ଭୁବନେଶ୍ୱର: ଆସୁଛି ରାଖୀ ପୂର୍ଣ୍ଣିମା। ଭାଇ ଭଉଣୀଙ୍କ ସମ୍ପର୍କର ମହତ୍ତ୍ୱକୁ ଦର୍ଶାଉଥିବା ଏହି ଦିନଟିକୁ ଚାହିଁ ବସିଛନ୍ତି ଭାଇ ଓ ଭଉଣୀମାନେ। ତେବେ ବର୍ତ୍ତମାନ ରାଖୀର ପରଂପରା ବଦଳୁଛି। ହୁଏତ ଏହାର ପରିସରକୁ ଆହୁରି ବ୍ୟାପକ କରିବାଲାଗି ବ୍ୟବସାୟୀମାନଙ୍କର ଏହା ଏକ କୌଶଳ ହୋଇଥିବ! କିନ୍ତୁ ଲୋକେ ଏହାକୁ ପସନ୍ଦ କରୁଛନ୍ତି। ତେଣୁ ଗ୍ରହଣ ଓ ଅନୁସରଣ କରୁଛନ୍ତି। ଏବେ ରାଖୀ କେବଳ ଭାଇମାନଙ୍କ ହାତରେ ପିନ୍ଧାଇବାରେ ସୀମିତ ହୋଇନାହିଁ, ଝିଅମାନେ ନିଜ ଝିଅସାଙ୍ଗଙ୍କ ହାତରେ ମଧ୍ୟ ରାଖୀ ବାନ୍ଧୁଥିବାର ଦେଖା ଯାଉଛି। ଏବେ ନଣନ୍ଦମାନେ ବି ଭାଉଜମାନଙ୍କୁ ରାଖୀ ବାନ୍ଧିବାର ପରଂପରା ଆରମ୍ଭ ହେଲାଣି। ଭାଉଜଙ୍କୁ ପିନ୍ଧେଇବା ପାଇଁ ବଜାରକୁ ଆସିଛି ଏବେ ଲୁମ୍ବା ରାଖୀ। ଭାଉଜଙ୍କ ଉଦ୍ଦେଶ୍ୟରେ ଆସିଥିବା ଲୁମ୍ବା ରାଖୀରେ ସୁନ୍ଦର ମାଳି ସହିତ ଲଟକନ ଲାଗିଛି, ଯାହା ଝୁମକା ସଦୃଶ ଦେଖା ହେଉଛି। ଏହି ରାଖୀର ଦାମ୍ ହାରାହାରି ୧୦୦ ଟଙ୍କା ଥିବାବେଳେ ଉଭୟ ଭାଇ ଓ ଭାଉଜଙ୍କ ହାତରେ ବନ୍ଧା ହେବାକୁ ତିଆରି ହୋଇଥିବା ‘ଭୈୟା ଭାବି ରାଖୀ’ର ଦାମ୍ ୨୫୦ରୁ ୩୦୦ ଟଙ୍କା ଭିତରେ ମିଳୁଛି।
ରାଜଧାନୀ ଭୁବନେଶ୍ୱରରେ ବି ରାଖୀକୁ ନେଇ ବେଶ୍ ଉତ୍କଣ୍ଠା। ସହରର ଛକ ବଜାର ଓ ଗଳିକନ୍ଦିରେ ଖୋଲିଲାଣି ରାଖୀ ଦୋକାନ। ରୁଦ୍ରାକ୍ଷ, ଦେବଦେବୀଙ୍କ ଚିତ୍ର ଠାରୁ ଆରମ୍ଭ କରି ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ, ଏକ୍ସ ସବୁକିଛି ରାଖୀରେ ଦେଖିବାକୁ ମିଳୁଛି। ବଜାରରେ ଏବେ ପାରମ୍ପରିକ ରାଖୀଠାରୁ ଆରମ୍ଭ କରି ଫ୍ୟାନ୍ସି, ବ୍ରେସ୍ଲେଟ୍, ଗୋଲ୍ଡେନ୍, ଲାଇଟ୍ , ଡୋରେମନ୍, ବେନ୍ଟେନ୍, ଛୋଟା ଭିମ୍, ମୟୂର ପୁଚ୍ଛ, କପଡ଼ାରେ ପ୍ରସ୍ତୁତ ରାଖୀ ମଧ୍ୟ ଉପଲବ୍ଧ ହେଉଛି। ଏସବୁର ଦାମ୍ ୧୦ଟଙ୍କାରୁ ଆରମ୍ଭ କରି ୨୦୦ଟଙ୍କା ପର୍ଯ୍ୟନ୍ତ ରହିଛି। ତେବେ ଷ୍ଟୋନ୍ ରାଖୀର ଚାହିଦା ବେଶି। ଏହାର ଦାମ୍ ୧୦୦ ଟଙ୍କାରୁ ନେଇ ୫୦୦ ଟଙ୍କାରହିଛି। ଏଗୁଡ଼ିକ କୋଲକାତା, ରାଜସ୍ଥାନ, ଦିଲ୍ଲୀ, ଜୟପୁର ଓ ଗୁଜୁରାଟରୁ ଓଡ଼ିଶାକୁ ଆସିଛି ବୋଲି ନୂଆପଲ୍ଲୀର ବ୍ୟବସାୟୀ ରଘୁ ସାହୁ କହନ୍ତି। ସେହିପରି ଚଳିତ ରାଖୀ ପୂର୍ଣ୍ଣିମାରେ ଆକର୍ଷଣ ସାଜିବ କଷ୍ଟମାଇଜ୍ ରାଖୀ। ଏଥିରେ ଭାଇଭଉଣୀଙ୍କ ଯୋଡ଼ାଫଟୋ, ନଚେତ୍ କେବଳ ଭାଇ କିମ୍ୱା ଭଉଣୀଙ୍କ ଫଟୋ ରହିବ। ବାଣୀବିହାର ସ୍ଥିତ ‘ଆର୍ଚିସ’ରେ ଏହି ରାଖୀ ପ୍ରସ୍ତୁତ କରାଯାଉଛି। ତେବେ ଏଥିପାଇଁ ଆଗୁଆ ବରାଦ ଦେବାକୁ ପଡ଼ୁଛି। ଡିଜାଇନ୍ ଅନୁସାରେ ଏଗୁଡ଼ିକର ଦାମ୍ ୩୦୦ଟଙ୍କାରୁ ଆରମ୍ଭ ହେଉଛି। କେବଳ ରାଖୀ ନୁହେଁ, କାର୍ଡ ଓ ଭାଇଭଉଣୀର ସମ୍ପର୍କର ବାର୍ତ୍ତା ସହିତ ଭାଇ ଓ ଭଉଣୀଙ୍କ ଫଟୋ ଥିବା ‘ଵାଲ୍ ହାଙ୍ଗିଙ୍ଗ୍’ର ମଧ୍ୟ ଚାହିଦା ରହିଛି। ଏହାର ଦାମ ୨୦୦ଟଙ୍କାରୁ ଆରମ୍ଭ ହେଉଛି।
ପରିବେଶ ପାଇଁ ରୋପଣଯୋଗ୍ୟ ରାଖୀ
ଆଧୁନିକୀକରଣ ଯୋଗୁଁ ଧୀରେ ଧୀରେ ଗଛ ସଂଖ୍ୟା କମିବାରେ ଲାଗିଛି। ଏହାର ଫଳସ୍ୱରୁପ ପ୍ରଦୂଷଣର ମାତ୍ରା ବଢ଼ୁଛି। ତେଣୁ ପ୍ରଦୂଷଣ କମାଇବା ସହିତ ପରିବେଶ ସୁରକ୍ଷା ଦୃଷ୍ଟିରେ ସାମାଜିକ ଅନୁଷ୍ଠାନ ୟୁଥ୍ ଫର ସେବା ପକ୍ଷରୁ ଗଙ୍ଗନଗରସ୍ଥିତ ବିବେକାନନ୍ଦ ଚାଟ୍ଟଶାଳୀରେ ରୋପଣଯୋଗ୍ୟ ରାଖୀ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କଖାରୁ, ଭେଣ୍ଡି, ଜହ୍ନି, ବିନ୍, ବିରି, ଧାନ, ମୁଗ, ମସୁର ଡାଲି ଭଳି ମଞ୍ଜି ମୋଟା ପେପର, ବୋର୍ଡ ଓ ସୂତା ବ୍ୟବହାର କରି ଏହି ରାଖୀ ପ୍ରସ୍ତୁତ କରୁଛନ୍ତି। ଅନୁଷ୍ଠାନର ଜ୍ଞାନ ରଞ୍ଜନ ଦାସଙ୍କ କହିବା ଅନୁଯାୟୀ ଏହି ଜୈବ ଅନୁକୂଳ ରାଖୀ ବୃକ୍ଷର ସଂଖ୍ୟା ବଢ଼ାଇବା ସହିତ ପ୍ରଦୂଷଣ କମ ହେବାରେ ସାହାଯ୍ୟ କରିବ। ଅନୁଷ୍ଠାନ ପକ୍ଷରୁ ରାଖୀ ପୂର୍ଣ୍ଣିମାରେ ଜବାନମାନଙ୍କ ହାତରେ ରାଖୀ ବାନ୍ଧିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। କାର୍ଯ୍ୟକ୍ରମରେ କାଳିଆ, ପ୍ରଣୟ, ଶୁଭଲକ୍ଷ୍ମୀ, ଶୁଭଶ୍ରୀ, ଶୁଭସ୍ମିତା, ସାଗରିକା, ସଙ୍ଗୀତା, ଶୁଭଙ୍କର, ପୂର୍ଣ୍ଣ ପ୍ରମୁଖ ସହଯୋଗ କରିଥିଲେ।