୍ୟାରେ ପଡ଼ିଥିଲା। ତେବେ ବ୍ୟବସାୟୀଙ୍କୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିବାକୁ ପୁଲିସ ମାପିଚୁପି ପଦକ୍ଷେପ ନେଇଥିଲା ଓ ଅପହରଣକାରୀମାନଙ୍କ ପାଇଁ ଜାଲ ବିଛାଇଥିଲା। ଶେଷରେ ଅପହରଣକାରୀମାନେ ପୁଲିସ ଜାଲରେ ଫସିଛନ୍ତି।